Unknown

 

 

 

 

 

 

 

 

 

 

ରାମକୃଷ୍ଣ ନନ୍ଦ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

ଅଗ୍ରଲେଖ

 

"ଆହେ ଦୟାମୟ ବିଶ୍ୱବିହାରୀ, ଘେନ ଦୟାବହି ମୋର ଗୁହାରି'’ ପଙ୍‌କ୍ତି ଦୁଇଟି ପିଲା ବେଳଠୁ ଗୁଂଜରିତ ହେଇ ଉଠିଛି ମୋର ମାନସ ପଟରେ କେଉଁ ପ୍ରାର୍ଥନା ସଭାର ଐକାନ୍ତିକତାରେ-। ଅଗଣିତ କୋମଳମତି ଶିଶୁଙ୍କ ଓଠରେ ଏହା ଆଜିବି ପ୍ରତିଧ୍ୱନିତ । ଏହାରି ରଚୟିତା ସ୍ୱର୍ଗତ ରାମକୃଷ୍ଣ ନନ୍ଦ (୧୯୦୬-୯୪) ଏଇଟି ପାଇଁ ସମଗ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ଓଡ଼ିଆଙ୍କ ନିକଟରେ ପରିଚିତ । ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଜଣେ ସଫଳ ବିଂଧାଣୀ । ଶିଶୁ ମନସ୍ତାତ୍ତ୍ୱିକ ପଟ୍ଟଭୂମି ଉପରେ ଆଧାରିତ ତାଙ୍କର ବହୁ ରଚନା ଓଡ଼ିଆ ସାରସ୍ୱତ ଭଂଡ଼ାରର ମହାର୍ଘ ସଂପଦ । ସ୍ଵକୀୟ ଅଧ୍ୟବସାୟ ହିଁ ରାମକୃଷ୍ଣ ବାବୁଙ୍କୁ ଛିଡ଼ା କରେଇଥିଲା ଏକ ଶକ୍ତିଶାଳୀ ମଣିଷ ଭାବରେ । ଆରଂଭରେ ଶିକ୍ଷକତାକୁ ଜୀବନର ବ୍ରତ ଭାବରେ ଆଦରି ନେଇଥିବା ଏକ ନିରଳସ ସାଧକ ପରବର୍ତ୍ତୀ ସମୟରେ ମୁଦ୍ରଣ ବ୍ୟବସାୟ ପ୍ରତି ମନୋନିବେଶ କରି ଜୀବନର ଶେଷ ପର୍ଯ୍ୟନ୍ତ ନିଜର ଆଦର୍ଶ ଓ ସଚ୍ଚୋଟ ପଣିଆ ପ୍ରତି ଅଂଗୀକାରବଦ୍ଧ ଥିଲେ । ଗାନ୍ଧିବାଦରେ ସିଏ ଥିଲେ ପ୍ରଗାଢ଼ ବିଶ୍ୱାସୀ । ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଭାବରେ ଯେଉଁ ଚାରିତ୍ରିକ ଗୁଣଟି ତାଙ୍କୁ ମହିମାମଂଡ଼ିତ କରିଥିଲା ତାହା ହେଉଛି କଥା ଓ କାମରେ ସମନ୍ୱୟ । ସରଳ ଓ ନିଷ୍କପଟ ବ୍ୟବହାରରେ ଅପରକୁ ଜିଣି ନେବାଥିଲା ତାଙ୍କ ଚରିତ୍ରର ଏକ ମହନୀୟ ଦିଗ ।

ରାମକୃଷ୍ଣ ବାବୁ ଓଡ଼ିଆ ଶିଶୁ ସାହିତ୍ୟର ସମୃଦ୍ଧି ଦିଗରେ ଯେଉଁ ତତ୍ପରତା ଦେଖାଇଛନ୍ତି ତାହା ସମସ୍ତଙ୍କ ପାଇଁ ଅବିସ୍ମରଣୀୟ । ବହୁ ପାଠ୍ୟପୁସ୍ତକ ଓ ସୁଖପାଠ୍ୟ ଶିଶୁ ସାହିତ୍ୟ ରଚନା କରି ସେ ଅମର କୀର୍ତ୍ତି ରଖି ଯାଇଛନ୍ତି । 'ସାହିତ୍ୟ ସୋପାନ', 'ପାଠ ସୋପାନ' ‘ସାହିତ୍ୟ ବୋଧ' ଆଦି ତାଙ୍କର ପାଠ୍ୟପୁସ୍ତକ ମଧ୍ୟରୁ କେତୋଟି । 'ବିଶ୍ୱ ପରିଚୟ' ଶୀର୍ଷକ ବିରାଟ ଜ୍ଞାନକୋଷ ତାଙ୍କ ଏକନିଷ୍ଠ ସାଧନାର ଜ୍ୱଳନ୍ତ ପ୍ରତୀକ । ଓଡ଼ିଆ ଶିଶୁ ପତ୍ରିକା 'ସଂସାର’ର ସେ ଥିଲେ ପ୍ରତିଷ୍ଠାତା ସଂପାଦକ । ସଂସାର ପତ୍ରିକାରେ ବହୁ ବର୍ଷ ଧରି ପ୍ରକାଶିତ ତାଙ୍କ 'ଲେଖନୀର ପାଠଶାଳା' ଓ 'ଭାବି ଦେଖନ୍ତୁ' ଧାରାବାହିକ ଲେଖାଗୁଡ଼ିକୁ ସେ ସେହି ନାମରେ ପୁସ୍ତକକାରରେ ପ୍ରକାଶ କରିଛନ୍ତି-। ଶୁଦ୍ଧ ଓଡ଼ିଆ ଲେଖିବା ଓ ଛାପିବା କାର୍ଯ୍ୟରେ 'ଲେଖନୀର ପାଠଶାଳା'ର ଉପାଦେୟତା ଯଥେଷ୍ଟ ରହିଛି । ତାଙ୍କ ଶିଶୁ କବିତା ସଂକଳନ 'ଝୁମୁକା' ୧୯୭୭ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି ।

ଜଣେ ସମ୍ବେଦନଶୀଳ ବ୍ୟକ୍ତିତ୍ଵ ଭାବରେ ସିଏ ଆଦରିଥିଲେ ସ୍ୱାଧୀନତା ସଂଗ୍ରାମର ରଣକ୍ଷେତ୍ରକୁ । ଶିକ୍ଷାବିତ୍, ଶିଶୁସାହିତ୍ୟିକ ଓ ସ୍ନେହୀ ମଣିଷ ଭାବରେ ସିଏ ନିଜକୁ ବାଣ୍ଟି ଦେଇଥିଲେ ବହୁ ଶିଶୁ ଓ କିଶୋର ଅନୁଷ୍ଠାନମାନଙ୍କ ମଧ୍ୟରେ । ନିଜସ୍ୱ ସୃଜନଶୀଳତା ପାଇଁ ସିଏ ବହୁଧା ଅନୁଷ୍ଠାନମାନଙ୍କ ଦ୍ଵାରା ନିଜ ଜୀବଦ୍ଦଶାରେ ସମ୍ୱର୍ଧିତ ତଥା ପୁରସ୍କୃତ ।

ସ୍ୱର୍ଗତ ନନ୍ଦଙ୍କୁ ସାରସ୍ୱତ ଜୀବନର ଆଧାର ଉପରେ ପର୍ଯ୍ୟବସିତ ଏହି ମନୋଗ୍ରାଫ୍‍ଟି ତାଙ୍କ ବ୍ୟକ୍ତିଗତ ଜୀବନଚର୍ଯ୍ୟାର ସଙ୍କେତ ମଧ୍ୟ ବହନ କରିଛି । ଏହାରି ରଚୟିତା ଡକ୍ଟର ସୁରେନ୍ଦ୍ର କୁମାର ମହାରଣା ଓଡ଼ିଆ ସାହିତ୍ୟର ଜଣେ ଲଗ୍‌ଧପ୍ରତିଷ୍ଠ ଗବେଷକ ଓ ସମାଲୋଚକ । ପୁସ୍ତକଟିର ମୁକ୍ତିଲାଭ ଅବସରରେ ମୁଁ ତାଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଉଛି ଓ ଓଡ଼ିଶାର ଅଗଣିତ ପାଠକ ପାଠିକାଙ୍କୁ ଏହା ସନ୍ତୋଷ ପ୍ରଦାନ କରିବ ବୋଲି ଆଶା ରଖୁଛି ।

 

ଅଶ୍ୱିନୀ କୁମାର ମିଶ୍ର

ଜାନୁଆରୀ ୨୬, ୨୦୦୦

ସଂପାଦକ

Image

 

 

 

 

 

ଦ୍ୱିତୀୟ ସଂସ୍କରଣ ସଂପର୍କରେ

 

“ରାମକୃଷ୍ଣ ନନ୍ଦ’ ଶୀର୍ଷକ ମନୋଗ୍ରାଫ୍‌ଟି ପ୍ରକାଶ ପାଇଥିଲା ୨୦୦୦ ମସିହାରେ ଆଜକୁ ଷୋହଳ ବର୍ଷ ତଳେ । ଏକାଡେମୀ ଭଣ୍ଡାରରେ ଏହାର କପି ଆଉ ନଥିବାରୁ ଏହା ଆମକୁ ଉତ୍ସାହିତ କରିଛି ପୁସ୍ତକଟିର ଦ୍ୱିତୀୟ ସଂସ୍କରଣ ପାଇଁ । ଆଶା, ପୂର୍ବଭଳି ଏହା ପାଠକ ପାଠିକାଙ୍କ ଚାହିଦା ପୂରଣ ଦିଗରେ ସମର୍ଥ ହେବ ।

 

 

ଅଶ୍ୱିନୀ କୁମାର ମିଶ୍ର

ଏପ୍ରିଲ ୭, ୨୦୧୬

ସଂପାଦକ

Image

 

ପ୍ରାକ୍-କଥନ

 

‘ଆହେ ଦୟାମୟ ବିଶ୍ୱ ବିହାରୀ’ ପ୍ରାର୍ଥନା, ବାଣୀପୁତ୍ର ସ୍ଵର୍ଗତ ରାମକୃଷ୍ଣ ନନ୍ଦଙ୍କୁ ଅମର କରିଛି । ଏହି ପ୍ରାର୍ଥନା-ସଙ୍ଗୀତ ମାଧ୍ୟମରେ ତାଙ୍କୁ ଯେମିତି ସମସ୍ତେ ଜାଣନ୍ତି, ମୁଁ ମଧ୍ୟ ପ୍ରଥମେ ତାଙ୍କୁ ସେମିତି ଜାଣିଥିଲି । ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟାନ୍ୟ ରଚନାବଳୀ ପାଠକରିବା ପରେ ମୁଁ ତାଙ୍କର ଜଣେ ମୁଗ୍‌ଧ ପାଠକ ହୋଇଗଲି । ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ଜାତ ହେଲା । ସୌଭାଗ୍ୟବଶତଃ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କ ଉପରେ ଏକ ମନୋଗ୍ରାଫ୍ ଲେଖିବାକୁ ମୋତେ ଅନୁରୋଧ କରନ୍ତି କିଛିଦିନ ପୂର୍ବେ ଏବଂ ମୁଁ ତାହା ସାଦରେ ଗ୍ରହଣ କରେ ।

 

ରାମକୃଷ୍ଣ ନନ୍ଦଙ୍କ କୀର୍ତ୍ତି ଓ କୃତି ସଂପର୍କୀୟ ଉପାଦାନ ସଂଗ୍ରହ ଉଦ୍ଦେଶ୍ୟରେ ମୁଁ କଟକ ତେଲେଙ୍ଗା ବଜାରସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କ ବ୍ୟକ୍ତିଗତ ଗ୍ରନ୍ଥଗାର ଓ ଡାଏରୀରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି । ଏହି କାର୍ଯ୍ୟରେ ତାଙ୍କ କନ୍ୟା ଶୈଳବାଳା ଦେବୀ, ପୁତ୍ର ପ୍ରଭାତବାବୁ ଓ ପୁତ୍ରବଧୂ ଅନସୂୟା ଦେବୀଙ୍କଠାରୁ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ପାଇଛି । ସେମାନଙ୍କ ସୌଜନ୍ୟ ଓ ଆପଣାରଭାବ ମୋତେ ମୁଗ୍‌ଧ କରିଛି । ବନ୍ଧୁ ଡକ୍ଟର ବାବାଜି ଚରଣ ପଟ୍ଟନାୟକଙ୍କ ପ୍ରେରଣା ଓ ସହଯୋଗ ମଧ୍ୟ ମୋତେ ଏ ଦିଗରେ ଆଗେଇ ନେଇଛି ।

 

ଲେଖା ଆରମ୍ଭ କରିଛି । ସାହିତ୍ୟ ଏକାଡେମୀ ଚିଠିରେ ନିର୍ଦ୍ଦେଶ, ଏହା ଗବେଷଣାଧର୍ମୀ ହେବ ନାହିଁ । ଲେଖିବାବେଳେ ଏହି ନିର୍ଦ୍ଦେଶ ମନରେ ରଖିଛି । ରାମକୃଷ୍ଣଙ୍କ ଜୀବନୀ ଲେଖିବା ପାଇଁ ମୁଖ୍ୟତଃ ତାଙ୍କ ଆତ୍ମଜୀବନୀ ‘ଜୀବନ ତରଙ୍ଗ' ଉପରେ ଅଧିକ ନିର୍ଭରଶୀଳ ହୋଇଛି । ରାମକୃଷ୍ଣଙ୍କ ଭଳି ସରଳ ଓ ଶ୍ରୁତିମଧୁର ଭାଷାରେ ତାଙ୍କ ଜୀବନୀ ଲେଖିବା ପାଇଁ ମୁଁ ତାଙ୍କ ଆତ୍ମଜୀବନୀର ସାବଲୀଳ ଭାଷା ଓ ଶୈଳୀକୁ ଅନେକ ସ୍ଥଳରେ ଅନୁସରଣ କରିଛି ।

 

ରାମକୃଷ୍ଣ ନନ୍ଦ ସାହିତ୍ୟିକ ଭାବରେ ବେଶ୍ ପରିଚିତ । ସରଳ, ସଚ୍ଚରିତ୍ର ଓ ଅଧ୍ୟବସାୟୀ ଭାବରେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ସ୍ୱାଧୀନ ଜୀବନ ଯାପନରେ ଏବଂ ଖଟି ଖାଇବାରେ ତାଙ୍କର ଆନନ୍ଦ । ସବୁ ଦୃଷ୍ଟିରୁ ବିଚାର କରି ଦେଖିଲେ, ସେ ଜଣେ ଆଦର୍ଶ ପୁରୁଷ । ଜୀବନ-ସଂଗ୍ରାମରେ ମଧ୍ୟ ସେ ଜଣେ ବିଜୟୀ ଯୋଦ୍ଧା । ଏଣୁ ତାଙ୍କ ଜୀବନ ଚରିତ ପାଠକଙ୍କ ପାଇଁ ନିଶ୍ଚିତ ରୂପେ ଆଦର୍ଶସ୍ଥାନୀୟ । ଏଥିରେ ଆଲୋଚିତ ତାଙ୍କ ସାରସ୍ୱତ କୃତିରାଜିର ଯେଉଁ ପରିଚୟ ପ୍ରଦତ୍ତ, ତାହା ପର୍ଯ୍ୟାପ୍ତ ନ ହେଲେହେଁ ତାଙ୍କ ସାହିତ୍ୟିକ ପ୍ରତିଭାର ଆକଳନରେ ସହାୟକ ହେବ ନିଶ୍ଚୟ । ପ୍ରସ୍ତୁତ ପୁସ୍ତକଟି ସମାଦୃତି ଲାଭ କଲେ ଶ୍ରମର ସାର୍ଥକତା ରହିଛି ବୋଲି ବିଚାରିବି ।

 

।। ଜୟ ଜଗନ୍ନାଥ ।।

 

ତା ୧୭.୦୩.୯୭

ସୁରେନ୍ଦ୍ର କୁମାର ମହାରଣା

ଘର ନଂ, ଡି-୬/୨

 

ଇଉନିଟ୍‌-୮, ଭୁବନେଶ୍ୱର-୧୨

 

Image

 

ସୂଚୀପତ୍ର

 

୧.

ବଂଶଲତା

୨.

ଜୀବନ-ପଞ୍ଜି

୩.

ପ୍ରଥମ ପରିଚ୍ଛେଦ

୪.

ଶୈଶବ ଓ ବାଲ୍ୟଶିକ୍ଷା

୫.

ଦ୍ୱିତୀୟ ପରିଚ୍ଛେଦ

୬.

କୈଶୋର ଓ ଛାତ୍ର ଜୀବନ

୭.

ତୃତୀୟ ପରିଚ୍ଛେଦ

୮.

ଜୀବନ ସଂଗ୍ରାମ

 

(କ)

ଉଚ୍ଚଶିକ୍ଷା -

 

(ଖ)

ଶିକ୍ଷକତା -

 

(ଗ)

ସ୍ୱାଧୀନ ବୃତ୍ତି

୯.

ଚତୁର୍ଥ ପରିଚ୍ଛେଦ

୧୦.

ପାରିବାରିକ ଘଟନାବଳୀ

୧୧.

ପଞ୍ଚମ ପରିଚ୍ଛେଦ

୧୨.

ଶେଷ ଜୀବନ

୧୩.

ଷଷ୍ଠ ପରିଚ୍ଛେଦ

୧୪.

ସାରସ୍ୱତ ସାଧନା

୧୫.

ପରିଶିଷ୍ଟ

 

(କ)

ରାମକୃଷ୍ଣଙ୍କୁ ସମ୍ୱର୍ଦ୍ଧିତ କରିଥିବା କେତେକ ଅନୁଷ୍ଠାନ

 

(ଖ)

ରାମକୃଷ୍ଣ ସଂପୃକ୍ତ ଥିବା କେତେକ ଅନୁଷ୍ଠାନ

Image

 

ବଂଶଲତା

 

Image

Image

 

ଜୀବନ-ପଞ୍ଜି

 

ଜନ୍ମ

-

୧୯୦୬ ଫେବୃଆରୀ ୧୫

ଜନ୍ମସ୍ଥାନ

-

ବାଇରୋଇ, ଜି. କଟକ

ପିତା

-

ମଧୁସୂଦନ ନନ୍ଦ

ମାତା

-

ଲକ୍ଷ୍ମୀ ଦେବୀ

ପତ୍ନୀ

-

ସୌଦାମିନୀ ଦେବୀ

୧୯୦୬

-

ଜନ୍ମ

୧୯୧୧-୧୪

-

ନିମ୍ନ-ପ୍ରାଥମିକ ଶିକ୍ଷାଲାଭ

୧୯୧୫-୧୮

-

ଭିଙ୍ଗାରପୁର ମାଇନର ସ୍କୁଲରେ ଅଧ୍ୟୟନ

୧୯୧୯

-

ପିତୃବିୟୋଗ

୧୯୧୯-୨୧

-

କଟକ ରେଭେନ୍‍ସା କଲେଜିଏଟ୍ ସ୍କୁଲରେ ଅଧ୍ୟୟନ

୧୯୨୧

-

ଅସହଯୋଗ ଆନ୍ଦୋଳନରେ ଯୋଗଦାନ ଓ ବଡ଼ଚଣା ଅଞ୍ଚଳରେ କଂଗ୍ରେସ କାର୍ଯ୍ୟ ।

୧୯୨୨

-

କୁଦାନଗରୀ ଆଶ୍ରମରେ ଓ କଟକ ସ୍ୱରାଜ୍ୟାଶ୍ରମରେ କଂଗ୍ରେସ କାର୍ଯ୍ୟ

୧୯୨୨-୨୩

-

ଜଗତସିଂହପୁର ଅଳକାଶ୍ରମରେ କଂଗ୍ରେସ କାର୍ଯ୍ୟ

୧୯୨୩

-

ସତ୍ୟବାଦୀ ଜାତୀୟ ବିଦ୍ୟାଳରେ ଅଧ୍ୟୟନ

୧୯୨୪

-

ଗ୍ରାମରେ ଅବସ୍ଥାନ ଓ ଏରସମାରେ ଭୋଟ ପ୍ରଚାର

୧୯୨୪-୨୫

-

ଜୀବନର ପ୍ରଥମ ଚାକିରି: କଟକ ଜିଲାବୋର୍ଡ଼ ଅଧୀନରେ ସୂତାକଟା ଶିକ୍ଷକ

୧୯୨୫

-

ବିବାହ

୧୯୨୫-୩୦

-

ରେଭେନ୍‍ସା କଲେଜରେ ଅଧ୍ୟୟନ

୧୯୩୦-୩୧

-

ବାଙ୍ଗୀ-ଡମପଡ଼ା ହାଇସ୍କୁଲରେ ଶିକ୍ଷକତା

୧୯୩୧

-

ପୁନର୍ବିବାହ (ସେତେବେଳେ ଏହାହିଁ ପ୍ରକୃତ ବିବାହ)

୧୯୩୧-୪୨

-

ବାରିପଦା ହାଇସ୍କୁଲରେ ଶିକ୍ଷକତା

୧୯୩୪

-

ବାପା (ପିତାମହ)ଙ୍କ ମୃତ୍ୟୁ

୧୯୩୭-୩୮

-

କଟକ ଟ୍ରେନିଂ କଲେଜରେ (ଡି.ଇଡ଼ି)ତାଲିମ

୧୯୪୨-୪୬

-

ଭିଙ୍ଗାରପୁରର ଶ୍ରୀ ବକ୍ରେଶ୍ୱର ହାଇସ୍କୁଲରେ ପ୍ରଧାନ ଶିକ୍ଷକ

୧୯୪୩

-

ପୁତ୍ରଲାଭ

୧୯୪୬-୪୭

-

ସ୍ୱାଧୀନ ବୃତ୍ତି ପଥେ: କଟକରେ ପାରିଜାତ ପ୍ରେସ୍ ପ୍ରତିଷ୍ଠା

୧୯୫୧

-

ମାତୃବିୟୋଗ

୧୯୫୧, ଅଗଷ୍ଟ

-

‘ସଂସାର’ ପ୍ରକାଶନ ଆରମ୍ଭ

୧୯୬୧-୬୨

-

‘ବିଶ୍ୱ ପରିଚୟ’ ସଂକଳନ

୧୯୬୧

-

ପାରିଜାତ ପ୍ରେସ୍ କାର୍ଯ୍ୟାକାଳର ପରିସମାପ୍ତି

୧୯୬୨

-

ସଂସାର ପ୍ରେସ୍ ପ୍ରତିଷ୍ଠା

୧୯୭୦

-

‘ସଂସାର’ର ପ୍ରକାଶନ ବନ୍ଦ

୧୯୭୫

-

‘ଝୁମୁକା’ ପ୍ରକାଶନ

 

-

ଲେଖକ ଜୀବନର ପ୍ରଥମ ସମ୍ମାନ (ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ୱର୍ଦ୍ଧିତ

୧୯୮୦

-

‘ଝୁମୁକା’ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ

୧୯୮୦-୮୧

-

ଓଡ଼ିଆ ଶିଶୁସାହିତ୍ୟ ସଂକଳନ

୧୯୮୨

-

ଶାରଳା ସମ୍ମାନ (ଉପାୟନ)ଲାଭ

 

-

‘ସଂସାର’ର ପୁନଃ ପ୍ରକାଶନ

୧୯୮୮

-

ପତ୍ନୀ ବିୟୋଗ

୧୯୮୯

-

ବ୍ରହ୍ମପୁର ଶିଶୁ ସାହିତ୍ୟ କର୍ମଶାଳାରେ ସର୍ବଶ୍ରେଷ୍ଠ ଶିଶୁ ସାହିତ୍ୟିକ ସମ୍ମାନ

୧୯୯୩

-

‘ଉତ୍କଳ ସନ୍ତାନ’ ତରଫରୁ ସମ୍ୱର୍ଦ୍ଧନା ଲାଭ

୧୯୯୪

-

ଅକ୍ଟୋବର ୨୮ ତାରିଖ ସକାଳ ୯ଟାରେ ସ୍ୱର୍ଗାରୋହଣ ।

Image

 

ପ୍ରଥମ ପରିଚ୍ଛେଦ

ଶୈଶବ ଓ ବାଲ୍ୟଶିକ୍ଷା

 

ଆହେ ଦୟାମୟ ବିଶ୍ୱବିହାରୀ

ଘେନ ଦୟାବହି ମୋର ଗୁହାରି ।

ଜଳ, ସ୍ଥଳ, ବନ, ଗିରି, ଆକାଶ,

ତୁମ ଲୀଳା ସବୁଠାରେ ପ୍ରକାଶ ।

ତୁମେ ଶୁଭବୁଦ୍ଧି ପରା ଶିଖାଅ,

ତୁମେ ଭଲ ବାଟ ପରା ଦେଖାଅ ।

ମୋର କାମକୁ କରାଅ ସରସ,

ମୋର ମୁଖେ ଦିଅ ଚିର ହରଷ ।

ତୁମ ଚରଣରେ ମୋର ଭକତି,

ଦିଅ ବିପଦେ ସାହସ ଶକତି ।

କୂଟ କପଟ ସ୍ୱଭାବ ଯାହାର,

ତାଙ୍କୁ ଦୂରୁଁ ମୁଁ କରଇ ଜୁହାର ।

ମୋତେ ନ ମିଶାଅ ତାଙ୍କ ସାଥିରେ,

ସଦା ରଖ ସାଧୁଜନ କତିରେ ।

ଦୟା ବିନୟ ହେଉ ମୋ ଭୂଷଣ,

କାହା ମନେ ନଦିଏଁ ମୁଁ କଷଣ ।

ଦୁଃଖୀ ଅରକ୍ଷିତ ସେବା କାରଣେ,

ବଳ ଦିଅ ମୋର କର ଚରଣେ ।

ସତ କହିବାକୁ କିଆଁ ଡରିବି ?

ସତ କହି ପଛେ ମଲେ ମରିବି ।

ମୋତେ ଏତିକି ଶିଖାଅ ସାଇଁ ହେ

ମୋର ଧନ ଜନ ଲୋଡ଼ା ନାହିଁ ହେ ।

 

ଓଡ଼ିଶାରେ ପୁରପଲ୍ଲୀରେ ସୁପରିଚିତ ଏହି ପ୍ରାର୍ଥନାଟିର ରଚୟିତା ରାମକୃଷ୍ଣ ନନ୍ଦ । ସେ ୧୯୦୬ ଖ୍ରୀଷ୍ଟାବ୍ଦ ଫେବୃଆରୀ ମାସ ୧୫ ତାରିଖରେ କଟକ ଜିଲାର ବାଇରୋଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କଟକ-ଭୁବନେଶ୍ୱର ରାସ୍ତାରେ ଫୁଲନଖରାଠାରୁ ନିଆଳି ଆଡ଼କୁ ଯାଇଥିବା ଉପ-ରାସ୍ତାରେ ୧୭ କି.ମି.ଠାରେ ଏହି ଗ୍ରାମଟି ଅବସ୍ଥିତ । ଏହା କଟକ ଜିଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ।

 

ପିତା ମଧୁସୂଦନ ନନ୍ଦ ଓ ମାତା ଲକ୍ଷ୍ମୀ ଦେବୀଙ୍କର ଚାରୋଟି ପୁତ୍ର ଓ ଗୋଟିଏ କନ୍ୟା । ରାମକୃଷ୍ଣ ସେମାନଙ୍କର ଦ୍ୱିତୀୟ ସନ୍ତାନ । ରାମକୃଷ୍ଣଙ୍କ ବାପା(ପିତାମହ) ବୃନ୍ଦାବନ ନନ୍ଦ ଥିଲେ ଗ୍ରାମର ଜଣେ ମୁଖିଆ ଲୋକ । ବୃନ୍ଦାବନ ନନ୍ଦଙ୍କ ପିତା ବିଶ୍ୱନାଥ ନନ୍ଦ ବୌଦରେ ଶିକ୍ଷକତା କରୁଥିଲେ । ବୃନ୍ଦାବନ ନନ୍ଦ କଟକ ନର୍ମାଲ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ । ଧନୀଘରର ସନ୍ତାନ ନଥିଲେହେଁ ନିଜ ବୁଦ୍ଧି ଓ ଅଧ୍ୟବସାୟ ବଳରେ ସେ ଜମିଦାରୀ, ମକଦ୍ଦମି କ୍ରୟ କରି ଦିଅଁ, ଦେଉଳ, ଖମାର, ବାଗବଗିଚା, ସବାରି, ପାଲିଙ୍କି, ନାଟ ଓ ସଙ୍ଗୀତ ଦଳ ପ୍ରଭୃତି ନାନା ବୈଷୟିକ ଆଡ଼ମ୍ୱର ଭିତରେ କାଳାତିପାତ କରୁଥିଲେ ।

 

ଉପଯୁକ୍ତ ବୟସ ହେବାରୁ ରାମକୃଷ୍ଣ ନିଜ ଗ୍ରାମର ଏକ ଅସ୍ଥାୟୀ ଚାଟଶାଳୀରେ ବିଦ୍ୟାରମ୍ଭ କଲେ । ନିକଟବର୍ତ୍ତୀ ଗ୍ରାମ କଣ୍ଟାପଡ଼ାରେ ଥିବା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ଅଧ୍ୟୟନ କରିବାପରେ ସେ ନିମାପଡ଼ା ମାଇନର ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ନିମାପଡ଼ାରେ ପାଠପଢ଼ା ଆରମ୍ଭ କରିବାବେଳକୁ ତାଙ୍କୁ ସାତ ଆଠ ବର୍ଷ (୧୯୧୩-୧୪) ହୋଇଥିଲା । ନିମାପଡ଼ାରେ ବଡ଼ଭାଇ ଓ କକେଇଙ୍କ ସହିତ ସେ ଏକ ସ୍ୱତନ୍ତ୍ର ବସାଘରେ ରହିଥିଲେ । ସେଠାରେ ଦେଖାଚାହାଁ କରିବା ପାଇଁ ଏବଂ ରାନ୍ଧିବାଢ଼ି ଖାଇବାକୁ ଦେବାପାଇଁ ସେମାନଙ୍କ ଗ୍ରାମର ଜଣେ ସମ୍ପର୍କୀୟ ଲୋକଙ୍କୁ ନିଯୁକ୍ତି ମିଳିଥିଲା ।

 

ନିମାପଡ଼ାରେ ବୋଧେ କିଛି ଅସୁବିଧା ହେଲା, ଯାହା ଫଳରେ ତାଙ୍କ ପିତା ସେମାନଙ୍କୁ ପୁନର୍ବାର ଗ୍ରାମକୁ ଘେନି ଆସିଲେ । ସେ ତିନିଜଣଙ୍କ ନାମ ଲେଖାହେଲା ନିକଟବର୍ତ୍ତୀ କଣ୍ଟାପଡ଼ା ଗ୍ରାମର ନିମ୍ନ ପ୍ରାଥମିକ ସ୍କୁଲରେ । କିଛିଦିନ ପରେ ପୁଣି ସେମାନଙ୍କୁ ଅଣାଗଲା ନିଜ ଗ୍ରାମ ସ୍କୁଲକୁ-। ସେଠାରେ ତାଙ୍କ ପିତା ଶିକ୍ଷକତା କରୁଥିଲେ । ନିମ୍ନ ପ୍ରାଥମିକ ଶିକ୍ଷା ଶେଷ କରିବାପରେ ନିମ୍ନ ପ୍ରାଥମିକ ବୃତ୍ତି ପରୀକ୍ଷା ଦେବାକୁ ସେ ଜଗତସିଂହପୁର ଯାଇଥିଲେ । ଏଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ମାସିକ ଦୁଇଟଙ୍କା ବୁତ୍ତି ପାଇଥିଲେ ।

 

ସେତେବେଳର ଚାଟଶାଳୀମାନଙ୍କରେ ‘ଚାଟଶାଳୀ ପାଠ’, ‘ଗୋପୀଭାଷା’ ଆଦି ପାଠ୍ୟ ପୁସ୍ତକ ଭାବରେ ବ୍ୟବହୃତ ହେଉଥିଲା । କୋଇଲି ଆଦି ବିଭିନ୍ନ ଚଉତିଶା ମଧ୍ୟ ଚାଟମାନଙ୍କୁ ମୁଖସ୍ଥ କରିବାକୁ ପଡ଼ୁଥିଲା । ସ୍କୁଲକୁ ଯାଉଥିବା ପିଲାମାନେ ଝିଅଙ୍କ ପରି ହାତରେ ଖଡ଼ୁ, ବାହାରେ ଅନନ୍ତବ୍ରତ, କାନର ନୋଳି ଅଣ୍ଟାରେ ଅଣ୍ଟାସୂତା ଆଦି ଅଳଙ୍କାର ପିନ୍ଧୁଥିଲେ । ପ୍ୟାଣ୍ଟ, ସାର୍ଟର ପ୍ରଚଳନ ନଥିଲା । ପିଲାମାନେ ଖଦୀ, ଚାଦର ବା ଗାମୁଛା ପିନ୍ଧି ସ୍କୁଲକୁ ଯାଉଥିଲେ ।

 

ନିମ୍ନ ପ୍ରାଥମିକ ପାଠ ଶେଷ ହେବା ପରେ ଭାଇନା ଓ କକେଇଙ୍କ ସହିତ ରାମକୃଷ୍ଣ ଭିଙ୍ଗାରପୁର ମାଇନର ସ୍କୁଲରେ ପଢ଼ିଲେ । ସେଠାରେ ବୋର୍ଡ଼ିଂରେ ଏକ ସ୍ୱତନ୍ତ୍ର ଘରେ ରହିଲେ । ଏହି ସମୟରେ ଜୟଦେବ ମିଶ୍ର ସେହି ସ୍କୁଲରେ ଦ୍ୱିତୀୟ ପଣ୍ଡିତ ରୂପେ ନିଯୁକ୍ତି ପାଇଥିଲେ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଶ୍ରେଣୀରେ ଶିକ୍ଷାଦାନ ସମୟରେ ସେ ଯେପରି ପାଣ୍ଡିତ୍ୟର ପରିଚୟ ଦେଉଥିଲେ, ରୋଗୀ ଓ ବିପନ୍ନ ସେବାରେ ମଧ୍ୟ ସେହିପରି ଅଗ୍ରଣୀ ଥିଲେ । ସଙ୍ଗୀତ ଓ ଚିତ୍ରାଙ୍କନରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ରାମକୃଷ୍ଣ ତାଙ୍କ ଦ୍ୱାରା ବହୁ ଭାବରେ ପ୍ରଭାବିତ ହୋଇଥିଲେ । ତାଙ୍କଠାରୁ ରାମକୃଷ୍ଣ ଯେତିକି ଚିତ୍ରାଙ୍କନ ବିଦ୍ୟା ଶିକ୍ଷା କରିଥିଲେ, ତାହା ତାଙ୍କୁ ପରବର୍ତ୍ତୀ ଜୀବନରେ ଯଥେଷ୍ଟ ସାହାଯ୍ୟ କରିଥିଲା ।

 

ନିମ୍ନ ପ୍ରାଥମିକ ବୃତ୍ତି ପାଉଥିଲେହେଁ ରାମକୃଷ୍ଣ ଯେ ମାଇନର ବୃତ୍ତି ପାଇବେ ଏଥିରେ ତାଙ୍କ ନନାଙ୍କର ସନ୍ଦେହ ଥିଲା । କାରଣ ଭିଙ୍ଗାରପୁର ସ୍କୁଲର କୌଣସି ପିଲା ପୂର୍ବରୁ ବୃତ୍ତି ପାଉ ନଥିଲେ । କଟକ ମିଡ଼ିଲ ସ୍କୁଲ ସେତେବେଳେ ଭଲ ପାଠପଢ଼ା ପାଇଁ ସୁନାମ ଅର୍ଜନ କରିଥିଲା । ରାମକୃଷ୍ଣଙ୍କ ନନା ତାଙ୍କୁ ଧରି କଟକ ଯାଇଥିଲେ । ସେଠାରେ ପରୀକ୍ଷା କରି ଦେଖିବାପରେ ହେଡ଼ମାଷ୍ଟର ଶ୍ରୀଯୁକ୍ତ ବିଶ୍ୱମ୍ଭର ମିଶ୍ର ତାଙ୍କୁ ନିଜ ସ୍କୁଲରେ ଗ୍ରହଣ କରିବାପାଇଁ ସମ୍ମତ ହେଲେ । କିନ୍ତୁ ଭାଇନା ଓ କେକେଇଙ୍କଠାରୁ ଅଲଗା ରହି କଟକରେ ପାଠ ପଢ଼ିବା ପାଇଁ ରାମକୃଷ୍ଣଙ୍କର ଇଚ୍ଛା ନଥିଲା । ସେ କାନ୍ଦ କାନ୍ଦ ହୋଇ ନନାଙ୍କୁ ନିଜର ଅନିଚ୍ଛା ଜଣାଇଲେ । ତେଣୁ ନନା ଏ ଦିଗରେ ଆଉ ଆଗେଇଲେ ନାହିଁ । ସେ ପୂର୍ବଭଳି ଭିଙ୍ଗାରପୁରରେ ରହି ପଢ଼ିଲେ । ଏହି ସ୍କୁଲରେ ଥରେ ସେ ପୁରସ୍କାର ବିତରଣ ଉତ୍ସବରେ ଇଂରାଜି ନାଟକ Alexander and the Robber ରେ ଡକାୟତର ଭୂମିକାରେ ଅଭିନୟ କରିଥିଲେ । ଶ୍ରେଣୀରେ ପ୍ରଥମ ହେଉଥିବାରୁ ତାଙ୍କୁ ଖଣ୍ଡିଏ Chambers Dictionary ପୁରସ୍କାର ସ୍ୱରୂପ ମିଳିଥିଲା । ଭିଙ୍ଗାରପୁର ମାଇନର ସ୍କୁଲରୁ ପାଠ ସରିବା ପରେ ରାମକୃଷ୍ଣ ପୁରୀ ଜିଲାସ୍କୁଲ କେନ୍ଦ୍ରରେ ବୃତ୍ତି ପରୀକ୍ଷା ଦେଇଥିଲେ ଏବଂ ଏଥିରେ କୃତକାର୍ଯ୍ୟ ହୋଇ ମାସିକ ପାଞ୍ଚଟଙ୍କା ମାଇନର ବୃତ୍ତି ଲାଭ କରିଥିଲେ ।

Image

 

Unknown

ଦ୍ୱିତୀୟ ପରିଚ୍ଛେଦ

କୈଶୋର ଓ ଛାତ୍ରଜୀବନ

 

ମାଇନର ପରୀକ୍ଷା ପରେ ଗ୍ରାମକୁ ଫେରି ରାମକୃଷ୍ଣ ସେଠାରେ ଗ୍ରୀଷ୍ମ ଛୁଟି କଟାଇଲେ-। ଛୁଟିପରେ ଉଚ୍ଚଶିକ୍ଷା ପାଇଁ ତାଙ୍କୁ କଟକ ଆସିବାକୁ ହେଲା । ବର୍ଷକ ଆଗରୁ ତାଙ୍କ ଭାଇନା ଓ କକେଇ କଟକରେ ରହି ପି.ଏମ୍.ଏକାଡେମୀରେ ଅଧ୍ୟୟନ କରୁଥିଲେ । ରାମକୃଷ୍ଣ ସେମାନଙ୍କ ସହିତ ଏକା ବସାରେ ରହିଲେ । ଏଠାରେ ସେମାନଙ୍କ ଅଭିଭାବକ ଥିଲେ ତାଙ୍କ ଗ୍ରାମର ବାଞ୍ଛାନିଧି ଆଚାର୍ଯ୍ୟ । ରାମକୃଷ୍ଣଙ୍କ ନାମ ଲେଖାଗଲା ରେଭେନ୍‍ସା କଲେଜିଏଟ୍ ସ୍କୁଲରେ-। କଟକରେ ଏଇ ଦୁଇ ପୁଅଙ୍କ ପଢ଼ା ଖର୍ଚ୍ଚ ତୁଲାଇବା ତାଙ୍କ ନନାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ତେଣୁ ରାମକୃଷ୍ଣ ବୋଉଙ୍କ ଅଳଙ୍କାର ବନ୍ଧାପକାଇ କିଛି ଅର୍ଥ ଯୋଗାଡ଼ କଲେ । ସେଥିରେ ଦୁଇ ପୁଅଙ୍କୁ ପଢ଼ାଇଲେ-

ପିତାଙ୍କର ଅକାଳ ବିୟୋଗ :

ରେଭେନ୍‍ସା କଲେଜିଏଟ୍ ସ୍କୁଲରେ ବହୁ ମେଧାବୀ ଛାତ୍ର ପଢ଼ୁଥିଲେ । ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରିବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ରାମକୃଷ୍ଣ ସେମାନଙ୍କ ମଧ୍ୟରେ ଜଣେ ଥିଲେ । ଗଭୀର ନିଷ୍ଠା ଓ ଅଧ୍ୟବସାୟବଳରେ ସେ ପ୍ରଥମ ବର୍ଷର ଶେଷ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିପାରିଥିଲେ । କିନ୍ତୁ ଏହି କୃତିତ୍ୱରେ ସେ ଆନନ୍ଦିତ ହୋଇପାରିଲେ ନାହିଁ । କାରଣ ଏହି ସମୟରେ ତାଙ୍କ ପିତାଙ୍କର ଦେହାନ୍ତ ହେଲା । ଗ୍ରାମରେ ହଇଜା ବ୍ୟାପିଥିବାରୁ ସେମାନେ ଗ୍ରୀଷ୍ମଛୁଟିରେ ଗ୍ରାମକୁ ଯାଇ ନଥିଲେ । କଟକରେ ରହୁଥିବା ସମୟରେ ଦିନେ ସେମାନେ ଖବର ପାଇଲେ ଯେ ନନା ହଇଜାରେ ଚାଲିଗଲେ । ସେ ଭାଇନା ଓ କକେଇଙ୍କ ସହିତ ସେହିଦିନ ସନ୍ଧ୍ୟାବେଳକୁ ଗାଁକୁ ଗଲେ ।

ରାମକୃଷ୍ଣଙ୍କ ନନା ମାତ୍ର ୩୬-୩୭ ବର୍ଷ ବୟସରେ ଚାଲିଗଲେ । ସେତେବେଳକୁ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ । ସେମାନେ ଚାରିଭାଇ ଓ ଗୋଟିଏ ଭଉଣୀ । ଭଉଣୀଟି ସବା ସାନ; ସେ ମାଆକୋଳ ଛାଡ଼ି ନଥାଏ । ଏ ପରିସ୍ଥିତିରେ ରାମକୃଷ୍ଣଙ୍କ ବୁଢ଼ାବାପା (ପିତାମହ) ବାଧ୍ୟ ହୋଇ ପୁଣି ଘର ଦାୟିତ୍ୱ ବହନ କଲେ । ଏପରି ଅବସ୍ଥାରେ ତାଙ୍କ ଭାଇନା ଆଉ ପଢ଼ିଲେ ନାହିଁ । ସେ ଗାଁରେ ରହି ବାପାଙ୍କୁ ସାହାଯ୍ୟ କଲେ । ରାମକୃଷ୍ଣ କଟକ ଆସି ଏକୁଟିଆ ପଢ଼ିଲେ ।

ରାମକୃଷ୍ଣଙ୍କ ପଢ଼ାପଢ଼ିର ସମସ୍ତ ଖର୍ଚ୍ଚ ଠିକ୍ ସମୟରେ ଯୋଗାଇବା ବାପାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ତେଣୁ ରାମକୃଷ୍ଣଙ୍କୁ ଖୁବ୍ କଷ୍ଟରେ ପଢ଼ିବାକୁ ହେଲା । ଠିକ୍ ଏହି ସମୟରେ ତାଙ୍କୁ ଏକ ସୁଯୋଗ ମିଳିଲା । ଗଣେଶଘାଟ ନିକଟରେ ରହୁଥିବା ଓକିଲ ମାୟାଧର ଦାସ ତାଙ୍କ ଘରେ ରାମକୃଷ୍ଣଙ୍କୁ ରଖିବା ପାଇଁ ଆଗ୍ରହ ପ୍ରକାଶ କଲେ । ତାଙ୍କ ପୁଅ ହରିପ୍ରିୟ ଓ ରାମକୃଷ୍ଣ ଏକା ଶ୍ରେଣୀରେ ପଢ଼ୁଥିଲେ । ଦୁହେଁ ଏକାଠି ପଢ଼ାପଢ଼ି କଲେ ହରିପ୍ରିୟଙ୍କର ଅଧିକ ସୁବିଧା ହେବ ଭାବି ସେ ଏହି ପ୍ରସ୍ତାବ ଦେଇଥିଲେ । ରାମକୃଷ୍ଣ ବିନା ଦ୍ୱିଧାରେ ରାଜି ହୋଇଗଲେ ଓ ତାଙ୍କ ଘରେ ରହିଲେ ।

ଦୀର୍ଘ ଅସୁସ୍ଥତା :

ଦିନକର ଘଟଣା । ରାମକୃଷ୍ଣ ବହିପତ୍ର ଧରି ସ୍କୁଲକୁ ବାହାରିଛନ୍ତି, ହଠାତ୍ ଅସୁସ୍ଥତା ଅନୁଭବ କଲେ । ତାପରେ କ’ଣ ଘଟିଗଲା ଜାଣିପାରିଲେ ନାହିଁ । ଭୀଷଣ ଝାଡ଼ା ହେବାରୁ ସଂଜ୍ଞାହୀନ ହୋଇଗଲେ । ପି.ଏମ୍. ଏକାଡେମୀରେ ପଢ଼ୁଥିବା ତାଙ୍କ କକେଇଙ୍କ ପାଖକୁ ଖବର ଦିଆଗଲା । ସେ ଆସି ସେବା ଶୁଶ୍ରୂଷା କଲେ । ଗ୍ରାମକୁ ଖବର ପଠାଗଲା । ବାପା ଓ ଭାଇ ଆସି ପହଞ୍ଚିଲେ । ପରେ ଜଣାପଡ଼ିଲା ଯେ ସେ ଟାଇଫଏଡ଼୍ ଜ୍ୱରରେ ଆକ୍ରାନ୍ତ । କବିରାଜ ବାଲୁଙ୍କେଶ୍ୱର ଆଚାର୍ଯ୍ୟଙ୍କ ଚିକିତ୍ସାଧୀନ ରହି ସେ ରୋଗମୁକ୍ତ ହେଲେ । ଏଥିପାଇଁ ମାସାଧିକ କାଳ ଲାଗିଲା । ତାଙ୍କ ଭାଇନା ପାଖେ ପାଖେ ରହି ସେବା କଲେ । ଶିକ୍ଷକମାନେ ତାଙ୍କୁ ମଝିରେ ମଝିରେ ଦେଖିବାକୁ ଆସୁଥିଲେ । ଦୀର୍ଘଦିନ ଧରି ଅସୁସ୍ଥ ରହିବା ଫଳରେ ଦେହରୁ ପ୍ରସ୍ତ ପ୍ରସ୍ତ ଚମ ଉଠିଯାଇଥିଲା । ଆଣ୍ଠୁ ଦୁଇଟିରେ ଘା ହେବା ଫଳରେ ଯେଉଁ ଦାଗ ସୃଷ୍ଟି ହୋଇଥିଲା ତାହା ସବୁଦିନ ଅଭିଲା ହୋଇ ରହିଗଲା । ଆରୋଗ୍ୟ ଲାଭ କରିବାପରେ ରାମକୃଷ୍ଣ କିଛିଦିନ ପାଇଁ ଗ୍ରାମକୁ ଯାଇଥିଲେ । ସେଠାରୁ କଟକ ଫେରିଆସି ମାୟାଧରବାବୁଙ୍କ ବସାରେ ରହିଲେ ଏବଂ ଯଥାରୀତି କ୍ଳାସରେ ଯୋଗଦେଲେ । ବିନା ଦରଖାସ୍ତରେ ସ୍କୁଲରୁ ଦୀର୍ଘ ଅନୁପସ୍ଥିତ ରହିଥିବା କାରଣରୁ ରାମକୃଷ୍ଣଙ୍କ ମାଇନର ବୃତ୍ତି କଟିଯାଇଥିଲା । ଛଅ ସାତ ମାସର ଦରମା ଏକକାଳୀନ ଦାଖଲ ନକଲେ ସ୍କୁଲରୁ ନାମ କଟିଯିବାର ନୋଟିସ୍ ମଧ୍ୟ ମିଳିଲା । ବକେୟା ଦରମାର ପରିମାଣ ପ୍ରାୟ ପଚାଶ ଟଙ୍କା । ଏତେ ଟଙ୍କା କେଉଁଠୁ ଆସିବ ? କିନ୍ତୁ ତାଙ୍କର ପୂଜ୍ୟ ଶିକ୍ଷକମାନଙ୍କ ଉଦ୍ୟମ ଫଳରେ ତାଙ୍କ ସହୃଦୟ ସହପାଠୀମାନଙ୍କଠାରୁ ଚାନ୍ଦା ଆଦାୟ କରାଯାଇ ଆବଶ୍ୟକ ଟଙ୍କା ସଂଗ୍ରହ କରାଗଲା । ଶିକ୍ଷକମାନେ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରି ସରକାରଙ୍କୁ ଲେଖାଲେଖି କରିବା ଫଳରେ କଟିଯାଇଥିବା ବୃତ୍ତି ତାଙ୍କୁ ପୁନରାୟ ମିଳିଲା ।

ମୁକ୍ତି ସଂଗ୍ରାମରେ ଯୋଗଦାନ :

 

୧୯୨୧ ମସିହାସର କଥା । ରାମକୃଷ୍ଣ ସେତେବେଳେ ମାଟ୍ରିକ୍ ସେକେଣ୍ଡ କ୍ଳାସର ଛାତ୍ର । ମହାତ୍ମା ଗାନ୍ଧି ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥାନ୍ତି । କଲିକତା କଂଗ୍ରେସକୁ ଫେରି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାର ପୁରପଲ୍ଲୀରେ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ବାଣୀ ପ୍ରଚାର କଲେ । କଟକର ତିନିକୋଣିଆ ବଗିଚାରେ ଆୟୋଜିତ ସଭାରେ ଗୋପବନ୍ଧୁଙ୍କୁ ପ୍ରଥମେ ଦେଖିଲେ ରାମକୃଷ୍ଣ । ସେ କେତେକ ସହପାଠୀଙ୍କ ସହିତ ସେଠାକୁ ଯାଇଥିଲେ । ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନ ବିଷୟରେ ବୁଝାଉଥାଆନ୍ତି । ଇଂରେଜ ସରକାରଙ୍କ ଶୋଷିତ ଓ ଦମନଲୀଳା, ମହାତ୍ମା ଗାନ୍ଧିଙ୍କ ନେତୃତ୍ୱ, ସ୍ୱରାଜର ଅର୍ଥ, ଅସହଯୋଗ ଓ ତା’ର ବିଭିନ୍ନ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ସେ ଅନର୍ଗଳ କହିଚାଲିଥାନ୍ତି । ଭାବାବେଗରେ ତାଙ୍କର ଗଳା ଫୁଲି ଉଠୁଥାଏ । ରାମକୃଷ୍ଣ ପୂର୍ବରୁ ଏପରି ବକ୍ତୃତା କେବେ ଶୁଣି ନଥିଲେ । ଏହା ତାଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟିକଲା । ଉଦ୍‌ବେଳିତ ହୃଦୟରେ ସେ ବସାକୁ ଫେରିଲେ ।

 

କଟକର ବାତାବରଣ ସରଗରମ ହୋଇ ଉଠିଲା । ଛାତ୍ର ମହଲରେ ମଧ୍ୟ ଏହାର ପ୍ରଭାବ ବେଶ୍ ଅନୁଭୂତି ହେଲା । ଛାତ୍ରମାନଙ୍କ ମଧ୍ୟରେ ଏପରି ପ୍ରତିକ୍ରିୟା ଦେଖାଗଲା ଯେ ସେମାନେ ପରସ୍ପର ମଧ୍ୟରେ ଗାନ୍ଧିଜୀ, ଅସହଯୋଗ, ସ୍ୱରାଜ ଆଦି ବିଷୟରେ ଆଲୋଚନା କଲେ-। ମାତ୍ର ଗୋଟାଏ ଦୁଇଟା ପିରିଅଡ଼୍ ପରେ ସେମାନେ ସ୍କୁଲ ଛାଡ଼ି ରାସ୍ତାକୁ ଚାଲି ଆସିଲେ । ଶିକ୍ଷକମାନେ ଯେତେ ବୁଝାଇଲେ ବି ସେଥିପ୍ରତି ସେମାନେ କର୍ଣ୍ଣପାତ କଲେ ନାହିଁ । ସହରର ବିଭିନ୍ନ ରାସ୍ତାଦେଇ ସେମାନେ ଆଗେଇ ଚାଲିଲେ । ସେମାନଙ୍କ ସହିତ ପି.ଏମ୍.ଏକାଡେମୀ, ମସ୍‍ଲେମ ସେମିନାରୀ (ସୟେଦ ସେମିନାରୀ), ଟାଉନ ଭିକ୍ଟୋରିଆ (ଭକ୍ତମଧୁ ବିଦ୍ୟାପୀଠ) ଆଦି ଅନ୍ୟାନ୍ୟ ସ୍କୁଲର ଛାତ୍ରମାନେ ଯୋଗ ଦେଲେ । ଏହି ପଟୁଆର କଚେରୀ ବାଟଦେଇ ସତ୍ୟବାଦୀ ମେସ୍ (ବର୍ତ୍ତମାନର ସ୍ୱରାଜ୍ୟ ଆଶ୍ରମ) ଅଭିମୁଖେ ଚାଲିଲା । ସମ୍ୱାଦ ପାଇ ପଣ୍ଡିତ ଗୋପବନ୍ଧୁ ଦାସ ଛାତ୍ରମାନଙ୍କୁ ଭେଟିଲେ । କର୍ତ୍ତୃପକ୍ଷଙ୍କୁ ନ ଜଣାଇ ହରତାଳ କରିଥିବାରୁ ସେ ବିରକ୍ତ ହେଲେ ଓ ସ୍କୁଲକୁ ଫେରିଯିବାକୁ ଉପଦେଶ ଦେଲେ ।

 

ସାମୟିକ ଉତ୍ତେଜନାରେ ଏପରି ଏକ ଭୁଲ କରିଥିବାରୁ ଛାତ୍ରମାନେ ଲଜ୍ଜିତ ହେଲେ । ଦାସେ ଆପଣଙ୍କଠାରୁ ଚେତାବନୀ ପାଇ ଅଧିକାଂଶ ଛାତ୍ର ସ୍କୁଲକୁ ଫେରିଗଲେ । କିନ୍ତୁ ଏତେ ଶୀଘ୍ର ଶିକ୍ଷକମାନଙ୍କୁ ମୁହଁ ଦେଖାଇବା ପାଇଁ ରାମକୃଷ୍ଣଙ୍କୁ ଲାଜ ମାଡ଼ିଲା । ସେ ଚାରି ଛଅ ଦିନ ଛୁଟି ନେଇ ଗାଁକୁ ଚାଲିଗଲେ ଓ ତା’ପରେ ଆସି ସ୍କୁଲରେ ଯୋଗଦେଲେ ।

 

କଟକରେ ସେତେବେଳେ ପ୍ରାୟ ପ୍ରତିଦିନ ସଭା ହେଉଥାଏ । ସଚେତନ ଛାତ୍ରମାନେ ପାଠପଢ଼ା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଉଥାନ୍ତି । କିଏ ଚାକିରି ଛାଡ଼ୁଥାଏ ତ କିଏ ଉପାଧି ବର୍ଜନ କରୁଥାଏ । ବାତାବରଣ ସରଗରମ । ଏ ପରିସ୍ଥିତିରେ ରାମକୃଷ୍ଣଙ୍କ ମନ ପଢ଼ାପଢ଼ିରେ ଲାଗିଲା ନାହିଁ । ସ୍ୱରାଜ୍ୟ ଆନ୍ଦୋଳନର ଆହ୍ୱାନ ତାଙ୍କ ପାଇଁ ହୋଇଉଠିଲା ଅଲଂଘନୀୟ । ତ୍ରୈମାସିକ ପରୀକ୍ଷା ଆସିଗଲା । ସେ ପରୀକ୍ଷାରେ ବସିଲେ; କିନ୍ତୁ ଉତ୍ତର ଖାତାରେ କ’ଣ ଲେଖିଲେ ତା’ର ଠିକଣା ନଥିଲା । ତାଙ୍କ ଭଳି ଶହ ଶହ ଛାତ୍ର ପାଠପଢ଼ା ଛାଡ଼ି ସ୍ୱରାଜ୍ୟାଶ୍ରମରେ ଭିଡ଼ ଜମାଇଥିଲେ; ସେ ମଧ୍ୟ ସେମାନଙ୍କ ସହିତ ସାମିଲ ହେଲେ ।

 

ସ୍ୱରାଜ୍ୟ ଆଶ୍ରମରେ ଭିଡ଼ ଜମିଥାଏ । ସେଠାରେ ସାନ, ବଡ଼, କର୍ମୀ, ଅକର୍ମୀ, ଶିକ୍ଷିତ, ଅଶିକ୍ଷିତ, ସବୁପ୍ରକାର ଲୋକଙ୍କର ସମାଗମ । କିଏ ରାମକୃଷ୍ଣଙ୍କ ପରି ଅଭାବର ତାଡ଼ନାରେ ପାଠ ଛାଡ଼ି ସେଠାରେ ପହଞ୍ଚିଥାଏ ତ କିଏ ବାରମ୍ୱାର ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନପାରି ପାଠ ପ୍ରତି ବୀତଶ୍ରଦ୍ଧ ହୋଇ ସେଠାରେ ପହଞ୍ଚିଥାଏ । କାହାର ଥାଏ ଲାଭ ଉଠାଇବାର ଇଚ୍ଛା । ସେ ଯାହାହେଉ, ଅଧିକାଂଶ ଦେଶପ୍ରେମରେ ଉଦ୍‍ବୁଦ୍ଧ ହେଲାପରି ଜଣାପଡ଼ୁଥାନ୍ତି । ସମସ୍ତେ ଖଦଡ଼ଧାରୀ; ତେଣୁ କିଏ ଭଦ୍ର, କିଏ ଠକ, ଜାଣିବାର ଉପାୟ ନଥାଏ । ଏମାନେ ସମସ୍ତେ ମୁକ୍ତି ସଂଗ୍ରାମର ପ୍ରଥମ ସୈନିକ । ଏମାନଙ୍କୁ ପ୍ରଥମେ ଖଦଡ଼ ଦିଆଯାଇ ମଫସଲକୁ ପଠାଇ ଦିଆଯାଏ ସ୍ୱରାଜ୍ୟର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ । ରାମକୃଷ୍ଣ ଖଦଡ଼ ଖଣ୍ଡେ ପାଇବା ପରେ କୃଷ୍ଣଚନ୍ଦ୍ର ପ୍ରଧାନ ନାମକ ଜଣେ ସ୍ୱେଚ୍ଛାସେବକଙ୍କ ସଙ୍ଗେ ମଫସଲକୁ ବାହାରିଗଲେ ।

 

ଧାନମଣ୍ଡଳ ଷ୍ଟେସନରୁ ବଡ଼ଚଣା ବାଟେ ଗଲେ ବଡ଼ଘୁମୁରି ଗାଁ ପଡ଼େ । ସେଠାରେ କୃଷ୍ଣବାବୁଙ୍କର ଆଶ୍ରମଟିଏ ଥାଏ । ସେତେବେଳେ କଂଗ୍ରେସକର୍ମୀଙ୍କ ବାସସ୍ଥାନ ବା କର୍ମକ୍ଷେତ୍ରକୁ ଆଶ୍ରମ କୁହାଯାଉଥିଲା । କୃଷ୍ଣବାବୁଙ୍କ ସହିତ ରାମକୃଷ୍ଣ ସେଠାରେ ପହଞ୍ଚି ଅସହଯୋଗ ବାର୍ତ୍ତା ପ୍ରଚାରରେ ଲାଗିପଡ଼ିଲେ । ତାଙ୍କ ପୂର୍ବରୁ ସେଠାରେ ଆଉ ତିନି ଚାରିଜଣ କର୍ମୀ ଥିଲେ । ସେମାନେ ସଭାସମିତି କରି ଲୋକଙ୍କୁ “କପାଚାଷ କର, ଅରଟରେ ସୂତା କାଟ, ବିଲାତି ଲୁଗା ଛାଡ଼, ନିଶା ଅଭ୍ୟାସ ଛାଡ଼, ଛୁଆଁ ଅଛୁଆଁ ଭେଦ ଦୂର କର” ଇତ୍ୟାଦି ବୁଝାଉଥିଲେ । ‘ତିଳକ ସ୍ୱରାଜ୍ୟ ପାଣ୍ଠି’ ପାଇଁ ଚାନ୍ଦା ମଧ୍ୟ ଆଦାୟ କରୁଥିଲେ । ମୁଷ୍ଟିଭିକ୍ଷା କରି ସେମାନଙ୍କୁ ଅନ୍ନସଂସ୍ଥାନ କରିବାକୁ ପଡ଼ୁଥିଲା ।

 

ଏ ଜୀବନ ଏକ ସମ୍ପୂର୍ଣ୍ଣ ନୂତନ ଜୀବନ । ସହରର ରୁଟିନ୍‍ବନ୍ଧା ଜୀବନ ଏଠାରେ ନଥିଲା-। ହାତରେ ରୋଷେଇବାସ କରି ଖଦଡ଼ ପିନ୍ଧି ସେମାନେ ଆନନ୍ଦରେ ଗାଁ ଲୋକଙ୍କ ମେଳରେ ରହୁଥିଲେ । ‘ଗାନ୍ଧି ମହାପୁରୁଙ୍କ ଲୋକ’ ବୋଲି କହି ବୁଢ଼ାବୁଢ଼ୀମାନେ ସେମାନଙ୍କୁ ସମ୍ମାନ ଦେଖାଉଥିଲେ । ଗ୍ରାମବାସୀଙ୍କୁ ମୁକ୍ତି ସଂଗ୍ରାମ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ କୃଷ୍ଣବାବୁ ସଭାରେ ଯେଉଁ ମନଗଢ଼ା ତଥା କହୁଥିଲେ ତାହା ବେଶ୍ କୌତୂହଳପ୍ରଦ । ସେ କହୁଥିଲେ “ସତ୍ୟଯୁଗରେ ର ଅକ୍ଷରରେ ରାମ ରାବଣକୁ ମାରିଥିଲେ, ତ୍ରେତାଯୁଗରେ ବ ଅକ୍ଷରରେ ବାମନ ବଳୀକୁ ମାରିଥିଲେ, ଦ୍ୱାପର ଯୁଗରେ କ ଅକ୍ଷରରେ କୃଷ୍ଣ କଂସକୁ ମାରିଲେ, କଳିଯୁଗରେ ସେହିପରି ଗ ଅକ୍ଷରରେ ଗାନ୍ଧି ଆସିଛନ୍ତି ଗୋରାଲୋକଙ୍କୁ ମାରିବା ପାଇଁ । କେତେବେଳେ ଗୋରା ବଦଳରେ ‘ଗଭର୍ଣ୍ଣମେଣ୍ଟ’ ମଧ୍ୟ କହିଦିଅନ୍ତି । ତା ପଛକୁ ଅଚ୍ୟୁତାନନ୍ଦ ଦାସଙ୍କ ମାଳିକାରୁ ‘ଆସିବେ ମହନା ମୋଗଲ, ପୃଥିବୀକୁ କରିବେ ସଇ’ ପଦକ ଉଦ୍ଧାର କରି ତାର ଅର୍ଥ ଏହିପରି ବୁଝାନ୍ତି – ମହନା ଅର୍ଥାତ୍ ମୋହନ ଦାସ କରମଚାନ୍ଦ ଗାନ୍ଧି ଏବଂ ମୋଗଲ ଅର୍ଥ ସୌକତ ଅଲି ଓ ମହମ୍ମଦ ଅଲ୍ଲି ଦୁଇଭାଇ । ଏମାନେ ମିଶି ପୃଥିବୀକୁ ‘ସଲ’ ଅର୍ଥାତ୍ ଶାସନ କରିବେ । ତାଙ୍କର ଏ ଅକାଟ୍ୟ ବେଦବାକ୍ୟକୁ ଖଣ୍ଡନ କରିବାକୁ ବା ଅବିଶ୍ୱାସ କରିବାକୁ ସରଳମତି ପଲ୍ଲୀବାସୀର ସାଧ୍ୟ କାହିଁ ?” (ଜୀବନ ତରଙ୍ଗ, ପୃ.୨୨)

 

କୃଷ୍ଣବାବୁଙ୍କ ସହିତ ବେଶି ଦିନ କାମ କରିବାର ସୁଯୋଗ ରାମକୃଷ୍ଣଙ୍କୁ ମିଳିଲା ନାହିଁ । କୃଷ୍ଣବାବୁ ବଡ଼ଚଣା ପୋଲିସ୍ ଅଫିସରଙ୍କ ଅନ୍ୟାୟ ଆଚରଣ ସଂପର୍କରେ ଏକ ସମ୍ୱାଦ ନୀଳକଣ୍ଠ ଦାସଙ୍କ ସଂପାଦିତ ‘ସେବା’ ପତ୍ରିକାରେ ପ୍ରକାଶ କରିଥିଲେ । ମାନହାନି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ କଟକ ଜେଲରେ ରଖାଗଲା । ଏହାପରେ ରାମକୃଷ୍ଣ ନିର୍ଦ୍ଦେଶ ପାଇ କୁଦାନଗରୀ ଆଶ୍ରମକୁ ଗଲେ । କୁଦାନଗରୀ ଚିତ୍ରୋତ୍ପଳା ନଦୀ କୂଳରେ ଏକ ରମଣୀୟ ସ୍ଥାନ । ସେଠାରେ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ଏକ ସେବାକେନ୍ଦ୍ର ଖୋଲିଥିଲେ । ସେଠାରୁ ସେ ବିଭିନ୍ନ ସ୍ଥାନକୁ ଯାଇ ରୋଗୀ ସେବା କରୁଥିଲେ ଓ ହୋମିଓପାଥିକ ଓଷଧ ବିତରଣ କରୁଥିଲେ । ରାମକୃଷ୍ଣ ସେଠାରେ ପହଞ୍ଚି ଅନ୍ୟମାନଙ୍କ ସଙ୍ଗେ ଗ୍ରାମବାସୀଙ୍କୁ କପାଚାଷ କରିବାକୁ ଓ ଅରଟରେ ସୂତା କାଟିବାକୁ ପ୍ରବର୍ତ୍ତାଉ ଥିଲେ । ଚନ୍ଦ୍ରଶେଖର ବାବୁ ରାମକୃଷ୍ଣଙ୍କର ହିତାକାଙ୍‍କ୍ଷୀ ଥିଲେ ଏବଂ ରାମକୃଷ୍ଣଙ୍କୁ ଅଧିକ ପାଠ ପଢ଼ିବାକୁ ପ୍ରେରଣା ଦେଉଥିଲେ ।

 

କୁଦାନଗରୀ ଆଶ୍ରମରେ କିଛିଦିନ ରହି ରାମକୃଷ୍ଣ କଟକ ସ୍ୱରାଜ୍ୟାଶ୍ରମକୁ ଫେରି ଆସିଲେ । ଏହା ୧୯୨୨ ମସିହାର କଥା । ସେଠାରେ ଆହୁରି କେତେଜଣ ସ୍ୱେଚ୍ଛାସେବକ ଥିଲେ-। ସେମାନଙ୍କ ସଙ୍ଗରେ ମିଶି ରାମକୃଷ୍ଣ ରୋଷାଇବାସ କରୁଥିଲେ, ରାସ୍ତାରେ ବୁଲି ‘ସମାଜ’, ‘ଦୈନିକ ବସୁମତୀ’ ପ୍ରଭୃତି ଖବରକାଗଜ ବିକୁଥିଲେ, ମୁଷ୍ଟିଭିକ୍ଷା କରୁଥିଲେ ଏବଂ କେହି ଚାହିଲେ ତାଙ୍କ ଘରେ ଖଦଡ଼ ଦେଇ ଆସୁଥିଲେ । ବେଳେ ବେଳେ ସଭାସମିତିରେ ଓ ଶୋଭାଯାତ୍ରାରେ ମଧ୍ୟ ଯୋଗ ଦେଉଥିଲେ ଏବଂ ମଦ ଦୋକାନ ଆଗରେ ପିକେଟିଂ କରୁଥିଲେ । ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ ଥିଲେ କଟକ ସ୍ୱରାଜ୍ୟାଶ୍ରମର ପ୍ରଧାନ ପରିଚାଳକ । ତାଙ୍କ ପରାମର୍ଶ ଅନୁସାରେ ଆଶ୍ରମବାସୀମାନେ କାର୍ଯ୍ୟ କରୁଥିଲେ ।

 

ଏହି ସମୟରେ ଘଟିଥିବା ଏକ ବିଶିଷ୍ଟ ଘଟନା ରାମକୃଷ୍ଣ ଭୁଲିପାରି ନାହାନ୍ତି । ସ୍ମୃତି ଚାରଣ କରି ସେ ଲେଖିଛନ୍ତି–“ସେ ବର୍ଷ ଗ୍ରୀଷ୍ମ ଋତୁରେ ଆଇନ ଅମାନ୍ୟ ଅନୁସନ୍ଧାନ କମିଟି (Civil Disobedience Enquiry Committee)ର ସଭ୍ୟମାନେ ଓଡ଼ିଶା ଗସ୍ତରେ ଆସି କଟକରେ ପହଞ୍ଚିଲେ । ସେମାନଙ୍କୁ ରେଳଷ୍ଟେସନରୁ ଆଣିବା ପାଇଁ ଗାଡ଼ି ନେଇ ନେତା ଓ ସ୍ୱେଚ୍ଛାସେବକମାନେ ଯାଇଥିଲେ । ଅନ୍ୟାନ୍ୟ ସହକର୍ମୀଙ୍କ ସଙ୍ଗରେ ମୁଁ ମଧ୍ୟ ସେଦିନ ଷ୍ଟେସନକୁ ଯାଇଥିଲି ।’ ଗଣେଶଲାଲ ପଣ୍ଡିତଙ୍କ ବଗିଗାଡ଼ିରେ ପଣ୍ଡିତ ଜବାହରଲାଲଙ୍କ ପିତା ମୋତିଲାଲ ନେହେରୁ ଓ ଅନ୍ୟ ତିନିଜଣ ବିଶିଷ୍ଟ କଂଗ୍ରେସ ନେତା ଆସିଥିଲେ । ସେହି ଗାଡ଼ିର ଗୋଟିଏ ପାଖରେ ଗ୍ୟାସ୍ ଆଲୁଅ (କାରବାଇଡ଼ ଷ୍ଟାଣ୍ଡ୍) ଟିଏ ଧରି ମୁଁ ଠିଆ ହୋଇଥିଲି ଏବଂ ଅନ୍ୟପାଖରେ ଥିଲେ ରାଜକୃଷ୍ଣ ବାବୁ । ସ୍ୱେଚ୍ଛାସେବକ ଭାବରେ ହେଲେ ସୁଦ୍ଧା ସମୟ ପାଇଁ ଏତେ ବଡ଼ ଜଣେ ସର୍ବଭାରତୀୟ ନେତାଙ୍କ ସାନ୍ନିଧ୍ୟ ଲାଭକରି ମୁଁ ସେଦିନ ନିଜକୁ ଭାଗ୍ୟବାନ ମନେ କରିଥିଲି ଏବଂ ଆଜି ମଧ୍ୟ ସେ ସ୍ମୃତି ମୋ ମନରେ ଗର୍ବ ସଞ୍ଚାର କରେ ।” (ଜୀବନ ତରଙ୍ଗ, ପୃ.୨୪-୨୫)

 

କଟକ ଆଶ୍ରମରେ ଥିଲାବେଳେ ରାମକୃଷ୍ଣ ଯେଉଁସବୁ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଗୋପବନ୍ଧୁ ଚୌଧୁରୀ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ, ବୀରକିଶୋର ଦାସ, ନାରାୟଣ ବୀରବର ସାମନ୍ତ, ସହଦେବ ଦାସ ପ୍ରମୁଖ । ଗୋପବନ୍ଧୁ ଚୌଧୁରୀ ପ୍ରତିଦିନ ପ୍ରତ୍ୟୁଷରୁ ସ୍ନାନାଦି ନିତ୍ୟକର୍ମ ସାରି ଆଶ୍ରମରେ ଆସି ପହଞ୍ଚୁଥିଲେ । ଏହି ସମୟରେ ଜାତୀୟ କବି ବୀରକିଶୋର ଦାସଙ୍କ ‘ମୋହନ ବଂଶୀ’ ପୁସ୍ତକଟି ପ୍ରକାଶିତ ହୋଇଥିଲା । ତାକୁ ପଢ଼ି ରାମକୃଷ୍ଣ ଅତିଶୟ ମୁଗ୍‍ଧ ହୋଇଥିଲେ । ସେଥିରେ ଥିବା ଦେଶାତ୍ମବୋଧ କବିତାଗୁଡ଼ିକ ତାଙ୍କ କିଶୋର ବୟସର ଭାବପ୍ରବଣ ମନରେ ଗଭୀର ରେଖାପାତ କରିଥିଲା । ଶେଷ ଜୀବନ ପର୍ଯ୍ୟନ୍ତ ସେଗୁଡ଼ିକ ରାମକୃଷ୍ଣଙ୍କର ମୁଖସ୍ଥ ଥିଲା ।

 

କଟକ ସ୍ୱରାଜ୍ୟାଶ୍ରମକୁ ମଝିରେ ମଝିରେ ପଣ୍ଡିତ ନୀଳକଣ୍ଠ ଦାସ, ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ, ଗଞ୍ଜାମର ଅନ୍ୟତମ କଂଗ୍ରେସ ନେତା ଶ୍ରୀଯୁକ୍ତ ବିଶ୍ୱନାଥ ଦାସ ଓ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ନେତାମାନେ ଆସୁଥିଲେ । ଥରେ ବ୍ରହ୍ମପୁରରେ ନିଖିଳ ଉତ୍କଳ କଂଗ୍ରେସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ । କଟକର ଅନ୍ୟାନ୍ୟ କର୍ମୀମାନଙ୍କ ସହିତ ସେଥିରେ ଯୋଗଦେବାର ସୁଯୋଗ ମିଳିଥିଲା ରାମକୃଷ୍ଣଙ୍କୁ । ସେଠାରେ ସମସ୍ତଙ୍କର ଗୋଟିଏ ଗ୍ରୁପ୍ ଫଟୋ ଉଠିଥିଲା । ଫଟୋଟି ବହୁଦିନ ପର୍ଯ୍ୟନ୍ତ ଅଟଳ ବାବୁଙ୍କ ସ୍ୱରାଜ୍ୟ ଔଷଧାଳୟର କାନ୍ଥରେ ଝୁଲୁଥିଲା । ଏଇ ଫଟୋରୁ ଗୋଟିଏ ପାଖରେ ରଖିବାର ଇଚ୍ଛା ଥିଲେହେଁ ସମ୍ୱଳ ଅଭାବରୁ ରାମକୃଷ୍ଣ ତାହା କ୍ରୟ କରିପାରି ନଥିଲେ ।

 

ରାମକୃଷ୍ଣଙ୍କୁ କଟକର ସ୍ୱରାଜ୍ୟାଶ୍ରମରୁ ଜଗତସିଂହପୁର ଅଳକାଶ୍ରମକୁ ପଠାଗଲା । ସେଠାରେ ଯେଉଁ କେତେମାସ (୧୯୨୨-୨୩) ରହିଲେ, କଠୋର ଶୃଙ୍ଖଳା ଓ କର୍ମର ଆବେଷ୍ଟନୀ ମଧ୍ୟରେ ସେ ନିଜକୁ ହଜାଇ ଦେଲେ । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଭାଗୀରଥି ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଳାକାଶ୍ରମର ପ୍ରତ୍ୟେକ କାର୍ଯ୍ୟ ସମ୍ପାଦିତ ହେଉଥିଲା । ସେଠାରେ ରାମକୃଷ୍ଣଙ୍କୁ ଲୁଗା ବୁଣିବା ଶିଖାଇ ଦିଆଗଲା । ପୂର୍ବରୁ ସେ ସୂତାକଟା ଶିଖିଥିଲେ । ହାତକଟା ସୂତା ମୋଡ଼ାକୁ ନେଇ ତନ୍ତ ସାହାଯ୍ୟରେ ଲୁଗାବୁଣିବା କାର୍ଯ୍ୟ ସେ ସହଜରେ ଶିଖିଥିଲେ ଏବଂ ଦିନକୁ ଆଠ ଦଶ ହାତ ଲୁଗା ବୁଣିପାରିଲେ । ତାଙ୍କ ସହିତ ଯେଉଁ ପ୍ରମୁଖ କର୍ମୀଗଣ ଅଳକାଶ୍ରମରେ ଲୁଗାବୁଣା ଇତ୍ୟାଦି କାର୍ଯ୍ୟ ଶିକ୍ଷା କରୁଥିଲେ ସେମାନଙ୍କ ମଧ୍ୟରେ ସୁଦର୍ଶନ ପ୍ରହରାଜ, ବିଶ୍ୱନାଥ ନନ୍ଦ, କୃଷ୍ଣଚନ୍ଦ୍ର ପ୍ରଧାନ, ଉଦୟନାଥ ଷଡ଼ଙ୍ଗୀ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ-

 

ଗୋପବାବୁ (ଗୋପବନ୍ଧୁ ଚୌଧୁରୀ) ଥିଲେ ଏହି କର୍ମୀମାନଙ୍କ ପ୍ରେରଣାର ଉତ୍ସ । ବଳିଷ୍ଠ ବ୍ୟକ୍ତିତ୍ୱ, ନିରଳସ ସ୍ୱଭାବ ଏବଂ କଠୋର ନିୟମାନୁବର୍ତ୍ତିତା ଯୋଗୁ ସେ ସମସ୍ତଙ୍କର ଭକ୍ତିଭାଜନ ହୋଇପାରିଥିଲେ । ସେ ସମସ୍ତଙ୍କ ସଙ୍ଗେ ମିଶି ତୂଳାଭିଣା, ସୂତାକଟା ଓ ଲୁଗାବୁଣା କାର୍ଯ୍ୟ କରୁଥିଲେ । ମଝିରେ ମଝିରେ ନିକଟବର୍ତ୍ତୀ ଗ୍ରାମମାନଙ୍କରେ ବୁଲି ଦୁଃଖୀ ଓ ରୋଗୀମାନଙ୍କର ସେବା କରିବା, ହୋମିଓପାଥିକ ଔଷଧ ବିତରଣ କରିବା ଓ କଂଗ୍ରେସର ବାର୍ତ୍ତା ପ୍ରଚାର କରିବା ତାଙ୍କ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ଅନେକ ଥର ରାମକୃଷ୍ଣ ତାଙ୍କ ସହିତ ଗ୍ରାମମାନଙ୍କରେ ବୁଲିବାର ସୁଯୋଗ ପାଇଥିଲେ । ରାମକୃଷ୍ଣଙ୍କ ପ୍ରତି ତାଙ୍କର ଅକୃତ୍ରିମ ସ୍ନେହ ଥିଲା-। ଅଳାକାଶ୍ରମର ଆମ୍ୱତୋଟାରେ ସେ ରାମକୃଷ୍ଣଙ୍କୁ ଏକୁଟିଆ ବସାଇ କେତେଥର ଲାଲା ଲଜପତ ରାୟଙ୍କ ଲିଖିତ କେତେକ ବହି ଓ ମହାତ୍ମାଜୀଙ୍କ Young India ପ୍ରଭୃତି ପଢ଼ାଉଥିଲେ-। ରାମକୃଷ୍ଣଙ୍କ ଜ୍ଞାନ ପରିସର ବଢ଼ୁ, ଏହା ବୋଧହୁଏ ସେ ଚାହୁଥିଲେ ।

 

ଅଳକାଶ୍ରମର ଅନ୍ୟତମ ସାଥୀ କୃଷ୍ଣ ପ୍ରଧାନ ପୂର୍ବରୁ ରାମକୃଷ୍ଣ କଟେଜ୍‍ର ଛାତ୍ର ଥିବାରୁ ସେ ବେଳେବେଳେ ରାମକୃଷ୍ଣଙ୍କୁ ନୈତିକ ଶିକ୍ଷା ଦେଉଥିଲେ । ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନ୍ଦଙ୍କ ଉପଦେଶ ଅନୁସାରେ ଚରିତ୍ର ଗଠନ କରିବାକୁ ସେ ଉପଦେଶ ଦେଉଥିଲେ । ଯେଉଁ ବୟସରେ ନୈତିକ ସ୍ଖଳନର ଅବକାଶ ଥାଏ, ଠିକ୍ ସେତିକିବେଳେ ତାଙ୍କର ତଦ୍‍ବିଷୟକ ପରାମର୍ଶ ଓ ଆଲୋଚନା ରାମକୃଷ୍ଣଙ୍କୁ ସୁପଥଗାମୀ କରିବାରେ ଯଥେଷ୍ଟ ସାହାଯ୍ୟ କରିଥିଲା । ସେହିଦିନଠାରୁ ସେ ରାମକୃଷ୍ଣ ପରମହଂସ ଓ ମହାତ୍ମା ଗାନ୍ଧିଙ୍କୁ ଜୀବନର ଶ୍ରେଷ୍ଠ ଗୁରୁରୂପେ ବାଛି ନେଇଥିଲେ ।

 

କିଛିଦିନ ଛୁଟି ନେଇ ରାମକୃଷ୍ଣ ଗ୍ରାମକୁ ଯାଇଥିଲେ । ଗ୍ରାମରୁ ପୁନର୍ବାର ସେ ଅଳକାଶ୍ରମକୁ ଫେରିଲେ । ସମୟକ୍ରମେ ଅଳକାଶ୍ରମ ସୂତାକଟା ଓ ଲୁଗାବୁଣାର ଏକ ବଡ଼ କେନ୍ଦ୍ର ହୋଇଉଠିଲା । ରାମକୃଷ୍ଣଙ୍କୁ କିଛିଦିନ ଏହି ଖଦୀକେନ୍ଦ୍ରର ଦାୟିତ୍ୱ ନେବାକୁ ପଡ଼ିଲା । ପ୍ରତି ହାଟପାଳିରେ ସୂତା କଟାଳିମାନେ ଆଶ୍ରମରେ ସୂତା ଦେଇ ତୂଳା ଓ ମଜୁରୀ ନେଇ ଯାଉଥିଲେ । ହାତକଟା ସୂତାରେ ଘରଟି ପୂର୍ଣ୍ଣ ହୋଇଯାଉଥିଲା । ସେତେବେଳେ ସେହି କେନ୍ଦ୍ରରେ ପ୍ରାୟ ତିନି ହଜାର ସୂତା ଓ ଲୁଗା କାରବାର ହେଉଥିଲା । ସେହି ସମୟରେ ଅଳକାଶ୍ରମ ବହୁ ସୁଖ୍ୟାତି ଅର୍ଜନ କରିଥିଲା । ଶ୍ରୀ ନବକୃଷ୍ଣ ଚୌଧୁରୀ, ବାବାଜୀ ରାମଦାସ, ପ୍ରାଣକୃଷ୍ଣ ପଢ଼ିହାରୀ, ଅଲେଖ ପ୍ରସାଦ ଦାସ, ଗୁଣନିଧି ସାହୁ, ଗୋକୁଳାନନ୍ଦ ମହାନ୍ତି, ବିନୋଦଚନ୍ଦ୍ର ପରିଡ଼ା, କିଶୋରୀ ମୋହନ କାନୁନ୍‍ଗୋ, ଫକୀର ଚରଣ ସାହୁ ପ୍ରଭୃତି ମୁକ୍ତି ସଂଗ୍ରାମୀଗଣ ଏହି ଆଶ୍ରମକୁ ବହୁ ସମୟରେ ଆସୁଥିଲେ ।

 

ଏହି ସମୟରେ ଜାତୀୟ ଆନ୍ଦୋଳନକୁ ଦବାଇ ଦେବା ପାଇଁ ଇଂରେଜ ସରକାର ଦମନଲୀଳା ଚଳାଇଲେ, ବଡ଼ ବଡ଼ ନେତାଙ୍କୁ ଧରିନେଇ ଜେଲ୍‍ରେ ରଖିଲେ । କେତେକ କର୍ମୀ ଆଶ୍ରମ ଛାଡ଼ି ପଳାଇଲେ । କଂଗ୍ରେସ କାର୍ଯ୍ୟ କିଛି ସମୟ ପାଇଁ ଶିଥିଳ ହୋଇ ଆସିଲା ପରି ଜଣାଗଲା । ସୁଦର୍ଶନ ପ୍ରହରାଜ, କୃଷ୍ଣଚନ୍ଦ୍ର ପ୍ରଧାନ, ବିଶ୍ୱନାଥ ନନ୍ଦ ଓ ରାମକୃଷ୍ଣ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିପାରିଲେ ନାହିଁ । ସେମାନେ ସମସ୍ତେ ଅଧାପାଠୁଆ; ପୁନର୍ବାର ପାଠପଢ଼ା ଆରମ୍ଭ କରିବାର ଦୁରାକାଂକ୍ଷା କାହାରି ନଥିଲା । ନେତାମାନେ ଜେଲ୍‌ରେ । ଏମାନଙ୍କ ମଧ୍ୟରୁ କାହାରି ନେତା ହେବାର ଯୋଗ୍ୟତା ବା ବୟସ ନଥିଲା । କ’ଣ କରିବେ ? କିଛି ନହେଲେ ଖାଇବାକୁ ଖାଦ୍ୟ ଗଣ୍ଡାଏ ଦରକାର, ପିନ୍ଧିବାକୁ ଲୁଗା ଖଣ୍ଡେ ଦରକାର, ମୁଣ୍ଡ ଗୁଞ୍ଜିବାକୁ ଥାନ ଟିକିଏ ଦରକାର । ଏସବୁ କିଛି ନାହିଁ । ବହୁତ ଭାବିଚିନ୍ତି ସ୍ଥିର କଲେ ଯେ ସେମାନେ ପୃଥିବୀ ଭ୍ରମଣରେ ବାହାରିବେ । ଏହା ଏକ ଦୁସାଧ୍ୟ କାର୍ଯ୍ୟ ନିଶ୍ଚୟ । ଆଗ୍ରହ ଓ ସାହସ ଥିଲେ ସବୁ ଅସାଧ୍ୟ ସାଧ୍ୟ ହୋଇପାରେ । ରେଳ ଓ ଜାହାଜରେ କୁଲିଗିରି କରି ଖର୍ଚ୍ଚ ତୁଲାଇବାକୁ ସ୍ଥିର କରାଗଲା । ମାତ୍ର ସେତେବେଳେ ସେମାନଙ୍କ ଶକ୍ତିରେ ଅସାଧ୍ୟ ବୋଲି କିଛି ମନେହେଉ ନଥିଲା । କଂଗ୍ରେସରେ ଦୁଇବର୍ଷ କାମ କରି ସେମାନେ ବହୁ ଅସାଧ୍ୟକୁ ଦେହସୁହା କରିନେଇଥିଲେ । ବିଚାର ଆଲୋଚନା ପରେ ସ୍ଥିର ହେଲା ଯେ କଟକରେ ଥିବା ଅଟଳବାବୁଙ୍କ ଡାକ୍ତରଖାନାରେ ଏକ ନିର୍ଦ୍ଦିଷ୍ଟ ଦିନରେ ସମସ୍ତେ ଏକତ୍ର ହେବେ ଓ ପୂର୍ବକଳ୍ପିତ ଅଭିଯାନରେ ଆଗେଇବେ ।

 

ରାମକୃଷ୍ଣ ନିର୍ଦ୍ଦିଷ୍ଟ ଦିନ କଟକ ଆସି ସ୍ୱରାଜ୍ୟ ଔଷଧାଳୟ ବାରଣ୍ଡାରେ ଗୋଟିଏ ବେଞ୍ଚ ଉପରେ ବସିଥାନ୍ତି । ଅପେକ୍ଷା କରିଥାନ୍ତି ଅନ୍ୟ ସାଙ୍ଗମାନଙ୍କୁ । ଅଟଳବାବୁ ଯାହା ପଚାରିଲେ ସେ ତା’ର ଉତ୍ତର ଚତୁରତାର ସହ ଦେଇ ଅସଲ ଉଦ୍ଦେଶ୍ୟ ଲୁଚାଇ ରଖିଥାନ୍ତି । ଏହି ସମୟରେ ପଣ୍ଡିତ ନୀଳକଣ୍ଠ ଦାସ ଗୋଟିଏ ଘୋଡ଼ାଗାଡ଼ିରୁ ଓହ୍ଲାଇ ସେଠାରେ ପହଞ୍ଚିଲେ । ଅଟଳବାବୁଙ୍କ ସହିତ କିଛି କଥାବାର୍ତ୍ତା କରି ସେ ଫେରିଯିବା ସମୟରେ ଅଟଳବାବୁ ରାମକୃଷ୍ଣଙ୍କ ଆଡ଼କୁ ତାଙ୍କ ଦୃଷ୍ଟି ଆକର୍ଷଣ କରାଇ ସ୍ୱଭାବସୁଲଭ ଢଙ୍ଗରେ ହସି ହସି କହିଲେ, “ଏ ପିଲାଟିକୁ ସାଙ୍ଗରେ ନେଇଗଲେ ହୁଅନ୍ତା ନାହିଁ ? ଭଲ ପଢ଼ାଶୁଣା କରୁଥିଲା, ପାଠପଢ଼ା ଛାଡ଼ି କଂଗ୍ରେସରେ ମିଶିଛି । ଏହାକୁ ତୁମ ଜାତୀୟ ବିଦ୍ୟାଳୟରେ ଭର୍ତ୍ତି କରିଦେବ, ନେଇଯାଅ ।” ପଣ୍ଡିତ ନୀଳକଣ୍ଠଙ୍କ ମନକୁ କଥାଟା ବେଶ୍ ପାଇଲା-। ସେ କାଳ ବିଳମ୍ୱ ନକରି ରାମକୃଷ୍ଣଙ୍କ ବାହାଧରି ଟାଣିନେଲେ ଏବଂ ଘୋଡ଼ାଗାଡ଼ିରେ ବସିବାକୁ ନିର୍ଦ୍ଦେଶ ଦେଲେ । ସେ ଷ୍ଟେସନକୁ ଯିବାକୁ ତରବର ଥିଲେ । ରାମକୃଷ୍ଣଙ୍କର କୌଣସି ଆପତ୍ତି ଶୁଣିବାକୁ ତାଙ୍କର ସମୟ ନଥିଲା । ସେଇ ଭକ୍ତିଭାଜନ ତୁଙ୍ଗ ନେତାଙ୍କୁ ରାମକୃଷ୍ଣ କ’ଣ ବା କହିପାରିଥାନ୍ତେ ? ତେଣୁ ସେ ସୁନାପିଲା ପରି ବିନା ଆପତ୍ତିରେ ତାଙ୍କ ସାଙ୍ଗେ ଘୋଡ଼ାଗାଡ଼ିରେ ବସିଲେ । ଏତିକିରେ ପୃଥିବୀ ଭ୍ରମଣ ଯୋଜନାର ଇତି ହେଲା ।

 

ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ଛାତ୍ର (୧୯୨୩) :

 

ସତ୍ୟବାଦୀ ବକୁଳବନରେ ବିଦ୍ୟାର୍ଥୀ ଜୀବନ ଆରମ୍ଭ ହେଲା ରାମକୃଷ୍ଣଙ୍କର । ସତ୍ୟବାଦୀର ବନବିଦ୍ୟାଳୟ ସେତେବେଳେ ଜାତୀୟ ବିଦ୍ୟାଳୟରେ ପରିଣତ ହୋଇଥାଏ । ପଣ୍ଡିତ କୃପାସିନ୍ଧୁ ମିଶ୍ର ପ୍ରଧାନ ଶିକ୍ଷକ ଥାଆନ୍ତି । ପଣ୍ଡିତ ଲିଙ୍ଗରାଜ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ଶ୍ରୀ ନନ୍ଦ କିଶୋର ଦାସ, ଶ୍ରୀ ବାସୁଦେବ ମହାପାତ୍ର ପ୍ରମୁଖ ପୂଜ୍ୟ ବ୍ୟକ୍ତିଗଣ ଅଧ୍ୟାପନା କାର୍ଯ୍ୟ କରୁଥାଆନ୍ତି । ଛାତ୍ରାବାସର ମୁଖ୍ୟ ଥାଆନ୍ତି ହରିହର । ଜାତୀୟ ଆଭିମୁଖ୍ୟ ନେଇ ବନବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ପାଠ୍ୟପଦ୍ଧତି ପ୍ରବର୍ତ୍ତିତ ହୋଇଥାଏ । ରାମକୃଷ୍ଣଙ୍କୁ ପ୍ରବେଶିକା ପରୀକ୍ଷାର ଶେଷ ଶ୍ରେଣୀରେ ଗ୍ରହଣ କରାଗଲା ଏବଂ ଛାତ୍ରାବାସରେ ରଖାଗଲା ।

 

ସତ୍ୟବାଦୀ ଜାତୀୟ ବନବିଦ୍ୟାଳୟର ଛାତ୍ର ଜୀବନ ଓ ଶିକ୍ଷାଦାନ ପଦ୍ଧତି ଆଦର୍ଶସ୍ଥାନୀୟ ଥିଲା । ଏ ସମ୍ପର୍କରେ ରାମକୃଷ୍ଣ ତାଙ୍କ ଆତ୍ମଜୀବନୀ ‘ଜୀବନ ତରଙ୍ଗରେ କହିନ୍ତି–“ଏ ଏକ ନୂତନ ଜୀବନ । ଜାତୀୟ ଆନ୍ଦୋଳନରେ ପ୍ରଥମେ ଯୋଗଦେବା ବେଳର ସେ ଉନ୍ମାଦନା, କର୍ମୀ ଜୀବନର ସେ ମୁକୁଳା ଗତିବିଧି ଓ ଆଚରଣ ଏଠାରେ ନାହିଁ । ବିଦ୍ୟାର୍ଥୀ ଜୀବନର କଠୋର ଶୃଙ୍ଖଳା ଭିତରେ ପୁଣି ପଡ଼ିବାକୁ ହେଲା । ଖୁବ୍ ଭୋରରୁ ଉଠି ପ୍ରାର୍ଥନା, ନିତ୍ୟକର୍ମ ଓ ଗାଧୁଆପାଧୁଆ ସାରି ସମବେତ ବ୍ୟାୟାମ କଲାବେଳକୁ ସୂର୍ଯ୍ୟ ଉଇଁ ଆସୁଥାନ୍ତି । ଦଣ୍ଡ, ବୈଠକ, ଡ୍ରିଲ୍, ମାର୍ଚ୍ଚିଂ କରୁ କରୁ ମୋ ଅଣ୍ଟାପିଠି କିଟ୍‍କିଟ୍ ଡାକେ । ବ୍ୟାୟାମ ଶିକ୍ଷକଙ୍କ କଡ଼ା ଦୃଷ୍ଟିରୁ ଖସିବାର ଉପାୟ ନାହିଁ । ସେଇଠାରେ ଥାଇ ସିଝା ନିମପାଣିରୁ ଢୋକେ ଢୋକେ ସମସ୍ତେ ପିଉ । ତା’ପରେ ରୋଷେଇ ଘରକୁ ଆସି ମୁଠାଏ ମୁଠାଏ ଖେଚେଡ଼ି ଖାଇ କ୍ଳାସକୁ ଯାଉ ।

 

“ବଉଳ ଛୁରିଅନାର ବିସ୍ତୀର୍ଣ୍ଣ ବଣ ଭିତରେ ଠାଏ ଠାଏ ସଫା ଜାଗା ଦେଖି କ୍ଳାସ କରାଯାଏ । ଉପରେ ଗହଳିଆ ପତ୍ରର ଚାନ୍ଦୁଆ । ଗଛ ମୂଳରେ ଝୁଲୁଥାଏ ଖଣ୍ଡେ ଖଣ୍ଡେ ବ୍ଳାକବୋର୍ଡ଼ । ଗୋଟିଏ କ୍ଳାସରୁ ଅନ୍ୟ କ୍ଳାସ ଦେଖାଯାଏ ନାହିଁ । ସେଇ କୁଞ୍ଜ ଭିତରେ ବସି ଆମେ ପ୍ରାୟ ୧୧ଟା ପର୍ଯ୍ୟନ୍ତ ପାଠ ପଢ଼ୁ । ତାପରେ ଛାତ୍ରାବାସକୁ ଫେରି ଖିଆପିଆ କରୁ । ଖରାବେଳେ ପତ୍ରପତ୍ରିକା ପଢ଼ିବା ପାଇଁ ଅବସର ମିଳେ । ଉପରବେଳା ଦୁଇଘଣ୍ଟା ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ହାତକାମ ଶିକ୍ଷା ଦିଆଯାଏ । ସନ୍ଧ୍ୟାରେ ପ୍ରାର୍ଥନା ସାରି ଯେଝା ପ୍ରକୋଷ୍ଠକୁ ଯାଇ ପଢ଼ାପଢ଼ି କରୁ । ରାତି ୯ଟାରେ ଖାଇପିଇ ଶୋଉ । ଶନିବାର ସନ୍ଧ୍ୟାରେ ଶ୍ଳୋକାନ୍ତ ଓ ପଦ୍ୟାନ୍ତ ପ୍ରତିଯୋଗିତା ହୁଏ । କେବେ କେବେ ଆଲୋଚନା ସଭା ମଧ୍ୟ ହୁଏ ।” (ପୃ.୩୧)

 

ଛାତ୍ରାବାସର ତତ୍ତ୍ୱାବଧାରକ ପୂଜ୍ୟ ଆଚାର୍ଯ୍ୟ ହରିହର ପାହାନ୍ତାରୁ ଉଠି ଘର ଘର ବୁଲି ବୁଲି ଦେଖି ଆସୁଥିଲେ ସମସ୍ତେ ଉଠିଲେଣି କି ନାହିଁ, କାହାର କିଛି ଅସୁବିଧା ବା ଦେହପା’ ହୋଇଛି କି ନାହିଁ । ମଧୁର କଅଁଳ କଥା, ହସ ହସ ମୁହଁ, ସ୍ନେହ-ଆଦରମିଶା ଉପଦେଶରେ ସେ ସମସ୍ତଙ୍କର ମନ କିଣି ନେଉଥିଲେ । ବିଦ୍ୟାଳୟର ପରିବେଶ ଓ ଶିକ୍ଷକମାନଙ୍କ ଛାତ୍ରବତ୍ସଳତା ପ୍ରାଚୀନ ଯୁଗର ଗୁରୁକୁଳ ଓ ଋଷିଆଶ୍ରମ କଥା ସ୍ମରଣ କରାଇ ଦେଉଥିଲା ।

 

ସକାଳୁ ଉଠି ଗାଧୋଇ ବନବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବାରେ ରାମକୃଷ୍ଣ କ୍ରମେ ଅଭ୍ୟସ୍ତ ହୋଇଗଲେ । ସେତେବେଳେ ଉତ୍କଳଭୀମ ପଦ୍ମଚରଣ, ଚିନ୍ତାମଣି ମିଶ୍ର, ନୀଳମଣି ମିଶ୍ର, ଗୌରୀପଦ ତ୍ରିପାଠୀ, ମୋହନ ଦାସ ଓ ସ୍ୱର୍ଗୀୟ ଭଗବତୀ ଚରଣ ପାଣିଗ୍ରାହୀ ଏହି ବିଦ୍ୟାଳୟର ଛାତ୍ର ଥିଲେ । ଭଗବତୀବାବୁ ଭଲ ବଂଶୀ ବଜାଇ ଛାତ୍ରମାନଙ୍କୁ ମୁଗ୍‍ଧ କରୁଥିଲେ । ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ‘କୋଣାର୍କ’ ଓ ପଣ୍ଡିତ ନୀଳକଣଙ୍କ ‘କୋଣାର୍କେ’ର କିୟଦଂଶ ସେତେବେଳେ ରାମକୃଷ୍ଣଙ୍କର ପାଠ୍ୟ ଅନ୍ତୁର୍ଭୁକ୍ତ ଥିଲା । ତେଣୁ କର୍ତ୍ତୁପକ୍ଷଙ୍କ ଅନୁମତି ନେଇ ରାମକୃଷ୍ଣ ତାଙ୍କର କେତେଜଣ ସହପାଠୀଙ୍କ ସଙ୍ଗରେ କୋଣାର୍କ ଭ୍ରମଣରେ ଯାଇଥିଲେ । ତାହା ଥିଲା ରାମକୃଷ୍ଣଙ୍କର ପ୍ରଥମ କୋଣାର୍କ ଦର୍ଶନ ।

 

ରାମକୃଷ୍ଣଙ୍କ ପାଠ୍ୟକ୍ରମରେ ହିନ୍ଦୀ ଗୋଟିଏ ପତ୍ର ଥିଲା । ତେଣୁ ତାଙ୍କୁ ଭଲଭାବରେ ଦେବନାଗରୀ ଲିପି ଲେଖିବାକୁ ଓ ଶିଖିବାକୁ ହୋଇଥିଲା । ପାଠ୍ୟକ୍ରମରେ ଦୁଇଟି ପତ୍ର ଓଡ଼ିଆ ଥିବାରୁ ଛାତ୍ରମାନେ ଓଡ଼ିଆ ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦେଉଥିଲେ । ରାମକୃଷ୍ଣ ଏହି ଜାତୀୟ ବିଦ୍ୟାଳୟରେ ସମାଜ ସମ୍ପାଦକ ରାଧାନାଥ ରଥଙ୍କ ସହିତ ଜଣାଶୁଣା ହେବାର ସୁଯୋଗ ପାଇଥିଲେ ।

 

ରାମକୃଷ୍ଣ ଏଠାରେ ବିଦ୍ୟାର୍ଥୀ ଥିବାବେଳେ ଆଚାର୍ଯ୍ୟ ହରିହରଙ୍କ ଗାନ୍ଧିନୀତି ବିଷୟରେ ସାମାନ୍ୟ ସୂଚନା ଦେଇଛନ୍ତି । ତାଙ୍କ ଭାଷାରେ–“ଥରେ ଜଣେ ଅନ୍ତେବାସୀଙ୍କର କୌଣସି ଗୁରୁତର ଅପରାଧ କଥା ଆଚାର୍ଯ୍ୟଙ୍କ କାନକୁ ଗଲା । ସେ ସମସ୍ତଙ୍କର ଏକ ସଭା ଡକାଇ ସେଥିରେ ଏହି ଅଭିଯୋଗର ବିଚାର କଲେ । ଦୋଷ ପ୍ରମାଣିତ ହେଲା । ଅପରାଧୀକୁ କି ଶାସ୍ତି ଦିଆଯିବ, ଏ ବିଷୟରେ ମତ ନିଆଗଲା । କିଏ କେତେ ପ୍ରକାର ପ୍ରସ୍ତାବ ଦେଲେ । ସବୁ ଶୁଣିସାରି ଆଚାର୍ଯ୍ୟ ମହାଶୟ କହିଲେ, “ଦୋଷୀ ମୁଁ । ଛାତ୍ରାବାସର ତତ୍ତ୍ୱାବଧାରକ ହିସାବରେ ମୁଁ ସମସ୍ତ ସ୍ଖଳନ ପାଇଁ ଦାୟୀ । ତେଣୁ ମୁଁ ଶାସ୍ତି ଗ୍ରହଣ କରିବି ।”

 

“ସମସ୍ତେ ଅବାକ୍ ! ଗାନ୍ଧିଜୀଙ୍କର ନୀତି ଏ । ବେତମାଡ଼ ଅପେକ୍ଷା ଏହାର ସଂଶୋଧନୀ ଶକ୍ତି ଯଥେଷ୍ଟ ବେଶି ।” (ଜୀବନ ତରଙ୍ଗ, ପୃ.୩୨)

 

ସତ୍ୟବାଦୀ ବନବିଦ୍ୟାଳୟର ଶେଷ ଶ୍ରେଣୀରେ ରାମକୃଷ୍ଣଙ୍କର ନାମ ଲେଖାଯାଇଥିଲା-। ତେଣୁ ବର୍ଷଟିଏ ପଢ଼ି ରାମକୃଷ୍ଣ ପାଠବର୍ଷ ଶେଷରେ ପରୀକ୍ଷା ଦେଇ ଗ୍ରାମକୁ ଫେରିଥିଲେ । କିଛିଦିନ ପରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କରିଥିବା ଖବର ତାଙ୍କୁ ମିଳିଥିଲା । ଇଚ୍ଛା ଥିଲେହେଁ ଅଧିକ ପଢ଼ିବାର ସୁଯୋଗ ତାଙ୍କ ପାଇଁ ନଥିଲା । ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ କଲେଜ ଶ୍ରେଣୀ ଖୋଲିବ ବୋଲି ଶୁଣାଯାଉଥିଲା; କିନ୍ତୁ ସେଠାରେ ସେପରି କିଛି ବ୍ୟବସ୍ଥା ହୋଇପାରିଲା ନାହିଁ । ରାମକୃଷ୍ଣଙ୍କ ସହପାଠୀଗଣ ମଧ୍ୟ ସେଠାରେ ଆଉ ଅଧିକ ପଢ଼ିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ଦେଶର ରାଜନୀତିକ ଦୃଶ୍ୟପଟ ମଧ୍ୟ ବଦଳିଯାଇଥାଏ । ପଣ୍ଡିତ ଗୋପବନ୍ଧୁ ପ୍ରମୁଖ ନେତୃବର୍ଗ ସେତେବେଳକୁ ଜେଲ୍‍ରେ । ସି.ଆର.ଦାସ ଓ ପଣ୍ଡିତ ମୋତିଲାଲ ନେହେରୁଙ୍କ ନେତୃତ୍ୱରେ ‘ସ୍ୱରାଜିଷ୍ଟ’ ଦଳ କାଉନ୍‍ସିଲ ଓ ଆସେମ୍ବ୍‍ଲିରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ଏଥିଲାଗି ମହାତ୍ମାଗାନ୍ଧିଙ୍କ ସହିତ ସେମାନଙ୍କର ମତଭେଦ ଉପୁଜିଥାଏ । ତୁଙ୍ଗ ନେତାମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବାରୁ କର୍ମୀମାନେ ମଧ୍ୟ ଫାଙ୍କ ଫାଙ୍କ ହୋଇଯାଇଥାନ୍ତି । ଦେଶର ଏହି ଅନିଶ୍ଚିୟତା ଓ ଅସ୍ଥିରତା ହେଲେ କ’ଣ କରିବାକୁ ହେବ, ତାହା ରାମକୃଷ୍ଣ ଠିକ୍ କରିପାରୁ ନଥିଲେ ।

 

ଭୋଟ ପ୍ରଚାର ଓ ପ୍ରଥମ ଚାକିରି (୧୯୨୪-୨୫) :

 

ରାମକୃଷ୍ଣ ଖବର ପାଇଲେ ଯେ ସ୍ୱରାଜିଷ୍ଟ ଦଳର ନୀତି ଗ୍ରହଣ କରି ଗୋପବନ୍ଧୁ ଚୌଧୁରୀ ଏରସମା ଥାନାରୁ କଟକ ଜିଲ୍ଲାବୋର୍ଡ଼ ସଭ୍ୟପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରୁଥାନ୍ତି ଅବସରପ୍ରାପ୍ତ ଡେପୁଟି କଲେକ୍ଟର ରାଜକିଶୋର ଦାସ । ବାବାଜୀ ରାମଦାସ ସେହି ଅଞ୍ଚଳକୁ ଭୋଟ ପ୍ରଚାରରେ ବାହାରିଛନ୍ତି ଜାଣି ତାଙ୍କ ସହିତ ରାମକୃଷ୍ଣ ଓ ବିଶ୍ୱନାଥ ନନ୍ଦ ଭୋଟ ପ୍ରଚାରରେ ବାହାରିଲେ । ବାବାଜୀଙ୍କ ସହିତ ଗାଁ ଗାଁ ବୁଲି ରାମକୃଷ୍ଣ ଭୋଟ ପ୍ରଚାର କଲେ-। ଗୋପବାବୁ ନିର୍ବାଚନରେ ଜିତିଲେ; ବିଭିନ୍ନ ଥାନାରୁ ନିର୍ବାଚନ ଲଢ଼ୁଥିବା ବ୍ରିଟିଶ୍ ସରକାରର ଗୋଡ଼ାଣିଆ ବଡ଼ ବଡ଼ ରଥୀ ଟଳି ପଡ଼ିଲେ । କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କଲା । ଗୋପବାବୁ ନିର୍ଦ୍ୱନ୍ଦ୍ୱରେ କଟକ ଜିଲାବୋର୍ଡ଼ରେ ଚେୟାରମ୍ୟାନ ପଦ ହାସଲ କଲେ ।

 

ଭୋଟ ପ୍ରଚାରରୁ ଗ୍ରାମକୁ ଫେରିଲେ ରାମକୃଷ୍ଣ । ତାଙ୍କ ଗ୍ରାମଠାରୁ ଅଳ୍ପ ଦୂରରେ ତାଙ୍କର ଖମାର । ସେହିଠାରେ ସେ ଗୋରୁଗାଈ, ବାଡ଼ିବଗିଚା, ଚାଷବାସ ଇତ୍ୟାଦିର ଦାୟିତ୍ୱରେ ରହିଲେ । ରାମକୃଷ୍ଣଙ୍କୁ ଯେଉଁ କାମରେ ଲଗାଇ ଦିଆଯାଉଥିଲା, ତାହା ସେ ମନପ୍ରାଣ ଦେଇ କରୁଥିଲେ । ଏ କାମ ମଧ୍ୟ ସେ ଅତି ଆଗ୍ରହ ଓ ଯତ୍ନର ସହିତ କଲେ । ମୂଲିଆଙ୍କ ସଙ୍ଗେ ବିଲକାମ ମଧ୍ୟ କଲେ । ସେ ସମୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ବିଲବାଡ଼ି କାମ କରୁଥିବାରୁ ତାଙ୍କ ଘରେ କାହାର ମନରେ ସୁଖ ନଥାଏ । ଏହି ସମୟରେ ଖବରକାଗଜରେ ଏକ ବିଜ୍ଞାପନ ବାହାରିଲା ଯେ କଟକ ଜିଲାବୋର୍ଡ଼ ମାସିକ ୨୦ ଟଙ୍କା ବେତନରେ ଛଅଜଣ ସୂତାକଟା ଶିକ୍ଷକ ଆବଶ୍ୟକ କରୁଛନ୍ତି । ରାମକୃଷ୍ଣ ଅବିଳମ୍ୱେ ଏଥିଲାଗି ଦରଖାସ୍ତ କଲେ ଏବଂ କଟକ ଜିଲାବୋର୍ଡ଼ ଅଫିସ୍‍ରେ ସୂତାକଟା ପରୀକ୍ଷା ଦେଇ ଦ୍ୱିତୀୟ ସ୍ଥାନ ଅଧିକାର କଲେ । ତାଙ୍କୁ ଚାକିରି ମିଳିଲା ଓ ତାଙ୍କର ପୁରୁଣା ଜାଗା ବଡ଼ଚଣା ଅଞ୍ଚଳକୁ ଯିବାପାଇଁ ତାଙ୍କୁ ଆଦେଶ ହେଲା । ବଡ଼ଚଣା ନିକଟସ୍ଥ ଇଜର୍ଟନ ଗାର୍ଲସ୍ ସ୍କଲ ହେଲା ତାଙ୍କର କର୍ମସ୍ଥଳୀ । ସେହିଠାରେ ଶିକ୍ଷକ ଓ ଛାତ୍ରୀମାନଙ୍କୁ ସୂତାକଟା ଶିଖାଇଲେ । ବଡ଼ଚଣାରେ ସୂତାକଟା ଶିଖାଇ ସାରିବାପରେ ନିକଟବର୍ତ୍ତୀ ଅନ୍ୟାନ୍ୟ ବାଳିକା ବିଦ୍ୟାଳୟକୁ ଯାଇ ସେଠାରେ ଶିକ୍ଷକ ଓ ଛାତ୍ରୀମାନଙ୍କୁ ସୂତାକଟା ଶିଖାଇଲେ । ଏହି ଉପଲକ୍ଷେ ତାଙ୍କୁ ବଇରୀ, ଗଡ଼ମଧୁପୁର, ଜେନାପୁର, ଛତିଆ ପ୍ରଭୃତି ସ୍ଥାନ ଯିବାକୁ ହୋଇଥିଲା ।

 

ବିବାହ (୧୯୨୫) :

 

ଛତିଆରେ ଥିଲାବେଳେ ରାମକୃଷ୍ଣ ଖଣ୍ଡିଏ ଚିଠି ପାଇଲେ । ଚିଠିରେ ପ୍ରେରକ ଥିଲେ ତାଙ୍କ ପିଉସା ଦୁଃଖିଶ୍ୟାମ ମିଶ୍ର ଏବଂ ଏହା ଥିଲା ତାଙ୍କ ବିବାହ ବିଷୟରେ । ଏହି ଚିଠିରୁ ରାମକୃଷ୍ଣ ଜାଣିଲେ ଯେ ଏ ପ୍ରସଙ୍ଗରେ ପିଉସା ପ୍ରଥମେ ତାଙ୍କ ଗ୍ରାମକୁ ଯାଇଥିଲେ; କିନ୍ତୁ ତାଙ୍କ ବାପା ତାଙ୍କ ମତ ନ ଜାଣିବା ପର୍ଯ୍ୟନ୍ତ ଏ ଦିଗରେ ଆଗେଇବେ ନାହିଁ ବୋଲି କହିବାରୁ ସେ ତାଙ୍କ ପାଖକୁ ଚିଠି ଲେଖିଲେ । ରାମକୃଷ୍ଣ କଥାଟା ଠିକ୍ ବୁଝିପାରିଲେ । ଅଳକାଶ୍ରମରେ ଥିଲାବେଳେ (୧୯୨୨-୧୯୨୩) ସେ ଥରେ ଛୁଟି ନେଇ ଗାଁକୁ ଯାଇଥିଲେ । ତାଙ୍କ ବାପା ତାଙ୍କ ବିବାହ ପ୍ରସ୍ତାବ ଆଗତ କଲେ । ସେଠାରେ ତାଙ୍କ କକେଇ ଓ ଗ୍ରାମର କେତେଜଣ ଗୁରୁଜନ ବସିଥାନ୍ତି । ଅଳ୍ପ ବୟସ ଓ ଅନ୍ନସଂସ୍ଥାନର ନିର୍ଦ୍ଦିଷ୍ଟ ପନ୍ଥା ନଥିବାରୁ ରାମକୃଷ୍ଣ ଏ ପ୍ରସ୍ତାବକୁ ଏଡ଼େଇ ଦେଲେ; ଯୁକ୍ତିତର୍କ ମଧ୍ୟ କଲେ । ସେ ସମୟରେ ଗୁରୁଜନଙ୍କ ସହିତ ଯୁକ୍ତି କରିବାଟା ଏକ ଔଦ୍ଧତ୍ୟ ବୋଲି ବିବେଚିତ ହେଉଥିଲା । ଫଳରେ ତାଙ୍କ ବାପା ବିରକ୍ତ ହୋଇଥିଲେ ଓ ତାଙ୍କ ବୋଉ ମଧ୍ୟ ମନରେ କଷ୍ଟ ପାଇଲେ । କୌଣସି ମତେ ସେମାନଙ୍କ ପାଖରୁ ଖସିଆସି ସେ ଅଳକାଶ୍ରମରେ ଯୋଗ ଦେଇଥିଲେ । ପୂର୍ବ ଘଟନା ଯୋଗୁ ତାଙ୍କ ବାପା ତାଙ୍କ ମତ ନେବାକୁ ଯେ କହିଥିବେ, ଏହା ସେ ଅନୁମାନ କରିନେଲେ । ସଙ୍ଗେ ସଙ୍ଗେ ପିଉସାଙ୍କ ପାଖକୁ ଚିଠିଲେଖି ରାମକୃଷ୍ଣ ଜଣାଇଲେ - “ପିଉସା ମୋର ପିତୃତୁଲ୍ୟ । ସେ ଯଦି ବିଚାରୁଥାନ୍ତି ଯେ କନ୍ୟା ମୋର ଉପଯୁକ୍ତ ଏବଂ ବିବାହ ଦ୍ୱାରା ମୋର କିଛି କ୍ଷତି ହେବ ନାହିଁ, ତେବେ ମୁଁ ରାଜି ହେବାରେ କୌଣସି ବାଧା ନାହିଁ ।”

 

ଦିନେ ତାଙ୍କ ପିଉସା ଦୁଃଖିଶ୍ୟାମ ମିଶ୍ର ଜଣେ ଶ୍ମଶ୍ରୁଧାରୀ ଓ ଖଦଡ଼ ପରିହିତ ଦୀର୍ଘକାୟ ବ୍ୟକ୍ତିଙ୍କୁ ସଙ୍ଗରେ ଧରି ରାମକୃଷ୍ଣଙ୍କ ପାଖରେ ପହଞ୍ଚିଲେ । ଅପରିଚିତି ବ୍ୟକ୍ତି ଜଣଙ୍କ ଯେ ସୁନ୍ଦରଗ୍ରାମର ବଳରାମ ମିଶ୍ର ଓ ପ୍ରସ୍ତାବିତ ବିବାହର କନ୍ୟାପିତା, ତାହା ରାମକୃଷ୍ଣ ବେଶ୍ ଅନୁମାନ କରିନେଲେ । ଦୁଇଜଣଙ୍କୁ ସସମ୍ମାନ ସେ ନିଜ ବସାଘରକୁ ଡାକିନେଲେ । ରାତିରେ ଖିଆପିଆ ହେଲା ଏବଂ ନାନା କଥା ଆଲୋଚିତ ହେଲା । ରାମକୃଷ୍ଣଙ୍କ ପାଖରୁ ତାଙ୍କ ଚିଠିର ଉତ୍ତର ନପାଇ ସେ ଆସିବାକୁ ବାଧ୍ୟ ହେଲେ ବୋଲି ତାଙ୍କ ପିଉସା ପ୍ରକାଶ କଲେ; ମାତ୍ର ଚିଠିର ଉତ୍ତର ଠିକ୍ ସମୟରେ ଦିଆଯାଇଥିଲା ବୋଲି ରାମକୃଷ୍ଣ ପ୍ରକାଶ କଲେ । ସେହି ରାତିରେ ବିବାହ ହେବାର ନିଷ୍ପତ୍ତି ନିଆଗଲା । ବାପାଙ୍କ ନିକଟକୁ ଯାଇ ଏ ବିଷୟରେ ଶେଷ ନିଷ୍ପତ୍ତି କରିବାକୁ ରାମକୃଷ୍ଣ ସେମାନଙ୍କୁ ଅନୁରୋଧ କଲେ । ଫେରିବାବେଳେ ସେମାନେ ବିବାହ ତାରିଖ ରାମକୃଷ୍ଣଙ୍କୁ ଜଣାଇଦେଲେ ।

 

ଭାଇନାଙ୍କଠାରୁ ଚିଠି ପାଇ ମଙ୍ଗଳକୃତ୍ୟର ଠିକ୍ ପୂର୍ବଦିନ ଗାଁରେ ପହଞ୍ଚିଲେ ରାମକୃଷ୍ଣ । ସୁନ୍ଦରଗ୍ରାମର ବଳରାମ ମିଶ୍ରଙ୍କ ଏକମାତ୍ର କନ୍ୟା ସୌଦାମିନୀଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହେଲା । ତାଙ୍କୁ ସେତେବେଳେ ୧୯ ବର୍ଷ ଓ ସୌଦାମିନୀଙ୍କୁ ୯ । ପାଞ୍ଚି, ବଉଳପାଟ ଆଦି ସବୁ ଖଦଡ଼ର ହୋଇଥିଲା । କାରଣ ବର, କନ୍ୟାପିତା ଓ ମଧ୍ୟସ୍ଥି ତିନିହେଁ ଥିଲେ ଜାତୀୟ ବ୍ରତରେ ଉଦ୍‍ବୁଦ୍ଧ । ବିବାହ ସରିଲା ପ୍ରାୟ ଦିନ ୪ଟା ବେଳକୁ । ତାପରେ ଶ୍ୱଶୁରଙ୍କର କେତେଜଣ ଛାତ୍ରଙ୍କ ସହିତ ରାମକୃଷ୍ଣ କଥାବାର୍ତ୍ତା କରିବାର ସୁଯୋଗ ପାଇଲେ । ତାଙ୍କ ଶ୍ୱଶୁର ବଳରାମ ମିଶ୍ର ଅନେକ ବର୍ଷଧରି ଦଶପଲ୍ଲା ମାଇନର ସ୍କୁଲରେ ଦ୍ୱିତୀୟ ଶିକ୍ଷକ ଥିଲେ ଓ ସେଠା ପୋଷ୍ଟ ଅଫିସ୍ କାର୍ଯ୍ୟ ମଧ୍ୟ କରୁଥିଲେ ।

 

ସେ ଜଣେ ଛାତ୍ରବତ୍ସଳ ତଥା ଆଦର୍ଶ ଶିକ୍ଷକ ଥିଲେ । ସେତେବେଳେ ସେ ଅଞ୍ଚଳର ଯେଉଁ କେତେଜଣ ଉଚ୍ଚଶିକ୍ଷା ପାଇଁ କଟକ ଆସିଥିଲେ, ସେମାନେ ସମସ୍ତେ ଥିଲେ ତାଙ୍କ ଛାତ୍ର । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏ ବିବାହରେ ଯୋଗ ଦେବା ନିମିତ୍ତ ସୁନ୍ଦରଗ୍ରାମ ଆସିଥିଲେ । ସେମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଶ୍ୟାମସୁନ୍ଦର ହୋତା ନାମକ ଜଣେ କଲେଜଛାତ୍ର ରାମକୃଷ୍ଣଙ୍କୁ ପାଠ ପଢ଼ିବାକୁ ପ୍ରବର୍ତ୍ତାଇଥିଲେ । ଚାରିବର୍ଷ ହେଲା ପାଠ ଛାଡ଼ିଥିବା ରାମକୃଷ୍ଣ ନିଜର ଆର୍ଥିକ ଅବସ୍ଥା ଓ ଅନ୍ୟାନ୍ୟ କେତେକ କାରଣ ଦର୍ଶାଇ ଆଉ ପାଠ ପଢ଼ିବେ ନାହିଁ ବୋଲି ଶୁଣାଇଥିଲେ । କିନ୍ତୁ ସେ ରାମକୃଷ୍ଣଙ୍କୁ ନିଜର ଉଦାହରଣ ନେଇ କହିଲେ -“ମୁଁ ନିଜେ ଟିଉସନ କରି ବି.ଏ. ପଢ଼ିଲିଣି, ତୁମେ କାହିଁକି ପାରିବ ନାହିଁ ?” ରାମକୃଷ୍ଣଙ୍କ ମନକୁ କଥାଟା ପାଇଲା; ସମସ୍ତ ପ୍ରତିକୂଳ ଅବସ୍ଥାସତ୍ତ୍ୱେ ସେ ପୁଣି ପାଠ ପଢ଼ିବାକୁ ମନସ୍ଥ କଲେ ।

Image

 

ତୃତୀୟ ପରିଚ୍ଛେଦ

ଜୀବନ ସଂଗ୍ରାମ

 

(କ) ଉଚ୍ଚଶିକ୍ଷା

 

ରାମକୃଷ୍ଣ ସାତମଙ୍ଗଳା ସାରି ଘରକୁ ଫେରିଲେ । ତାପରେ ଜିଲାବୋର୍ଡ଼ ଚାକିରିରୁ ଇସ୍ତଫା ଦେଲେ । ପାଠପଢ଼ିବା ପାଇଁ କଟକ ଆସି ଦଶପଲ୍ଲା ମେସ୍‍ରେ ପହଞ୍ଚିଲେ । ସେତେବେଳକୁ ମାଟ୍ରିକ୍ୟୁଲେସନର ଫାଇନାଲ ପରୀକ୍ଷା ସରିଯାଇଥାଏ । ସପ୍ଳିମେଣ୍ଟାରୀ ଥାଏ ମାତ୍ର ଦୁଇମାସ । ସତ୍ୟବାଦୀ ବନବିଦ୍ୟାଳୟର କେତେଜଣ ଛାତ୍ରଙ୍କ ସହିତ ତାଙ୍କର ସାକ୍ଷାତ ମଧ୍ୟ ହେଲା । ସେମାନେ ସମସ୍ତେ ପ୍ରାଇଭେଟ୍ ଛାତ୍ରଭାବରେ ସପ୍ଳିମେଣ୍ଟାରୀ ପରୀକ୍ଷା ଦେବାପାଇଁ ଇଚ୍ଛା କଲେ । ନିୟମ ଅନୁସାରେ ରେଭେନ୍‍ସା କଲେଜିଏଟ୍ ସ୍କୁଲରେ ପ୍ରଥମେ ଟେଷ୍ଟ ପରୀକ୍ଷା ଦେବାକୁ ହେଲା । ପୂର୍ବରୁ ସ୍କୁଲରେ ପଢ଼ିଲାବେଳେ ଗଣିତ ଥିଲା ରାମକୃଷ୍ଣଙ୍କର ଇଚ୍ଛାଧୀନ ବିଷୟ । କିନ୍ତୁ ଏତେ କମ୍ ସମୟ ମଧ୍ୟରେ ପୁଣି ଥରେ ଗଣିତ ପଢ଼ାପଢ଼ି କରିବା ସମ୍ଭବ ନଥିବାରୁ, ସେ ସଂସ୍କୃତକୁ ଇଚ୍ଛାଧୀନ ବିଷୟ ଭାବରେ ବାଛିଲେ । ଠିକ୍ ସମୟରେ ଚେଷ୍ଟ ପରୀକ୍ଷା ଦେଇ sent up ହେଲେ । ପରୀକ୍ଷା ପାଇଁ ଫର୍ମ ପୂରଣ କଲେ; ମାତ୍ର ଜନ୍ମ ତାରିଖ ଘରଟି ଖାଲି ରହିଲା । ସେତେବେଳକୁ ଦଶପଲ୍ଲାର ପ୍ରଥମ ବିପ୍ଳବୀ ଗୋବିନ୍ଦଚନ୍ଦ୍ର ମିଶ୍ର ତାଙ୍କର ପରିଚିତ ହୋଇସାରିଥାନ୍ତି-। ତାଙ୍କ ଉପଦେଶ ଅନୁସାରେ ସତ୍ୟବାଦୀ ଯାଇ ସେ ସାର୍ଟିଫିକେଟ ଆଣିଲେ । କିନ୍ତୁ ସେଥିରେ ମଧ୍ୟ ଜନ୍ମ ତାରିଖର ଉଲ୍ଲେଖ ନଥିଲା । ପଣ୍ଡିତ ନୀଳକଣ୍ଠ ତାଙ୍କୁ କଟକରୁ ଧରିନେଇ ବିଦ୍ୟାଳୟରେ ଭର୍ତ୍ତି କରାଇଥିଲେ । ତେଣୁ ନାମଲେଖା ରେଜିଷ୍ଟରରେ ତାଙ୍କ ବୟସରେ ପ୍ରମାଣ ନଥିଲା । ସାର୍ଟିଫିକେଟ୍ ଧରି ସେ କଟକ ଫେରିଲେ ।

 

ସେ ଯେଉଁଦିନ କଟକରେ ପହଞ୍ଚିଲେ ସେହିଦିନ ଫିସ୍ ଦାଖଲ ହେବାର କଥା । ସେ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି । କିଛି ଉପାୟ ନଦେଖି ସେ ଗୋବିନ୍ଦବାବୁଙ୍କୁ ଦେଖାକଲେ । ସବୁକଥା କହି କାନ୍ଦି ପକାଇଲେ । ଗୋବିନ୍ଦବାବୁ ସାର୍ଟିଫିକେଟ୍‌ଟି ନେଇ ବୟସ ଘରୁ ଛକିଟିକୁ ଛୁରୀରେ ରାମ୍ପି ଉଠାଇଦେଲେ ଏବଂ ତାଙ୍କୁ ବୟସ ପଚାରି ୧୯ ବର୍ଷ ୩ ମାସ ବୋଲି ଲେଖିଦେଲେ । ଗୋବିନ୍ଦବାବୁଙ୍କ ନିର୍ଦ୍ଦେଶାନୁସାରେ ରାମକୃଷ୍ଣ ଚାଲିଲେ କଲେଜିଏଟ୍ ସ୍କୁଲକୁ । ସେଠାରେ ଫିସ୍ ନେବା ଦାୟିତ୍ୱରେ ଥିବା ଦୁଇଜଣ ଶିକ୍ଷକ ରାମକୃଷ୍ଣ ଟେଷ୍ଟ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ରଖିଥିବା ଜାଣି ଖୁସିହେଲେ ଏବଂ ତାଙ୍କ ସାର୍ଟିଫିକେଟ୍ ଉପରେ ସାମାନ୍ୟ ଦୃଷ୍ଟି ପକାଇ ଫେରାଇ ଦେଲେ । ଫିସ୍ ଦାଖଲ କରି ରାମକୃଷ୍ଣ ଫେରିଲେ । ଗୋବିନ୍ଦବାବୁ ଏହା ଜାଣିବା ପରେ ଆଶ୍ୱସ୍ତ ଓ ଆନନ୍ଦିତ ହେଲେ ।

 

ଠିକ୍ ସମୟରେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ବସିଲେ ରାମକୃଷ୍ଣ । ପାସ୍ ବି କଲେ । ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିବାରୁ ତାଙ୍କ ମନରେ ଦୁଃଖ ନଥିଲା । କାରଣ ଚାରିବର୍ଷ ପାଠ ଛାଡ଼ିବାପରେ ମାତ୍ର ଦୁଇ ମାସର ପଢ଼ାପଢ଼ିରେ ସେ କୃତକାର୍ଯ୍ୟ ହୋଇପାରିଲେ । ଏହାହିଁ ତାଙ୍କ ପାଇଁ ଥିଲା ଏକାନ୍ତ ସାନ୍ତ୍ୱନା ।

 

ଆଇ.ଏ. ଓ ବି.ଏ. ପାସ୍ :

 

ଶ୍ୱଶୁର ଶ୍ୟାମବାବୁ, ଗୋବିନ୍ଦବାବୁ, ଓ ଅନ୍ୟାନ୍ୟ ଶୁଭଚିନ୍ତକଙ୍କ ପ୍ରେରଣା ରାମକୃଷ୍ଣଙ୍କୁ ଶିକ୍ଷାକ୍ଷେତ୍ରରେ ଆଗେଇ ନେଲା । ସେ ରେଭେନ୍‍ସା କଲେଜରେ ଆଇ.ଏ. ଶ୍ରେଣୀର ନାମ ଲେଖାଇଲେ । ଶ୍ୱଶୁର ତାଙ୍କୁ ନାମ ଲେଖାଇବାକୁ କିଛି ଅର୍ଥ ସାହାଯ୍ୟ କରିଥିଲେ । କିନ୍ତୁ ପାଠପଢ଼ାର ଖର୍ଚ୍ଚ ନିଜକୁ ତୁଲାଇବାକୁ ପଡ଼ିଲା । ଦୁଇବେଳା ଟିଉସନ କରିବାକୁ ହେଲା । ପାଠ୍ୟପୁସ୍ତକ କିଛି କିଣି ନପାରି ସହପାଠୀମାନଙ୍କଠାରୁ ମାଗି ଆଣି କାମ ଚଳାଇଲେ । ଦ୍ୱିତୀୟ ବର୍ଷ ‘ସୋସିଆଲ ସର୍ଭିସ୍ ଗିଲ୍‌ଡ଼’ରୁ ମାସିକ ଚାରିଟଙ୍କା ମିଳିଲା । କୌଣସିମତେ ତାଙ୍କୁ ଆଇ.ଏ. ଦୁଇବର୍ଷ କାଟିବାକୁ ପଡ଼ିଲା ।

 

ଏହି ସମୟରେ ତାଙ୍କର ପୂର୍ବତନ ବନ୍ଧୁ କୃଷ୍ଣଚନ୍ଦ୍ର ପ୍ରଧାନ କଂଗ୍ରେସ କାମ ଛାଡ଼ି ପୁସ୍ତକ ବ୍ୟବସାୟ କରୁଥିଲେ । ସେ ରାମକୃଷ୍ଣଙ୍କଠାରୁ ମଧୁସୂଦନ ରାଓଙ୍କ ‘ବାଳବୋଧ’ ଓ ‘ସାହିତ୍ୟ ପ୍ରସଙ୍ଗ’ର ଦୁଇଖଣ୍ଡ ଟୀକାବହି ଲେଖାଇ ନେଇଥିଲେ ଓ ଏଥିପାଇଁ ଏକଶହ ଟଙ୍କା ଦେଇଥିଲେ । ଏହି ଟଙ୍କାରେ ରାମକୃଷ୍ଣ ଖଣ୍ଡିଏ ହରକ୍ୟୁଲେସ୍ ସାଇକେଲ କିଣିଥିଲେ । ଫଳରେ ଟିଉସନ ଓ କଲେଜ ଯିବାଆସିବା କାର୍ଯ୍ୟରେ ଟିକିଏ ସୁବିଧା ହୋଇଥିଲା । ରାମକୃଷ୍ଣ କଲେଜରେ ପଢ଼ୁଥିବାରୁ ତାଙ୍କ ବାପା ଅତି ଆନନ୍ଦିତ ଥିଲେ ଏବଂ ତାଙ୍କର ଧାରଣା ହୋଇଥିଲା ଯେ ତାଙ୍କ ନାତି ବି.ଏ. ପଢ଼ିବା ପରେ ନିଶ୍ଚୟ ଦିପୋଟି ଚାକିରି ପାଇବ ।

 

ଆଇ.ଏ. ଟେଷ୍ଟ ପରୀକ୍ଷା ଦେବାପରେ ରାମକୃଷ୍ଣ ଏକ ସ୍ୱତନ୍ତ୍ର ବସାଘରେ ରହିଲେ ଏବଂ ଭଲ ଭାବରେ ପଢ଼ାପଢ଼ି କରି ପରୀକ୍ଷା ଦେଲେ । କଲେଜରେ ତୃତୀୟ ସ୍ଥାନ ଓ ବିଶ୍ୱବିଦ୍ୟାଳୟରେ ପଞ୍ଚମ ସ୍ଥାନ ଅଧିକାର କରି ସେ ଆଇ.ଏ. ପାସ୍ କଲେ । କଲେଜରେ ପ୍ରାଣନାଥ ମହାନ୍ତି ପ୍ରଥମ ଓ ନିଖିଳ ଚନ୍ଦ୍ର ଗାଙ୍ଗୁଲି ଦ୍ୱିତୀୟ ସ୍ଥାନ ଲାଭ କରିଥିଲେ । ନିଖିଳ ଚନ୍ଦ୍ର କଲିକତାରେ ବି.ଏ. ପଢ଼ିଲେ । ଏଣୁ ବି.ଏ. ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଦୁଇଟି କୋଡ଼ିଏ ଟଙ୍କିଆ ବୃତ୍ତିକୁ ଗୋଟିଏ ରାମକୃଷ୍ଣଙ୍କୁ ମିଳିଲା ।

 

ଇଂରାଜୀ ଅନର୍ସ ନେଇ ରାମକୃଷ୍ଣ ବି.ଏ. ପଢ଼ିଲେ ସେଇ ରେଭେନ୍‍ସା କଲେଜରେ । ସେ ଖେଳ ଓ ବକ୍ତୃତାରେ ସାମୟିକ ଭାଗ ନେଉଥିଲେହେଁ କୌଣସିଟିରେ ପାରଦର୍ଶିତା ଅର୍ଜନ କରିପାରି ନଥିଲେ । ବି.ଏ. ଶ୍ରେଣୀରେ ଦୁଇ ତିନି ଖଣ୍ଡ ଛୋଟ ଛୋଟ ଇଂରାଜୀ ବହି ଛଡ଼ା ଆଉ କିଛି କିଣିପାରି ନଥିଲେ । ସେତେବେଳେ ମଧ୍ୟ ସେ ଖାଲି ପାଦରେ ରାସ୍ତାରେ ଚାଲୁଥିଲେ । ଅଭାବ ତାଙ୍କୁ ବିବ୍ରତ କରିପକାଉଥିଲା । ଏପରି ଅବସ୍ଥାରେ ଥାଇ ମଧ୍ୟ ସେ ଘରକୁ ସାମୟିକ କିଛି ଆର୍ଥିକ ସାହାଯ୍ୟ ଦେଉଥିଲେ । ସାନ ଭଉଣୀ ପଦ୍ମାର ବିଭାଘର ପାଇଁ ତାଙ୍କୁ ପ୍ରାୟ ଶହେଟଙ୍କା ଦେବାକୁ ପଡ଼ିଥିଲା ।

 

ଗ୍ରାମରେ ତାଙ୍କର ଜମିଦାରୀ, ମକଦ୍ଦମୀ ଓ ବିଷୟବୃତ୍ତି ଥିଲା ସତ; କିନ୍ତୁ ସେଥିରୁ ହେଉଥିବା ଆୟ ଓ ତାଙ୍କ ବାପାଙ୍କ ଦୋକାନ ଆୟ ଘର ଚଳାଇବା ପାଇଁ ଯଥେଷ୍ଟ ନଥିଲା । ତାଙ୍କ ବାପା ଜମିଦାରୀ ଓ ମକଦ୍ଦମୀ କିଣିବାରେ ବହୁତ କରଜ କରି ପକାଇଥିଲେ ଏବଂ ତାର ସୁଧ ମଧ୍ୟ ବଢ଼ିଯାଇଥିଲା । ମଝିରେ ମଝିରେ ତାଙ୍କୁ ଏ ଋଣ ପରିଶୋଧ କରିବାକୁ ପଡ଼ୁଥିଲା । ତାଙ୍କ ନନାଙ୍କ ମୃତ୍ୟୁପରେ ପରିବାରର ସମସ୍ତ ବୋଝ ବାପାଙ୍କ ଉପରେ ଥିବାରୁ ରାମକୃଷ୍ଣ ତାଙ୍କୁ କୌଣସି ଆର୍ଥିକ ସାହାଯ୍ୟ ମାଗିପାରୁ ନଥିଲେ । କଷ୍ଟକରି ପାଠପଢ଼ିବାକୁ ସେ ଅଧିକ ପସନ୍ଦ କରୁଥିଲେ ।

 

ଚାହୁଁ ଚାହୁଁ ଦୁଇଟି ବର୍ଷ କଟିଗଲା । ରାମକୃଷ୍ଣ ବି.ଏ. ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ । ସେ ବର୍ଷ ଇଂରାଜୀ ଅନର୍ସରେ ପାସ୍ କରିଥିବା ଏଗାର ଜଣ ଛାତ୍ରଙ୍କ ମଧ୍ୟରେ ରାମକୃଷ୍ଣ ଥିଲେ ଜଣେ । ସେ ଥିଲେ ଇଂରାଜୀ ଅନର୍ସରେ ରେଭେନ୍‍ସା କଲେଜରୁ ପାସ୍ କରିଥିବା ଏକମାତ୍ର ଛାତ୍ର ।

 

ଏମ୍.ଏ.ଶ୍ରେଣୀରେ ଯୋଗଦାନ (୧୯୨୯-୩୦) :

 

ଚାକିରି କରିବେ କି ପାଠ ପଢ଼ିବେ, ଏ ବିଷୟରେ ପ୍ରଥମେ କିଛି ସିଦ୍ଧାନ୍ତ ଗ୍ରହଣ କରିପାରିଲେ ନାହିଁ ରାମକୃଷ୍ଣ । ଏଣେ କଲେଜର ଅଧ୍ୟାପକମାନଙ୍କ ଇଚ୍ଛା ରାମକୃଷ୍ଣ ଇଂରାଜୀରେ ଏମ୍.ଏ. ପଢ଼ନ୍ତୁ; ତେଣେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ । ଘରକୁ ଆର୍ଥିକ ସାହାଯ୍ୟ କରିବା ଦରକାର । କଲେକର ଅଧ୍ୟାପକମାନେ ଦରମା ଛାଡ଼ କରିବେ ବୋଲି ଆଶା ଦେଲେ । ଏମ୍.ଏ. ପଢ଼ିବା ପାଇଁ ଇଚ୍ଛା ବଳିଲା ରାମକୃଷ୍ଣଙ୍କର । ସେ ଏମ୍.ଏ. ଓ ଆଇନ ଉଭୟ ଶ୍ରେଣୀରେ ନାମ ଲେଖାଇଲେ । ଦୁଇ ତିନିମାସ ପରେ ସେ ଦେଖିଲେ ଯେ ଦୁଇଟିଯାକର ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷରେ କଷ୍ଟକର । ତେଣୁ ତାଙ୍କୁ ଆଇନ୍ ପଢ଼ା ବନ୍ଦ କରିବାକୁ ପଡ଼ିଲା । ଯଦିଓ ଦରମା ଛାଡ଼ ମିଳିଲା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟିଉସନ କରିବାକୁ ପଡ଼ିଲା ।

 

ଏହି ସମୟରେ ସେ ତେଲେଙ୍ଗା ବଜାରରେ ପଣ୍ଡିତ ଆକୁଳି ମିଶ୍ରଙ୍କ ଘର ପାଖରେ ଗୋଟିଏ ମେସ୍‍ରେ ରହିଲେ । ତାଙ୍କ ଅଭାବ ଅନଟନର ତୀବ୍ରତା କ୍ରମେ ବୃଦ୍ଧି ପାଇଲା । ବଜାରରେ ଖାଇଛି ବୋଲି ମିଛ କହି ସେ ଅନେକ ଥର ମେସ୍‍ରେ ମିଲ୍ ବନ୍ଦ କରିଛନ୍ତି । ବେଳେ ବେଳେ ଚାରି ଛଅ ପଇସାର ଗୁଲୁଗୁଲା ଖାଇ ରହିଯାଇଛନ୍ତି । ମଝିରେ ମଝିରେ ଘରକୁ ସାହାଯ୍ୟ ଦେବାକୁ ପଡ଼େ । ଟିଉସନ ଟଙ୍କା ଯଥେଷ୍ଟ ହେଉ ନଥିବାରୁ ବନ୍ଧୁମାନଙ୍କଠାରୁ ବେଳେ ବେଳେ ଧାର କରିବାକୁ ହୁଏ । ବୋଧହୁଏ ଏହା ଥିଲା ଭଗବାନଙ୍କ ଦ୍ୱାରା ତାଙ୍କ ଧୈର୍ଯ୍ୟ ଓ ସହନଶୀଳତାର ଚରମ ପରୀକ୍ଷା ।

 

ରାମକୃଷ୍ଣ ପୂର୍ବରୁ ଦିପୋଟି ଚାକିରି ପାଇଁ ଦରଖାସ୍ତ କରିଥିଲେ । ଡକରା ପାଇ କଟକ ଜିଲା କଲେକ୍‌ଟରଙ୍କ ଅଫିସ୍‍ରେ ଇଣ୍ଟରଭିଉ ଦେଲେ । ସେତେବେଳେ ଓଡ଼ିଶାର ପାଞ୍ଚଟି ଜିଲା ଥିଲା । ପ୍ରତି ଜିଲାରୁ ଦୁଇଜଣ କରି ସମୁଦାୟ ଦଶଜଣ ପ୍ରାର୍ଥୀ ବଛାହେଲେ ଏବଂ ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ପାଟନାରୁ ଚିଠି ଆସିଲା; ନିର୍ବାଚନ ବୋର୍ଡ଼ ଆଗରେ ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ହେବାକୁ ପଡ଼ିବ । ସାହେବୀ ପୋଷାକ ଲୋଡ଼ା । ଓଡ଼ିଶାରେ ଯେଉଁ ପରୀକ୍ଷା ହେଲା, ସେଥିପାଇଁ ମାଗିଆଣି ଚଳାଇ ଦେଇଥିଲେ । ଏ କ୍ଷେତ୍ରରେ ମଧ୍ୟ ସେଇୟା କଲେ । ବାଟଖର୍ଚ୍ଚ ଓ ପୋଷାକପତ୍ର ଯୋଗାଡ଼ କରି ପାଟନା ଗଲେ । ସେଠାରେ ତାଙ୍କ ଗ୍ରାମର କକେଇ ଆର୍ତ୍ତତ୍ରାଣ ନନ୍ଦ ଚାକିରି କରୁଥିଲେ । ତାଙ୍କ ପାଖରେ ରହି ଇଣ୍ଟରଭିଉ ଦେଲେ । କିନ୍ତୁ କଂଗ୍ରେସରେ ଚାରିବର୍ଷ ଯୋଗ ଦେଇଥିବା ଏବଂ ଖଦଡ଼ ପିନ୍ଧୁଥିବା ରିପୋର୍ଟ ତାଙ୍କ ବିରୋଧରେ ଥିବାରୁ ଇଣ୍ଟରଭିଉରେ ତାଙ୍କର କିଛି ହେଲା ନାହିଁ । କଲିକତା ଓ ପାଟନା ଭ୍ରମଣ କରି ସେ ଫେରିଲେ ।

 

ପଞ୍ଚମବାର୍ଷିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ କେତେକ ପାଠ୍ୟ-ପୁସ୍ତକ ମିଳୁ ନଥିବାରୁ ଛାତ୍ରମାନଙ୍କ ପଢ଼ାପଢ଼ିରେ ବ୍ୟାଘାତ ଘଟିଲା । ତେଣୁ ରାମକୃଷ୍ଣ ଓ ତାଙ୍କର ସହପାଠୀଗଣ ବାର୍ଷିକ ପରୀକ୍ଷା ନ କରାଇବା ପାଇଁ ଅଧ୍ୟାପକମାନଙ୍କ ନିକଟରେ ଆପତ୍ତି କଲେ ଯେ ପରୀକ୍ଷା ହଲ୍‍ରେ ପାଞ୍ଚ ମିନିଟ୍ ବସି ଅଲେଖା ଖାତା ଦେଇ ବାହାରି ଆସିବେ । ପ୍ରଥମ ଦିନ ସେଇୟା କରି ସମସ୍ତେ ବସାକୁ ଫେରିଲେ । ତାପରେ କଲେଜ ଅଧ୍ୟକ୍ଷ ପିଲାମାନଙ୍କ କାର୍ଯ୍ୟକୁ ନାପସନ୍ଦ କରି ଏକ ଚିଠିରେ ସେମାନଙ୍କୁ ପରଦିନଠାରୁ ନିୟମିତ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ । ସନ୍ଧ୍ୟାବେଳେ କାଠଯୋଡ଼ି କୂଳରେ ସମସ୍ତେ ବସି ସ୍ଥିର କଲେ ଯେ, ପରଦିନ ପ୍ରଥମେ ପ୍ରିନ୍‍ସିପାଲ୍‍ଙ୍କୁ ଦେଖାକରି ସମସ୍ତ ବିଷୟ ଜଣାଇବାପରେ ଯାହା କରିବା କଥା କରିବେ । ଠିକ୍ ସେଇୟା ହେଲା । ପ୍ରିନ୍‍ସିପାଲ କହିଲେ “ଆଗ ପରୀକ୍ଷା ଦିଅ ପରେ ତୁମ ଆପତ୍ତି ବୁଝାଯିବ ।” ପ୍ରିନ୍‍ସପାଲ୍ ପୂର୍ବରୁ ସାମରିକ ବିଭାଗରେ କାର୍ଯ୍ୟ କରୁଥିଲେ । କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରିବା ଲୋକ ସେ ନୁହନ୍ତି-। ତେଣୁ ସମସ୍ତେ ସ୍ଥିର କଲେ ଯେ ସେମାନେ ପରୀକ୍ଷା ଖାତାରେ ମାତ୍ର ଗୋଟିଏ ପୃଷ୍ଠା ଲେଖିବେ । କାର୍ଯ୍ୟରେ ସେମାନେ ସେହିପରି ମଧ୍ୟ କଲେ । ପରୀକ୍ଷା ପରେ ନୋଟିସ୍ ବାହାରିଲା ଯେ ସେମାନଙ୍କୁ କେତେକ ପତ୍ରରେ ପୁନର୍ବାର ପରୀକ୍ଷା ଦେବାକୁ ହେବ ଏବଂ ଷଷ୍ଠ ବାର୍ଷିକ ଶ୍ରେଣୀକୁ ସେମାନଙ୍କ ପ୍ରମୋଶନ୍ ସେପର୍ଯ୍ୟନ୍ତ ସ୍ଥଗିତ ରହି ।

 

ଗୋଟିଏ ପକ୍ଷରେ ଅଭାବ ଅନଟନ ଲାଗିରହିଛି; ଅନ୍ୟ ପକ୍ଷରେ କଲେଜରେ ଅଧିକ ଦିନ ପଢ଼ିବାରେ ପରିସ୍ଥିତି ଆଉ ନାହିଁ । ଏପରି ଅବସ୍ଥାରେ ରାମକୃଷ୍ଣ ପଢ଼ା ଛାଡ଼ିବାକୁ ବାଧ୍ୟ ହେଲେ-। ବନ୍ଧୁ ଓ ଶୁଭେଚ୍ଛୁମାନଙ୍କଠାରୁ ପଚାଶ ଟଙ୍କାଯାଏ ହାତ ଉଧାର କରି ପକାଇଥିଲେ । ତାହାର ପରିଶୋଧ ଚିନ୍ତା ତାଙ୍କୁ ଦିନରାତି ଅସ୍ଥିର କଲା । ଯେତେ ଶୀଘ୍ର ସମ୍ଭବ, ଖଣ୍ଡେ ଚାକିରି କରି ଆଗ ସେମାନଙ୍କ ଧାର ପରିଶୋଧ କରିବା ହେଲା ତାଙ୍କର ପ୍ରଧାନ ଚିନ୍ତା ।

 

(ଖ) ଶିକ୍ଷକତା

 

ଥରେ ଖବରକାଗଜରେ ବିଜ୍ଞାପନଟିଏ ରାମକୃଷ୍ଣଙ୍କ ଦୃଷ୍ଟିକୁ ଆସିଲା । ସେଇଟି ଥିଲା ଖୋର୍ଦ୍ଧା ହାଇସ୍କୁଲରେ ଶିକ୍ଷକତା, ମାସିକ ବେତନ ୪୫ ଟଙ୍କା । ଶୁଭାକାଙ୍‍କ୍ଷୀ ଉମାଚରଣବାବୁଙ୍କ ସହାୟତାରେ ପରିଜା ସାହେବ (ଡକ୍ଟର ପ୍ରାଣକୃଷ୍ଣ ପରିଜା) ଙ୍କଠାରୁ ଖଣ୍ଡିଏ ସାର୍ଟିଫିକେଟ ଯୋଗାଡ଼ କଲେ । ଅନ୍ୟାନ୍ୟ ସାର୍ଟିଫିକେଟ୍ ସହ ଦରଖାସ୍ତ ଖଣ୍ଡେ ସେଠାକୁ ପଠାଇଦେଲେ । ଅଳ୍ପଦିନ ଭିତରେ ନିଯୁକ୍ତି ପତ୍ର ଆସିଗଲା । କିନ୍ତୁ ସେଥିରେ ଗୋଟିଏ ଅଙ୍କୁଶ ରଖାଯାଇଥିଲା ତିନିବର୍ଷ ପର୍ଯ୍ୟନ୍ତ ଚାକିରି ନଛାଡ଼ିବା ପାଇଁ ଏକ ଚୁକ୍ତିପତ୍ର । ୪୫ ଟଙ୍କା ଚାକିରି ପାଇଁ ତିନିବର୍ଷିଆ ଚୁକ୍ତି କରିବାକୁ ରାମକୃଷ୍ଣ ଉଚିତ ମଣିଲେ ନାହିଁ । ତାଛଡ଼ା ଡେପୁଟି ଚାକିରି ପାଇଁ ତାଙ୍କର ଆଉ ଗୋଟିଏ ବର୍ଷ ସମୟ ଥାଏ । ଖୋର୍ଦ୍ଧାରେ ଚାକିରି କଲେ ଅନ୍ୟ କୌଣସି ଚାକିରିରେ ଯୋଗ ଦେଇହେବ ନାହିଁ । ଏହି କାରଣରୁ ଖୋର୍ଦ୍ଧା ଚାକିରିରେ ଯୋଗ ନଦେଇ ଅନ୍ୟ ଚାକିରି ଖୋଜିଲେ ।

 

ବାଙ୍କୀରେ ଶିକ୍ଷକତା :

 

ତାପରେ ଅନ୍ୟ ଏକ ବିଜ୍ଞାପନ ରାମକୃଷ୍ଣଙ୍କ ଦୃଷ୍ଟି ଆକର୍ଷଣ କଲା । ବାଙ୍କୀ-ଡମପଡ଼ା ହାଇସ୍କୁଲରେ ମାସିକ ୫୫ ଟଙ୍କା ବେତନରେ ନଅ ମାସ ପାଇଁ ଏକ ଅସ୍ଥାୟୀ ଶିକ୍ଷକ ପଦ ଖାଲିଥିଲା । ସେଠାକୁ ଦରଖାସ୍ତ କରି କିଛିଦିନ ଅପେକ୍ଷା କଲାପରେ ମଧ୍ୟ କିଛି ଉତ୍ତର ମିଳିଲା ନାହିଁ । ଏହାର କାରଣ ଜାଣିବା ପାଇଁ ରାମକୃଷ୍ଣ ଦିନେ ବାଙ୍କୀ ବାହାରିଲେ । ବାଙ୍କୀରେ ବସ୍ ପହଞ୍ଚିଲା ଦିନ ଚାରିଟାବେଳେ । ହେଡ଼ମାଷ୍ଟର ନୃସିଂହ କାନୁନ୍‍ଗୋଙ୍କ ବସାରେ ଅପେକ୍ଷା କରିବାର ଅଳ୍ପ ସମୟପରେ ସେ ଆସି ପହଞ୍ଚିଲେ । ପରିଚୟ ଆଦାନ ପ୍ରଦାନ ହେଲା । ହେଡ଼ମାଷ୍ଟରଙ୍କ ଘର ଉଦାହରଣ, ଯାହା ରାମକୃଷ୍ଣଙ୍କ ଗ୍ରାମ ବାଇରୋଇର ନିକଟବର୍ତ୍ତୀ । ସବୁ ଶୁଣିଲା ପରେ ସେ କହିଲେ ଯେ ରାମକୃଷ୍ଣଙ୍କ ଯାହା ଯୋଗ୍ୟତା, ସେହି ଅସ୍ଥାୟୀ ଚାକିରି ପାଇଁ ସେ ବୋଧହୁଏ ଆସିବେ ନାହିଁ ଭାବି ତାଙ୍କ ଦରଖାସ୍ତ ବିଚାରକୁ ନିଆଯାଇ ନାହିଁ । ରାମକୃଷ୍ଣଙ୍କର ଅନ୍ତତଃ ନଅମାସ ରହିବା ନିଶ୍ଚିତ ବୋଲି ଜାଣିବା ପରେ ନୃସିଂହବାବୁ ତାଙ୍କୁ ଅପେକ୍ଷା କରିବାକୁ କହି ଚାଲିଗଲେ ଓ ପ୍ରାୟ ଅଧଘଣ୍ଟାଏ ପରେ ଫେରିଲେ । ରାତିରେ ରାମକୃଷ୍ଣ ତାଙ୍କ ବସାରେ ରହିଲେ । ସକାଳେ ସେ ରାମକୃଷ୍ଣଙ୍କୁ କହିଲେ “ଆଜିଠାରୁ ସ୍କୁଲରେ ଯୋଗ ଦିଅନ୍ତୁ ।”

 

ରାମକୃଷ୍ଣ ଲୁଗାପଟା ନେଇ ନଥିଲେ । ଏ ଅସୁବିଧା ଜଣାଇବାରୁ ସେ ଶନିବାର ଦିନ ଯାଇ ସେସବୁ ନେଇ ଆସିବାକୁ ନୃସିଂହବାବୁ ନିର୍ଦ୍ଦେଶ ଦେଲେ । ତାଙ୍କ ନିର୍ଦ୍ଦେଶରେ ରାମକୃଷ୍ଣ ସେହିଦିନ ସ୍କୁଲରେ ଯୋଗଦେଲେ । ପରେ ସେ ଜାଣିବାକୁ ପାଇଲେ ଯେ ପୂର୍ବଦିନ ମ୍ୟାନେଜିଂ କମିଟି ବସି ଅନ୍ୟ ଜଣଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ସେହି ଅନୁସାରେ ତାଙ୍କ ପାଖକୁ ନିଯୁକ୍ତିପତ୍ର ପଠାଯାଇଥିଲା; କିନ୍ତୁ ନୃସିଂହବାବୁ ସେ ନିଯୁକ୍ତି ପତ୍ରଟିକୁ ପୋଷ୍ଟ ଅଫିସରୁ ଫେରାଇ ଆଣିଲେ ଏବଂ କମିଟିର ସଭାପତିଙ୍କୁ ରାଜି କରାଇ ରାମକୃଷ୍ଣଙ୍କୁ ନିଯୁକ୍ତି ଦେଲେ ।

 

ବାଙ୍କୀ ସ୍କୁଲରେ ଯୋଗଦେବାର କିଛିଦିନ ପରେ ରାମକୃଷ୍ଣ ଦ୍ୱିତୀୟ ଥର ଡେପୁଟି ଚାକିରି ପାଇଁ ବରଖାସ୍ତ କଲେ । ଏଥରକ ମଧ୍ୟ ଜିଲା ଓ ଡିଭିଜନ ସ୍ତରୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଟନା ଯିବାପାଇଁ ସେ ମନୋନୀତ ହେଲେ । ପାଟନାରେ ସିଲେକ୍‍ସନ ବୋର୍ଡ଼ଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ କେତେଜଣ କାଟ୍ ଖାଇଗଲେ । ଦ୍ୱିତୀୟ ପର୍ଯ୍ୟାୟର ସାକ୍ଷାତ୍‍କାର ପାଇଁ ଯେଉଁ ଛଅଜଣ ରହିଲେ ସେମାନଙ୍କ ମଧ୍ୟରେ ରାମକୃଷ୍ଣ ଥିଲେ । କିନ୍ତୁ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଚାରିବର୍ଷ ଯୋଗଦେଇଥିବାର ରିପୋର୍ଟ ପୋଲିସ୍ ସଂଗ୍ରହ କରି ବୋର୍ଡ଼ଙ୍କ ଦୃଷ୍ଟିକୁ ଆଣିଥିଲେ । ଫଳରେ ଏଥରକ ମଧ୍ୟ ଡେପୁଟି ଚାକିରି ତାଙ୍କର କରଛଡ଼ା ହୋଇଗଲା । ଏ ସମ୍ପର୍କରେ ନିଜେ ରାମକୃଷ୍ଣ ଲେଖିଛନ୍ତି - “ମୋର ଶିକ୍ଷାଗତ ଯୋଗ୍ୟତା ଏବଂ ଆମ ଜିଲ୍ଲା ହାକିମଙ୍କ ସୁପାରିଶ ଯୋଗୁ ମୁଁ ସିନା ପାଟନା ସିଲେକ୍‌ସନ୍ ବୋର୍ଡ଼ ପର୍ଯ୍ୟନ୍ତ ଚାଲିଯାଇଥିଲି, ନୋହିଲେ ସେ ବିଟ୍ରଶ୍ ଶାସନ ଅମଳରେ ମୋ ଭଳି ପ୍ରାର୍ଥୀଙ୍କୁ ଦିପୋଟି ସବ୍-ଦିପୁଟି ଚାକିରି ମିଳିଥାନ୍ତା କିପରି ? ମୁଁ ଏକଥା ପୂର୍ବରୁ ଭଲରୂପେ ଜାଣି ସୁଦ୍ଧା ‘ଆକାଶ-କୁସୁମ’ ତୋଳିବାକୁ ଯେ ମନ ବଳାଇଥିଲି, ତାହା ତରୁଣ ଜୀବନର କଳ୍ପନାବିଳାସ ବ୍ୟତୀତ ଆଉ କଣ ହୋଇପାରେ ?” (ଜୀବନ ତରଙ୍ଗ, ହୃ.୫୮)

 

ବାଙ୍କୀରେ ଚାକିରି କରୁଥିବା ସମୟରେ ଏକଦା ରାମକୃଷ୍ଣ ଛୁଟି ନେଇ ଗ୍ରାମକୁ ଆସିଥିଲେ । ଛୁଟି ପୂରିଯିବା ପରେ ସେ ବାଙ୍କୀ ବାହାରିଲେ ଏବଂ ହରିହର ଘାଟରେ ନଦୀ ପାର ହୋଇ ମୁଣ୍ଡମୁହାଣରେ ପହଞ୍ଚିଲେ । ଏଇଠାରୁ ତାଙ୍କର ବସ୍ ଧରିବା କଥା; କିନ୍ତୁ ତାଙ୍କ ଦୁର୍ଭାଗ୍ୟକୁ ସେଠାରୁ ବସ୍ ଚାଲିଯାଇଥିଲା । ତା ପରଦିନ ଚାକିରିରେ ଯୋଗଦେବା କଥା । ନୂଆ ଚାକିରି, ଠିକ୍ ସମୟରେ ନ ପହଞ୍ଚିଲେ ଅସୁବିଧା ହୋଇପାରେ । ବାଙ୍କୀ ସେଠାରୁ ୨୮ ମାଇଲ୍ ବାଟ । କିପରି ଯିବେ ? ଯୋଗକୁ ଜଣେ ଦୀର୍ଘକାୟ ଯୁବକ ତାଙ୍କର ସାଙ୍ଗ ହେଲା । ସେ ଥିଲା ବାଙ୍କୀ ରାଜାଙ୍କ ଡଗର ଓ ଚାଲି ଚାଲି ବାଙ୍କୀ ଯିବ ବୋଲି କହିଲା । ଯୁବକଟି ଲମ୍ୱା ଲମ୍ୱା ପାଦ ପକାଇ ଚାଲିଲା । ତା ସହିତ ତାଳ ଦେଇ ବାଟ ଚାଲିବା ରାମକୃଷ୍ଣଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଲା । ଦିନ ୪ଟା ବେଳକୁ ସେମାନେ ମହାନଦୀ କୂଳରେ ଅବସ୍ଥିତ ଦେବୀଦ୍ୱାରଠାରେ ବିଶ୍ରାମ କଲେ । ଦି’ପୋଷ ମୁଢ଼ି ଖାଇ ଡଗର ବାଙ୍କୀ ଯିବାପାଇଁ ଉଦ୍ୟତ ହେଲା ଓ ରାମକୃଷ୍ଣଙ୍କୁ ଡାକିଲା । କିନ୍ତୁ ସେ ଏତେ କ୍ଳାନ୍ତ ହୋଇପଡ଼ିଥିଲେ ଯେ ଟିକିଏ ପରେ ଯିବେ ବୋଲି କହିଲେ । ଡଗର ତା ବାଟରେ ଚାଲିଗଲା-। ସନ୍ଧ୍ୟା ହୋଇ ଆସୁଛି । ଆହୁରି ୧୨ ମାଇଲ ବାଟ । ସେହିଠାରେ ରାତିଟା କଟାଇ ଦେଇ ହୁଅନ୍ତା; କିନ୍ତୁ ସକାଳୁ ଉଠି ଅବଶିଷ୍ଟ ୧୨ ମାଇଲ ବାଟ ଅତିକ୍ରମ କରି ସେ ସ୍କୁଲ ସମୟ ପୂର୍ବରୁ ପହଞ୍ଚି ପାରିବେ ନାହିଁ । ତେଣୁ ବାଧ୍ୟ ହୋଇ ଉଠିଲେ ଏବଂ ଆଗେଇ ଚାଲିଲେ ।

 

ନିର୍ଜନ ରାସ୍ତା; ସନ୍ଧ୍ୟା ଆଗତ ପ୍ରାୟ । ଏତିକିବେଳେ ବାଘ ଓ ବଣୁଆ ହାତୀ ପାଣି ପିଇବା ପାଇଁ ନଦୀକୁ ଗଡ଼ନ୍ତି । ବିପଦ ମାଡ଼ି ଆସୁଛି । ରାମକୃଷ୍ଣ ଭଗବାନଙ୍କୁ ସ୍ମରଣ କରି କରି ଆଗେଇ ଗଲେ । ବାଟରେ ଗୋଟିଏ ଗୋରୁପଲ ଦେଖି ପାଖରେ ଗାଁ ଅଛି ବୋଲି ଅନୁମାନ କଲେ । ସେହି ଗାଁରେ ପହଞ୍ଚି ସେଠାକାର ପୋଷ୍ଟମାଷ୍ଟରଙ୍କୁ ରାତିକ ରହିବା ପାଇଁ ସୁବିଧା କରିଦେବାକୁ କହିଲେ । ଉକ୍ତ ପୋଷ୍ଟମାଷ୍ଟରଙ୍କ ପୁଅ ତାଙ୍କୁ ସ୍କୁଲରେ ପଢ଼ୁଥିବା କଥା ସେ ଶୁଣିଥିଲେ-। କିନ୍ତୁ ପୋଷ୍ଟମାଷ୍ଟର ନିରାଶ ବାଣୀ ଶୁଣାଇଲେ । ପାଖରେ ଥିବା ଗୋଟିଏ ଦେକାନରେ ସେ ଅତି କଷ୍ଟରେ ରାତି କଟାଇଲେ । ପରଦିନ ସକାଳେ ଗୋଡ଼ହାତ ଦରଜ ଲାଗୁଥିଲେହେଁ ଚାଲି ଚାଲି ଦିନ ନଅଟା ବେଳକୁ ହେଡ଼ମାଷ୍ଟରଙ୍କୁ ଦେଖାକଲେ । ସେ ଏତେ ବାଟ ଚାଲିକରି ଆସିଥିବା ଜାଣି ହେଡ଼ମାଷ୍ଟର ଆଶ୍ଚର୍ଯ୍ୟ ହୋଇଗଲେ ।

 

ସେ ବାଙ୍କୀରେ ଥିଲାବେଳେ ତାଙ୍କର ପୂର୍ବ ପରିଚିତ ବନ୍ଧୁ ଶ୍ରୀ ଶ୍ୟାମସୁନ୍ଦର ହୋତା ବଡ଼ମ୍ୱାର ଦେଓ୍ୱାନ ଭାବରେ କାର୍ଯ୍ୟ କରୁଥିଲେ । ରାମକୃଷ୍ଣଙ୍କୁ ନେବାପାଇଁ ଥରେ ଦୁଇଟି ହାତୀ ପଠାଇଥିଲେ । ବଡ଼ମ୍ୱାରେ ପହଞ୍ଚିବା ପରେ ଶ୍ୟାମସୁନ୍ଦରଙ୍କର ଆତିଥ୍ୟ ଗ୍ରହଣ କରି ସେ ଆପ୍ୟାୟିତ ହେଲେ । ପରଦିନ ସକାଳେ ଫେରିବା ବେଳେ ଶ୍ୟାମବାବୁ ତାଙ୍କ ପାଇଁ ଏକ ଡଙ୍ଗାର ବନ୍ଦୋବସ୍ତ କରିଦେଲେ । ସେ ଜଳପଥରେ ଆସି ଯଥା ସମୟରେ ବାଙ୍କୀରେ ପହଞ୍ଚିଲେ ।

 

ପୁନର୍ବିବାହ (୧୯୩୧) :

 

ଏହି ସମୟରେ ରାମକୃଷ୍ଣଙ୍କର ପୁନର୍ବିବାହ ଅନୁଷ୍ଠିତ ହେଲା । ସେ ଛଅବର୍ଷ ପୂର୍ବେ ସୌଦାମିନୀଙ୍କୁ ବିବାହ କରିଥିଲେ । ବାଲ୍ୟବିବାହ ପ୍ରଥା ଅନୁସାରେ ସୌଦାମିନୀ ମାତ୍ର ନଅ ବର୍ଷରେ ବିବାହ କରିଥିଲେ । ସେତେବେଳର ପୁନର୍ବିବାହ ଯାହା, ଆଜିକାଲିର ବିବାହ ସେଇୟା । ଦୀର୍ଘ ଛଅ ବର୍ଷ ବିତିଯାଇଥିଲେହେଁ ସାମାଜିକ ପ୍ରଥା ଅନୁସାରେ କେହି କାହାକୁ ଦେଖି ନଥିଲେ । ପୁନର୍ବିବାହ ପରେ ଦୁହିଁଙ୍କ ମଧ୍ୟରେ ମଧୁର ମିଳନ ହେଲା । କିଛିଦିନପରେ କର୍ତ୍ତବ୍ୟର ଆହ୍ୱାନରେ ରାମକୃଷ୍ଣ ବାଙ୍କୀ ଫେରି ଆସିଲେ । ପତ୍ନୀ ସୌଦାମିନୀ ରହିଲେ ଗାଆଁରେ ।

 

ଗ୍ରୀଷ୍ମଛୁଟି ପୂର୍ବରୁ ନଅମାସିଆ ଅସ୍ଥାୟୀ ଚାକିରିର କାର୍ଯ୍ୟକାଳ ପୂରିଗଲା । ରାମକୃଷ୍ଣ ପ୍ରିୟଛାତ୍ର ଓ ସହକର୍ମୀଙ୍କଠାରୁ ବିଦାୟ ନେଇ ବାଙ୍କୀ ପରିତ୍ୟାଗ କଲେ ।

 

ବାରିପଦାରେ ଶିକ୍ଷକତା (୧୯୩୧-୪୨) :

 

ବାଙ୍କୀରୁ ଆସି ଗ୍ରୀଷ୍ମଛୁଟିରେ ବେକାର ହୋଇ ଗ୍ରାମରେ ବସି ରହିଲେ ରାମକୃଷ୍ଣ । ଗ୍ରାମରେ ବୃଦ୍ଧ ପିତାମହ, ତିନିଭାଇ ଓ ସେମାନଙ୍କ ପିଲାପିଲି । ପରିବାର ଦିନକୁ ଦିନ ବଢ଼ୁଥାଏ । ଅଭାବ ମଧ୍ୟ ସେହିପରି ଲାଗିଥାଏ । ଚାକିରି ଅନ୍ୱେଷଣରେ ଥାନ୍ତି ରାମକୃଷ୍ଣ । ଡେପୁଟି ସବ୍-ଡେପୁଟି ଚାକିରି ମିଳିଥିଲେ ସରକାରୀ ଚାକିରି କରିଥାନ୍ତେ ସେ; କିନ୍ତୁ ଏହା ତାଙ୍କ ଭଳି କଂଗ୍ରେସକର୍ମୀଙ୍କ ପାଇଁ ଦୁର୍ଲଭ ଥିଲା । ଏଣୁ ଚାକିରି କଲେ ଶିକ୍ଷକ ଚାକିରିହିଁ କରିବେ ଏବଂ ସରକାରୀ ସ୍କୁଲରେ ଶିକ୍ଷକ ନହୋଇ ବେସରକାରୀ ସ୍କୁଲରେ ଶିକ୍ଷକ ହେବାର ସଂକଳ୍ପ ସେ ଗ୍ରହଣ କଲେ ।

 

ଏହି ସମୟରେ ଦିନେ ତାଙ୍କର ପୂର୍ବତନ ବନ୍ଧୁ ବିଶ୍ୱନାଥ ନନ୍ଦ କଟକରୁ ସାଇକେଲ୍‍ରେ ଆସି ରାମକୃଷ୍ଣଙ୍କ ଗ୍ରାମରେ ପହଞ୍ଚିଲେ । ସେ କହିଲେ ଯେ ବାରିପଦାର ପ୍ରଧାନ ଶିକ୍ଷକ ମଧୁସୂଦନ ବିଶ୍ୱାଳଙ୍କ ସଙ୍ଗରେ ତାଙ୍କର ଦେଖା ହୋଇଥିଲା । ସେ ତାଙ୍କ ସ୍କୁଲ ପାଇଁ ଜଣେ ଉତ୍ତମ ଶିକ୍ଷକ ଖୋଜୁଥିଲେ ଏବଂ ରାମକୃଷ୍ଣଙ୍କୁ ସେହି ପଦବୀରେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଯଦି ରାମକୃଷ୍ଣ ଏହି ଚାକିରିପାଇଁ ଇଚ୍ଛୁକ, ତେବେ କାଳବିଳମ୍ୱ ନକରି ତା ପରଦିନ ବିଶ୍ୱାଳ ମହାଶୟଙ୍କୁ ଦେଖା କରିବା ପାଇଁ ସେ ପରାମର୍ଶ ଦେଲେ ।

 

ଶ୍ରୀ ମଧୁସୂଦନ ବିଶ୍ୱାଳଙ୍କୁ ରାମକୃଷ୍ଣ ଆଗରୁ ଜାଣିଥିଲେ । ସେ ଜଣେ କର୍ମଦକ୍ଷ ଓ ଟାଣୁଆ ବ୍ୟକ୍ତି ଭାବରେ ପରିଚିତ ଥିଲେ । ତାଙ୍କ ସହକର୍ମୀ ରୂପେ କାର୍ଯ୍ୟ କରିବାରେ ରାମକୃଷ୍ଣଙ୍କର ଆପତ୍ତି କରିବାର କିଛି ନଥିଲା । ସେ ସଙ୍ଗେ ସଙ୍ଗେ ଏ ପ୍ରସ୍ତାବରେ ରାଜି ହୋଇଗଲେ ଏବଂ ବିଶ୍ୱନାଥବାବୁଙ୍କ ସହିତ ସାଇକେଲ୍‍ରେ ବସି କଟକ ଆସିଲେ । କଟକରେ ସନ୍ଧ୍ୟା ହୋଇଗଲା । ରାତି ଦଶଟା ଟ୍ରେନ୍‍ରେ ଯାଇ ତା ପରଦିନ ପୂର୍ବାହ୍‍ଣ ଏଗାରଟାବେଳେ ବାରିପଦାରେ ପହଞ୍ଚିଲେ । ସେହିଠାରେ ଶିକ୍ଷକତା କରିବା ପାଇଁ ସମ୍ମତି ଜଣାଇବାରୁ ବିଶ୍ୱାଳବାବୁ ତାଙ୍କୁ ସାହିତ୍ୟ ଶିକ୍ଷକ ଭାବରେ ନିଯୁକ୍ତି ଦେବା ଦିଗରେ ସାହାଯ୍ୟ କଲେ । ରାମକୃଷ୍ଣଙ୍କର କେତୋଟି ଲେଖା ଓ ବହି ଜୁବୁଲି ଲାଇବ୍ରେରୀରୁ ଯୋଗାଡ଼ କରି ରାତିରେ ସେସବୁକୁ ସେ ମାନେଜିଂ କମିଟି ଆଗରେ ଦେଖାଇଲେ ଏବଂ ଏକ ନୂତନ ଚାକିରି ସୃଷ୍ଟିକରି ସେଥିରେ ରାମକୃଷ୍ଣଙ୍କୁ ନିଯୁକ୍ତି କଲେ । ଦରମା ମାସିକ ୭୦ଟଙ୍କା । ରାମକୃଷ୍ଣ ଏହି ଚାକିରିରେ ଯୋଗଦେଲେ ୧୯୩୧ ମସିହା ଜୁଲାଇ ୧ ତାରିଖରେ ।

 

ସ୍କୁଲରେ ମୁଖ୍ୟ ଶିକ୍ଷାଭବନ ଓ କାର୍ଯ୍ୟଳୟ ଯେଉଁ ହତା ଭିତରେ ଅବସ୍ଥିତ ଥିଲା, ତାର ଅନ୍ୟ ନାମ ଗୋଲାପବାଗ । ଏହି ଗୃହଟି ସ୍କୁଲପାଇଁ ଯଥେଷ୍ଟ ନହେବାରୁ ପଶ୍ଚିମ ପଟକୁ ଲମ୍ୱାରେ ଦୁଇଦାଣ୍ଡି ଘର ତିଆରି ହୋଇଥାଏ । ତା ସାଙ୍ଗରେ ମିଶିଥାଏ ଟ୍ରେନିଂ ସ୍କୁଲ ଘରଟି । ଏହି ସ୍କୁଲରେ ପଢ଼ୁଥାନ୍ତି ସମଗ୍ର ମୟୁରଭଂଜ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ଆଠଶହ ସରିକି ଛାତ୍ର । ଗୋଟିଏ କ୍ଳାସ ଚାରି ଚାରିଟି ଲେଖାଁଏ ସେକ୍‍ସନରେ ବିଭକ୍ତ ହୋଇଥାଏ । ଏହିପରି ଏକ ବିରାଟ ବିଦ୍ୟାଳୟରେ ରାମକୃଷ୍ଣଙ୍କୁ ଭାଷା ଶିକ୍ଷକ ଭାବରେ କାର୍ଯ୍ୟ କରିବାକୁ ପଡ଼ିଲା । ସେତେବେଳେ ମାଟ୍ରିକ୍ୟୁଲେସନ୍ ଶ୍ରେଣୀରେ ବାଧ୍ୟତାମୂଳକ ସଂସ୍କୃତ ବଦଳରେ ଓଡ଼ିଆ ନେବାର ବ୍ୟବସ୍ଥା କିଛିଦିନ ପ୍ରବର୍ତ୍ତିତ ହୋଇଥିଲା । ରାମକୃଷ୍ଣ ସେହି ଶ୍ରେଣୀରେ ଓଡ଼ିଆ ଅନ୍ୟ ଶ୍ରେଣୀରେ ଇଂରାଜୀ ପଢ଼ାଇଲେ-। ବିଦ୍ୟାଳୟର ଛାତ୍ରମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ହଷ୍ଟେଲର ନାମ ଥିଲା ଫ୍ରେଜର ହଷ୍ଟେଲ । ସେଥିରେ ପ୍ରଥମେ ତାଙ୍କୁ ଆଶ୍ରୟ ନେବାକୁ ହେଲା ।

 

ସ୍କୁଲରେ ଖାଲି ପଡ଼ିଥିବା ଗଣିତ ଓ ଇତିହାସ ଶିକ୍ଷକ ପଦ ଦୁଇଟି ରାମକୃଷ୍ଣଙ୍କ ପ୍ରସ୍ତାବ ଅନୁସାରେ ପୂରଣ କରାଯାଇଥିଲା ଦୁଇଜଣ ଯୋଗ୍ୟ ଶିକ୍ଷକଙ୍କ ଦ୍ୱାରା । ଶିକ୍ଷାଦାନ, କ୍ରୀଡ଼ା-କସରତ, ସ୍କାଉଟିଂ ଓ ଅନ୍ୟାନ୍ୟ ପାଠ୍ୟକ୍ରମରେ ସ୍କୁଲର ସୁନାମ ବହୁଗୁଣରେ ବଢ଼ିଗଲା । କିନ୍ତୁ ଏହି ସମୟରେ ଫୁଲ ଭିତରେ କୀଟ ପ୍ରବେଶ କଲାପରି ପ୍ରଧାନ ଶିକ୍ଷକଙ୍କ ଚରିତ୍ର ସଂପର୍କରେ ଅପବାଦ ରଚିତ ହେଲା । ଏକେ ତ ସେ ଅବିବାହିତ ଥିଲେ, ଦ୍ୱିତୀୟରେ ସେଠାକାର ଓଡ଼ିଆ–ବଙ୍ଗାଳୀ-ବିଦ୍ୱେଷ ଏହି କୁତ୍ସାରଟନା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କଲା ।

 

ଶେଷରେ ଶ୍ରୀ ବିଶ୍ୱାଳଙ୍କ ଆଚରଣ ସମ୍ପର୍କରେ କେତେକ ଅଭିଯୋଗ ବିଧିବଦ୍ଧ ଭାବେ ଆଗତ କରାଯିବା ପରେ ତାହାର ବିଚାର ମୁକ୍ତ ଅଦାଲତରେ ନହୋଇ ବିଚାରପତିଙ୍କ ନିଜ ପ୍ରକୋଷ୍ଠ ମଧ୍ୟରେ କରାଯିବାର ସ୍ଥିର ହେଲା । ସେ ମକଦ୍ଦମାରେ ରାମକୃଷ୍ଣଙ୍କ ସମେତ କେତେକ ଶିକ୍ଷକଙ୍କୁ ମଧ୍ୟ ସାକ୍ଷ୍ୟ ଦେବାପାଇଁ ଆଦେଶ ହେଲା । ଶ୍ରୀ ବିଶ୍ୱାଳ କୌଣସି ଓକିଲ ନଦେଇ ନିଜେ ସାକ୍ଷୀମାନଙ୍କୁ ଜେରା କଲେ । ଏହି ଘଟନାରେ ରାମକୃଷ୍ଣଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଶ୍ରୀ ବିଶ୍ୱାଳ ଥିଲେ ତାଙ୍କର ହିତାକାଙ୍‍କୀ; ପୁଣି ମିଛ କହିବାକୁ ସେ ଇଚ୍ଛା କରୁ ନଥିଲେ । ଯାହା ଘଟୁ ପଛେ ସତ୍ୟର ଅପଳାପ ନକରି ସେ ବିବେକାନୁସାରେ ସାକ୍ଷ୍ୟ ଦେଲେ । ବିଚାରରେ ଶ୍ରୀ ବିଶ୍ୱାଳ ଦୋଷୀ ସାବ୍ୟସ୍ତ ହୋଇ ଚାକିରିରୁ ବିଦାୟ ନେଲେ ।

 

ରାମକୃଷ୍ଣ ବାରିପଦାରେ ଥିଲାବେଳେ ୧୯୩୩ ମସିହାରେ କଟକ ଜିଲାର ଖଣ୍ଡେରତା ନାମକ ସ୍ଥାନରେ ଘାଇ ଭାଙ୍ଗିଯିବା ଫଳରେ କଟକ ଓ ପୁରୀ ଜିଲ୍ଲାର କେତେକ ଉପକୂଳବର୍ତ୍ତୀ ଭୂଭାଗ ପ୍ରଳୟଙ୍କରୀ ବନ୍ୟାର ସମ୍ମୁଖୀନ ହୋଇଥିଲା । ଖବରକାଗଜରୁ ଏ ଖବର ପାଇଁ ରାମକୃଷ୍ଣ ବିଚଳିତ ହୋଇପଡ଼ିଲେ । କାରଣ ଜଳମଗ୍ନ ହୋଇଥିବା ଗ୍ରାମମାନଙ୍କ ମଧ୍ୟରେ ତାଙ୍କ ଗ୍ରାମ ଥିଲା ଅନ୍ୟତମ । ଅବିଳମ୍ୱେ ସେ କଟକରେ ପହଞ୍ଚିଲେ ଓ ସ୍ୱରାଜ ଆଶ୍ରମରୁ ଖବର ସଂଗ୍ରହ କଲେ । ଡଙ୍ଗା ସାହାଯ୍ୟରେ ଯାଉଥିବା ସ୍ୱେଚ୍ଛାସେବକମାନଙ୍କ ହାତରେ କିଛି ଚାଉଳ ନିଜ ଗ୍ରାମକୁ ପଠାଇ ସେ ସାଇକେଲଟିଏ ଧରି ସଡ଼କ ରାସ୍ତାରେ ନିଜ ଗ୍ରାମକୁ ବାହାରିଲେ ଓ ବହୁ କଷ୍ଟରେ ଗ୍ରାମରେ ପହଞ୍ଚିଲେ । ବହୁ ଗ୍ରାମ ନିଶ୍ଚିହ୍ନ ହୋଇଯାଇଥିଲା ଏବଂ ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ଗ୍ରହଣ କରିଥିଲେ । ସେ ଦେଖିଲେ ଯେ ତାଙ୍କର ସବୁ ଚାଳଘର ମାଟିରେ ମିଶିଯାଇଛି । କେବଳ ଠାକୁର ଘରଟି ପକ୍‍କା ଥିବାରୁ ତା ଛାତ ଉପରେ ତାଙ୍କ ପରିବାରର ସମସ୍ତେ ଆଶ୍ରୟ ଗ୍ରହଣ କରିଛନ୍ତି । ସେହିପରି ଦୁଇଦିନ ଦୁଇରାତି ସେମାନଙ୍କୁ କଟାଇବାକୁ ପଡ଼ିଛି । ଗ୍ରାମରେ କିଛିଦିନ ରହି ସେ ରିଲିଫ୍ ବଣ୍ଟନ କାର୍ଯ୍ୟରେ ସାହାଯ୍ୟ କଲେ । ତାଙ୍କ ଗ୍ରାମରେ ଥିବା ସ୍କୁଲଟିର ନିର୍ମାଣ କାର୍ଯ୍ୟ ସାହାଯ୍ୟପ୍ରାପ୍ତ ଲୋକଙ୍କ ଶ୍ରମରେ ସେ ଆରମ୍ଭ କରିଥିଲେ । ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ ଓ ରାସ୍ତାଘାଟ ପ୍ରଭୃତିର ଉନ୍ନତିକଳ୍ପେ ଉତ୍ସାହୀ ଯୁବକମାନଙ୍କୁ ଏକତ୍ର କରାଇ ସେ ‘ନାରାୟଣ ସମିତି’ ନାମରେ ଗୋଟିଏ ସଂଗଠନ ଆରମ୍ଭ କରିଥିଲେ । ଏଥିପାଇଁ ପ୍ରାୟ ଏକଶହ ଟଙ୍କା ଚାନ୍ଦା ଆଦାୟ କରିଥିଲେ-। ବହୁଦିନ ପର୍ଯ୍ୟନ୍ତ ଏହି ସମିତି ଜରିଆରେ ନାନାବିଧ ପଲ୍ଲୀମଙ୍ଗଳ କାର୍ଯ୍ୟ କରାଯାଇଥିଲା । କିଛିଦିନ ପରେ ସେ ଗ୍ରାମରୁ ବାରିପଦାକୁ ଫେରିଲେ । ଏଠାରେ ବନ୍ୟାକ୍ଳିଷ୍ଟ ଲୋକଙ୍କ ଦୁର୍ଦ୍ଦଶା ବର୍ଣ୍ଣନ କରି ଗୋଟିଏ ଗୀତ “ଦେଶ ଲାଗି ଆଜି ତୁମରି ଦୁଆରେ ଭିକ୍ଷା ମାଗୁଅଛୁ ଆସି.…” ଲେଖିଲେ ଓ ଛାତ୍ରମାନଙ୍କ ମୁହଁରେ ଏ ଗୀତ ବୋଲାଇ ଦ୍ୱାର ଦ୍ୱାର ବୁଲି ସାହାଯ୍ୟ ସଂଗ୍ରହ କଲେ । ଏ ଗୀତ ଶୁଣି ଦାତା ଓ ଗୃହିଣୀମାନଙ୍କ ହୃଦୟ ତରଳିଗଲା ଏବଂ ସେମାନେ ମୁକ୍ତହସ୍ତରେ ଲୁଗା, ଚାଉଳ ଓ ଅର୍ଥ ସାହାଯ୍ୟ କରିଥିଲେ । ସଂଗୃହୀତ ଅର୍ଥ ଓ ଦ୍ରବ୍ୟ ସେ କଟକ ପଠାଇଥିଲେ ଦୁର୍ଗତଙ୍କ ସାହାଯ୍ୟ ପାଇଁ ।

 

ଉକ୍ତ ବନ୍ୟାର ପରବର୍ଷ (୧୯୩୪ ମସିହା) ରାମକୃଷ୍ଣଙ୍କ ବାପା (ପିତାମହ) ଇହଲୀଳା ସମ୍ୱରଣ କଲେ । ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ତାଙ୍କୁ ଗ୍ରାମକୁ ଆସିବାକୁ ପଡ଼ିଲା । ଶୁଦ୍ଧିକ୍ରିୟା ସାରି ରାମକୃଷ୍ଣ ବାରିପଦା ଫେରିଲେ । ଏହି ସମୟରେ ଡି. ଇଡ଼ି. ପଢ଼ିବାକୁ ତାଙ୍କର ଇଚ୍ଛା ହେଲା । ସେତେବେଳେକୁ ସେ ବାରିପଦା ସ୍କୁଲରେ ଛଅବର୍ଷ ଚାକିରି କରିସାରିଥିଲେ । ଷ୍ଟେଟ୍ ସରକାରଙ୍କୁ ସେ ଏହି ମର୍ମରେ ଆବେଦନ କଲେ । ଷ୍ଟେଟ୍ ସରକାର ତାଙ୍କୁ ଏକବର୍ଷ ଛାଡ଼ିବାକୁ ରାଜିହେଲେ ଏବଂ ମାସିକ ପଚାଶ ଟଙ୍କା ଷ୍ଟାଇପେଣ୍ଡ ମଂଜୁର କଲେ । କିନ୍ତୁ ତାଙ୍କୁ ଚୁକ୍ତିପତ୍ର ଲେଖିଦେବାକୁ ପଡ଼ିଲା ଯେ ସେ ଟ୍ରେନିଂ ପରେ ଷ୍ଟେଟ୍‍ରେ ପାଞ୍ଚବର୍ଷ ଚାକିରି କରିବେ । ପତ୍ନୀ ଓ ଦୁଇଟି କନ୍ୟାଙ୍କୁ ଗ୍ରାମରେ ଛାଡ଼ି ସେ କଟକ ଆସିଲେ ଏବଂ ଟ୍ରେନିଂ କଲେଜରେ ଯୋଗଦେଲେ । ଟ୍ରେନିଂ କଲେଜରେ ଏଥିପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ମାସିକ କୋଡ଼ିଏ ଟଙ୍କାର ଏକ ସରକାରୀ କୃତ୍ତି ମଧ୍ୟ ମିଳିଲା ।

 

ଚାହୁଁ ଚାହୁଁ ନଅଟା ମାସ ବିତିଗଲା । ଟ୍ରେନିଂ ସମାପ୍ତ ପରେ ପରୀକ୍ଷା ଦେଇ ରାମକୃଷ୍ଣ ବାରିପଦା ଫେରି ପୂର୍ବ ଚାକିରିରେ ଯୋଗଦେଲେ । ଯଥା ସମୟରେ ପରୀକ୍ଷା ଫଳ ବାହାରିଲା ଏବଂ ପାଟନାରୁ ଟ୍ରେନିଂ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶଚନ୍ଦ୍ର ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇ ଚିଠିଟିଏ ଦେଲେ । ସେଥିରୁ ଜଣାଗଲା ଯେ ସେ ଡିଷ୍ଟିଂସନ ସହ ପାସ୍ କରିଛନ୍ତି ଏବଂ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏ ସମ୍ୱାଦରେ ତାଙ୍କ ମନ ଆନନ୍ଦରେ ପୂର୍ଣ୍ଣ ହୋଇଗଲା ।

 

୧୯୪୧ ମସିହାରେ ରାମକୃଷ୍ଣ ବାରିପଦା ହାଇସ୍କୁଲର ସହକାରୀ ହେଡ଼ମାଷ୍ଟର ପଦକୁ ଉନ୍ନୀତ ହେଲେ । ସେତେବେଳେ ହେଡ଼ମାଷ୍ଟର ଥିଲେ ରାଜେନ୍ଦ୍ରବାବୁ । ସେ ଥିଲେ ପୂର୍ବବଙ୍ଗର ଅଧିବାସୀ । ରାଜାଙ୍କ ଦେଓ୍ୱାନ ନିୟୋଗୀବାବୁ ମଧ୍ୟ ଥିଲେ ବଙ୍ଗାଳୀ । ସେ ଦୁହିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ରାଜେନ୍ଦ୍ରବାବୁଙ୍କଠାରୁ ରାମକୃଷ୍ଣଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ଥିଲା; ଲୋକପ୍ରିୟତା ମଧ୍ୟ ଅଧିକ ଥିଲା । ଏହିପରି କେତେକ କାରଣରୁ ସେ ଦୁହିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଏକ ଶୀତଳ ଯୁଦ୍ଧ ।

 

ରାଜେନ୍ଦ୍ରବାବୁ ମଣିଷ ହିସାବରେ ଥିଲେ ଉତ୍ତମ । ସମସ୍ତଙ୍କ ସହିତ ତାଙ୍କର ସଦ୍‍ଭାବ ଥିଲା; କିନ୍ତୁ ସ୍କୁଲର ଶୃଙ୍ଖଳା ରକ୍ଷା ଦିଗରେ ସେ ଥିଲେ ଅପାରଗ । କେବଳ ଅଫିସ୍ କାମର ବ୍ୟସ୍ତରହି ସେ କୌଣସି ଶ୍ରେଣୀରେ ପଢ଼ାଉ ନଥିଲେ । ଫଳରେ ଛାତ୍ରମାନଙ୍କ ଉପରେ ତାଙ୍କର ପ୍ରଭାବ ନଥିଲା । ତାଛଡ଼ା ତାଙ୍କ ଅପାରଗତାର ସୁଯୋଗ ନେଇ କେତେକ ଶିକ୍ଷକ ନିର୍ଭୟରେ କର୍ତ୍ତବ୍ୟରେ ଅବହେଳା କଲେ । ଏହାର ସୁଯୋଗ ନେଇ ଛାତ୍ରମାନେ କ୍ରମଶଃ ଉଚ୍ଛୁଙ୍ଖଳ ହୋଇପଡ଼ିଲେ । କେବଳ ଖୋସାମତି କରିପାରୁଥିବା ଶିକ୍ଷକମାନେ ତାଙ୍କର ପ୍ରିୟପାତ୍ର ଥିଲେ । ଏପରି ନକରିବାରୁ ଏବଂ ତାଙ୍କ ବଙ୍ଗପ୍ରୀତି ନୀତିର ବିରୋଧ କରିବାରୁ ରାମକୃଷ୍ଣ ତାଙ୍କ କୋପଦୃଷ୍ଟିର ଶିକାର ହେଲେ । ବିନା ଭଡ଼ାରେ ଥିବା ସରକାରୀ ଘର ପାଇଁ ତାଙ୍କୁ ଭଡ଼ା ଦେବାକୁ ହେବ ବୋଲି ସେ ଏକ ଚିଠି ପାଇଲେ । ମାସକୁ ଦଶଟଙ୍କା କରି ପିଛିଲା ସାତ ମାସ ପାଇଁ ସତୁରୀ ଟଙ୍କା ମଧ୍ୟ ତାଙ୍କ ଉପରେ ଧାର୍ଯ୍ୟ କରାଗଲା । ଏହା ପୂର୍ବରୁ ଯେଉଁ ଆସିଷ୍ଟାଣ୍ଟ ହେଡ଼ମାଷ୍ଟରମାନେ ସେ ଘରେ ରହୁଥିଲେ ସେମାନଙ୍କୁ ଭଡ଼ା ପଡ଼ୁ ନଥିଲା । ଏପରି ଏକ ଆଦେଶ ଯେ ରାଜେନ୍ଦ୍ରବାବୁଙ୍କ ଚକ୍ରାନ୍ତର ଫଳ, ଏଥିରେ ରାମକୃଷ୍ଣଙ୍କର ସନ୍ଦେହ ରହିଲା ନାହିଁ ।

 

ଦେଓ୍ୱାନ ବଙ୍ଗାଳୀ, ପୁଣି ହେଡ଼ମାଷ୍ଟର ବଙ୍ଗାଳୀ । ଏ ଦୁଇଜଣଙ୍କ ଷଡ଼ଯନ୍ତ୍ର ରାମକୃଷ୍ଣଙ୍କ ବିରୋଧରେ କାମ କରୁଥିବାରୁ ରାମକୃଷ୍ଣ ଏ ଆଦେଶର ମୁକାବିଲା କରିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ । ସେ ତା ପରଦିନ ସକାଳେ ଜିନିଷପତ୍ର ନେଇ ଡେପୁଟି ମାଜିଷ୍ଟ୍ରେଟ୍ ଶ୍ରୀ ରାଧାଗୋବିନ୍ଦ ଦାସଙ୍କ ନବନିର୍ମିତ ଗୃହରେ ରହିଲେ । ଏ ଘରେ ପୂର୍ବ ଘରଭଳି ଇଲେକ୍‍ଟ୍ରିକ୍ ଆଦି ସମସ୍ତ ସୁବିଧା ଥିଲା । କୃତଜ୍ଞତା ସ୍ୱରୂପ ସେ କିଛିଦିନ ରାଧାଗୋବିନ୍ଦବାବୁଙ୍କ ପୁତ୍ର ଶ୍ରୀମାନ ବିନୋଦର ପାଠପଢ଼ା ଦାୟିତ୍ୱ ଗ୍ରହଣ କଲେ ।

 

ରାଜେନ୍ଦ୍ରବାବୁଙ୍କ ଅପାରଗତା ଓ ଏହାର ସୁଯୋଗରେ ବିଦ୍ୟାଳୟରେ ଭରିଯାଇଥିବା ବିଶୃଙ୍ଖଳା ଦିନେ ଏପରି ଏକ ଅବସ୍ଥାରେ ପହଞ୍ଚିଲା ଯେ ରାଜେନ୍ଦ୍ରବାବୁଙ୍କୁ ସେଠାରୁ ବିତାଡ଼ିତ କରିବାକୁ ପଡ଼ିଲା । ଆସିଷ୍ଟାଣ୍ଟ ହେଡ଼ମାଷ୍ଟର ରାମକୃଷ୍ଣବାବୁଙ୍କୁ ସ୍କୁଲର ସମସ୍ତ ଦାୟିତ୍ୱ ବୁଝାଇଦେଇ ତିନିଦିନ ଭିତରେ ସ୍କୁଲ ତ୍ୟାଗ କରିବା ପାଇଁ ରାଜେନ୍ଦ୍ରବାବୁ ହଠାତ୍ ଦିନେ ସରକାରୀ ଆଦେଶ ପାଇଲେ । ସ୍କୁଲର କାଗଜପତ୍ର ସିନା ତିନିଦିନ ଭିତରେ ବୁଝାଇଦେଲେ, କିନ୍ତୁ ତିନିଦିନ ଭିତରେ କ୍ୱାଟର୍ସ ଛାଡ଼ିବା ଅବସ୍ଥାରେ ନଥିଲେ ରାଜେନ୍ଦ୍ରବାବୁ । ବାଧ୍ୟ ହୋଇ ସେ ରାମକୃଷ୍ଣଙ୍କ ଅନୁଗ୍ରହ ଭିକ୍ଷାକଲେ ଆଉ ଦୁଇ-ଚାରିଦିନ ରହି କ୍ୱାଟର୍ସ ଛାଡ଼ିବାକୁ । ରାମକୃଷ୍ଣ ଅକୁଣ୍ଠ ଚିତ୍ତରେ ତାଙ୍କୁ ଅନୁମତି ଦେଲେ । ସେତେବେଳେ କିପରି ରାଜେନ୍ଦ୍ରବାବୁ ଚକ୍ରାନ୍ତ କରି ତାଙ୍କୁ ତାଙ୍କ ନ୍ୟାଯ୍ୟପ୍ରାପ୍ୟ କ୍ୱାଟର୍ସରୁ ବାହାର କରିଦେଇଥିଲେ ସେକଥା ରାମକୃଷ୍ଣଙ୍କର ମନେପଡ଼ିଲା । ନିଜ କୃତକର୍ମର ଫଳ ରାଜେନ୍ଦ୍ରବାବୁଙ୍କୁ ଭୋଗିବାକୁ ହେଲା । ବାସ୍ତବିକ୍ ଭଗବାନଙ୍କ ଦରବାରେ ଏହିପରି ଶାସ୍ତି ବିଧାନ ହୋଇଥାଏ ।

 

ରାମକୃଷ୍ଣ ପ୍ରାୟ ଦେଢ଼ମାସ ଅସ୍ଥାୟୀ ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟ କରିବାପରେ ଶ୍ରୀ ଶଚୀନ୍ଦ୍ରନାଥ ଦାସ ୧୯୪୨ ମସିହା ଫେବୃଆରୀ ୨୭ ତାରିଖରେ ସ୍କୁଲକୁ ପ୍ରଧାନ ଶିକ୍ଷକ ହୋଇ ଆସିଲେ । ସେ ମହାଶୟ ପୂର୍ବରୁ ମଧ୍ୟ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ-। ପରେ ପଦୋନ୍ନତି ପାଇ ଷ୍ଟେଟ୍ ଶିକ୍ଷା ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ହୋଇଥିଲେ । ତାଙ୍କୁ ପୁନର୍ବାର ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦକୁ ଖସାଇ ଅଣାଗଲା । ପୂର୍ବରୁ ତାଙ୍କ ତଳ କର୍ମଚାରୀଙ୍କୁ ତାଙ୍କ ଉପରକୁ ପଦୋନ୍ନତି କରାଇ ଏବଂ ବର୍ତ୍ତମାନ ତାଙ୍କୁ ତଳ ପଦକୁ ଖସାଇ ଯେଉଁ ପ୍ରକାର ନିନ୍ଦିତ କରାଗଲା ତାହା ତାଙ୍କ ମାନସିକ ଅବସ୍ଥାକୁ ଦୋହଲାଇ ଦେଲା । ତାଙ୍କର ମସ୍ତିଷ୍କ ବିକୃତି ଦେଖାଗଲା । ଏପରି ଜଣେ ବିକୃତି-ମସ୍ତିଷ୍କ ବ୍ୟକ୍ତି କିପରି ସେହି ବିରାଟ ଅନୁଷ୍ଠାନ ଚଳାଇବ ତାହା ହେଲା ରାମକୃଷ୍ଣଙ୍କ ପାଇଁ ଚିନ୍ତାର ବିଷୟ । ସ୍କୁଲ ଇତିହାସରେ ଚରମ ଦୁର୍ଗତିର ବେଳ ଆସି ପହଞ୍ଚିଲା ବୋଲି ତାଙ୍କର ଧାରଣା ହେଲା ।

 

ତାଙ୍କ ଧାରଣା ପ୍ରକୃତରେ ସତ ହେଲା । ନୂତନ ପ୍ରଧାନ ଶିକ୍ଷକ ମନେକରୁଥିଲେ ଯେ ଷ୍ଟେଟ୍ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବଳ ଓ ଅସମର୍ଥ ମନେକରି ତଳକୁ ଖସାଇ ଆଣିଛନ୍ତି । ରାମକୃଷ୍ଣ ଏକଥା ଏକାଧିକବାର ତାଙ୍କ ମୁହଁରୁ ମଧ୍ୟ ଶୁଣିଥିଲେ । ଷ୍ଟେଟ୍ ସରକାର ଓ ମହାରାଜାଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଦେଖାଇ ପାରିଲେ ତାଙ୍କୁ ଉପଯୁକ୍ତ ବିଚାର ମିଳିବ ଭାବି ସେ ତାଙ୍କ ଯୋଜନା କାର୍ଯ୍ୟକାରୀ କଲେ ଖେଳ ପଡ଼ିଆରେ । ତାଙ୍କ ନିର୍ଦ୍ଦେଶରେ ଅନବରତ ଚାଲିଲା ପିଲାଙ୍କର ମାର୍ଚ୍ଚିଂ ଓ ଡ୍ରିଲ୍ । ଗୋଲାପବାଗ ପ୍ରକମ୍ପିତ ହେଲା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ରଚିତ ଉନ୍ମାଦନାଭରା ଜାତୀୟ ସଙ୍ଗୀତର ଝଙ୍କାରରେ । ଏହାର ପ୍ରଥମ ପଦଟି ଥିଲା - “ମୋର ଏହି ଭଞ୍ଜଭୂମି ମୋର ମହାରାଜା ଜନ୍ମେ ଜନ୍ମେ ଏ ଦୁହିଙ୍କୁ କରୁଥିବି ପୂଜା ।” ମାଦକ ଓ ତୂର୍ଯ୍ୟର ଏହି ପ୍ରତିଧ୍ୱନି ମହାରାଜାଙ୍କ କାନରେ ବାଜିଲା କି ନାହିଁ କେଜାଣି, ସ୍କୁଲର ପାଠପଢ଼ା କିନ୍ତୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଲା ।

 

ନିଜକୁ ଦୃଢ଼ ତଥା ପାରଗ ପ୍ରଧାନ ଶିକ୍ଷକ ଭାବେ ପ୍ରମାଣ କରିବା ଉଦ୍ଦେଶ୍ୟରେ ଶଚୀବାବୁ ଅନ୍ୟ ଶିକ୍ଷକମାନଙ୍କୁ ବିନା କାରଣରେ ହଇରାଣ କରୁଥିଲେ । କ୍ରମେ ତାଙ୍କ ପାଗଳାମି ସାଧାରଣରେ ଆଲୋଚିତ ହେଲା । ମହାରାଜା ନିଜେ କିଛି ନବୁଝି ଦେଓ୍ୱାନଙ୍କ ଉପରେ ସବୁ କାମରେ ନିର୍ଭର କରୁଥିଲେ । ଏ ସମ୍ୱନ୍ଧରେ ଦେଓ୍ୱାନଙ୍କୁ ଧାରଣା ଦିଆଗଲା ଯେ ପୂର୍ବରୁ ଶିକ୍ଷକମାନେ କାମ ନ କରି ଠକୁଥିଲେ; ଶଚୀବାବୁ ସେମାନଙ୍କୁ କାମରେ ଖଟାଇବାରୁ ସେମାନେ ତାଙ୍କୁ ପାଗଳ ବୋଲି ପ୍ରଚାର କରୁଛନ୍ତି । ଶଚୀବାବୁ କିନ୍ତୁ ରାମକୃଷ୍ଣଙ୍କ ପ୍ରତି କୌଣସି ଦୁର୍ବ୍ୟବହାର କରୁ ନଥିଲେ । ସେ ପଡ଼ିଆ ମଝିରେ ଏକାଦିକ୍ରମେ ଘଣ୍ଟା ଘଣ୍ଟା ଠିଆହୋଇ ରାମକୃଷ୍ଣଙ୍କୁ ତାଙ୍କର ପ୍ରଳାପ ଶୁଣାନ୍ତି । ରାମକୃଷ୍ଣଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ସେ ତାଙ୍କ ହାବୁଡ଼ରୁ ଖସି ଆସିପାରନ୍ତି ନାହିଁ । ଦୁଇ ଜଣ ପାଖାପାଖି ରହୁଥିବାରୁ ଥରେ ଥରେ ରାତି ନପାହୁଣୁ ସେ ରାମକୃଷ୍ଣଙ୍କ ବସାର ବାଡ଼ି ଦ୍ୱାରପଟେ ଅତର୍କିତ ଭାବରେ ପ୍ରବେଶ କରି ତାଙ୍କର ବିରାମହୀନ ଅଭିନୟ ଆରମ୍ଭ କରନ୍ତି । ତାହା ଅତି ବିରକ୍ତିକର ହେଲେ ମଧ୍ୟ ତାଙ୍କୁ ଧୈର୍ଯ୍ୟର ସହ ଶୁଣିବାକୁ ହୁଏ ।

 

ହେଡ଼ମାଷ୍ଟରଙ୍କ ବିରୋଧରେ ଦେଓ୍ୱାନ ବା ମହାରାଜାଙ୍କ ନିକଟରେ ଫେରାଦ ହେବାକୁ ରାମକୃଷ୍ଣଙ୍କୁ କେତେକ ବିଶିଷ୍ଟ ବ୍ୟକ୍ତି ପରାମର୍ଶ ଦେଇଥିଲେ; କିନ୍ତୁ ସେ ଶଚୀବାବୁଙ୍କର କୌଣସି ଅନିଷ୍ଟ କରିବାକୁ ଇଚ୍ଛା କରୁ ନଥିଲେ । ଏକେ ତ ଶଚୀବାବୁ ଥିଲେ ତାଙ୍କର ଗୁରୁସ୍ଥାନୀୟ, ବୟସ୍କ, ବିଦ୍ୱାନ ଓ ଅଭିଜ୍ଞ; ଦ୍ୱିତୀୟରେ ଅତ୍ୟନ୍ତ ଅଭାବଗ୍ରସ୍ତ । ଏଭଳି ଲୋକର ଚାକିରିରେ ଆଘାତ ଘଟାଇବାଭଳି କୌଣସି ପଦକ୍ଷେପ ନେବା ନିଷ୍ଠୁରତା ହେବ ବୋଲି ସେ ଭାବିଲେ । ତାଙ୍କର କିଛି ଅନିଷ୍ଟ ନକରି ଇସ୍ତଫା ଦେଇ ବରଂ ସେଠାରୁ ଚାଲିଆସିବେ ବୋଲି ସ୍ଥିରକଲେ ।

 

ଟ୍ରେନିଂ କଲେଜରେ ତାଙ୍କର ଅଧ୍ୟାପକ ଥିବା ଶ୍ରୀ ରାମଚନ୍ଦ୍ର ମହାପାତ୍ର ସେହିବର୍ଷ ମାଟ୍ରିକ୍ୟୁଲେସନ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ହୋଇ ବାରିପଦା ଯାଇଥିଲେ । ଠିକ୍ ସେହି ସମୟରେ ପରୀକ୍ଷକମାନଙ୍କ ସଭାରେ ଯୋଗଦେବା ପାଇଁ ରାମକୃଷ୍ଣ ପାଟନା ବାହାରିଥାନ୍ତି । ଶଚୀବାବୁଙ୍କୁ ପାଗଳାମି କଥା ଶୁଣି ଶ୍ରୀରାମବାବୁ ନିର୍ବିଘ୍ନରେ ପରୀକ୍ଷା ପରିଚାଳନା କରିପାରିବେ ବୋଲି ଆଶା କରିପାରିଲେ ନାହିଁ । ତେଣୁ ସେ ରାମକୃଷ୍ଣଙ୍କ ସାହାଯ୍ୟ ଲେଡ଼ିଲେ । ରାମକୃଷ୍ଣ ବାଧ୍ୟ ହୋଇ ପାଟନା ଯିବା ବନ୍ଦ କଲେ । ପରୀକ୍ଷା ସୁରୁଖୁରୁରେ ଚାଲିଲା । ପରୀକ୍ଷା ପରେ ରାମକୃଷ୍ଣ ଇସ୍ତଫା ଦେବାପାଇଁ କରିଥିବା ନିଷ୍ପତ୍ତି ଶ୍ରୀରାମବାବୁଙ୍କୁ ଜଣାଇଲେ । ହଠାତ୍ ଇସ୍ତଫା ନଦେଇ କିଛିଦିନ ଛୁଟି ନେବାକୁ ସେ ପରାମର୍ଶ ଦେଇଥିଲେ । ତଦନୁଯାୟୀ ରାମକୃଷ୍ଣ କଟକ ଆସି ସ୍ୱାସ୍ଥ୍ୟଗତ କାରଣରୁ ଲମ୍ୱାଛୁଟି ପ୍ରାର୍ଥନା କରି ଦରଖାସ୍ତ ପଠାଇଦେଲେ ।

 

ରାମକୃଷ୍ଣ ସାଢ଼େ ତିନିମାସ (ତା୫.୩.୪୨ରିଖଠାରୁ ତା୨୧.୫.୪୨ରିଖ ପର୍ଯ୍ୟନ୍ତ) ଛୁଟିରେ ରହି ବାରିପଦା ଫେରିଲେ । ସେଠାରେ ସେ ପହଞ୍ଚି ଦେଖିଲେ ଯେ ଶଚୀବାବୁ ମଧ୍ୟ ଛୁଟିରୁ ଫେରି ସ୍କୁଲରେ ଯୋଗ ଦେଇଛନ୍ତି । ସେ ଶୁଣିଲେ ଯେ ସେ ଛୁଟିରେ ଥିବା ସମୟରେ ଶଚୀବାବୁଙ୍କ କାର୍ଯ୍ୟକଳାପ ଯୋଗୁ ସ୍କୁଲର ଅବସ୍ଥା ଅସମ୍ଭାଳ ହୋଇପଡ଼ିଲା । ଏଣୁ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ କିଛିଦିନ ଛୁଟିରେ ଯିବା ପାଇଁ ବାଧ୍ୟ କରାଯାଇଥିଲା । ରାମକୃଷ୍ଣ ଶଚୀବାବୁଙ୍କ ଗତିବିଧି ଲକ୍ଷ୍ୟ କରି ଦେଖିଲେ ଯେ ତାଙ୍କର ପାଗଳାମି ବଢ଼ିଛି ସିନା କମି ନାହିଁ ।

 

ସ୍କୁଲର ପରିସ୍ଥିତି ରାମକୃଷ୍ଣଙ୍କୁ ଭଲ ଲାଗିଲା ନାହିଁ । ସ୍କୁଲର ଦୁର୍ଗତି ଷ୍ଟେଟ୍ କର୍ତ୍ତୃପକ୍ଷ ଦେଖି କିପରି ନୀରବ ରହୁଛନ୍ତି ତାହା ଭାବି ସେ ଆଶ୍ଚର୍ଯ୍ୟ ହେଲେ । ଚାକିରି ତ୍ୟାଗ କରିବା ପାଇଁ ସେ ନିଷ୍ପତ୍ତି ଗ୍ରହଣ କଲେ ଏବଂ ଇସ୍ତଫା ପତ୍ରଟିଏ ଲେଖି ୧୯୪୨ ଜୁନ୍ ୨୪ ତାରିଖରେ ଅଫିସ୍‍ରେ ଦେଇ ଆସିଲେ ।

 

ପୂର୍ବରୁ ଟ୍ରେନିଂ ନେବା ସମୟରେ ସେ ଷ୍ଟେଟ୍ ସରକାରଙ୍କଠାରୁ ଷ୍ଟାଇଫେଣ୍ଡ ନେଇଥିଲେ ଏବଂ ଟ୍ରେନିଂ ପରେ ଅନ୍ୟୂନ ପାଞ୍ଚବର୍ଷ ଚାକିରି କରିବେ ବୋଲି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ । କିନ୍ତୁ ସେ ପର୍ଯ୍ୟନ୍ତ ପାଞ୍ଚବର୍ଷ ପୂରି ନଥିଲା; ଷ୍ଟାଇପେଣ୍ଡ ଟଙ୍କା ତାଙ୍କୁ ଫେରାଇବାକୁ ପଡ଼ିପାରେ । ଏହା ପଛେ କରିବେ, କିନ୍ତୁ ସେଠାରେ ଆଉ ଅଧିକ କାଳ ଚାକିରି କରିପାରିବେ ନାହିଁ-। ଜଣେ ପାଗଳ ହେଡ଼ମାଷ୍ଟର ଯେଉଁଠି ନିରଙ୍କୁଶ ଶାସନ କରିପାରୁଛନ୍ତି, ସେଠାରେ ଚାକିରିର ମର୍ଯ୍ୟାଦା କିଛି ନାହିଁ ।

 

ଶଚୀବାବୁ ମହା ଅଡ଼ୁଆରେ ପଡ଼ିଲେ । ରାମକୃଷ୍ଣବାବୁ ଚାଲିଗଲା ପରେ ସମସ୍ତେ କହିବେ ଯେ ତାଙ୍କ ପାଗଳାମି ରାମକୃଷ୍ଣବାବୁଙ୍କ ଇସ୍ତଫା ପାଇଁ ଦାୟୀ । ରାମକୃଷ୍ଣ ଚାଲିଗଲା ପରେ କିନ୍ତୁ ଶଚୀବାବୁଙ୍କ ପଥ ପରିଷ୍କାର ହୋଇଯିବ । କାରଣ ମାନେଜିଂ କମିଟିରେ ରାମକୃଷ୍ଣଙ୍କୁ ହେଡ଼ମାଷ୍ଟର କରିବା ପାଇଁ ଯେଉଁ ପ୍ରସ୍ତାବ ଆସିଥିଲା ତାହାର କୌଣସି ମୂଲ୍ୟ ରହିବ ନାହିଁ । ଏ ବିଷୟରେ ବହୁତ ଚିନ୍ତା କରି ଶେଷରେ ଶଚୀବାବୁ ରାମକୃଷ୍ଣଙ୍କ ଇସ୍ତଫା ଉପରେ ଲମ୍ୱା ଚଉଡ଼ା ପ୍ରଶସ୍ତି ଲେଖିବା ସହ ଅନୁକୂଳ ସୁପାରିଶ୍ କରି ଉପରକୁ ପଠାଇଦେଲେ ।

 

ଇସ୍ତଫା ଗ୍ରହଣରେ ବିଳମ୍ୱ ହେବାରୁ ରାମକୃଷ୍ଣ ଷ୍ଟେଟ୍‍ର ଚିଫ୍ ସେକ୍ରେଟାରୀଙ୍କୁ ଦେଖାକଲେ । ରାମକୃଷ୍ଣ ତାଙ୍କୁ ସ୍କୁଲର ପରିସ୍ଥିତି ଅବଗତ କରାଇ ଥରେ ସ୍କୁଲ ପରିଦର୍ଶନରେ ଆସିବାକୁ ଏବଂ ତାଙ୍କ ଇସ୍ତଫାପତ୍ର ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କଲେ । ଚିଫ୍ ସେକ୍ରେଟାରୀ ଥିଲେ ଦକ୍ଷିଣ ଭାରତୀୟ ଓ ଖୁବ୍ ସୁବିଧାବାଦୀ । ରାମକୃଷ୍ଣଙ୍କ ଅନୁରୋଧ ରକ୍ଷାକରି ସେ ପରେ ସ୍କୁଲ ପରିଦର୍ଶନରେ ଆସିଲେ ସତ, କିନ୍ତୁ ହେଡ଼ମାଷ୍ଟରଙ୍କ ଛଳନାପୂର୍ଣ୍ଣ ଅଭିନୟ ତାଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇଲା କେଜାଣି, ସେ କିଛି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ ।

 

ଇସ୍ତଫା ପତ୍ର ଦେଓ୍ୱାନଙ୍କ ନିକଟକୁ ଗଲା । ଦିନେ ରାତି ଆଠଟାରେ ଶଚୀବାବୁଙ୍କ ସହିତ ରାମକୃଷ୍ଣ ଦେଓ୍ୱାନଙ୍କ କୋଠୀରେ ପହଞ୍ଚିଲେ । ରାମକୃଷ୍ଣଙ୍କୁ ସେ ରାଇରଙ୍ଗପୁର ହେଡ଼ମାଷ୍ଟର କରି ପଠାଇ ଦେବାର ପ୍ରଲୋଭନ ଦେଖାଇଲେ । ରାମକୃଷ୍ଣ କିନ୍ତୁ ତାଙ୍କ କଥାରେ ରାଜି ହେଲେ ନାହିଁ । ତାଙ୍କ ମାଆ ଯୁଦ୍ଧ ସମୟରେ ସେ ସ୍ଥାନରେ ନରହିବା ପାଇଁ ତାଙ୍କୁ କହୁଛନ୍ତି ବୋଲି ରାମକୃଷ୍ଣ କହିଲେ । ଦେଓ୍ୱାନ ଜଣେ ନୈଷ୍ଠିକ ହିନ୍ଦୁ; ପରିବାରଧର୍ମ ଉପରେ ତାଙ୍କର ବିଶ୍ୱାସ ଥିଲା । ତେଣୁ ସେତେବେଳେ ବାରିପଦା ବାହାରେ ଥିବା ମହାରାଜାଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ରାମକୃଷ୍ଣଙ୍କୁ କହିଲେ ।

 

୧୯୪୨ ଜୁଲାଇ ୩୦ ତାରିଖରେ ରାମକୃଷ୍ଣଙ୍କ ଇସ୍ତଫା ଗୃହୀତ ହେଲା । ଅଗଷ୍ଟ ୭ ତାରିଖରେ ପ୍ରିୟ ଛାତ୍ର, ସହକର୍ମୀ ଓ ବନ୍ଧୁମାନଙ୍କୁ ଶୋକାଭିଭୂତ କରି ଏବଂ ଏଗାର ବର୍ଷର କର୍ମସ୍ଥଳୀ ବାରିପଦାରୁ ବିଦାୟ ନେଇ ସେ ଗ୍ରାମକୁ ଫେରିଲେ ।

 

ଗ୍ରାମରେ କିଛିଦିନ :

 

ରାମକୃଷ୍ଣ ନିଜ ଗ୍ରାମ ବାଇରୋଇଠାରେ ପତ୍ନୀ ଓ ଚାରିକନ୍ୟା ପ୍ରତିଭା, ପୁଷ୍ପ, ବୀଣା ଓ ଶୈଳଙ୍କ ସହିତ ବାସକଲେ । ସେ ବାରିପଦାରେ ଥିଲାବେଳେ ଘରକୁ ନିୟମିତ ଆର୍ଥିକ ସାହାଯ୍ୟ ଦେଉଥିଲେ । ଗ୍ରାମରେ ଚାରିଭାଇ ଓ ସେମାନଙ୍କର ଗୁଡ଼ିଏ ପିଲା କୁଟୁମ୍ୱ । ରାମକୃଷ୍ଣ ବର୍ତ୍ତମାନ ବେକାର । ଗ୍ରାମରେ ଚଳିବା କଷ୍ଟକର ହେଲା । ରାମକୃଷ୍ଣ ଅର୍ଶ ରୋଗରେ ପୀଡ଼ିତ ହେଲେ । ତାଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଲା ନାହିଁ । ତାଙ୍କର ଦୁଇଟି କନ୍ୟା ଉତ୍କଟ ମ୍ୟାଲେରିଆରେ ଛଟପଟ ହେଲେ । ଗ୍ରାମରେ ଔଷଧ ଓ ଚିକିତ୍ସାଳୟର ସୁବିଧା ନଥିଲା । ପୂର୍ବରୁ ଥିବା ବାସଗୃହ ମଧ୍ୟ ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ନଥିଲା । ରାମକୃଷ୍ଣଙ୍କର ଶନିସପ୍ତା ଦଶା ପଡ଼ିଥିବାରୁ ଏପରି ହେଉଛି ବୋଲି ଜ୍ୟୋତିଷୀଙ୍କର କଥାକୁ ବିଶ୍ୱାସ କରିବାକୁ ପଡ଼ିଲା ।

ରାମକୃଷ୍ଣଙ୍କ ସାନଭାଇ ରାଧାକୃଷ୍ଣ ତାଙ୍କ ଗ୍ରାମ ନିକଟବର୍ତ୍ତୀ ଅନ୍ୟ ଏକ ପଡ଼ା ଗାଁ ଇଚ୍ଛାପୁରରେ ରହୁଥିଲେ । ସେଠାରେ ସେମାନଙ୍କର ଗୋଟିଏ ଖମାର, ଅନେକ ଜମିବାଡ଼ି, ନଡ଼ିଆ ବଗିଚା ଇତ୍ୟାଦି ଥାଏ । ବାଇରୋଇରେ ରାମକୃଷ୍ଣଙ୍କ ପିଲାମାନେ ଅସୁବିଧାରେ ଚଳୁଥିବାର ଦେଖି ସେ ରାମକୃଷ୍ଣଙ୍କୁ ଅନୁରୋଧ କଲେ ପିଲାମାନଙ୍କ ସହିତ ତାଙ୍କ ସଙ୍ଗେ ରହିବାକୁ । ରାମକୃଷ୍ଣ ସେଇୟା କଲେ । ସେଠାରେ ଥିବା ଘର ଦୁଇ ପରିବାରର ପାଇଁ ଯଥେଷ୍ଟ ନହେବାରୁ ରାମକୃଷ୍ଣଙ୍କ ପିଲାମାନଙ୍କ ପାଇଁ ଆଉ ଗୋଟିଏ ଖଞ୍ଜା ତିଆରି କରାଗଲା ।

ସେହି ସମୟରେ ଭିଙ୍ଗାରପୁରରୁ ଦୁଇଜଣ ଭଦ୍ରଲୋକ ଆସି ରାମକୃଷ୍ଣଙ୍କୁ ଦେଖାକଲେ ଏବଂ ଭିଙ୍ଗାରପୁର ହାଇସ୍କୁଲର ସେକ୍ରେଟାରୀ ଚୌଧୁରୀ ଗଙ୍ଗାଧର ଦାଶ ତାଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ କରି ନେବାକୁ ଇଚ୍ଛା କରନ୍ତି ବୋଲି ଜଣାଇଲେ । ଠିକ୍ ସେହି ସମୟରେ ରାମକୃଷ୍ଣ କଟକ ଟ୍ରେନିଂ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶଚନ୍ଦ୍ର ପ୍ରଧାନଙ୍କଠାରୁ ଚାକିରି ସଂକ୍ରାନ୍ତରେ ତାଙ୍କୁ ଦେଖାକରିବା ପାଇଁ ଚିଠି ଖଣ୍ଡିଏ ପାଇଥାନ୍ତି । ଏହା ସେ ଭିଙ୍ଗାରପୁରର ଭଦ୍ରଲୋକଦ୍ୱୟଙ୍କୁ ଦେଖାଇଲେ ଏବଂ ଭିଙ୍ଗାରପୁର ଯାଇ ଚୌଧୁରୀ ମହାଶୟଙ୍କୁ ନିଶ୍ଚୟ ଦେଖା କରିବେ ବୋଲି କହିଲେ । କଟକ ଯିବା ବାଟରେ ସେ ଚୌଧୁରୀ ଗଙ୍ଗାଧର ଦାଶଙ୍କୁ ଦେଖାକଲେ । ତାଙ୍କର ସରକାରୀ ଚାକିରି କରିବାର ଅଭିପ୍ରାୟ ନଥିବାରୁ ସେ କଟକରୁ ଫେରି ଭିଙ୍ଗାରପୁର ହାଇସ୍କୁଲରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଲେ ।

କଟକରେ ପହଞ୍ଚି ରାମକୃଷ୍ଣ ଟ୍ରେନିଂ କଲେଜର ଅଧ୍ୟକ୍ଷ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କଲେ । ଶ୍ରୀ ପ୍ରଧାନ କୁଶଳ ପ୍ରଶ୍ନ କରି ତାଙ୍କୁ ରେଭେନ୍‍ସା କଲେଜିଏଟ୍ ସ୍କୁଲରେ ଯୋଗଦେବାକୁ କହିଲେ । ପ୍ରଥମରୁ ସରକାରୀ ଚାକିରି ପ୍ରତି ତାଙ୍କର ସ୍ପୃହା ନଥିଲା । ପୁଣି ଚାକିରି କରିବା ପରେ ଏ ବୟସରେ ସମସ୍ତଙ୍କଠାରୁ କନିଷ୍ଠ ହେବାକୁ ପଡ଼ିବ । ଅର୍ଥ ନାହିଁ କି ସମ୍ମାନ ନାହିଁ । ତେଣୁ ସେ ସ୍ପଷ୍ଟ ନାହିଁ କରିଦେଲେ । ଶ୍ରୀ ପ୍ରଧାନ ଆଶ୍ଚର୍ଯ୍ୟ ହୋଇଗଲେ । ଭାବିଚିନ୍ତି କହିବାକୁ ତାଙ୍କୁ ତିନିଦିନ ସମୟ ଦେଲେ । ଭିଙ୍ଗାରପୁର ହାଇସ୍କୁଲରେ ଯୋଗ ଦେବାର ନିଷ୍ପତ୍ତି ନେଇଥିବାରୁ ପରଦିନ ସେ ଶ୍ରୀ ପ୍ରଧାନଙ୍କୁ ଭେଟି ତାହା ଜଣାଇଦେଲେ । ଶ୍ରୀ ପ୍ରଧାନ ପ୍ରଥମେ ଟିକିଏ ଦୁଃଖିତ ହେଲେ ଏବଂ ପରେ କହିଲେ ଯେ ସରକାରୀ ଚାକିରି କରିବାକୁ ଇଚ୍ଛା ନଥିଲେ ଖୋର୍ଦ୍ଧାଭଳି କୌଣସି ଭଲ ସ୍କୁଲକୁ ଆଦରି ନେବା ଉଚିତ । ରାମକୃଷ୍ଣ କିନ୍ତୁ ଭିଙ୍ଗାରପୁରକୁ ବାଛି ସାରିଥିବାରୁ ଏବଂ ଏକ ଖରାପ ସ୍କୁଲକୁ ଭଲ କରିପାରିବାର ସୁଯୋଗ ପାଇଥିବାରୁ ସେଇଠାରେ ଯୋଗ ଦେବାକୁ ଇଚ୍ଛା କରିଛନ୍ତି ବୋଲି କହିଲେ । ପ୍ରିନ୍‍ସିପାଲ ଶ୍ରୀ ପ୍ରଧାନ ଏହା ଶୁଣି ଖୁସି ହୋଇଗଲେ ଏବଂ ତାଙ୍କ ପିଠିରେ ହାତ ମାରି କହିଲେ–“ତୁମର ଯଦି ଏପରି ଉଦ୍ଦେଶ୍ୟ ଥାଏ, ମୁଁ ତୁମକୁ ବାଧା ଦେବାକୁ ଚାହେଁନା । ଯାଅ, ମୁଁ ଆଶୀର୍ବାଦ ଦେଉଛି ।”

ଭିଙ୍ଗାରପୁରରେ ଶିକ୍ଷକତା (୧୯୪୨-୪୬) :

ଗ୍ରାମକୁ ଫେରି ଭିଙ୍ଗାରପୁରରୁ ନିଯୁକ୍ତି ପତ୍ରକୁ ଅପେକ୍ଷା କରି ରହିଲେ ରାମକୃଷ୍ଣ । ଯଥା ସମୟରେ ଏହା ତାଙ୍କର ହସ୍ତଗତ ହେଲା ଏବଂ ସେ ଭିଙ୍ଗାରପୁର ଯାଇ ଶ୍ରୀ ବକ୍ରେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦ ଗ୍ରହଣ କଲେ ୧୯୪୨ ମସିହା ନଭେମ୍ୱର ୨୩ ତାରିଖରେ । ପୂର୍ବତନ ପ୍ରଧାନ ଶିକ୍ଷକ ମାସିକ ବେତନ ୯୫ ଟଙ୍କା ପାଉଥିଲେ; କିନ୍ତୁ ତାଙ୍କୁ ମିଳିଲା ମାସିକ ଏକଶହ ଟଙ୍କା-

କୁଶଭଦ୍ରା ନଦୀର ଦକ୍ଷିଣ ପାର୍ଶ୍ୱରେ ଏକ ମୁକ୍ତ ପ୍ରାନ୍ତର ମଧ୍ୟରେ ଶ୍ରୀ ବକ୍ରେଶ୍ୱର ହାଇସ୍କୁଲ ଅବସ୍ଥିତ । ଏହାର ଆୟତନ ବ୍ୟାପ୍ତ ହେଲେହେଁ ଏହା ଥିଲା ଏକ କ୍ଷୁଦ୍ର ହାଇସ୍କୁଲ । ପୂର୍ବରୁ ଯେଉଁ ବାରିପଦା ହାଇସ୍କୁଲରେ ରାମକୃଷ୍ଣ ଶିକ୍ଷକତା କରୁଥିଲେ ତା ତୁଳନାରେ ଏହା ଅତ୍ୟନ୍ତ ଛୋଟ । ବାରିପଦାରେ ଆଠଶହ ଛାତ୍ର ଓ ତିରିଶ ଜଣ ଶିକ୍ଷକ ଥିଲେ; ଏ ସ୍କୁଲର ଚାରୋଟି ଶ୍ରେଣୀରେ ଛାତ୍ରସଂଖ୍ୟା ମିଶି ୧୫୦ରୁ କମ୍ । ଜଣେ ମାତ୍ର ଗ୍ରାଜୁଏଟ୍ ଶିକ୍ଷକ ସଦ୍ୟ ବି.ଇଡ଼ି. ପାସ୍ କରି ତାଙ୍କ ଯିବାର ଅଳ୍ପ ଦିନ ପୂର୍ବରୁ କାର୍ଯ୍ୟରେ ଯୋଗ ଦେଇଥାନ୍ତି । ହଷ୍ଟେଲରେ ବହୁ ସ୍ଥାନ ଖାଲି ପଡ଼ିଥାଏ । ଛାତ୍ର ସଂଖ୍ୟା ବୃଦ୍ଧିର ଅନ୍ୟ ଉପାୟ ନଦେଖି ସ୍କୁଲର ମାନେଜିଂ କମିଟି କୁଶଭଦ୍ରା ନଦୀର ଉତ୍ତରପଟେ ଥିବା ପୁରାତନ ମାଇନର ସ୍କୁଲକୁ ହାଇସ୍କୁଲ ସଙ୍ଗେ ମିଶାଇ ଦେବାର ଯୋଜନା କରୁଥାନ୍ତି । ହାଇସ୍କୁଲର ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନଥାଏ । ସେକ୍ରେଟାରୀ ଚୌଧୁରୀ ଗଙ୍ଗାଧର ଦାଶଙ୍କ ଦାନ ଉପରେ ଏହି ଶିଶୁ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ନିର୍ଭର କରୁଥାଏ ।

 

ପ୍ରଧାନ ଶିକ୍ଷକ ଭାବରେ ରାମକୃଷ୍ଣ ଅଧ୍ୟାପନାରେ କମ୍ ବ୍ୟସ୍ତ ରହି ବେଶି ବ୍ୟସ୍ତ ରହୁଥିଲେ ତତ୍ତ୍ୱାବଧାନ ଦାୟିତ୍ୱରେ । ମାନେଜିଂ କମିଟିରେ ଚୌଧୁରୀ ବଂଶର ଯେଉଁ କେତେଜଣ ସଭ୍ୟ ଥାଆନ୍ତି, ସେମାନଙ୍କ ମନ ମିଳେ ନାହିଁ । ସେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ କମିଟିର ଯେଉଁ ପ୍ରଥମ ବୈଠକ ବସିଲା, ସେଥିରେ ଯୋଗଦେବା ପାଇଁ କମିଟିର ସଭାପତି ଚୌଧୁରୀ ନୀଳକଣ୍ଠ ଦାଶଙ୍କୁ ଡାକିବାକୁ ସେ ନିଜେ ଗଲେ । ନୀଳକଣ୍ଠ ବାବୁଙ୍କ କଥାରୁ ଯାହା ଜାଣିଲେ, ସେ ସ୍କୁଲପ୍ରତି ବୀତଶ୍ରଦ୍ଧ ଥିଲେ । ଏହାର କାରଣ ଗଙ୍ଗାଧର ଚୌଧୁରୀଙ୍କ ମନମୁଖୀ କାରାବାର ବୋଲି ସେ ନୀଳକଣ୍ଠବାବୁଙ୍କ ପରୋକ୍ଷ ସୂଚନାରୁ ଜାଣିଲେ । କିନ୍ତୁ ପ୍ରକୃତ କଥାଟା ହେଲା ଗଙ୍ଗାଧରବାବୁ ସ୍କୁଲର ପ୍ରତିଷ୍ଠାତା ଏବଂ ପୃଷ୍ଠପୋଷକ ଥିଲେ, ସ୍କୁଲ ପାଇଁ ଅକାତରେ ଅର୍ଥ ବ୍ୟୟ କରୁଥିଲେ । ହୁଏତ ସେ କମିଟିର ମତାମତ ଅପେକ୍ଷା ନ କରି ସ୍କୁଲର ଉନ୍ନତିକଳ୍ପେ କିଛି କରିଥିବେ । ଏପରି ହେବାଟା ସ୍ୱାଭାବିକ । ଏହାକୁ ଆଳ କରି ଅନ୍ୟମାନେ କ୍ଷୁଣ୍ଣ ହୋଇ ଆଡ଼େଇ ରହିଥିଲେ । କିନ୍ତୁ ଏହା ପ୍ରତି ଗୁରୁତ୍ୱ ନଦେଇ ରାମକୃଷ୍ଣ ସ୍କୁଲର ପ୍ରଗତି ଓ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେଲେ ।

 

ଭିଙ୍ଗାରପୁର ସ୍କୁଲରେ ଯୋଗଦେବାର ଅଳ୍ପଦିନ ପରେ ସେ ବାରିପଦା ହାଇସ୍କୁଲର ହେଡ଼ମାଷ୍ଟର ରାୟସାହେବ ବିଶ୍ୱମ୍ଭର ମିଶ୍ରଙ୍କଠାରୁ ଖଣ୍ଡିଏ ଚିଠି ପାଇଲେ । ସେଥିରେ ସେ ଲେଖିଥିଲେ ଯେ, ଯେଭଳି ପରିସ୍ଥିତିରେ ରାମକୃଷ୍ଣ ସେଠାରୁ ଇସ୍ତଫା ଦେଇ ଚାଲିଆସିଲେ ତାହା ଷ୍ଟେଟ୍ କର୍ତ୍ତୃପକ୍ଷ ହୃଦୟଙ୍ଗମ କରିପାରିଛନ୍ତି ଏବଂ ତାଙ୍କୁ ପୁନରାୟ ଫେରାଇ ନେବାକୁ ଚାହାନ୍ତି । ତେଣୁ ସେ ଶୀଘ୍ର ଫେରିଆସନ୍ତୁ ।

 

ରାମକୃଷ୍ଣ ଏ ବିଷୟରେ ଶୁଣିଥିଲେ ଯେ ସେ ବାରିପଦା ଛାଡ଼ିବାର ପନ୍ଦର ଦିନ ପରେ ହାଇସ୍କୁଲର ଉପର ଶ୍ରେଣୀର ଛାତ୍ରମାନେ ଏକଜୁଟ ହୋଇ ଧାଡ଼ିବାନ୍ଧି ଦିନେ ମହାରାଜାଙ୍କ ସଙ୍ଗେ ସାକ୍ଷାତ କରି ଶଚୀବାବୁଙ୍କ ପାଗଳାମି କଥା କହିଲେ । ତାଙ୍କ ପାଗଳାମି ସକାଶେ ଭଲ ଭଲ ଶିକ୍ଷକ ସ୍କୁଲ ଛାଡ଼ି ଚାଲିଯାଉଛନ୍ତି । ପରୀକ୍ଷା କମ୍ ଦିନ ଥିବାରୁ ଯଦି ଏହାର ପ୍ରତିକାର ନହୁଏ ତେବେ ସେମାନେ ସ୍କୁଲ ଛାଡ଼ି ଅନ୍ୟ ସ୍କୁଲକୁ ପଳାଇବେ । ମହାରାଜା ଏହା ପରେ ପରେ ସ୍କୁଲକୁ ଆସି ପିଲାଙ୍କ ଅଭିଯୋଗର ସତ୍ୟତା ବୁଝିଲେ ଏବଂ ଶଚୀବାବୁଙ୍କୁ ସ୍କୁଲରୁ କାଢ଼ି ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଅଭିଜ୍ଞ ଶିକ୍ଷକ ରାୟସାହେବ ବିଶ୍ୱମ୍ଭର ମିଶ୍ରଙ୍କୁ ନିଯୁକ୍ତ କଲେ । ବିଶ୍ୱମ୍ଭରବାବୁ ସମସ୍ତ ଘଟଣା ବୁଝି ବୋଧହୁଏ ଷ୍ଟେଟ୍ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଉପର୍ଯ୍ୟୁକ୍ତ ପତ୍ରଟି ଲେଖିଥିଲେ । ରାମକୃଷ୍ଣ ଚିଠିର ଉତ୍ତରରେ ଲେଖିଥିଲେ ଯେ ସେ ଇସ୍ତଫା ଦେଇ ଆସିବା ପରେ ମଧ୍ୟ ମୟୂରଭଞ୍ଜ ଷ୍ଟେଟ୍ କର୍ତ୍ତୁପକ୍ଷ ତାଙ୍କୁ ପୁନରାୟ ଡକାଇ ଥିବାରୁ ସେ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛନ୍ତି । ସେ ଭାବିଚିନ୍ତି ଚାକିରି ଛାଡ଼ିଥନ୍ତି । ପୁନରାୟ ଫେରିବାକୁ ଇଚ୍ଛା କରୁ ନାହାନ୍ତି । ଏ ଚିଠି ଲେଖିବାର ଅଳ୍ପଦିନ ପରେ ସେ ପ୍ରୋଭିଡ଼େଣ୍ଟ ଫଣ୍ଡ୍ ବାବଦ ପ୍ରାପ୍ୟ ଟଙ୍କା ଷ୍ଟେଟ୍‌ରୁ ପାଇଗଲେ ।

 

ନୂତନ କର୍ମକ୍ଷେତ୍ରର ବିକାଶରେ ରାମକୃଷ୍ଣ ଲାଗିପଡ଼ିଲେ । ସେ ଏଠାରେ ଯୋଗଦେବାବେଳକୁ ଟେଷ୍ଟ୍ ପରୀକ୍ଷା ପାଖେଇ ଆସିଥାଏ । ୧୮ ଜଣ ଟେଷ୍ଟ ପରୀକ୍ଷା ଦେଲେ । ବହୁଦିନ ପଢ଼ାପଢ଼ିରେ ବ୍ୟାଘାତ ଘଟିଥିବା ହେତୁ ସେମାନେ ପରୀକ୍ଷାରେ ଭଲ କରିପାରି ନଥିଲେ-। ରାମକୃଷ୍ଣ କିନ୍ତୁ ସମସ୍ତଙ୍କୁ ଉଠାଇ ଦେଲେ ଏବଂ ବସାକୁ ଡାକି ନେଇ ଇଂରାଜୀରେ ଦୁର୍ବଳ ଛାତ୍ରଙ୍କୁ ଘଣ୍ଟାଏ ଘଣ୍ଟାଏ ପଢ଼ାଇଲେ । ସୁଖର କଥା, ସେମାନଙ୍କ ମଧ୍ୟରୁ ୧୬ ଜଣ ପିଲା ଫାଇନାଲ ପରୀକ୍ଷାରେ ଏବଂ ଆଉ ଦୁଇଜଣ ସପ୍ଳିମେଣ୍ଟାରୀ ପରୀକ୍ଷାରେ ପାଶ୍ କରିଗଲେ ।

 

ଜୀବନରେ ବହୁ ବାଧାବିଘ୍ନ ମଧ୍ୟରେ ଗତିକରି ଏବଂ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ରାମକୃଷ୍ଣ ଯେଉଁ ଦୃଢ଼ ମନୋବଳ ଅର୍ଜନ କରିଥିଲେ ତାହା ନିର୍ଭୟରେ କର୍ତ୍ତବ୍ୟ ସମ୍ପାଦନ କରିବାରେ ତାଙ୍କର ସହାୟକ ହୋଇଥିଲା । ଛାତ୍ର ସଂଖ୍ୟା ବଢ଼ାଇବା ପାଇଁ ମାଇନର ସ୍କୁଲକୁ ହାଇସ୍କୁଲରେ ମିଶାଇ ଦେବା ପାଇଁ ପୂର୍ବରୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହାକୁ ସେ ବନ୍ଦ କରିଦେଲେ । ହାଇସ୍କୁଲର ଉନ୍ନତି ପାଇଁ ମନପ୍ରାଣ ଢାଳିଦେବା ଫଳରେ ଏହାର ବାତାବରଣ ବଦଳି ଗଲା । ଏଣିକି ସ୍କୁଲ ପ୍ରତିବର୍ଷ ମାଟ୍ରିକ୍ ପରୀକ୍ଷାରେ ଭଲ କଲା ଏବଂ ସ୍କୁଲରୁ ପ୍ରଥମ ଶ୍ରେଣୀରେ ପିଲା ପାସ୍ କଲେ । ସ୍କୁଲର ସୁନାମ ବ୍ୟାପିଗଲା । ଜଗତସିଂହପୁର, କାକଟପୁର ପ୍ରଭୃତି ଦୂର ସ୍ଥାନମାନଙ୍କୁ ଛାତ୍ରମାନେ ଆସି ଏଠାରେ ନାମ ଲେଖାଇଲେ । ଏହିପରି ସ୍କୁଲର ଛାତ୍ରସଂଖ୍ୟା କ୍ରମେ ବଢ଼ିବାରେ ଲାଗିଲେ ।

 

ସ୍କୁଲର ସେକ୍ରେଟାରୀ ବଦାନ୍ୟ ଗଙ୍ଗାଧର ଚୌଧୁରୀ ପୂର୍ବରୁ ପ୍ରତି ମାସରେ ସ୍କୁଲର ନିଅଣ୍ଟ ଟଙ୍କା ଭରଣା କରୁଥିଲେ ଏବଂ ଗରିବ ଛାତ୍ରମାନଙ୍କ ପାଠପଢ଼ା ପାଇଁ ନିୟମିତ ଆର୍ଥିକ ସାହାଯ୍ୟ ଦେଉଥିଲେ । କିନ୍ତୁ ପରେ ଛାତ୍ରସଂଖ୍ୟା ବୃଦ୍ଧି ପାଇବାରୁ ବଳକା ଟଙ୍କା ବ୍ୟାଙ୍କରେ ଜମା ରହିଲା । ତେଣୁ ରାମକୃଷ୍ଣ ତାଙ୍କୁ ଅନୁରୋଧ କଲେ ଯେ ସେ ଯେଉଁ ଟଙ୍କା ପ୍ରତି ମାସରେ ସ୍କୁଲକୁ ଦେଉଥିଲେ ତାହାର ଆବଶ୍ୟକତା ଆଉ ନଥିବାରୁ ସେ ସେହି ବାବଦକୁ ଟଙ୍କା ଦେବା ବନ୍ଦ କରି ହଷ୍ଟେଲ ପାଇଁ ଆଉ କିଛି ଘର ତୋଳାଇ ଦିଅନ୍ତୁ ଏବଂ ଶ୍ରେଣୀ ପାଇଁ ଯୋଗ୍ୟତା ବୃତ୍ତି (Merit Scholarship) ଖଞ୍ଜି ଦିଅନ୍ତୁ । ରାମକୃଷ୍ଣଙ୍କ କଥା ତାଙ୍କ ମନକୁ ବେଶ୍ ପାଇଲା । ସେ ଆଉ ଗୋଟିଏ ଦାଣ୍ଡି ନୂଆ ହଷ୍ଟେଲ ତୋଳାଇ ଦେଲେ ଏବଂ ତାଙ୍କ ପତ୍ନୀଙ୍କ ନାମାନୁସାରେ ମେଧାବୀ ଛାତ୍ରମାନଙ୍କ ପାଇଁ ବୃତ୍ତି ଖଞ୍ଜିଦେଲେ ।

 

ଦିନକୁ ଦିନ ସ୍କୁଲର ସୁନାମ ବଢ଼ିବାକୁ ଲାଗିଲା । ମାଟ୍ରିକ୍ ପରୀକ୍ଷାରେ ଏ ସ୍କୁଲ ଖୁବ୍ ଭଲ କଲା । ଥରେ ସ୍କୁଲର ସେକ୍ରେଟାରୀ ଚୌଧୁରୀ ଗଙ୍ଗାଧର ଦାଶ ବିଦ୍ୟାଳୟର ଫଳାଫଳ ବୁଝିବାକୁ ବିଶ୍ୱବିଦ୍ୟାଳୟ ଅଫିସ୍‌କୁ ଯାଇଥିଲେ । ସେଠାରୁ ଆସି ସେ କହିଲେ -“ଆମ ସ୍କୁଲ ଏକମାତ୍ର ସ୍କୁଲ ଯେଉଁଠୁ କୌଣସି ପରୀକ୍ଷାର୍ଥୀ ଇଂରାଜିରେ ଫେଲ୍ ହୋଇ ନାହାନ୍ତି । ଯେଉଁ କେତେଜଣ ପରୀକ୍ଷାରେ ଫେଲ୍ ହୋଇଛନ୍ତି, ସେମାନେ ଅନ୍ୟ ବିଷୟରେ ହୋଇଛନ୍ତି, କିନ୍ତୁ ଇଂରାଜିରେ ନୁହେଁ । ସେକ୍ରେଟାରୀ ମହାଶୟ ନିଜର କଟକ ରହଣି ସମୟରେ ବେଳେ ବେଳେ ତତ୍କାଳୀନ ଡି.ପି.ଆଇ ଶ୍ୟାମଚନ୍ଦ୍ର ତ୍ରିପାଠୀଙ୍କ ସହିତ ବିଦ୍ୟାଳୟର ଉନ୍ନତି ବିଷୟରେ କଥାବାର୍ତ୍ତା ହେଉଥିଲେ । ଥରେ ଏହିପରି କଥାବାର୍ତ୍ତା ହେଲାବେଳେ ସେ ସେକ୍ରେଟାରୀଙ୍କୁ କହିଲେ, You have snatched a gem from my department. ଆମେ ରାମକୃଷ୍ଣ ନନ୍ଦଙ୍କୁ କଲେଜିଏଟ୍ ସ୍କୁଲକୁ ଆଣିବାକୁ ଚେଷ୍ଟା କରୁଥିଲୁ, ଆଣିପାରିଲୁ ନାହିଁ; ମାତ୍ର ତୁମେ ତାଙ୍କୁ ଭିଙ୍ଗାରପୁର ନେଇଗଲ ।” (ଜୀବନ ତରଙ୍ଗ,ପୃ. ୧୦୯-୧୦)

 

ଥରେ ଇନ୍‍ସପେକ୍ଟର ଏସ୍.ରାୟ ଗ୍ରୀଷ୍ମଛୁଟି ପରେ ଠିକ୍ ସ୍କୁଲ ଖୋଲିବା ଦିନ ସ୍କୁଲ ପରିଦର୍ଶନରେ ଆସିବା ପାଇଁ ଜଣାଇଲେ । ରାମକୃଷ୍ଣ ଗ୍ରାମରେ ଥିଲେ । ତାଙ୍କୁ ଖବର ଦିଅଗଲା । ସେ ତା ପୂର୍ବଦିନ ଭିଙ୍ଗାରପୁରରେ ପହଞ୍ଚିଲେ ଏବଂ ଏତେ କମ୍ ସମୟ ଭିତରେ ଏପରି ସୁନ୍ଦର ପଦକ୍ଷେପମାନ ଗ୍ରହଣ କଲେ ଯେ, ଇନ୍‍ସପେକ୍ଟରଙ୍କ ପରିଦର୍ଶନ ସମୟକୁ କୌଣସି ଅସୁବିଧା ନଥିଲା । ପରିଦର୍ଶନ ସମୟରେ ଇନ୍‍ସପେକ୍ଟର ଖୁବ୍ ସନ୍ତୋଷ ଲାଭ କଲେ ଏବଂ ପରିଦର୍ଶନ ମନ୍ତବ୍ୟରେ ସ୍କୁଲର ପୂର୍ବ ଦୁରବସ୍ଥା ଓ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ପରେ ବିଭିନ୍ନ ବିଭାଗରେ ସ୍କୁଲର ଉନ୍ନତି ହୋଇଥିବା ବିଷୟ ଉଲ୍ଲେଖକରି ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ-

 

ରାମକୃଷ୍ଣ ଭିଙ୍ଗାରପୁରର ଶ୍ରୀ ବକ୍ରେଶ୍ୱର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ପଣ୍ଡିତ ଲିଙ୍ଗରାଜ ମିଶ୍ର, ଡକ୍ଟର ହରେକୃଷ୍ଣ ମହତାବ, ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖ ନେତୃବର୍ଗ ସେଠାକୁ ଯାଇଥିଲେ । ଦିନେ ପୁରୀଜିଲା କଲେକ୍ଟର ଶ୍ରୀ ବିଶ୍ୱେଶ୍ୱର ପଟ୍ଟନାୟକ ହଠାତ୍ ବାଲିପାଟଣାରୁ ଆସି ପହଞ୍ଚିଗଲେ ଏହି ହାଇସ୍କୁଲରେ ଏବଂ ବଗିଚାରେ ଟିକିଏ ବୁଲାବୁଲି କରି କ୍ଳାସ ଦେଖିବାକୁ ଇଚ୍ଛା ପ୍ରକାଶ କଲେ । ଡ୍ରଇଂ ଶିକ୍ଷକଙ୍କ ଅନୁପସ୍ଥିତିରେ ପ୍ରଧାନ ଶିକ୍ଷକ ରାମକୃଷ୍ଣବାବୁ ବ୍ଳାକବୋର୍ଡ଼ରେ ଗୋଟିଏ ସୁନ୍ଦର ମୟୂର ଚିତ୍ର ଆଙ୍କିଦେଲେ । ଏହି କ୍ଷେତ୍ରରେ ସେ ନିଜର ଉପସ୍ଥିତ ବୁଦ୍ଧି ହେତୁ କଲେକ୍ଟରଙ୍କ ପ୍ରଶଂସା ଲାଭ କରିଥିଲେ । ଏହିପରି ବିଦ୍ୟାଳୟର ଉନ୍ନତି କଳ୍ପେ ବହୁ କାର୍ଯ୍ୟ କରି ସେସବୁରେ ରାମକୃଷ୍ଣ କୃତକାର୍ଯ୍ୟ ହୋଇଥିଲେ ଏବଂ ବହୁ ପ୍ରଶଂସାର ଅଧିକାରୀ ହୋଇଥିଲେ ।

 

ରାମକୃଷ୍ଣ ନିୟମ ଓ ଶୃଙ୍ଖଳାକୁ ମାନି ଚଳୁଥିଲେ । ତେଣୁ ତାଙ୍କ ସହକର୍ମୀମାନେ ମଧ୍ୟ ତାଙ୍କୁ ଅନୁସରଣ କରୁଥିଲେ । ସେମାନଙ୍କ ପୂର୍ଣ୍ଣ ସହଯୋଗ ସେ ପାଉଥିଲେ ଏବଂ ସ୍କୁଲର ଦ୍ରୁତ ଉନ୍ନତି ବିଧାନରେ ସଫଳ ହୋଇଥିଲେ । କର୍ତ୍ତବ୍ୟର ତାଡ଼ନାରେ ସେ କାହାକୁ କେତେବେଳେ ଶାସନ କରୁଥିଲେ ସୁଦ୍ଧା ତାଙ୍କ ଆଚରଣରେ କେହି କ୍ଷୁବ୍‍ଧ ହେଉ ନଥିଲେ । ଅନୁଷ୍ଠାନର କାର୍ଯ୍ୟ ଶୃଙ୍ଖଳାର ସହ ପରିଚାଳିତ ହେଉଥିବାରୁ ଏବଂ ବିଶ୍ୱବିଦ୍ୟାଳୟ ପରୀକ୍ଷା ଫଳରେ ଯଥେଷ୍ଟ ଉନ୍ନତି ଲକ୍ଷିତ ହେବାରୁ ସ୍କୁଲର ଆଭ୍ୟନ୍ତରୀଣ ବ୍ୟାପାରରେ ସେକ୍ରେଟାରୀ ବା ଅନ୍ୟ କୌଣସି କର୍ତ୍ତା ହସ୍ତକ୍ଷେପ କରୁ ନଥିଲେ ।

 

ଏପରି ଏକ ବାତାବରଣରେ ରହୁଥିବାରୁ ଛାତ୍ରମାନଙ୍କ ଆଚରଣରେ ସେପରି କିଛି ଗୁରୁତର ତ୍ରୁଟି ପ୍ରାୟ ପରିଲକ୍ଷିତ ହେଉ ନଥିଲା । ଯଦି କେତେବେଳେ ସେପରି କିଛି କଥା ଦୃଷ୍ଟିକୁ ଆସୁଥିଲା, ତେବେ ତାହା ପ୍ରଧାନ ଶିକ୍ଷକଙ୍କ କାନକୁ ଆସିବା ପୂର୍ବରୁ ସୁରୁଖୁରୁରେ ଶିକ୍ଷକମାନଙ୍କ ଦ୍ୱାରା ସମାଧିତ ହୋଇଯାଉଥିଲା । ଛାତ୍ରର ଅପରାଧ ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟିକୁ ଆସିଲେ, ଅପରାଧୀ ଛାତ୍ର ସ୍କୁଲ ଛୁଟିପରେ ଶଙ୍କିତ ଚିତ୍ତରେ ତାଙ୍କୁ ଦେଖା କରୁଥିଲା ଏବଂ ପ୍ରଧାନ ଶିକ୍ଷକ ଉପଦେଶ ଛଳରେ ଯେଉଁ ଦୁଇ ଚାରିପଦ କହୁଥିଲେ, ତାହାହିଁ ତାକୁ ସୁଧାରିବା ଦିଗରେ ଯଥେଷ୍ଟ ଥିଲା ।

 

ଶିକ୍ଷକମାନେ ମଧ୍ୟ ନୀତିବାଦୀ ଓ ଶୃଙ୍ଖଳ ଥିଲେ । ସ୍ୱଳ୍ପବେତନ ପାଉଥିଲେ ମଧ୍ୟ ଦିନେ ହେଲେ ସେମାନେ ଆଜିକାଲି ପରି ଧର୍ମଘଟ, ଅନଶନ, ଘେରାଉ ଆଦି କରୁ ନଥିଲେ । ସେମାନେ ନିଜ ଅବସ୍ଥାରେ କେବେ ସନ୍ତୁଷ୍ଟ ନଥିଲେ; କିନ୍ତୁ ବେତନ ବୃଦ୍ଧି ନିମନ୍ତେ ମିଳିତ ଆନ୍ଦୋଳନ କରିବା ବା ଛୁଟି ନେବା ସେମାନଙ୍କ କଳ୍ପନାର ବାହାରେ ଥିଲା । ରାମକୃଷ୍ଣବାବୁ ସେମାନଙ୍କ ଆର୍ଥିକ ଦୁରବସ୍ଥା ଜାଣି ସେମାନଙ୍କୁ ଥରେ ବେତନ ବୃଦ୍ଧି ପାଇଁ ଦରଖାସ୍ତ କରିବାକୁ କହିଲେ । ପରିଚାଳନା ସମିତିରେ ଏ ପ୍ରସଙ୍ଗ ଉପସ୍ଥାପିତ ହେବା ସମୟରେ ସେ କହିଲେ–“ଶିକ୍ଷକମାନଙ୍କ ଆନ୍ତରିକ ଉଦ୍ୟମ ଫଳରେ ସ୍କୁଲର ଛାତ୍ରସଂଖ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆର୍ଥିକ ଅବସ୍ଥାର ଉନ୍ନତି ଘଟିଛି-। ସଞ୍ଚିତ ଅର୍ଥରୁ ଅର୍ଦ୍ଧେକ ରିଜର୍ଭ ପାଣ୍ଠିରେ ଜମା ରଖି ଅବଶିଷ୍ଟ ଶିକ୍ଷକମାନଙ୍କୁ ଦିଆଯାଉ ।” ସ୍କୁଲର ଉନ୍ନତି ତାଙ୍କରି ଯୋଗୁଁ ହୋଇଥିବାରୁ ତାଙ୍କର ଦରମା କେବଳ ବଢ଼ୁ ବୋଲି ପରିଚାଳନା ସମିତିର ସଭାପତି ପ୍ରକାଶ କଲେ । କିନ୍ତୁ ସେମାନଙ୍କ ସହଯୋଗ ବିନା ଏ ଉନ୍ନତି ସମ୍ଭବ ହୋଇପାରି ନଥାନ୍ତା ବୋଲି କହି ସେମାନଙ୍କ ଦାବିର ସୁବିଚାର ହେଉ ବୋଲି ରାମକୃଷ୍ଣ ମତ ଦେଲେ । ତାଙ୍କ କଥା ରହିଲା । ପରିଚାଳନା ସମିତିର ସଭ୍ୟମାନେ କିନ୍ତୁ ସେହି ଭାର ରାମକୃଷ୍ଣଙ୍କ ଉପରେ ପକାଇଦେଲେ । ରାମକୃଷ୍ଣଙ୍କ ପ୍ରସ୍ତାବ ଅନୁଯାୟୀ ସମସ୍ତଙ୍କ ବେତନ ସ୍ଥିର କରାଗଲା । ଶେଷକୁ ତାଙ୍କ ପାଇଁ ରହିଲା ମାତ୍ର ଅଠର ଟଙ୍କା । ମାସିକ ବେତନରେ ଅଧିକ ଅଠର ଟଙ୍କା ପାଇ ରାମକୃଷ୍ଣ ସନ୍ତୁଷ୍ଟ ହେଲେ ।

 

ରାମକୃଷ୍ଣ ଭିଙ୍ଗାରପୁରରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାର ତିନି ବର୍ଷ ପୂରିଗଲା ପରେ ଦେଖାଗଲା ସେ ଯଥାସାଧ୍ୟ ଚେଷ୍ଟା କରି ବିଦ୍ୟାଳୟର ଛାତ୍ରସଂଖ୍ୟା ବଢ଼ାଇ ଦେଇଥିଲେ । ଫଳରେ ଏହା ଏକ ବର୍ଦ୍ଧିଷ୍ଣୁ ଅନୁଷ୍ଠାନରେ ପରିଣତ ହୋଇ ଯାଇଥିଲା । ଏହା ରାମକୃଷ୍ଣଙ୍କୁ ଛାତ୍ର, ଅଭିଭାବକ ତଥା ଚୌଧୁରୀ ପରିବାରର ଶ୍ରଦ୍ଧା ଭାଜନ କରିଥିଲା । ଏଥିପାଇଁ ସେ ମଧ୍ୟ ନିଜକୁ ଧନ୍ୟ ମନେକଲେ । ଏଠାରେ ଆର୍ଥିକ ସୁବିଧା ବ୍ୟତୀତ ଅନ୍ୟ ସମସ୍ତ ସୁବିଧା ମିଳୁଥିଲା । ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବାରୁ ପରିବାର, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀଙ୍କ ସହିତ ସହଜରେ ଅଳ୍ପ ସମୟ ମଧ୍ୟରେ ସେ ସଂପର୍କ ରକ୍ଷା କରିପାରୁଥିଲେ । ତେଣୁ ସେଠାରେ ସେ ବେଶ୍ ଶାନ୍ତିରେ ଥିଲେ ।

 

ଏହି ସମୟରେ ସେ ନିଜ ପ୍ରକାଶକ ଶ୍ରୀ ଉମାଚରଣ ମହାନ୍ତିଙ୍କଠାରୁ ଖଣ୍ଡିଏ ଚିଠି ପାଇଲେ । ଉମାଚରଣବାବୁ ଲେଖିଥିଲେ “ତୁମର ଚାକିରି କରିବା ମନୋବୃତ୍ତି ନାହିଁ ବୋଲି ପୂର୍ବରୁ କହୁଥିଲ । କଟକରେ ପ୍ରେସ୍‌ଟିଏ ଆରମ୍ଭ କରିଛି । ଯଦି ଆସିବ, ସାଙ୍ଗ ହୋଇ ପ୍ରେସ୍ ବ୍ୟବସାୟ କରିବା । ମୋ କଥାରେ ଚାକିରି ଛାଡ଼ି ଆସିବା ପାଇଁ ମୁଁ ଅବଶ୍ୟ କହୁନାହିଁ । ଭଲ ଭାବରେ ଚିନ୍ତା କରିବ, ଯାହା ଠିକ୍ ଭାବିବ କରିବ ।”

 

ଚିଠି ଖଣ୍ଡିକ ପାଇବା ପରେ ରାମକୃଷ୍ଣ ଚାରିଆଡ଼ୁ ଭାବିଲେ । ଏଠାରେ ସେ ଭଲରେ ଅଛନ୍ତି, ବହୁସୁନାମ ଲାଭ କରିଛନ୍ତି । ଜୀବନ ସୁରୁଖୁରୁରେ କଟିଯାଉଛି । ବେକରେ ବହୁପ୍ରାଣୀ ବନ୍ଧା । ଚାକିରି ଛାଡ଼ି ବ୍ୟବସାୟ କରିବା ପାଇଁ ପୁଞ୍ଜି ଦରକାର । ଅଭିଜ୍ଞତା ନଥିବାରୁ ବ୍ୟବସାୟରେ ବିଫଳ ମଧ୍ୟ ହୋଇପାରନ୍ତି । ପୁଣି ଭାବିଲେ, ଏହା ଏକ ସୁଯୋଗ । ଏ ସୁଯୋଗକୁ କରଛଡ଼ା କରିଦେଲେ ହୁଏତ ଏହା ଆଉ ମିଳି ନପାରେ । ହେନେରି ଫୋର୍ଡ଼ଙ୍କ ଉକ୍ତିଟି ତାଙ୍କର ମନେପଡ଼ିଲା-Opportunity is Wealth; ସୁଯୋଗ ହିଁ ସମ୍ପଦ । ପୁଣି ମନ ଭିତରକୁ ପଶିଆସିଲା ପ୍ରାଚୀନ ନୀତିବଚନ ଧ୍ରୁବକୁ ତ୍ୟାଗ କରି ଅଧ୍ରୁବ ପଛରେ ଧାଇଁଲେ ମଣିଷ ସର୍ବସ୍ୱାନ୍ତ ହୁଏ । ତାପରେ ସେ ଭାବିଲେ, ବ୍ୟବସାୟକୁ ଯାଉଥିବା ବ୍ୟକ୍ତି ପକ୍ଷରେ ଏ ନୀତି ବୋଧହୁଏ ଗ୍ରହଣୀୟ ନୁହେଁ । ତା’ଛଡ଼ା ତାଙ୍କ ପିଲାଙ୍କର ଭବିଷ୍ୟତ ଅଛି । ସେମାନଙ୍କୁ ମଣିଷ କରିବା ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । ଏହି ଚାକିରିରେ ରହି ସେମାନଙ୍କୁ ମଣିଷ କରିବା ଅସମ୍ଭବ । ତେଣୁ ପୁଣି ସଂଗ୍ରାମ କରିବାକୁ ହେବ, ଜୀବନର ସଂଗ୍ରାମ, କଠୋର ଜୀବନ ସଂଗ୍ରାମ ।

 

ସଂଗ୍ରାମ ତାଙ୍କ ଜୀବନର ସାଥୀ । ସଂଗ୍ରାମ ପଥରେ ସେ ଏ ପର୍ଯ୍ୟନ୍ତ ଆଗେଇ ଆସିଛନ୍ତି । କାହାରି ସହିତ ପରାମର୍ଶ ନକରି ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ । ନୂତନ ସଂଗ୍ରାମ ପାଇଁ ପ୍ରସ୍ତୁତ ହୋଇ ସେ ସେକ୍ରେଟାରୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଦେଲେ । ସେକ୍ରେଟାରୀ ଗଙ୍ଗାଧରିବାବୁ ଏତେ ଶୀଘ୍ର ତାଙ୍କ ଇସ୍ତଫା ଆଶା କରିପାରି ନଥିଲେ । ସେ ରାମକୃଷ୍ଣଙ୍କ ନିକଟକୁ ଆସି ଆଉ କିଛିଦିନ ରହିଯିବା ପାଇଁ ଅନୁରୋଧ କଲେ । କିନ୍ତୁ ରାମକୃଷ୍ଣ ଏଥିରେ ରାଜି ହେଲେ ନାହିଁ । ସ୍କୁଲ ଅବସ୍ଥା ବଦଳିଯାଇଥିବା ଦୃଷ୍ଟିରୁ ସହକାରୀ ପ୍ରଧାନ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାଇବା ପାଇଁ ଯୋଗ୍ୟ ବୋଲି ସେ କହିଲେ । ତାଙ୍କ ଇସ୍ତଫା ଗୃହୀତ ହେଲା । ସମସ୍ତ ମାୟା ମମତା ତୁଟାଇ ୧୯୪୬ ଅପ୍ରେଲ ୧୦ ତାରିଖରେ ସେ ଭିଙ୍ଗାରପୁର ପରିତ୍ୟାଗ କଲେ ।

 

(ଗ) ସ୍ୱାଧୀନ ବୃତ୍ତି

 

ପିଲାମାନଙ୍କୁ ଧରି ଗ୍ରାମକୁ ଫେରିଲେ ରାମକୃଷ୍ଣ । ସେବେବେଳକୁ ସେ ଚାରିଗୋଟି କନ୍ୟା ଓ ଗୋଟିଏ ପୁତ୍ରର ଜନକ । ଭିଙ୍ଗାରପୁରରେ ଶିକ୍ଷକତା କରୁଥିବାବେଳେ ତାଙ୍କର ପୁତ୍ର ସନ୍ତାନଟିଏ ଲାଭ ହୋଇଥିଲା ୧୯୪୩ ଅକ୍ଟୋବର ୨୧ ତାରିଖରେ । ଚାରିକନ୍ୟା ପରେ ପୁତ୍ରଟିଏ ପାଇ ତାଙ୍କ ସ୍ତ୍ରୀଙ୍କର ମନ ଆନନ୍ଦରେ ପୂରି ଉଠିଲା । ପ୍ରଭାତ କାଳରେ ଜନ୍ମ ବୋଲି ପୁତ୍ରଟିର ନାମ ରଖାଯାଇଥିଲା ପ୍ରଭାତ । ରାମକୃଷ୍ଣଙ୍କର ଅନ୍ୟ ତିନିଭାଇ ମଧ୍ୟ ଗ୍ରାମରେ ରହୁଥିଲେ । ସେମାନେ ଇତି ମଧ୍ୟରେ ପୃଥକ ହୋଇଯାଇଥିଲେହେଁ ସେମାନଙ୍କ ମଧ୍ୟରେ ପୂର୍ବର ସଦ୍‍ଭାବ ଅତୁଟ ରହିଥିଲା-

 

ରାମକୃଷ୍ଣଙ୍କ ଉଚ୍ଚଶିକ୍ଷା ମୂଳରେ ଥିଲେ ତାଙ୍କ ଶ୍ୱଶୁର ବଳରାମ ମିଶ୍ର । ତାଙ୍କରି ପ୍ରେରଣା ଓ ସାମୟିକ ସାହାଯ୍ୟ ରାମକୃଷ୍ଣଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇଥିଲା; କିନ୍ତୁ ଦୁଃଖର କଥା, ସେ ମଧ୍ୟ ଇତି ମଧ୍ୟରେ ସ୍ୱର୍ଗାରୋହଣ କରିସାରିଥିଲେ । ସେ ସମୟକୁ ଦେଶର ଅର୍ଥନୀତି ଓ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀବାସୀ ସିନା ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ, କିନ୍ତୁ ତାର ପରବର୍ତ୍ତୀକାଳୀନ ପ୍ରଭାବ ଆଜି ମଧ୍ୟ ଦେଶବାସୀଙ୍କୁ ଭୋଗ କରିବାକୁ ପଡ଼ୁଛି । ଲୁଗା, ଚିନି, ମିଶ୍ରି, କିରୋସିନି ପ୍ରଭୃତି କେତେକ ଅତ୍ୟାବଶ୍ୟକ ଦ୍ରବ୍ୟକୁ ସରକାର କଣ୍ଟ୍ରୋଲ ବା ନିୟନ୍ତ୍ରଣ କଲେ । ପୂର୍ବରୁ ବଜାର କିନ୍ତୁ ସଂପୂର୍ଣ୍ଣ ଖୋଲାଥିଲା । ଯୁଦ୍ଧପରେ ନିୟନ୍ତ୍ରଣ ଆଇନ ଜାରି ହେବାରୁ ଆମ ଭାଷାରେ ‘କଳା ବଜାର’, ‘ଚୋରା ବଜାର’, ‘କିଳାପୋତେଇ’, ‘କୋଟା’ ଆଦି କେତୋଟି ନୂଆ ଶବ୍ଦ ପ୍ରବେଶ କରିଥିଲା ଏବଂ ମୂଳରୁ ଚୂଳ ପର୍ଯ୍ୟନ୍ତ ଦୁର୍ନୀତି ବ୍ୟାପିଯାଇଥିଲା ।

 

ପିଲାମାନଙ୍କୁ ଗ୍ରାମରେ ଛାଡ଼ି ରାମକୃଷ୍ଣ କଟକ ଆସିଲେ । ଉମାଚରଣବାବୁ ନିଜ ତେଲେଙ୍ଗା ବଜାର ବାସଭବନର ଗୋଟିଏ ଅଂଶରେ ପୁରୁଣା ହ୍ୟାଣ୍ଡ ପ୍ରେସ୍‍ଟିଏ କିଣି ତାକୁ ଚାଲୁ କରୁଥାନ୍ତି । ରାମକୃଷ୍ଣ ନିକଟବର୍ତ୍ତୀ ଏକ ମେସ୍‍ରେ ରହି ଉମାଚରଣ ବାବୁଙ୍କ ପ୍ରେସ୍‍ରେ ଯୋଗଦେଲେ । ପ୍ରେସ୍‍ର ପରିଚାଳନା, ଦାୟିତ୍ୱରେ ଥିଲେ ଜଣେ ବୃଦ୍ଧ ତଥା ଅଭିଜ୍ଞ ମ୍ୟାନେଜର । ପ୍ରତିଦିନ ସେଠାରେ ସେ ବିଭିନ୍ନ ବିଭାଗର କାମ ଦେଖିଲେ । ତାଙ୍କୁ ଏ କାମ ଶିଖିବାକୁ କେତେଦିନ ଲାଗିବ ? କାମ ଶିଖିଲାପରେ ସେଠାରେ ତାଙ୍କର ସ୍ଥାନ କ’ଣ ହେବ ? ଇତ୍ୟାଦି କେତେକ ପ୍ରଶ୍ନ ତାଙ୍କ ମନରୁ ଆନ୍ଦୋଳିତ କଲା । ଉମାଚରଣବାବୁଙ୍କ ସହିତ ତାଙ୍କର ଏ ସମ୍ପର୍କରେ ଆଲୋଚନା ହେଲା; କିନ୍ତୁ ସେ ସନ୍ତୋଷ ଲାଭ କରିପାରିଲେ ନାହିଁ । ତାଙ୍କର ମନେହେଲା, ସତେ ଯେପରି ସେ କୁହୁଡ଼ି ପହଁରୁଛନ୍ତି ।

 

ରାମକୃଷ୍ଣ ଶେଷରେ ସ୍ଥିର କଲେ ଯେ ସେ ଉମାଚରଣବାବୁଙ୍କ ସହିତ ମିଶି ପ୍ରେସ୍ ବ୍ୟବସାୟ ନକରି ନିଜେ ସ୍ୱାଧୀନ ଭାବରେ ପ୍ରେସ୍‍ଟିଏ କରିବେ । କାରଣ ଅର୍ଥହିଁ ଅନର୍ଥର ମୂଳ କାରଣ । ବ୍ୟବସାୟର ଲାଭକ୍ଷତିକୁ ନେଇ ଭବିଷ୍ୟତରେ ସେ ଦୁହିଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବା ଅସମ୍ଭବ ନୁହେଁ । ଏହାଦ୍ୱାରା ଦୁହିଙ୍କ ମଧ୍ୟରେ ଥିବା ବନ୍ଧୁତା ନଷ୍ଟ ହେବ ଓ ସେମାନେ ଶେଷକୁ ଲୋକହସା ହେବେ । ବରଂ ନିଜେ ଆଡ଼େଇ ଗଲେ ବନ୍ଧୁତା ଅତୂଟ ରହିବ । ଏଇ ମର୍ମରେ ସେ ଉମାଚରଣବାବୁଙ୍କୁ ବୁଝାଇଦେଲେ ଏବଂ ସ୍ୱାଧୀନ ବ୍ୟବସାୟ ପାଇଁ ଆଗେଇ ଆସିଲେ ।

 

ବ୍ୟବସାୟ ପାଇଁ ମୂଳଧନ ଆବଶ୍ୟକ । କିନ୍ତୁ ତାଙ୍କର ମାତ୍ର ତିନି ହଜାର ଟଙ୍କା ଉମାଚରଣବାବୁଙ୍କ ପାଖରେ ଗଚ୍ଛିତ ଥିଲା । ଏହାକୁ ମୂଳଧନ କରି ତାଙ୍କୁ ପ୍ରେସ୍ ବ୍ୟବସାୟ କରିବାକୁ ହେବ । ମୂଳଧନ ତିନିହଜାର ଟଙ୍କା, ପ୍ରେସ୍ କାମରେ ପନ୍ଦର ଦିନର ତାଲିମ କଟକରେ ଖଣ୍ଡିଏ ଘର ଏବଂ ଦୃଢ଼ ଆତ୍ମପ୍ରତ୍ୟୟ ଏଇ ହେଲା ତାଙ୍କ ନୂତନ ଜୀବନର ପାଥେୟ, ପରବର୍ତ୍ତୀ ଜୀବନ ସଂଗ୍ରାମର ଅସ୍ତ୍ର ।

 

ତିନିମାସ ପରେ ସେ ପିଲାମାନଙ୍କୁ କଟକ ନେଇ ଆସି ତଳ ତେଲେଙ୍ଗା ବଜାରରେ ତୋଳିଥିବା ନିଜର ନୂଆ ଘରେ ରହିଲେ । ଏହି ଘରର ଜମି ଖଣ୍ଡିକ ତାଙ୍କୁ ଉମାଚରଣ ବାବୁ କିଣାଇ ଦେଇଥିଲେ । ତାଙ୍କରି ତତ୍ତ୍ୱାବଧାନରେ ସେ ଘର ତିଆରି ଆରମ୍ଭ କରିଥିଲେ ୧୯୪୧ରେ ଏବଂ ତାହା ଶେଷ ହୋଇଥିଲା ୧୯୪୩ରେ । ଏଥିରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ସେ ବହିଲେଖା ପାରିଶ୍ରମିକରୁ ପାଇଥିଲେ ।

 

ପ୍ରାୟ ଏକବର୍ଷ ବିତିଗଲା; କିନ୍ତୁ ସେ ପ୍ରେସ୍ କରିପାରିଲେ ନାହିଁ । ପୁରୁଣା ପ୍ରେସ୍‍ଟଏ ପାଇ ତାକୁ ଚାଲୁକରିବା ବିଶେଷ ଅସୁବିଧାଜନକ ନୁହେଁ; କିନ୍ତୁ ସଂପୂର୍ଣ୍ଣ ନୂଆ ପ୍ରେସ୍‍ଟିଏ କରିବାକୁ ହେଲେ ଅନେକ ପ୍ରକାର ଜିନିଷ ସଂଗ୍ରହ କରିବାକୁ ପଡ଼େ । ଏ କ୍ଷେତ୍ରରେ ନୂଆ ହେତୁ କେଉଁଠି ପ୍ରେସ୍‍ର କି ଜିନିଷ ମିଳେ ତାହା ମଧ୍ୟ ତାଙ୍କୁ ଜଣା ନଥିଲା । ବେଶି ବିଳମ୍ୱ ମଧ୍ୟ ତାଙ୍କୁ ଧୈର୍ଯ୍ୟହରା କରୁଥିଲା । ତେଣେ ହିତକାମୀ ବନ୍ଧୁମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ତାଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ମନ୍ତବ୍ୟ ଦେଉଥାନ୍ତି ଯେ, ଏ ବୟସରେ ଏପରି ଦୁଃସାହସ କରିବା ଉଚିତ ନଥିଲା ।

 

ବିଳମ୍ୱର କିଛି କାରଣ ଥିଲା । ଯୁଦ୍ଧପରେ କାଗଜର ଘୋର ଅଭାବ ଘଟିବାକୁ ସରକାର କାଗଜ ଉପରେ ନିୟନ୍ତ୍ରଣ ନିୟମ ଲାଗୁ କରିଥିଲେ । ପୁଣି ସେତେବେଳେ ନୂଆ ପ୍ରେସ୍‍ଟିଏ ବସାଇବାକୁ ହେଲେ ସରକାରଙ୍କ ଅନୁମତି ନେବାକୁ ପଡ଼ୁଥିଲା । ନିୟମ ଅନୁସାରେ ସେ ସଂପୃକ୍ତ ବିଭାଗକୁ ଦରଖାସ୍ତ କଲେ । ଅନୁମତି ଦେବା ପୂର୍ବରୁ ସରକାର କଟକର ପୁସ୍ତକ ପ୍ରକାଶକ ସଂଘ ଓ ମୁଦ୍ରାକର ସଂଘର ମତାମତ ଲୋଡ଼ିଲେ । ମୁଦ୍ରାକର ସଂଘ କାଗଜର ଅଭାବ ଦର୍ଶାଇ ନୂତନ ପ୍ରେସ୍ ବସାଇବା ବିରୋଧରେ ମତ ଦେଲେ । କିନ୍ତୁ ପୁସ୍ତକ ପ୍ରକାଶକ ସଂଘ ଭିନ୍ନମତ ଦେଲେ । ଯାହାହେଉ, ଅଳ୍ପଦିନ ମଧ୍ୟରେ ସରକାରୀ ଅନୁମତି ମିଳିଗଲା । ସେତେବେଳକୁ ପ୍ରେସ୍‍ର କେତେକ ଆବଶ୍ୟକ ଉପକରଣ କିଣା ସରିଥାଏ; କିନ୍ତୁ ଅସଲ ଜିନିଷ ମୁଦ୍ରାଯନ୍ତ୍ରଟି ହାତକୁ ଆସି ନ ଥାଏ ।

 

ହାତରେ ପୁଞ୍ଜି କମ୍ । ଉପକରଣ କିଣିବାରେ ଏକ ହଜାର ଖର୍ଚ୍ଚ ହେବାପରେ ହାତରେ ଥାଏ ଆଉ ଦୁଇ ହଜାର । ତେଣୁ ପୁରୁଣା ମେସିନ୍‍ଟିଏ କିଣିବା ପାଇଁ ସେ ମନସ୍ଥ କରିଥାନ୍ତି । ଯେଉଁଠାରେ ପୁରୁଣା ମେସିନ୍‍ଟିଏ ଅଛି ବୋଲି ଶୁଣନ୍ତି, ସେଠାକୁ ଧାଆନ୍ତି । କିନ୍ତୁ ମନ ମାନେ ନାହିଁ-। ଏହି ସମୟରେ ସେ ଶୁଣିବାକୁ ପାଇଲେ, କଲିକତାରେ ଗୋଟିଏ ପ୍ରତିଷ୍ଠାନ ‘ଭାରତୀ’ ଟ୍ରେଡ଼ଲ ମେସିନ୍ ତିଆରି କରି ଯୋଗାଉଛନ୍ତି । ତା’ର ମୂଲ୍ୟ ଦୁଇହଜାର ପଡ଼ୁଛି । ପଣ୍ଡିତ ଗୋଦାବରୀଶ ମିଶ୍ର ସେଥିରୁ ଗୋଟିଏ କିଣି କଟକ ବକ୍‍ସି ବଜାରରେ ପ୍ରେସ୍‍ଟିଏ କରିଥିଲେ ।

 

ସେହି ପ୍ରେସ୍‍କୁ ଯାଇ ରାମକୃଷ୍ଣ ଦେଖିଲେ ଯେ ଉକ୍ତ ଛାପାକଳକୁ ଦୁଇଜଣ ଲୋକ ଗୋଡ଼ରେ ମାଡ଼ିବସି ଚଳାଉଛନ୍ତି । ସେଥିରେ ଥରକେ ବହିର ଚାରିପୃଷ୍ଠା ଛପାହୋଇ ପାରୁଛି । ମନକୁ ନପାଇଲେ ବି ମୂଲ୍ୟ ଦୃଷ୍ଟିରୁ ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିଲା । ବାଧ୍ୟ ହୋଇ ସେ ‘ଭାରତୀ’ ଟ୍ରେଡ଼ଲ୍ ମେସିନ ପାଇଁ କଲିକତାର ସଂପୃକ୍ତ କଂପାନୀ ପାଖକୁ ଛଅ ଶହ ଟଙ୍କା ଅଗ୍ରିମ ସହ ଅର୍ଡ଼ର ପଠାଇଦେଲେ ।

 

ଏହି ସମୟ ମଧ୍ୟରେ ପ୍ରେସ୍ ଉପକରଣ ସଂଗ୍ରହ ଚାଲିଥାଏ; ତା ସହିତ ପ୍ରେସ୍ କାମ ମଧ୍ୟ ଶିଖା ଚାଲିଥାଏ । ହିନ୍ଦୀ, ଇଂରାଜୀ ଓ ବଙ୍ଗଳାରେ ଲିଖିତ ମୁଦ୍ରଣଯନ୍ତ୍ର ସମ୍ୱନ୍ଧୀୟ କେତେଖଣ୍ଡି ପୁସ୍ତକ କିଣିଆଣି ସେ ପଢ଼ିବାରେ ଲାଗିଲେ ଏବଂ ଯାହା ଶିଖିଲେ, ଘରେ ବସି ତାହା ଅଭ୍ୟାସ କଲେ । ଓଡ଼ିଆ ଓ ଇଂରାଜୀରେ ଅକ୍ଷର ଖଞ୍ଜିବା କାମ ମଧ୍ୟ ସେ ଶିଖିଲେ । ପ୍ରେସ୍‍ଟିଏ କରିଛନ୍ତି ଶୁଣି କେତେକ ବନ୍ଧୁ ଛାପା କାମର ବରାଦ ଦେଲେ । କିନ୍ତୁ ସେମାନେ ଜାଣି ନଥିଲେ ଯେ ଛାପାଯନ୍ତ୍ରର ଅଭାବରେ ପ୍ରେସ୍ କାମ ହୋଇପାରୁନି ।

 

ପାରିଜାତ ପ୍ରେସ୍ ସ୍ଥାପନ :

 

ରାମକୃଷ୍ଣ ଖବର ପାଇଲେ ଯେ ଦାଶରଥି ପ୍ରେସ୍‍ର ମାଲିକଙ୍କ ନିକଟରେ ଗୋଟିଏ ଛୋଟ ହ୍ୟାଣ୍ଡ ପ୍ରେସ୍ ଅଛି; କିନ୍ତୁ ସେ ବ୍ୟବହାର କରୁ ନାହାନ୍ତି । ତାଙ୍କ ପାଖକୁ ଯାଇ ମାଗିବାରୁ ସେ ଆନନ୍ଦରେ ସେଇଟିକୁ ଦେଇଦେଲେ । ଛାପାକଳଟି ହସ୍ତଗତ ହେବା ପରେ ୧୯୪୭ ଜୁଲାଇ ୨୧ ତାରିଖରେ ପ୍ରେସ୍ ଆରମ୍ଭ ହେଲା । ତାହାର ନାମ ରଖାଗଲା ‘ପାରିଜାତ ପ୍ରେସ୍’ ।

 

କଲିକତାରୁ ଛାପାକଳ ଆସିବାରେ ବିଳମ୍ୱ ହେଲା । ସେହି କଂପାନୀ ସହିତ କଟକର H.Naik & Co.ର ପ୍ରତିଷ୍ଠାତା ଶ୍ରୀ ହୃଦାନନ୍ଦ ନାୟକଙ୍କର ଜଣାଶୁଣା ଥିବାର ଜାଣି ରାମକୃଷ୍ଣ ତାଙ୍କ ସାହାଯ୍ୟପ୍ରାର୍ଥୀ ହେଲେ ଓ ତାଙ୍କ ସୁପାରିଶକ୍ରମେ ପନ୍ଦର ଦିନ ଭିତରେ ‘ଭାରତୀ ଟ୍ରେଡ଼ଲ୍’ କଲିକତାରୁ ଆସି ପହଞ୍ଚିଗଲା । ରାମକୃଷ୍ଣଙ୍କ ଆନନ୍ଦର ସୀମା ନଥାଏ । କାରଣ ସେହି ମେସିନ୍‍ଟି ବସିଯିବା ପରେ ତାଙ୍କ ‘ପାରିଜାତ ପ୍ରେସ୍’ ଜୀବନ୍ୟାସ ପାଇବ ଏବଂ ତାଙ୍କ ଜୀବନ-ସଂଗ୍ରାମ ନୂତନ ମୋଡ଼ ନେବ ।

 

ପ୍ରେସ୍ ପାଇଁ ଭଲ କର୍ମଚାରୀ ମିଳୁ ନଥିଲେ । କିଛି ଅଭିଜ୍ଞତା ଥିବା ଯେଉଁ କର୍ମଚାରୀ ମିଳିଲେ ସେମାନେ ଥିଲେ କଟକ ବାସିନ୍ଦା । ଗୋଟିଏ ପ୍ରେସ୍‍ରେ ସ୍ଥାୟୀଭାବରେ ରହିବାର ମନୋବୃତ୍ତି ସେମାନଙ୍କର ନଥିଲା । ତେଣୁ ମଫସଲରୁ କିଛି ଗରିବ ପିଲା ଆଣି ସେମାନଙ୍କୁ କାମ ଶିଖାଇ ପାଖରେ ରଖିବାକୁ ସ୍ଥିର କଲେ । ଏପରି କରି ଦେଖିଲେ ଯେ ଶିଖାଳିଙ୍କୁ ନେଇ ବ୍ୟବସାୟ ଚାଲିପାରିବ ନାହିଁ । ସେମାନଙ୍କଯୋଗୁଁ କାମ ତ ଭଲ ହେଲା ନାହିଁ, ପ୍ରେସ୍‌ର ଅକ୍ଷର ଓ ଅନ୍ୟାନ୍ୟ ଉପକରଣମାନ ମଧ୍ୟ ଖରାପ ହୋଇଗଲା । କ୍ଷତି ଛଡ଼ା ଲାଭ ନାହିଁ । ଫଳରେ ତାଙ୍କୁ ଶାନ୍ତି ମିଳିଲା ନାହିଁ । ପ୍ରେସ୍ କାମରେ ଅଭିଜ୍ଞତା ଅର୍ଜନ କରିଥିବା ନିଜର ପୁରାତନ ଛାତ୍ରଟିଏ ଆଣି ସେ ପ୍ରେସ୍‍ରେ ମ୍ୟାନେଜର କରିଦେଲେ । ଭାବିଥିଲେ, ପରିଚାଳକ ଓ ସହକାରୀମାନଙ୍କ ସାହାଯ୍ୟରେ ପ୍ରେସ୍‍ ଚଳାଇ ସେଥିରୁ ଆଶାନୁରୂପ ଲାଭ ପାଇବେ ଏବଂ ଅବସରବେଳେ ଲେଖାପଢ଼ାରେ ମନ ଦେବା ସଙ୍ଗେ ସଙ୍ଗେ ପିଲାମାନଙ୍କର ଉପଯୁକ୍ତ ତତ୍ତ୍ୱ ନେଇପାରିବେ । କିନ୍ତୁ ତାଙ୍କର ଏ ଧାରଣା ମଧ୍ୟ ଭ୍ରାନ୍ତ ପ୍ରମାଣିତ ହେଲା । ଯେଉଁମାନେ ତାଙ୍କୁ ଛାପିବା ପାଇଁ କାମ ଦେଉଥିଲେ, ସେମାନଙ୍କୁ ଉନ୍ନତ ମାନର କାମ ଦେଇ ସନ୍ତୁଷ୍ଟ କରିବା ଉଚିତ । ଏଥିପାଇଁ ତାଙ୍କୁ ସବୁ କାମ ଛାଡ଼ି ମୁଦ୍ରଣ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ିଲା; ଅନ୍ୟ ସମସ୍ତ କାମ ଅବହେଳିତ ହେଲା । ଉପଯୁକ୍ତ କର୍ମଚାରୀଙ୍କ ଅଭାବରେ ମୁଦ୍ରଣର ମାନ ଆଶାନୁରୂପ ହୋଇପାରିଲା ନାହିଁ ।

 

ଦିନେ ପ୍ରେସ୍ ଓ ପୁସ୍ତକ ବ୍ୟବସାୟରେ ଅଭିଜ୍ଞ ଶ୍ରୀ ଲକ୍ଷ୍ମୀଧର ଗରାବଡ଼ୁଙ୍କ ସଙ୍ଗେ ତାଙ୍କର ସାକ୍ଷାତ ହେଲା । ତାଙ୍କ ପରାମର୍ଶ ଲୋଡ଼ିବାକୁ ସେ କହିଲେ ଯେ ନିଜେ ଚବିଶ ଘଣ୍ଟା ନିକିମା ନହେଲେ ଭଲ ପ୍ରେସ୍‍ଟିଏ କରି ହେବ ନାହିଁ । ଭଲ ପ୍ରେସ୍‌ଟିଏ କରିବାର ଇଚ୍ଛା ଥିବାରୁ ରାମକୃଷ୍ଣ ପ୍ରେସ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଦାୟିତ୍ୱ ଗ୍ରହଣ କଲେ । ସେତେବେଳେ ସେ ବହି ରୟାଲଟି ବାବଦ ଭଲ ପଇସା ପାଉଥିଲେ । ସେଥିରୁ ଘରଖର୍ଚ୍ଚ ଚଳାଇ ବଳକା ପଇସାରେ ଆଉ ଗୋଟିଏ ଜାପାନୀ ମୁଦ୍ରାଯନ୍ତ୍ର କିଣିଲେ । ପ୍ରାୟ ଚାରିହଜାର ଟଙ୍କା ପଡ଼ିଲା । ଏଥିରେ ଥରକେ ବହିର ଆଠ ପୃଷ୍ଠା ଛାପା ହୋଇପାରିଲା । ଫଳରେ ପୂର୍ବାପେକ୍ଷା ଅଧିକ କାମ ହୋଇପାରିଲା । ସେତିକିରେ ସେ ସନ୍ତୁଷ୍ଟ ରହିଲେ । ଅଧିକ ଲାଭ ଆଶାରେ ପ୍ରେସ୍‍ଟି ଆଉ ନବଢ଼ାଇ ସେଇଟିକୁ ସୁପ୍ରତିଷ୍ଠିତ କରି ତାର ସ୍ୱାତନ୍ତ୍ର୍ୟ କିପରି ରକ୍ଷା କରିପାରିବେ, ସେହି ଦିଗରେ ଅଧିକ ଧ୍ୟାନ ଦେଲେ ।

 

ପ୍ରେସ୍‍ର ପରିଚାଳନାରେ ସେ କେବଳ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ରହିଲେ ନାହିଁ, ପ୍ରେସ୍‍ର ସୁନାମ ଆଣିବା ନିମିତ୍ତ ଦୁଇଟି କଥା ଉପରେ ଅଧିକ ଦୃଷ୍ଟି ଦେଲେ । ସେ ଦୁଇଟି ହେଉଛି–ଶୁଦ୍ଧ ଓ ସୁନ୍ଦର ମୁଦ୍ରଣ ଏବଂ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ ସମାପନ । ପ୍ରଥମଟି ଅପେକ୍ଷାକୃତ ସହଜ; ମାତ୍ର ଦ୍ୱିତୀୟଟି ଏତେ ସହଜ ନୁହେଁ । କୌଣସି ପ୍ରେସ୍ ଠିକ୍ ସମୟରେ କାମ ଦେଇପାରେନା - ଏହାକୁ ଏକ ସ୍ୱତଃସିଦ୍ଧ ରୂପେ ଗ୍ରହଣ କରି କର୍ମଚାରୀମାନେ ଅବିଚଳିତ ରହନ୍ତି । ଫଳରେ ଉଦ୍ଦେଶ୍ୟ ସାଧିତ ହୁଏନି । ରାମକୃଷ୍ଣଙ୍କ ‘ପାରିଜାତ ପ୍ରେସ୍’ରେ ମଧ୍ୟ ସେହିପରି ପରିସ୍ଥିତି ଉପୁଜିଲା । ଜଣେ ଲୋକ ପ୍ରେସ୍‍ର ସମସ୍ତ କାମ କରିପାରିବ ନାହିଁ; ଅନ୍ୟମାନଙ୍କୁ ନେଇ ଚଳିବାକୁ ହେବ । ତେଣୁ ରାମକୃଷ୍ଣ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦେବାର ବ୍ୟବସ୍ଥା କଲେ ।

 

ରାମକୃଷ୍ଣ କିଛିଦିନ ଶିକ୍ଷା ବିଭାଗରେ କାର୍ଯ୍ୟ କରିଥିବା ଯୋଗୁ ତାଙ୍କ ପାଖକୁ ସ୍କୁଲ ଓ କଲେଜର ପତ୍ରପତ୍ରିକା, ପରୀକ୍ଷା ପ୍ରଶ୍ନ ଇତ୍ୟାଦି ଛପା ହେବାକୁ ଆସୁଥିଲା । ସେଥିପାଇଁ ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ ଓ ବଙ୍ଗଳା ଜ୍ଞାନ ପ୍ରୟୋଜନ । ଉର୍ଦ୍ଦୁ କାମ ଖୁବ୍ କମ୍ ଆସୁଥିଲା ଓ ଏହା ସେ ଅନ୍ୟ ପ୍ରେସ୍‍ରେ କରାଇ ଦେଉଥିଲେ । ଛପା ଦେବନାଗରୀ ଓ ବଙ୍ଗଳା ଅକ୍ଷର ପୂର୍ବରୁ ପଢ଼ି ଜାଣିଥିଲେ ହେଁ ସେହି ଭାଷାର ହସ୍ତଲିପି ପଢ଼ିବାରେ ସେ ଅଭ୍ୟସ୍ତ ନଥିଲେ । କିନ୍ତୁ ଅଳ୍ପଦିନ ଭିତରେ ସେ ତାହା ଅଭ୍ୟାସ କରିନେଲେ । ତାପରେ ଏହି ଚାରୋଟି ଭାଷାରେ କଂପୋଜ କାମ ମଧ୍ୟ ନିଜେ ଶିଖିନେଇ ନିଜର କେତେକ କର୍ମଚାରୀଙ୍କୁ ଶିଖାଇ ଦେଲେ । ତାଙ୍କ ଶିକ୍ଷା ପ୍ରଣାଳୀ ସ୍ୱତନ୍ତ୍ର ଥିଲା । ତେଣୁ ଅତି ଅଳ୍ପ ସମୟରେ ସେମାନେ ଏ ବିଦ୍ୟା ହାସଲ କରିପାରିଲେ ।

 

କେବଳ କଂପୋଜ କାମ ନୁହେଁ, ଛପାକାମ ମଧ୍ୟ ସେ ଶିଖିଲେ । ଟ୍ରେଡ଼ଲ୍ ଓ ଫ୍ଳାଟବେଡ଼୍ ଉଭୟ ମେସିନ୍‌ରେ ସେ ଛାପି ପାରିଲେ । ଏସବୁ ବିଦ୍ୟା ଶିକ୍ଷା କରିବା ଦ୍ୱାରା ପ୍ରେସ୍ ପରିଚାଳନାରେ ଅନେକ ପ୍ରକାର ସୁବିଧା ହେଲା ଓ ସେ ବହୁଭାବରେ ଉପକୃତ ହେଲେ । ପ୍ରଥମତଃ, କର୍ମଚାରୀମାନଙ୍କର ଅଭାବ ହେଲେ ସେ ଅଳ୍ପ ଦିନ ମଧ୍ୟରେ ନୂଆ କର୍ମଚାରୀ ତାଲିମ କରିପାରୁଥିଲେ । ଦ୍ୱିତୀୟରେ, ତାଙ୍କୁ କୌଣସି କର୍ମଚାରୀ ଏଣୁ ତେଣୁ କହି ଠକିପାରୁ ନଥିଲେ । ତୃତୀୟରେ, ଅତି ଜରୁରୀ କାମବେଳେ କୌଣସି କର୍ମଚାରୀ ଅନୁପସ୍ଥିତ ରହିଲେ ସେହି କାମ ସେ ନିଜେ ତୁଲାଇ ପାରୁଥିଲେ । ଚତୁର୍ଥରେ, ସେ ସେମାନଙ୍କ ସଙ୍ଗରେ ମିଶି ମଝିଲେ ମଝିରେ କାମ କରୁଥିବା ହେତୁ କର୍ମଚାରୀଙ୍କ ମନରୁ ନ୍ୟୂନ ଭାବ ଦୂର ହେଉଥିଲା ।

 

ଏହିପରି ଏକ ନୂତନ ଜୀବନ-ସଂଗ୍ରାମରେ ବ୍ୟାପୃତ ଥିବାବେଳେ ତାଙ୍କ ଗୋବିନ୍ଦପୁର ଅଞ୍ଚଳର କେତେକ ବ୍ୟକ୍ତି ତାଙ୍କୁ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନରେ ପ୍ରାର୍ଥୀ ହେବାପାଇଁ ଅନୁରୋଧ କଲେ । ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେମାନେ ତାଙ୍କ ସମ୍ମତି ନେବାପାଇଁ ତାଙ୍କ ପାଖକୁ ଦୌଡ଼ିଲେ । କିନ୍ତୁ ସେ ସେଥିରେ ରାଜି ହେଲେ ନାହିଁ । ବରଂ ତାଙ୍କଠାରୁ ଅଧିକ ଯୋଗ୍ୟବ୍ୟକ୍ତି ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ରତ୍ନାକର ପତିଙ୍କୁ ଏଥିପାଇଁ ଅନୁରୋଧ କରାଯାଉ ବୋଲି ପ୍ରସ୍ତାବ ଦେଲେ । ପତି ମହାଶୟ କିନ୍ତୁ ଏ ଗୋଳମାଳିଆ କାମରେ ପଶିବାକୁ ଇଚ୍ଛା କଲେ ନାହିଁ । ସେ ଯାହାହେଉ, ସେ ଏହିପରି ଦଳୀୟ ରାଜନୀତିରୁ ରକ୍ଷା ପାଇଗଲେ । ଆଉ ଥରେ ସେହିପରି ସ୍ୱର୍ଗୀୟ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଯଦୁମଣି ମଙ୍ଗରାଜ ତାଙ୍କୁ ଭେଟି ଗୋବିନ୍ଦପୁରରୁ ରାଜ୍ୟ ବିଧାନ ସଭାକୁ ପ୍ରାର୍ଥୀ ହେବାପାଇଁ ପ୍ରବର୍ତ୍ତାଇଥିଲେ । କିନ୍ତୁ ସେ ରାଜନୀତିରେ ପଶିବାକୁ ଇଚ୍ଛା କରୁ ନଥିବାରୁ ସେମାନଙ୍କୁ ନାସ୍ତିବାଣୀ ଶୁଣାଇଲେ ।

 

ରାମକୃଷ୍ଣଙ୍କ ଅଧ୍ୟବସାୟ ଓ ନିଷ୍ଠାବଳରେ ଦିନକୁ ଦିନ ପାରିଜାତ ପ୍ରେସ୍ ଉନ୍ନତି ପଥରେ ଆଗେଇ ଚାଲିଲା । ତାଙ୍କର ସମସ୍ତ ଶକ୍ତି ଠୁଳ କରି ସେ ତାର ସୁନାମକୁ ଅକ୍ଷୁଣ୍ଣ ରଖିବା ଦିଗରେ ଯତ୍ନବାନ ହେଲେ । ଜୀବନରେ ଏତେ ବେଶୀ ପରିଶ୍ରମ ସେ କେବେ କରି ନଥିଲେ । ଭୋର ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖଟିବାକୁ ହେଉଥିଲା । ମଝିରେ କେବଳ ନିତ୍ୟକର୍ମ, ସ୍ନାନ ଓ ଭୋଜନ ପାଇଁ ଅବ୍ୟାହତି ମିଳୁଥିଲା । ବେଳେ ବେଳେ ସେଇ ଅଫିସ୍ ଘରେ ବସି ଜଳଖିଆ କରିବାକୁ ହେଉଥିଲା । ସାମାନ୍ୟ ବିଶ୍ରମ ନଥିଲା । ବର୍ଷରେ ପ୍ରାୟ ଛଅମାସ ପ୍ରଶ୍ନ ଛପାଯାଉଥିଲା । ଅଧ୍ୟକ୍ଷ, ଅଧ୍ୟାପକ ବା ପ୍ରଧାନ ଶିକ୍ଷକମାନେ ପ୍ରେସ୍‍କୁ ଆସିଲେ ପ୍ରଥମେ ତାଙ୍କୁ ଖୋଜୁଥିଲେ । ତେଣୁ ତାଙ୍କୁ ସର୍ବଦା ଉପସ୍ଥିତ ରହିବାକୁ ପଡ଼ୁଥିଲା ।

 

ରାମକୃଷ୍ଣଙ୍କୁ ମଝିରେ ମଝିରେ ଗ୍ରାମକୁ ଯିବାକୁ ହେଉଥିଲା । କଟକରୁ ଅଠର ମାଇଲ ଦୂରରେ ତାଙ୍କ ଗ୍ରାମ । ନିଆଳି ବସ୍‍କୁ ଆଶ୍ରୟ କରି ଗାଁକୁ ଯିବାକୁ ହେଲେ ତାଙ୍କୁ ଦୁଇଟି ଦିନ ଅନୁପସ୍ଥିତ ରହିବାକୁ ପଡ଼ୁଥିଲା । ତାଛଡ଼ା ବ୍ୟବସାୟ ସଂକ୍ରାନ୍ତରେ ତାଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ଯିବାକୁ ହେଉଥିଲା । ଏଣୁ ସମୟ ବଞ୍ଚାଇବା ଉଦ୍ଦେଶ୍ୟରେ ସେ ଖଣ୍ଡିଏ ପୁରୁଣା ଜିପ୍ କିଣିଲେ । ଏହି ସମୟକୁ ପ୍ରେସ୍‍କୁ ଟେଲିଫୋନ୍ ଆସିସାରିଥାଏ । ଗାଡ଼ି ଓ ଫୋନ୍ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ବହୁ ସାହାଯ୍ୟ କଲା ।

 

ପ୍ରେସ୍ ସୁରୁଖୁରୁରେ ପନ୍ଦର ବର୍ଷ ଚଳିବା ପରେ ଦିନେ ରାମକୃଷ୍ଣ ଦେଖିଲେ, ସରକାରଙ୍କ ଶ୍ରମବିଭାଗର ଦୁଇଜଣ ତରୁଣ କର୍ମଚାରୀ ତାଙ୍କ ବିନା ଅନୁମତିରେ ପ୍ରେସ୍‍ରେ ପ୍ରବେଶ କରି କର୍ମଚାରୀମାନଙ୍କଠାରୁ କଣ ସବୁ ତଥ୍ୟ ସଂଗ୍ରହ କରୁଛନ୍ତି । ପ୍ରେସ୍‍ର କର୍ମଚାରୀମାନଙ୍କ ଗତିବିଧିରୁ ଜଣାଗଲା ସତେ ଯେପରି ଏ ପ୍ରକାର ତୃତୀୟ ପକ୍ଷର ହସ୍ତକ୍ଷେପକୁ ସେମାନେ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଭାବୁଛନ୍ତି ସେମାନଙ୍କ ଭାଗ୍ୟ ଅଚିରେ ବଦଳିଯିବ । ତେଣୁ ଏହାର ପରିଣତି ଦେଖିବା ଅପେକ୍ଷାରେ ପ୍ରେସ୍‍ର ପ୍ରତ୍ୟକ୍ଷ ପରିଚାଳନା ଦାୟିତ୍ୱରୁ ସେ ଦୂରେଇ ଗଲେ । ତାଙ୍କର ତିନି ଚାରିଜଣ ସହକାରୀଙ୍କ ଉପରେ ପ୍ରେସ୍ ପରିଚାଳନାର ସମସ୍ତ ଭାର ରହିଲା ।

 

ବର୍ତ୍ତମାନ ତାଙ୍କ ସମୟ କଟିଲା ଲେଖାପଢ଼ାରେ । ବର୍ଷାଧିକ କାଳ ସେ ପ୍ରେସ୍‍ର କର୍ମଚାରୀମାନଙ୍କ ସଙ୍ଗେ ପ୍ରତ୍ୟକ୍ଷ ସମ୍ପର୍କ ରଖି ନ ଥିଲେ । ୧୯୬୧ ମସିହାର ଶେଷ ଆଡ଼କୁ ଦିନେ ସେ ପ୍ରେସ୍‍ର କର୍ମଚାରୀ ଓ ଅଫିସ ସହକାରୀମାନଙ୍କୁ ଏକତ୍ର ବସାଇ ସେମାନଙ୍କ ଅସନ୍ତୋଷ ଓ ତଜ୍ଜନିତ ବିଶୃଙ୍ଖଳାର କାରଣ ପଚାରିଲେ । ପ୍ରେସ୍‍ର କର୍ମଚାରୀମାନେ କହିଲେ ଯେ ମ୍ୟାନେଜର ଓ ତାଙ୍କ ସହକାରୀମାନେ ରାମକୃଷ୍ଣଙ୍କ ଭଳି ପ୍ରେସ୍‍କୁ ସୁଚାରୁରୂପେ ଚଳାଇ ପାରୁ ନାହାନ୍ତି । ଫଳରେ କର୍ମଚାରୀମାନଙ୍କର ଉପାର୍ଜନ କମିଯାଉଛି । ତେଣୁ ସେ ନିଜେ ପୂର୍ବଭଳି ପ୍ରେସ୍‍ର ଦାୟିତ୍ୱ ତୁଲାନ୍ତୁ । ରାମକୃଷ୍ଣ ସେ ପ୍ରସ୍ତାବରେ ଆଦୌ ରାଜି ହେଲେ ନାହିଁ । କାରଣ ସେତେବେଳକୁ ପ୍ରେସ୍‍ର କର୍ମଚାରୀମାନଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହୋଇଥାଏ । ପ୍ରେସ୍ ସୁଧୁରିବା ଅବସ୍ଥାରେ ନଥାଏ । ଶେଷରେ ଅବସ୍ଥା ଏତେ ଖରାପ ହେଲା ଯେ ବାଧ୍ୟ ହୋଇ ସେ ୧୯୬୧ ଡିସେମ୍ବର ୩୧ ତାରିଖରେ ପ୍ରେସ୍‍ଟିକୁ ସଂପୂର୍ଣ୍ଣ ବନ୍ଦ କରିଦେଲେ । ଅବଶ୍ୟ ଏଥିପାଇଁ ଆଇନ ଅନୁସାରେ ସମସ୍ତ କର୍ମଚାରୀଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିଲା ।

 

ସଂସାର ପ୍ରେସ୍‍ର ଜନ୍ମ :

 

‘ସଂସାର’ ପତ୍ରିକାଟି ରାମକୃଷ୍ଣବାବୁଙ୍କ ସମ୍ପାଦକତ୍ୱରେ ପାରିଜାତ ପ୍ରେସ୍‍ରେ ମୁଦ୍ରିତ ହୋଇ ନିୟମିତ ବାହାରୁଥିଲା । ଏଇଟିକୁ ବଞ୍ଚାଇ ରଖିବାକୁ ହେଲେ ପ୍ରେସ୍‍ଟିଏ ହାତରେ ରହିବା ଦରକାର । କାରଣ ଅନ୍ୟ ପ୍ରେସ୍‌ରେ ଛପା ହେଲେ ଏହାର ନିୟମିତତା ନିଶ୍ଚୟ ବାଧାପ୍ରାପ୍ତ ହେବ । ଏହି ସମୟରେ ରାମକୃଷ୍ଣଙ୍କ କନିଷ୍ଠ ଶ୍ୟାଳକ ଶ୍ରୀମାନ ବିଶ୍ୱଜୀବନ ‘ସଂସାର’ ନାମ ଦେଇ ଛୋଟ ଆକାରର ପ୍ରେସ୍‍ଟିଏ କରିବାକୁ ରାଜି ହେବାରୁ ରାମକୃଷ୍ଣ କିଞ୍ଚିତ୍ ଆଶ୍ୱସ୍ତ ହେଲେ । ଏହିପରି ଭାବରେ ‘ସଂସାର’ ପ୍ରେସ୍‍ର ଜନ୍ମ ହେଲା । ଏହା ୧୯୬୨ ମସିହା ଘଟନା । ସେହିଦିନଠାରୁ ‘ସଂସାର’ ପତ୍ରିକା ଆଜି ପର୍ଯ୍ୟନ୍ତ ସେହି ପ୍ରେସ୍‍ର ମୁଦ୍ରିତ ହୋଇ ଆସୁଅଛି ।

Image

 

ଚତୁର୍ଥ ପରିଚ୍ଛେଦ

ପାରିବାରିକ ଘଟନାବଳୀ

 

ରାମକୃଷ୍ଣ ଥିଲେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ । ତାଙ୍କର ଆଉ ତିନିଭାଇ ଓ ଗୋଟିଏ ଭଉଣୀ ଥିଲେ । ଚାରିଭାଇଙ୍କ ଭିତରେ ରାମକୃଷ୍ଣ ଥିଲେ ଅଧିକ ଶିକ୍ଷିତ ଓ ଉପାର୍ଜନକ୍ଷମ । ତେଣୁ ପରିବାରର ବହୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ୧୯୩୫ ମସିହାରେ ତାଙ୍କ ପିତାମହଙ୍କ ମୃତ୍ୟୁପରେ ପ୍ରତ୍ୟେକ ଛୁଟିରେ ସେ ଗ୍ରାମକୁ ଯାଇ ଭାଇମାନଙ୍କ ସଙ୍ଗେ ପରାମର୍ଶ କରି ବିଭିନ୍ନ ପାରିବାରିକ ସମସ୍ୟାର ସମାଧାନ କରୁଥିଲେ । ଅନ୍ୟ ଭାଇମାନେ ମଧ୍ୟ ତାଙ୍କୁ ମୁରବି ପରି ଜ୍ଞାନ କରୁଥିଲେ ଏବଂ ପ୍ରତ୍ୟେକ ପାରିବାରିକ ବିଷୟରେ ତାଙ୍କ ପରାମର୍ଶ ଲୋଡ଼ୁଥିଲେ । ସେମାନଙ୍କ ମଧ୍ୟରେ ସ୍ନେହସୌହାର୍ଦ୍ଦ୍ୟ ଅତୁଟ ରହିଥିଲା ।

 

ଏହି ଅବସ୍ଥା କିନ୍ତୁ ବେଶି ଦିନ ସ୍ଥାୟୀ ହୋଇ ରହିପାରିଲା ନାହିଁ । ଦଶବର୍ଷ ଏକାନ୍ନବର୍ତ୍ତୀ ପରିବାରରେ ରହିବାପରେ ଯେଉଁ ପ୍ରକାର ସମସ୍ୟାମାନ ସୃଷ୍ଟି ହେଲା ସେଗୁଡ଼ିକର ଆଶୁ ସମାଧାନ କରିବା ରାମକୃଷ୍ଣଙ୍କ ପକ୍ଷରେ ସବୁବେଳେ ସମ୍ଭବ ହେଲା ନାହିଁ । କାରଣ ସେ ସର୍ବଦା ବାହାରେ ରହୁଥିଲେ । ପରିବାରରେ ଲୋକସଂଖ୍ୟା ମଧ୍ୟ ବଢ଼ିଲା । ଫଳରେ ଖାଇବା ପିଇବାରେ ମଧ୍ୟ ବିଶୃଙ୍ଖଳା ଦେଖାଦେଲା । ଜମିବାଡ଼ିର ଉପଯୁକ୍ତ ତତ୍ତ୍ୱ ମଧ୍ୟ ନେଇହେଲା ନାହିଁ । ବୋହୂମାନଙ୍କୁ ଶାସନ କରି ନପାରିବାରୁ ରାମକୃଷ୍ଣଙ୍କ ବୋଉଙ୍କର ଅଶାନ୍ତି ବଢ଼ିବାରେ ଲାଗିଲା । ଏହା ଲକ୍ଷ୍ୟ କରି ଚାରିଭାଇ ମନଖୋଲା ଆଲୋଚନା କରି ପୃଥକ ହୋଇଯିବାକୁ ସ୍ଥିର କଲେ । କିନ୍ତୁ ତାଙ୍କ ବୋଉ ଏଥିରେ ରାଜି ହେଲେ ନାହିଁ । ତାଙ୍କ ଜୀବଦ୍ଦଶାରେ ପୁଅମାନେ ପୃଥକ ହେବାଟାକୁ ସେ ପସନ୍ଦ କଲେ ନାହିଁ । ପୁଅମାନେ ତାଙ୍କୁ ବୁଝାଇବାବୁ ଚେଷ୍ଟା କଲେ । ପୃଥକ ହେଲେହେଁ ଭାଇମାନଙ୍କ ମଧ୍ୟରେ ସଦ୍‍ଭାବ ପୂର୍ବଭଳି ରହିବ ଏବଂ ବହୁ ସମସ୍ୟାର ସମାଧାନ ହୋଇଯିବ ବୋଲି କଥା ଦେଲା ପରେ ତାଙ୍କ ବୋଉ ଏଥିରେ ରାଜି ହେଲେ ଏବଂ ଭାଇମାନେ ପୃଥକ ହୋଇଗଲେ । ଏ କାର୍ଯ୍ୟ ଏତେ ସୁରୁଖୁରୁରେ ହୋଇଗଲା ଯେ ସେମାନେ ଭିନ୍ନେ ହୋଇଥିବାର କଥା ଗ୍ରାମବାସୀମାନେ ବହୁଦିନ ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ ।

 

ଭିଙ୍ଗାରପୁରରେ ଶିକ୍ଷକତା କରୁଥିବା ସମୟରେ ତାଙ୍କର ଏକାନ୍ତ ଶୁଭନୁଧ୍ୟାୟୀ ଶ୍ୱଶୁର ବଳରାମ ମିଶ୍ରଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା । ଏହି ସମୟରେ ତାଙ୍କ ପତ୍ନୀ ଗ୍ରାମରେ ରହୁଥିବାରୁ ସେହି ଦାରୁଣ ଦୁଃସମ୍ବାଦ ସେ ଗ୍ରାମକୁ ଯାଇ ପତ୍ନୀଙ୍କୁ ଜଣାଇଥିଲେ ।

 

ଭିଙ୍ଗାରପୁରରୁ ଚାକିରି ଛାଡ଼ି କଟକ ଆସିବା ସମୟରେ ତାଙ୍କର ପଞ୍ଚମା କନ୍ୟା ସୁଷମା ଜନ୍ମ ଲାଭ କରିଥିଲେ । ତାପରେ ତାଙ୍କର ଆଉ ତିନୋଟି କନ୍ୟା ଜାତ ହୋଇଥିଲେ । ସମୁଦାୟ ଆଠଟି କନ୍ୟା ଓ ଗୋଟିଏ ପୁତ୍ରର ସେ ଥିଲେ ଜନକ । ସେତେବେଳେ ସରକାରଙ୍କ ପରିବାର ନିୟନ୍ତ୍ରଣ ଯୋଜନାର ଆଶୀର୍ବାଦ ତାଙ୍କୁ ମିଳି ନଥିଲା । ୧୯୪୯ରେ ଜ୍ୟେଷ୍ଠକନ୍ୟା ପ୍ରତିଭାଙ୍କର ବିବାହ ସ୍ଥିର ହୋଇଗଲା । ଏହି ବିବାହ ସେ କଟକରେ କରିବାକୁ ଇଚ୍ଛା କଲେ । ଏଥି ପୂର୍ବରୁ ପରିବାରର ଯାବତୀୟ ନିମିତ୍ତ ଭାଇ ଓ କୁଟୁମ୍ୱଙ୍କ ସହାୟତାରେ ଗ୍ରାମରେ ହେଉଥିଲା । ରାମକୃଷ୍ଣଙ୍କ ଉପରେ ବିଶେଷ ଦାୟିତ୍ୱ ପଡ଼ୁ ନଥିଲା; ଏବେ କିନ୍ତୁ ପ୍ରତିଭାଙ୍କ ବିବାହର ସଂପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ । ଏହା ଚିନ୍ତା କରି ସେ ବିଚଳିତ ହୋଇପଡ଼ିଲେ ଏବଂ ବିବାହର ପନ୍ଦର ଦିନ ପୂର୍ବରୁ ଶ୍ୱାସରୋଗରେ ଆକ୍ରାନ୍ତ ହେଲେ । ଭଗବାନଙ୍କ କୃପାରୁ ଦୁଇ ତିନି ଦିନ ପରେ ଆରୋଗ୍ୟ ଲାଭକଲେ । ୧୯୪୯ ମସିହାରେ ଭୁବନେଶ୍ୱରର ଶ୍ରୀ ବାସୁଦେବ ତ୍ରିପାଠୀଙ୍କ ସହିତ ପ୍ରତିଭାଙ୍କର ବିବାହ ସୁରୁଖୁରୁରେ ସମ୍ପନ୍ନ ହେଲା । ବାସୁଦେବ ବି.ଏ. ପାସ୍ କରିବା ପରେ ସେତେବେଳେ ହାଇସ୍କୁଲରେ ଶିକ୍ଷକତା କରୁଥିଲେ ।

 

୧୯୫୧ ମସିହାରେ ରାମକୃଷ୍ଣଙ୍କ ମାତୃବିୟୋଗ ଘଟିଲା । ରାମକୃଷ୍ଣ ସେତେବେଳେ କଟକରେ ଥିବାରୁ ମୃତ୍ୟୁ ପୂର୍ବରୁ ମାତାଙ୍କର ଶେଷ ଦର୍ଶନ କରିପାରିଲେ ନାହିଁ । ତେଣୁ ତାଙ୍କ ମନରେ ଦୁଃଖ ରହିଗଲା । ୧୯୫୨ରେ ତାଙ୍କ ସାନଭାଇ ରାଧାକୃଷ୍ଣ ମଧ୍ୟ ଇହଲୀଳା ସମ୍ୱରଣ କରିଥିଲେ । ରାଧାକୃଷ୍ଣଙ୍କ ଅସୁସ୍ଥତାର ଖବର ପାଇ ସେ ଗ୍ରାମରେ ପହଞ୍ଚିଲାବେଳକୁ ରାଧାକୃଷ୍ଣଙ୍କ ଜୀବନ ଦୀପ ଲିଭିଯାଇଥିଲା । ସେ କେବଳ ତାଙ୍କ ଶବକୁ ଦେଖି ଫେରିଲେ । ୧୯୫୨ରେ ତାଙ୍କ ସପ୍ତମା କନ୍ୟା ସୁରଭି ଓ ତାର ଦୁଇ ବର୍ଷପରେ କନିଷ୍ଠା କନ୍ୟା ମମତା ଜନ୍ମ ଗ୍ରହଣ କଲେ ।

 

ଆଠଟି କନ୍ୟାର ଜନକ ହେଲେହେଁ ରାମକୃଷ୍ଣ ବ୍ୟସ୍ତ ବା ବିଚଳିତ ହୋଇ ନଥିଲେ । ଗୋଟିଏ ପରେ ଗୋଟିଏ କନ୍ୟାକୁ ଜଣେ ଜଣେ ସୁପାତ୍ର ହସ୍ତରେ ଟେକି ଦେଇ ସେ ନିଶ୍ଚିନ୍ତ ହୋଇଥିଲେ । ୧୯୫୬ ସାଲ ମେ ମାସ ୧୩ ତାରିଖରେ ଦ୍ୱିତୀୟ କନ୍ୟା ପୁଷ୍ପାଙ୍କୁ ସେ ବିବାହ ବନ୍ଧନରେ ଛନ୍ଦି ଦେଲେ ଡାକ୍ତର ସତ୍ୟନାରାୟଣ ମିଶ୍ରଙ୍କ ସହିତ । ପରବର୍ଷ ତୃତୀୟ କନ୍ୟା ବୀଣାଙ୍କର ବିବାହ ମଧ୍ୟ ସମ୍ପନ୍ନ ହେଲା । ତାଙ୍କର ଏ ଜୋଇଁ ମଧ୍ୟ ଡାକ୍ତର; ନାମ ଇନ୍ଦ୍ରମଣି ପତି । ଚତୁର୍ଥ କନ୍ୟା ଶୈଳବାଳାଙ୍କୁ ବିବାହ ଦେବା ପାଇଁ ସେ ପାତ୍ର ଖୋଜିଲେ । ଖ୍ରୀଷ୍ଟ କଲେଜର ଅଧ୍ୟାପକ ଶ୍ରୀ ବିଜୟଚନ୍ଦ୍ର ମହାପାତ୍ରଙ୍କ ସହିତ ତାଙ୍କର ବିବାହ ଅନୁଷ୍ଠିତ ହେଲା । ପଞ୍ଚମା କନ୍ୟା ସୁଷମାଙ୍କ ଭାଗ୍ୟରେ ମଧ୍ୟ ଡାକ୍ତର ଜ୍ୱାଇଁଟିଏ ଥିଲେ । ଡାକ୍ତର ଅନାଦି ଚରଣ ମିଶ୍ରଙ୍କ ସହିତ ତାଙ୍କର ଶୁଭ ପରିଣୟ ଅନୁଷ୍ଠିତ ହେଲା । ଏହିପରି ପାଞ୍ଚଟି କନ୍ୟାଙ୍କ ବିବାହ ଦାୟିତ୍ୱରୁ ମୁକ୍ତି ପାଇ ଟିକିଏ ଆଶ୍ୱସ୍ତ ହେଲେ ରାମକୃଷ୍ଣ । ପୁଅ ପ୍ରଭାତ ସେତେବେଳକୁ ଇଂଜିନିୟରିଂ ପାସ୍ କରି ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ ଚାକିରି ଆରମ୍ଭ କରିଥିଲେ । ତାଙ୍କର ଷଷ୍ଠା କନ୍ୟା ଲତାରାଣୀ ଦଶମାସ ବୟସରୁ ନିଜର ବଡ଼ମାମୁ ବାଳମୁକୁନ୍ଦଙ୍କ ଦ୍ୱାରା ପାଳିତା କନ୍ୟାରୂପେ ତାଙ୍କ ଘରେ ରହୁଥିଲେ । ତେଣୁ ରାମକୃଷ୍ଣ ପତ୍ନୀ ଓ ଦୁଇ କନ୍ୟାଙ୍କ ସହିତ ବାସ କରୁଥିଲେ ।

 

ଏକମାତ୍ର ପୁତ୍ର ପ୍ରଭାତଙ୍କ ପାଇଁ ଜଗତସିଂହପୁରର ଡାକ୍ତର ରାମଚନ୍ଦ୍ର ମହାପାତ୍ରଙ୍କ କନ୍ୟା ଅନସୂୟାଙ୍କୁ ନିର୍ବାଚିତ କରାଗଲା । ନିର୍ବିଘ୍ନରେ ବିବାହ ସମ୍ପନ୍ନ ହେଲା ୧୯୬୯ ନଭେମ୍ୱର ୨୭ ତାରିଖରେ । ରାମକୃଷ୍ଣଙ୍କ ଜ୍ୟେଷ୍ଠ ଶ୍ୟାଳକ ବାଳମୁକୁନ୍ଦ ପାଳିତା କନ୍ୟା ଲତାରାଣୀଙ୍କୁ ବିବାହ ଦେବା ପାଇଁ ଆୟୋଜନ କରୁଥିବା ସମୟରେ ଦୁର୍ଯ୍ୟୋଗକୁ ମୃତ୍ୟୁ ମୁଖରେ ପଡ଼ିଲେ । ଏଣୁ ଲତାଙ୍କ ବିବାହର ଦାୟିତ୍ୱ ପଡ଼ିଲା ରାମକୃଷ୍ଣଙ୍କ ଉପରେ । ୧୯୭୦ ଜୁଲାଇ ୧୦ ତାରିଖରେ ତାଙ୍କ ବିବାହ ଅନୁଷ୍ଠିତ ହେଲା ଇଂଜିନିୟର ପ୍ରଭାତ କୁମାର ତ୍ରିପାଠୀଙ୍କ ସହିତ । ଅନ୍ୟତମା କନ୍ୟା ସୁରଭିଙ୍କ ପାଇଁ ସେ ଜାମାତା ରୂପେ ପାଇଲେ ଡାକ୍ତର ଶଶୀଭୂଷଣ ମିଶ୍ରଙ୍କୁ । ଏହି ବିବାହ ସଂପନ୍ନ ହେଲା ୧୯୭୨ ମସିହା ନଭେମ୍ୱର ୩୦ ତାରିଖ ଦିନ । ଶେଷ କନ୍ୟା ମମତାଙ୍କ ପାଇଁ ମଧ୍ୟ ସେ ଯୋଗ୍ୟ ଜାମାତାଟିଏ ପାଇଲେ । ସେ ସେତେବେଳେ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରେ ଅଧ୍ୟାପକ ଥିଲେ । ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମିଶ୍ର । ୧୯୭୪ ଜୁନ୍ ୧୩ ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା ।

 

ଆଠଟି କନ୍ୟା ଓ ଗୋଟିଏ ପୁତ୍ରର ବିବାହ କାର୍ଯ୍ୟ ସରିବା ପରେ ରାମକୃଷ୍ଣ ପାରିବାରିକ ଦାୟିତ୍ୱରୁ ମୁକ୍ତ ହେଲେ । ସେ ଥିଲେ ଗାନ୍ଧିବାଦୀ ଓ ଯୌତୁକ ପ୍ରଥାର ଘୋର ବିରୋଧୀ । ସେ ନିଜର ଏକମାତ୍ର ପୁତ୍ରର ବିବାହରେ କୌଣସି ଯୌତୁକ ଦାବି କରି ନାହାନ୍ତି । ବରଂ ତାଙ୍କ ପୁତ୍ରର ଶ୍ୱଶୁର ଯେତେବେଳେ କହିଲେ-“ମୋ ସ୍ତ୍ରୀ ଗୋଟିଏ ଫ୍ରିଜ୍ ଏବଂ ଗଡ଼ରେଜ୍ ଆଲମାରୀ ଦେବା ପାଇଁ କହୁଛନ୍ତି”, ସେତେବେଳେ ସେ ଉତ୍ତର ଦେଇଥିଲେ -“ମୋର ସେ ଦୁଇଟି ଜିନିଷ ଅଛି; ତେଣୁ ଆଉ ତାହା ଦେବେ କାହିଁକି ?” କନ୍ୟାମାନଙ୍କ ବିବାହ କ୍ଷେତ୍ରରେ ମଧ୍ୟ ଠିକ୍ ସେଇୟା । ଯଦି କେହି ବରପକ୍ଷ ପ୍ରଥମେ ‘ଦବାନବା’ କଥା ଉଠାଉଥିଲେ, ତାହା ଯେତେ ଉପଯୁକ୍ତ ସ୍ଥାନ ହେଲେ ବି ସେ ସଙ୍ଗେ ସଙ୍ଗେ ତାକୁ ପ୍ରତ୍ୟାଖ୍ୟାନ କରୁଥିଲେ । ତାଙ୍କ ଭାଷାରେ- “ମୋର ପରମ ସୌଭାଗ୍ୟ ଯେ, ମୋର କୌଣସି କନ୍ୟାର ବିବାହ ଏ ଘୃଣ୍ୟ ସାମାଜିକ ପ୍ରଥାଦ୍ୱାରା କଳଙ୍କିତ ହୋଇନାହିଁ ।” (ଜୀବନ ତରଙ୍ଗ, ପୃ.୧୫୧) ଯୌତୁକ ଦେବାନେବାର ବିରୋଧୀ ରାମକୃଷ୍ଣ ଭଗବାନଙ୍କ ଅଶେଷ କରୁଣାରୁ ଆଠଟି ଯୋଗ୍ୟ ଜାମାତା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥିଲେ ।

Image

 

Unknown

ପଞ୍ଚମ ପରିଚ୍ଛେଦ

ଶେଷ ଜୀବନ

 

ରାମକୃଷ୍ଣ ଯେତେବେଳେ ତିନୋଟି କନ୍ୟାଙ୍କର ବିବାହ ଓ ଚତୁର୍ଥଟି ପାଇଁ ପ୍ରସ୍ତୁତି କରିପାରିଲେ ସେତେବେଳେ ତାଙ୍କ ମନରେ ଭାବାନ୍ତର ଆସିଲା । ସେ ଭାବିଲେ, “ମୁଁ କେଉଁ ଆଡ଼କୁ ଗତି କରୁଛି ? ପ୍ରେସ୍ ବ୍ୟବସାୟକୁ ବଢ଼ାଇ କେବଳ ଅର୍ଥୋପାର୍ଜନ କରିବା କ’ଣ ମୋର ଏକମାତ୍ର କାମ୍ୟ ? ଯେଉଁ ବ୍ୟବସାୟ ମୋତେ ଓଳିକ ପାଇଁ ଅବ୍ୟାହତି ଦେଇପାରୁ ନାହିଁ, ମୋର ଶକ୍ତି ସାମର୍ଥ୍ୟ ସଙ୍କୁଚିତ ହୋଇ ଆସିବା ପରେ ସେ ବ୍ୟବସାୟର ଭବିଷ୍ୟତ କ’ଣ ହେବ ?” (ଜୀବନ ତରଙ୍ଗ, ପୃ.୧୪୧) ବହୁ ଭାବିଚିନ୍ତି ମ୍ୟାନେଜର ଓ ସହକାରୀମାନଙ୍କ ଉପରେ ‘ପାରିଜାତ ପ୍ରେସ୍’ର ଦାୟିତ୍ୱ ଛାଡ଼ିଦେଇ ସେ ଲେଖାପଢ଼ାରେ ମନୋନିବେଶ କଲେ । ସେହି ସମୟରେ ସରକାରଙ୍କ ଶ୍ରମବିଭାଗର କର୍ମଚାରୀମାନଙ୍କ ସହିତ ପ୍ରେସ୍ କର୍ମଚାରୀମାନେ ହାତ ମିଳାଇ ଯେଉଁ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ତାହା ତାଙ୍କ ମନର ତିକ୍ତତାକୁ ବଢ଼ାଇ ଦେଲା ଏବଂ ଏହାର ପରିଣତି ସ୍ୱରୂପ ‘ପାରିଜାତ ପ୍ରେସ୍’ର ସମାଧି ଉପରେ ‘ସଂସାର ପ୍ରେସ୍’ କିପରି ଜନ୍ମ ଲାଭ କଲା, ତାହା ପୂର୍ବରୁ ବର୍ଣ୍ଣିତ ।

କେବଳ ନିଜର ଲାଭଜନକ ପ୍ରେସ୍ ବ୍ୟବସାୟଟି ସଙ୍କୁଚିତ ହୋଇଗଲା ସେତିକି ନୁହେଁ, ଅନୁରୂପ ଅନ୍ୟ ଏକ ଘଟନାରେ ମଧ୍ୟ ତାଙ୍କର ଆର୍ଥିକ ଆୟର ଉଚ୍ଛେଦ ହେଲାଭଳି କାର୍ଯ୍ୟରେ ତାଙ୍କୁ ନିମିତ୍ତ ହେବାକୁ ପଡ଼ିଲା । ଶ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲାବେଳେ ପ୍ରାଥମିକ ଶ୍ରେଣୀର ପାଠ୍ୟପୁସ୍ତକଗୁଡ଼ିକର ଜାତୀୟକରଣ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେଲେ । ଏ ଭାର ସେ ଅର୍ପଣ କଲେ ଜାତୀୟ କବି ବୀରକିଶୋରଙ୍କୁ । ବୀରକିଶୋରବାବୁ ଏହି ଯୋଜନାର ସଫଳ ରୂପାୟନରେ ରାମକୃଷ୍ଣଙ୍କ ସହଯୋଗ ଲୋଡ଼ିଲେ । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଶ୍ରେଣୀରେ ରାମକୃଷ୍ଣଙ୍କ ସାହିତ୍ୟ ବହିଗୁଡ଼ିକ ଚଳୁଥିଲା ଏବଂ ସେଥିରୁ ସେ ବାର୍ଷିକ ସାତ ଆଠ ହଜାର ଟଙ୍କା ଆୟ କରୁଥିଲେ । ପାଠ୍ୟପୁସ୍ତକ ଜାତୀୟକରଣ ହେଲେ ନିଜେ ଏକ ବିରାଟ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ଜାଣି ମଧ୍ୟ ରାମକୃଷ୍ଣ ବୀରକିଶୋରଙ୍କ ଆଡ଼କୁ ସହଯୋଗର ହାତ ବଢ଼ାଇଦେଲେ । ସେ କହିଲେ-“ଓଡ଼ିଶାର ପିଲାମାନଙ୍କ ପାଇଁ ମନୋରଞ୍ଜନ ଉପାଦେୟ ପାଠ୍ୟପୁସ୍ତକମାନ ତିଆରି କରିବା ଲାଗି ସରକାର ଯେଉଁ ପରିକଳ୍ପନା କରୁଛନ୍ତି, ମୋର ସେଥିରେ ପୂର୍ଣ୍ଣ ସମର୍ଥନ ରହିଛି । ବ୍ୟକ୍ତିଗତ ସ୍ୱାର୍ଥରେ କ୍ଷତି ଘଟିଲେ ସୁଦ୍ଧା ଏଭଳି ଏକ ଜାତୀୟ କାର୍ଯ୍ୟରେ ସହଯୋଗ କରିବାକୁ ମୁଁ ପ୍ରସ୍ତୁତ ଅଛି ।” (ଜୀବନ ତରଙ୍ଗ, ପୃ.୧୪୫) ଏହା ୧୯୬୧ର ଘଟନା । ସେହିଦିନଠାରୁ ଅନେକ ଦିନ ପର୍ଯ୍ୟନ୍ତ ସେ ଜାତୀୟକରଣ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ସହିତ ବେସରକାରୀ ସଭ୍ୟରୂପେ ସଂପୃକ୍ତ ରହିଥିଲେ ଏବଂ ଯେତେଦୂର ସମ୍ଭବ ଜାତୀୟକରଣ କାର୍ଯ୍ୟରେ ସାହାଯ୍ୟ କରି ଆସିଥିଲେ-। ତା ସଙ୍ଗେ ସଙ୍ଗେ ପଞ୍ଚମ ଶ୍ରେଣୀଯାଏ ଚଳୁଥିବା ତାଙ୍କ ନିଜ ପାଠ୍ୟପୁସ୍ତକଗୁଡ଼ିକ ଅକାମୀ ହୋଇଯାଇଥିଲା ଏବଂ ସେହି ସୂତ୍ରରୁ ପାଉଥିବା ସମସ୍ତ ଆୟ ସେ ହରାଇଥିଲେ । ତଥାପି ତାଙ୍କ ମନରେ ଦୁଃଖ ନଥିଲା । ମଙ୍ଗଳମୟଙ୍କର ଆଶୀର୍ବାଦ ଉପରେ ଭରସା ରଖି ସେ ଜୀବନ ପଥରେ ଆଗେଇ ଥିଲେ । ଏହି କାରଣରୁ ଏକମାତ୍ର ପୁତ୍ରକୁ ସେ ଇଂଜିନିୟର କରିପାରିଥିଲେ ଏବଂ ଆଠଟି କନ୍ୟାଙ୍କୁ ସତ୍‍ପାତ୍ରରେ ଦାନ କରି ସମସ୍ତ ପାରିବାରିକ ଦାୟିତ୍ୱରୁ ମୁକ୍ତି ପାଇଥିଲେ ।

ସମ୍ମାନ ଓ ସମ୍ୱର୍ଦ୍ଧନା ଲାଭ ଏବଂ ବିଭିନ୍ନ ଅନୁଷ୍ଠାନ ସହ ସଂପୃକ୍ତି :

ଶେଷ ଜୀବନରେ ବହୁ ଅନୁଷ୍ଠାନ ତରଫରୁ ତାଙ୍କୁ ବିଭିନ୍ନ ସମ୍ମାନ ଓ ସମ୍ୱର୍ଦ୍ଧନା ମିଳିଥିଲା-। ଶିଶୁଦିବସ ଉପଲକ୍ଷେ ଅଖିଳ ଭାରତୀୟ ସ୍ତରରେ ଯେଉଁ ବାର୍ଷିକ ଶିଶୁ ସାହିତ୍ୟ ପ୍ରତିଯୋଗିତା ଦିଲ୍ଲୀଠାରେ ହୁଏ, ତାହାର ବିଚାରକ ମଣ୍ଡଳୀରେ ଓଡ଼ିଆ ଭାଷାରେ ପ୍ରତିନିଧି ରୂପେ ସେ ଦୁଇବର୍ଷ ଯୋଗ ଦେଇଥିଲେ ।

୧୯୭୫ ମସିହା ଫେବୃଆରୀ ୨୦ ତାରିଖରେ ତାଙ୍କୁ ସାହିତ୍ୟିକ ଭାବରେ ମାନପତ୍ର ସହିତ ସମ୍ୱର୍ଦ୍ଧନା ଦିଆଗଲା ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା । ଏହା ପରବର୍ଷ ଓଡ଼ିଶା ସରକାରଙ୍କ ଶିଶୁ ସାହିତ୍ୟ ସମିତି ଦ୍ୱାରା କଟକଠାରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓ ଶ୍ରୀ ଉଦୟନାଥ ଷଡ଼ଙ୍ଗୀଙ୍କ ସହିତ ତାଙ୍କୁ ବର୍ଷୀୟାନ ଶିଶୁ ସାହିତ୍ୟିକ ଭାବରେ ସମ୍ୱର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକଙ୍କୁ ତାମ୍ରଫଳକରେ ଖୋଦିତ ଗୋଟିଏ ଗୋଟିଏ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

 

୧୯୭୮ ଅପ୍ରେଲ ୨୫ ତାରିଖ ଦିନ ନୟାଗଡ଼ ନିକଟବର୍ତ୍ତୀ ଉଦୟପୁରର ଯଦୁମଣି ସାହିତ୍ୟ ସଂସଦ ସେମାନଙ୍କ ବାର୍ଷିକୋତ୍ସବରେ ରାମକୃଷ୍ଣଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ୧୯୭୯ ବର୍ଷଟି ଆନ୍ତର୍ଜାତିକ ଶିଶୁ ସମ୍ୱତ୍ସର ରୂପେ ସର୍ବତ୍ର ପାଳିତ ହେଉଥିଲା । ଏହି ଉପଲକ୍ଷେ କଟକର ‘କଳିକା’ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସେମାନଙ୍କ ବାର୍ଷିକୋତ୍ସବରେ ରାମକୃଷ୍ଣଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ୧୯୭୯ ମସିହା ସେପ୍ଟେମ୍ୱର ୨୫ ତାରିଖରେ ବଡ଼ଚଣା ମହାବିନାୟକ ବିଦ୍ୟାଳୟଠାରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓ ଶ୍ରୀ ଉଦୟନାଥ ଷଡ଼ଙ୍ଗୀଙ୍କ ସହିତ ସେ ଗୋକର୍ଣ୍ଣିକା ସାହିତ୍ୟ ସମାଜ ଦ୍ୱାରା ସଂବର୍ଦ୍ଧିତ ହୋଇଥିଲେ । ସେହିବର୍ଷ ଭାରତୀୟ ଜାତୀୟ ସଂଗଠନ ପକ୍ଷରୁ ଡିସେମ୍ୱର ୨୧ ତାରିଖରେ କଟକ ଦୋଳମୁଣ୍ଡେଇସ୍ଥିତ ବାବା ସାଗର ଦାସ ବିଦ୍ୟାପୀଠରେ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ଏବଂ ଏହାର ଚାରିଦିନ ପରେ କଟକ କଳାବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ଶିଶୁ ପତ୍ରିକା ‘ଟିକି ଦିନିଆ’ର ବାର୍ଷିକ ଉତ୍ସବରେ ସେ ସମ୍ୱର୍ଦ୍ଧିତ ହୋଇଥିଲେ ।

 

୧୯୮୦ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଶ୍ରେଷ୍ଠ ଶିଶୁ ସାହିତ୍ୟିକ ଭାବରେ ପୁରସ୍କୃତ ହୋଇଥିଲେ ଶିଶୁକବିତା ସଂକଳନ ‘ଝୁମୁକା’ ପାଇଁ । ୧୯୮୦ ଫେବୃଆରୀ ୧୦ ତାରିଖରେ ତାଙ୍କୁ କଟକର ‘ଉଦୟଭାନୁ’, ‘ଶିଶୁସାଥୀ’ ଓ ‘ଚାଚାଜୀ କିଶୋର ସଂଘ’ ମିଳିତ ଭାବରେ ସମ୍ୱର୍ଦ୍ଧନା ଜଣାଇଥିଲେ । ଏହାପରେ ରେଭେନ୍‍ସା କଲେଜିଏଟ୍ ସ୍କୁଲର ଛାତ୍ର ଓ ଶିକ୍ଷକମାନେ ତାଙ୍କୁ ବିଦ୍ୟାଳୟର ବାର୍ଷିକୋତ୍ସବରେ ସମ୍ୱର୍ଦ୍ଧିତ କରିଥିଲେ । ୧୯୮୮ ମାର୍ଚ୍ଚ ୧୨ ତାରିଖରେ କଟକ ‘ମଣିମାଣିକ’ର ବାର୍ଷିକ ଉତ୍ସବରେ ତାଙ୍କୁ ‘ସାହିତ୍ୟରତ୍ନ’ ଉପାଧିରେ ଭୂଷିତ କରାଯାଇଥିଲା । ବ୍ରହ୍ମପୁର ଶିଶୁ ସାହିତ୍ୟ କର୍ମଶାଳାରେ ତାଙ୍କୁ ସର୍ବଶ୍ରେଷ୍ଠ ଶିଶୁ ସାହିତ୍ୟିକ ହିସାବରେ ଉପାୟନ ପ୍ରଦାନ କରାଯାଇଥିଲା ୧୯୮୯ ଅକ୍ଟୋବର ୩ ତାରିଖରେ । ୧୯୮୯ ଡିସେମ୍ୱର ୩୧ ତାରିଖ ଦିନ ଶିଶୁ ସାହିତ୍ୟ ଏକାଡେମୀର ୩ୟ ସାଧାରଣ ଅଧିବେଶନରେ ତାଙ୍କୁ ମାନପତ୍ର ସହ ପାଞ୍ଚଶହ ଟଙ୍କା ‘ଧୀରେନ୍ ପଟ୍ଟନାୟକ ସ୍ମୃତି’ ପୁରସ୍କାର ଦିଆଯାଇଥିଲା । କିନ୍ତୁ ସେହି ଅର୍ଥ ସେ ଶିଶୁସାହିତ୍ୟର ଉନ୍ନତି ପାଇଁ ଫେରାଇ ଦେଇଥିଲେ । ୧୯୯୩ ଅଗଷ୍ଟ ୨୯ ତାରିଖରେ ‘ଉତ୍କଳ ସନ୍ତାନ’ ତରଫରୁ ସେ ମାନପତ୍ର ଓ ଉପାୟନ (ଉତ୍ତରୀୟ) ଦ୍ୱାରା ସମ୍ୱର୍ଦ୍ଧିତ ହୋଇଥିଲେ । ଏହିପରି ଜୀବନର ଶେଷ ଭାଗରେ ବହୁ ଅନୁଷ୍ଠାନ ଦ୍ୱାରା ସେ ସମ୍ୱର୍ଦ୍ଧିତ ଓ ସମ୍ମାନିତ ହୋଇଥିଲେ-। ସେ ଯେଉଁ ସବୁ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧନା, ଉପାୟନ ଓ ମାନପତ୍ରମାନ ପାଇଥିଲେ, ତାହାର ଏକ ତାଲିକା ପରିଶିଷ୍ଟ– (କ)ରେ ପ୍ରଦତ୍ତ ।

 

ଜୀବନକାଳ ମଧ୍ୟରେ ସେ ବହୁ ଅନୁଷ୍ଠାନ ସହ ସଂପୃକ୍ତ ଥିଲେ । ବାଙ୍କୀ ଡମପଡ଼ା ହାଇସ୍କୁଲ ଓ ବାରିପଦା ହାଇସ୍କୁଲର ଶିକ୍ଷକ ଭାବରେ ସେ କୃତିତ୍ୱ ଅର୍ଜନ କରିଥିଲେ । ସେହିପରି ଭିଙ୍ଗାରପୁରର ଶ୍ରୀ ବକ୍ରେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ-। ପାଟନା ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ପରୀକ୍ଷକ (ମାଟ୍ରିକ) ଭାବରେ ସେ ନିଯୁକ୍ତି ପାଇଥିଲେ । ପାଠ୍ୟପୁସ୍ତକ ଜାତୀୟକରଣ କମିଟି, ମାଧ୍ୟମିକ ଶିକ୍ଷାବୋର୍ଡ଼, ଓଡ଼ିଶା ସାହିତ୍ୟ ଏକାଡେମୀ, ଶିଶୁ ସାହିତ୍ୟ ଏକାଡେମୀ, ଆକାଶବାଣୀ ଓ ଦୂରଦର୍ଶନ ଆଦି ଅନୁଷ୍ଠାନ ସହିତ ସେ ବିଭିନ୍ନ ଭାବେ ସଂପୃକ୍ତ ଥିଲେ । ପାଠକମାନଙ୍କ ଅବଗତି ନିମନ୍ତେ ସେ ସଂପୃକ୍ତ ଥିବା ବିଭିନ୍ନ ଅନୁଷ୍ଠାନର ଏକ ତାଲିକା ପରିଶିଷ୍ଟ– (ଖ) ଭାବରେ ପ୍ରସ୍ତୁତ ପୁସ୍ତକର ଶେଷରେ ସଂଯୁକ୍ତ କରାଯାଇଛି ।

 

ବହୁ ଅନୁଷ୍ଠାନର ବାର୍ଷିକୋତ୍ସବ ବା ସଭାସମିତିରେ ସେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟବକ୍ତା ବା ଉଦ୍‍ଘାଟକ ଭାବରେ ଯୋଗ ଦେଇଥିଲେ । କେତେକ ଅନୁଷ୍ଠାନରେ ମଧ୍ୟ ସେ ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେ । ୧୯୮୦ ମସିହା ଜାନୁଆରୀ ୧୩ ତାରିଖ ଦିନ ଫକୀରମୋହନ ସାହିତ୍ୟ ପରିଷଦ ଦ୍ୱାରା ଆୟୋଜିତ ବ୍ୟାସକବି ଜୟନ୍ତୀ ଉତ୍ସବରେ ତାଙ୍କ ଦ୍ୱାରା ଲିଖିତ ଓ ପଠିତ ‘ପାଠ୍ୟପୁସ୍ତକ ଓ ଶିଶୁସାହିତ୍ୟ’ ଶୀର୍ଷକ ପ୍ରବନ୍ଧଟି ତାଙ୍କ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରେ ।

 

ଦୁଇଜଣ ଶିଳ୍ପୀଙ୍କ ଦ୍ୱାରା ରାମକୃଷ୍ଣଙ୍କର ତୈଳଚିତ୍ର ପ୍ରସ୍ତୁତ ହୋଇଥିଲା । କଟକର ସରସ ସାହିତ୍ୟ ସମିତି ତାଙ୍କର ଏକ ତୈଳଚିତ୍ର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାପନ କରିବାକୁ ଇଚ୍ଛା କରିଥିଲେ; କିନ୍ତୁ ରାମକୃଷ୍ଣ ଏଥିରେ ରାଜି ହେଲେ ନାହିଁ । ଜୀବିତ ଅବସ୍ଥାରେ ତାଙ୍କର ତୈଳଚିତ୍ରଟିଏ ସ୍ଥାପନ କରିବାକୁ ସେ ଉଚିତ ମନେ କଲେ ନାହିଁ । ତାଙ୍କ ମୃତ୍ୟୁପରେ ଯଦି ସଂପୃକ୍ତ ଅନୁଷ୍ଠାନର ସଭ୍ୟମାନେ ଉଚିତ ମନେ କରିବେ, ତେବେ ତାଙ୍କର ତୈଳଚିତ୍ରଟିଏ ଉନ୍ମୋଚନ କରିପାରନ୍ତି ବୋଲି ସେ ଲିଖିତାକାରରେ ଜଣାଇଦେଲେ ।

 

ପତ୍ନୀ ବିୟୋଗ :

 

ଗୋଟିଏ ପରେ ଗୋଟିଏ ସମ୍ମାନ, ସମ୍ୱର୍ଦ୍ଧନା ଆସି ରାମକୃଷ୍ଣଙ୍କ୍ କର୍ମକ୍ଳାନ୍ତ ଜୀବନକୁ ଯେତେବେଳେ ସଂଜୀବନୀ ଯୋଗାଉଥିଲେ, ସେତିକିବେଳେ ବିଧାତାଙ୍କର ଏକ ଦାରୁଣ ଆଘାତରେ ତାଙ୍କର ସମସ୍ତ ସ୍ୱପ୍ନ ଓ ସୁଖସୌଧ ଧୂଳିସାତ୍ ହୋଇଗଲା । ପତ୍ନୀ ସୌଦାମିନୀ ଦେବୀ ତାଙ୍କୁ ଛାଡ଼ି ସ୍ୱର୍ଗପୁରକୁ ଚାଲିଗଲେ । ଦୀର୍ଘକାଳ ଧରି ପେଟ ରୋଗରେ ପୀଡ଼ିତା ତାଙ୍କ ପତ୍ନୀ ଥାଇରଏଡ଼ଜନିତ ପୀଡ଼ା ମଧ୍ୟ ଭୋଗୁଥିଲେ । କିନ୍ତୁ ସେ ଏତେ ଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବେ, ଏକଥା କେହି ଚିନ୍ତା ବି କରି ନଥିଲେ । ହଠାତ୍ ଦିନେ ରାତିରେ ଝାଡ଼ା ଯିବାପରେ ସେ ଅତି ଦୁର୍ବଳ ବୋଧ କଲେ । ଡାକ୍ତର ଆସି ଚିକିତ୍ସା କଲେ; କିନ୍ତୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ୧୯୮୮ ଅଗଷ୍ଟ ୧୩ ତାରିଖ ଦିନ ତାଙ୍କ ଇଚ୍ଛା ଅନୁଯାୟୀ କଟକରେ ତାଙ୍କର ଶବବାଦ ଓ ଅନ୍ତେଷ୍ଟିକ୍ରିୟା ନିରାଡ଼ମ୍ୱରରେ ପାଳନ କରାଗଲା ।

 

ଜୀବନର ଦୀର୍ଘତମ ଅସୁସ୍ଥତା :

 

ପତ୍ନୀ ବିୟୋଗର ତିନିମାସ ନ ପୂରୁଣୁ ରାମକୃଷ୍ଣ ଗୁରୁତର ଭାବରେ ଅସୁସ୍ଥ ହୋଇପଡ଼ିଲେ । ଶ୍ୱାସର ପ୍ରକୋପ ବଢ଼ିଲା, ଜ୍ୱର କ୍ରମାଗତ ଲାଗି ରହିଲା । ବହୁ ଚେଷ୍ଟାସତ୍ତ୍ୱେ ଦେହର ଉତ୍ତାପ କମିଲା ନାହିଁ । ପୁତ୍ରବଧୂ ଓ କନ୍ୟାମାନେ ପାଖେ ପାଖେ ରହି ସେବା ଶ୍ରୁଶ୍ରୂଷା କରୁଥାନ୍ତି । ରାମକୃଷ୍ଣ ଭାବିଲେ ଏହାହିଁ ତାଙ୍କର ଶେଷଯାତ୍ରା । କିନ୍ତୁ ବିଧାତାଙ୍କର ଇଚ୍ଛା ଥିଲା ଭିନ୍ନ । ଏକମାସ ପୀଡ଼ିତ ହେବା ପରେ ସେ ହୋମିଓପାଥିକ୍ ଔଷଧରେ ଜ୍ୱରମୁକ୍ତ ହେଲେ । କିନ୍ତୁ ଶ୍ୱାସର ପ୍ରକୋପରୁ ତାଙ୍କୁ ରକ୍ଷା ମିଳିଲା ନାହିଁ । ଚାରିମାସ ପର୍ଯ୍ୟନ୍ତ ସେ କିଛି କରିପାରିଲେ ନାହିଁ । ତାଙ୍କ ଜାମାତା ଡାକ୍ତର ଇନ୍ଦ୍ରମଣି ପତି ସେତେବେଳେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଅଧ୍ୟକ୍ଷ ଥିଲେ । ସେ ତାଙ୍କୁ ବ୍ରହ୍ମପୁର ନେଇଗଲେ । ସେଠାରେ କନ୍ୟା ବୀଣାପାଣିଙ୍କ ସେବାଯତ୍ନରେ ଓ ସ୍ଥାନ ପରିବର୍ତ୍ତନ ଫଳରେ ସେ ସାମାନ୍ୟ ଆରାମ ଅନୁଭବ କଲେ ।

 

ଶେଷ ଜୀବନରେ ରାମକୃଷ୍ଣ ଏହିପରି ଦୀର୍ଘଦିନ ଧରି ଆଉ କେତେ ପୀଡ଼ିତ ହୋଇ ନଥିଲେ । କର୍ମବହୁଳ ଶେଷ ଜୀବନ ତାଙ୍କର କଟିଥିଲା ସୁରୁଖୁରୁରେ । ସେ ପୁଅ, ବୋହୂ, ଝିଅ, ନାତି, ନାତୁଣୀ ପ୍ରଭୃତିଙ୍କ ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଉଥିଲେ । ସ୍ୱାସ୍ଥ୍ୟ ପରିବର୍ତ୍ତନ କାରଣରୁ ପୁରୀରେ କିଛିଦିନ ଅବସ୍ଥାନ କରିଥିଲେ । ୧୯୮୯ ମସିହା ଡିସେମ୍ୱର ୩ ତାରିଖରେ ପରିବାରବର୍ଗସହ ପୁରୀ ଯାଇ ଶ୍ରୀମନ୍ଦିର ବେଢ଼ାରେ ଲକ୍ଷ୍ମୀଠାକୁରାଣୀଙ୍କ ମନ୍ଦିର ସାମନାରେ ସ୍ୱର୍ଗଗତା ପତ୍ନୀ ସୌଦାମିନୀ ଦେବୀଙ୍କ ନାମାଙ୍କିତ ମାର୍ବଲ ପଥର ପକାଇଥିଲେ ।

 

ଲେଖାଲେଖି ପଢ଼ାପଢ଼ିରେ ବେଶ୍ ଆନନ୍ଦରେ ତାଙ୍କର ଦିନଗୁଡ଼ିକ କଟିଯାଉଥିଲା । କିନ୍ତୁ ୧୯୯୧ ନଭେମ୍ୱର ଶେଷ ଆଡ଼କୁ ତାଙ୍କର ପେଟ ଯନ୍ତ୍ରଣା ଅତି ଉତ୍କଟ ହେଲା । ପନ୍ଦର ଦିନ ଔଷଧ ଖାଇବା ପରେ ସୁସ୍ଥ ହେଲେ । ପରେ ପରେ ଆରମ୍ଭ ହେଲା ଶ୍ୱାସକଷ୍ଟ । ଯାହାହେଉ, ଏଥିରୁ ମଧ୍ୟ ଶୀଘ୍ର ମୁକ୍ତି ପାଇଲେ । ମଝିରେ ମଝିରେ ତାଙ୍କୁ ହାର୍ଣ୍ଣିଆଜନିତ ପୀଡ଼ା ଅତିଷ୍ଟ କରି ପକାଉଥିଲା । ୧୯୯୪ ଅପ୍ରେଲ ୨ ତାରିଖ ଦିନ ୧୨ଟାବେଳେ ହାର୍ଣ୍ଣିଆ ଯନ୍ତ୍ରଣା ଏତେ ବଢ଼ିଗଲା ଯେ ଡାକ୍ତରଙ୍କୁ ଡକାଗଲା । ଦୀର୍ଘ ତିନିଘଣ୍ଟାକାଳ କଷ୍ଟ ଭୋଗିବା ପରେ ସେ ଆରୋଗ୍ୟ ହେଲେ ।

 

ହାର୍ଣ୍ଣିଆ ପୀଡ଼ାରେ ବାରମ୍ୱାର ପୀଡ଼ିତ ହେବାରୁ ତାଙ୍କୁ ଡାକ୍ତରୀ ଅପରେସନ୍ ହେବା ପାଇଁ ସମସ୍ତେ ପରାମର୍ଶ ଦେଲେ । କିନ୍ତୁ ପିଲାଦିନୁ ଡାକ୍ତରୀ ଚିକିତ୍ସା ଓ ଔଷଧକୁ ସେ ପସନ୍ଦ କରୁ ନଥିଲେ । ଯେତେଦୂର ସମ୍ଭବ ଏସବୁଠାରୁ ସେ ଦୂରେଇ ରହୁଥିଲେ । ଜୀବନର ଶେଷ ପାଦରେ ୮୯ ବର୍ଷ ବୟସରେ ଅପରେସନ୍ ହେବାକୁ ସେ ଇଚ୍ଛା କରୁ ନଥିଲେ । ଏ ସମ୍ୱନ୍ଧରେ ବନ୍ଧୁବାନ୍ଧବଙ୍କ ପରାମର୍ଶ ମଧ୍ୟ ନେଉଥିଲେ । ଭାଗ୍ୟର ବିଡ଼ମ୍ୱନା, ତାଙ୍କୁ ଶେଷ ମୁହୂର୍ତ୍ତରେ ଡାକ୍ତରଖାନାର ଦ୍ୱାରସ୍ଥ ହେବାକୁ ପଡ଼ିଲା । ୧୯୯୪ ଅକ୍ଟୋବର ୨୬ ତାରିଖରେ କଟକ ଥୋରିଆ ସାହିସ୍ଥ ଶାନ୍ତି ହସ୍‍ପିଟାଲ ନର୍ସିଂହୋମ୍‍ରେ ତାଙ୍କୁ ଭର୍ତ୍ତି କରାଗଲା । ସନ୍ଧ୍ୟା ୭ଟାରେ ଅସ୍ତ୍ରୋପଚାର କରାଗଲା ସୁଦକ୍ଷ ବିଶେଷଜ୍ଞମାନଙ୍କ ଦ୍ୱାରା । ଅସ୍ତ୍ରୋପଚାର ଗୃହରୁ ଫେରିଲା ପରେ ତାଙ୍କର ସଂପୂର୍ଣ୍ଣ ସଂଜ୍ଞା ଫେରିଲା ନାହିଁ । ସେ ରହିଲେ ଅର୍ଦ୍ଧ ସଚେତନ ଅବସ୍ଥାରେ । ମଝିରେ ମଝିରେ ପ୍ରଳାପ କଲେ । ‘ପ୍ରଭୁ’, ‘ପ୍ରଭୁ’ (ଏକମାତ୍ର ପୁତ୍ର ପ୍ରଭାତଙ୍କ ଡାକ ନାମ) ଡାକିଲେ । “ପ୍ରଭୁ କିପରି ଅଛି, ପ୍ରଭୁ କୁଆଡ଼େ ଗଲା” ବୋଲି ପଚାରିଲେ । ଜାନୁଆରୀ ମାସ ‘ସଂସାର’ ପତ୍ରିକାର କାମ ସାରି ଦେଇଥିଲେ । ତାଙ୍କ ମୁଣ୍ଡରେ ଖେଳୁଥିଲା, କିପରି ତାହା ଠିକ୍ ସମୟରେ ବିଭିନ୍ନ ସ୍ଥାନକୁ ପଠାଯିବ । ତେଣୁ ମଝିରେ ମଝିରେ କ୍ୟାଲେଣ୍ଡର, ସଂସାର, ଡେସ୍‍ପାଚ୍ ଆଦି ଶବ୍ଦ ତାଙ୍କ ତୁଣ୍ଡରୁ ବାହାରୁଥିଲା । ଅର୍ଥାତ୍ କ୍ୟାଲେଣ୍ଡର ଦେଖି ଠିକ୍ ସମୟରେ ‘ସଂସାର’ dispatch କରିବାକୁ ସେ ପରାମର୍ଶ ଦେଉଥିଲେ-। ‘ସଂସାର’ ତାଙ୍କର ବହୁ ଶ୍ରମ ଓ ସାଧନାର ଫଳ । ଠିକ୍ ସମୟରେ ବାହାର କରି ଠିକ୍ ସମୟରେ ବିଭିନ୍ନ ସ୍ଥାନକୁ ପଠାଇବାରେ ସେ ଯତ୍ନବାନ ଥିଲେ । ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ଥିଲା ‘ସଂସାର’ ଚିନ୍ତା । Calendar ଦେଖି ଠିକ୍ ସମୟରେ despatch କରିବାର ଚିନ୍ତା । ଏହା ତାଙ୍କ ସମୟାନୁବର୍ତ୍ତିତାର ପରିଚୟ ପ୍ରଦାନ କରେ ।

 

୧୯୯୪ ଅକ୍ଟୋବର ୨୮ ତାରିଖ ଶୁକ୍ରବାର; ପବିତ୍ର କାର୍ତ୍ତିକ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏଇ ଦିନଟି ଥିଲା ମର୍ତ୍ତ୍ୟଲୋକରେ ରାମକୃଷ୍ଣଙ୍କର ଶେଷ ଦିନ । ସକାଳ ନଅଟା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା । ତାଙ୍କ ବିୟୋଗରେ ଅବସାନ ଘଟିଲା ଜୀବନ ସଂଗ୍ରାମରେ ଜୟଯୁକ୍ତ ହୋଇଥିବା ଜଣେ ସଂଗ୍ରାମୀ ସାଧକଙ୍କ ସତତ କର୍ମରତ ଜୀବନର ତଥା ନିରଳସ ଜଣେ ପ୍ରାଜ୍ଞ ପୁରୁଷଙ୍କର ।

 

ଶେଷକଥା :

 

ତାଙ୍କୁ ମୃତ୍ୟୁ ଖବର ବିଜୁଳି ବେଗରେ ଚାରିଆଡ଼େ ପ୍ରଚାରିତ ହୋଇଗଲା । ରାମକୃଷ୍ଣଙ୍କପ୍ରେମୀ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶୋଷ ଦର୍ଶନ ପାଇଁ ଭିଡ଼ ଜମାଇଲେ । ତାଙ୍କ ବିୟୋଗରେ ମର୍ମାହତ ଓ ଶୋକବିହ୍ୱଳ ତାଙ୍କର ଅଗଣିତ ଗୁଣମୁଗ୍‍ଧ ବ୍ୟକ୍ତି ଓ ଅନୁଷ୍ଠାନ ବାର୍ତ୍ତାମାନ ପଠାଇଲେ । ଏଥିରୁ କିଛି ନେଇ ତାଙ୍କର ପୁଅ-ବୋହୂ ଓ ଝିଅ-ଜୋଇଁମାନେ ତାଙ୍କ ଏକଦଶାହ ଉପଲେକ୍ଷେ ପ୍ରକାଶ କଲେ ଏକ ପୁସ୍ତିକା ‘ଶ୍ରଦ୍ଧାଞ୍ଜଳି’ । ଏମାନେ ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ମଧ୍ୟ ପ୍ରକାଶ କଲେ ‘ସ୍ମୃତିଗ୍ରନ୍ଥ’ ଶୀର୍ଷକ ଏକ ସ୍ମରଣିକା । ‘ସମାଜ’ ସମ୍ପାଦକ ଡକ୍ଟର ରାଧାନାଥ ରଥ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀ, ଶ୍ରୀ ଯଦୁନାଥ ଦାଶ ମହାପାତ୍ର, ଡକ୍ଟର ବସନ୍ତ କୁମାର ବେହୁରା, ଶ୍ରୀ ନୀଳକଣ୍ଠ ରଥ, ଶ୍ରୀମତୀ ମନୋରମା ମହାପାତ୍ର ପ୍ରଭୃତି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଚାରଣରେ ଏହି ଗ୍ରନ୍ଥଟି ସମୃଦ୍ଧ । ଏଥିରେ ତାଙ୍କ ଚତୁର୍ଥୀ କନ୍ୟା ଶ୍ରୀମତୀ ଶୈଳବାଳା ମହାପାତ୍ର, ପୁତ୍ର ଇଂଜିନିୟର ପ୍ରଭାତ ନନ୍ଦ, ପୁତ୍ରବଧୂ ଶ୍ରୀମତୀ ଅନସୂୟା ନନ୍ଦ ଓ ଜ୍ୟେଷ୍ଠ ଜାମାତା ଶ୍ରୀ ବାସୁଦେବ ତ୍ରିପାଠୀଙ୍କ ନିବେଦିତ ସ୍ମୃତି ସୁମନମାନ ସ୍ୱର୍ଗତ ନନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ଆଲୋକିତ କରନ୍ତି ।

 

ନିଜ କର୍ତ୍ତବ୍ୟରେ ରାମକୃଷ୍ଣ ଥିଲେ ଖୁବ୍ ନିଷ୍ଠାପର । ସବୁକଥା ସେ ନିଷ୍ଠାର ସହିତ କରୁଥିଲେ । ପିଲାଦିନେ ନିଷ୍ଠାର ସହିତ ପାଠ ପଢ଼ୁଥିଲେ; ବୃତ୍ତି ପାଉଥିଲେ । କଲେଜରେ ପଢ଼ିଲାବେଳେ ମଧ୍ୟ ମାସିକ ବୃତ୍ତି ଲାଭ କରିଥିଲେ । ଚାକିରି କ୍ଷେତ୍ରରେ ଶ୍ରଦ୍ଧାର ସହିତ କାମ କରୁଥିଲେ । ଭିଙ୍ଗାରପୁରର ଶ୍ରୀବକ୍ରେଶ୍ୱର ହାଇସ୍କୁଲକୁ ଏକ ଆଦର୍ଶ ତଥା ଅଗ୍ରଣୀ ବିଦ୍ୟାଳୟ କରିପାରିଥିଲେ । ଚାକିରି ଛାଡ଼ି ସ୍ୱାଧୀନ ବ୍ୟବସାୟ କରିବା ସମୟରେ ମଧ୍ୟ ତାଙ୍କ ନିଷ୍ଠାର ଅଭାବ ନଥିଲା । ଭଲ ମୁଦ୍ରଣ ପାଇଁ ତାଙ୍କ ପ୍ରତିଷ୍ଠିତ ପାରିଜାତ ପ୍ରେସ୍ ଓ ପରେ ସଂସାର ପ୍ରେସ୍ ବିଖ୍ୟାତ ଥିଲା । ସେ ପ୍ରେସ୍‍ର ସମସ୍ତ ପ୍ରକାର କାର୍ଯ୍ୟ ଶିଖିଥିଲେ । ନିଜ ପ୍ରୁଫ୍ ଦେଖୁଥିଲେ ଓ ଏ କାର୍ଯ୍ୟ ସେ ଏତେ ସାବଧାନତାର ସହ କରୁଥିଲେ ଯେ ଏଥିରେ ଗୋଟିଏ ଭୁଲ ମଧ୍ୟ ରହୁ ନଥିଲା । ସୁନ୍ଦର ଓ ନିର୍ଭୁଲ ମୁଦ୍ରଣ ପାଇଁ ତାଙ୍କ ପ୍ରେସ୍‍କୁ ବହୁ ପ୍ରକାଶକ ପସନ୍ଦ କରୁଥିଲେ ।

 

ହସ୍ତକର୍ମରେ ସେ ନିପୁଣ ଥିଲେ । କଂଗ୍ରେସରେ ଯୋଗଦେଇଥିବା ସମୟରେ ତୂଳାଭିଣା, ସୂତାକଟା ଓ ଲୁଗାବୁଣା ଶିଖିଥିଲେ । ପୁରୁଣା କନା, ତାଳପତ୍ର, ନଡ଼ିଆପତ୍ର, ଫିତା, କତା ଦଉଡ଼ି ଇତ୍ୟାଦିରେ ସେ ସୁନ୍ଦର ଆସନ, ସତରଞ୍ଜି ଆଦି ବୁଣି ଶିଖିଥିଲେ । ମାଟି, କାଗଜ, ତୂଳା, କନା ଇତ୍ୟାଦିରେ ସେ ପିନ୍ କୁସନ, ଫୁଲଦାନୀ, କଣ୍ଢେଇ, ଖେଳଣା ଆଦି ସୁନ୍ଦର ସୁନ୍ଦର ହାତକାମ କରିପାରୁ ଥିଲେ । ଟେବୁଲ୍, କବାଟ, ଝରକା ଆଦିରେ ନିଜେ ରଙ୍ଗ ଦେଉଥିଲେ । ଟ୍ରଙ୍କ୍, ସୁଟ୍‍କେଶ ଆଦିରେ ରଙ୍ଗ ଦେଇ ସେଥିରେ ନାଁ ଲେଖୁଥିଲେ ଓ ଫୁଲ ପକାଉଥିଲେ । ସେ ଭଲ ଚିତ୍ର ଆଙ୍କି ପାରୁଥିଲେ । ନିଜର କେତେକ ବହି ଓ ‘ସଂସାର’ ପତ୍ରିକା ପାଇଁ ସେ ନିଜେ ଚିତ୍ର ଆଙ୍କୁଥିଲେ-। କ୍ୟାମେରାରେ ଫଟୋ ଉଠାଇ ତାକୁ ନିଜ ହାତରେ ଧୋଇବା ଓ ଛାପିବା କାମ ମଧ୍ୟ ତାଙ୍କୁ ଜଣାଥିଲା । ବିଭିନ୍ନ ପ୍ରକାର ବିସ୍କୁଟ ଓ ସୁସ୍ୱାଦୁ ପିଠାପଣା ତିଆରି ମଧ୍ୟ ସେ ଜାଣିଥିଲେ । ନିଜେ ଶିଖି ଅନ୍ୟକୁ ଶିଖାଇବାରେ ସେ ଅପାର ଆନନ୍ଦ ପାଉଥିଲେ ।

 

ତାଙ୍କର ଏକାଗ୍ରତା ତାଙ୍କୁ ଯେକୌଣସି କାମରେ ସଫଳ କରୁଥିଲା । ସଙ୍ଗୀତରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ନିଜେ ହାରମୋନିୟମ୍ ବଜାଇ ଗୀତ ଗାଇପାରୁଥିଲେ । ଡୁବି-ତାବଲା ମଧ୍ୟ ବଜାଇ ଜାଣିଥିଲେ । ଯେତେ କାମ ଥିଲେ ମଧ୍ୟ ରେଡ଼ିଓରୁ ଓଡ଼ିଆ ଗୀତ ଶୁଣିବାରେ ଓ ବେଳେ ବେଳେ ସେସବୁକୁ ଟିପି ରଖିବାରେ ସେ ହେଳା କରୁ ନଥିଲେ । ଝିଅ ଓ ପୁଅଙ୍କୁ ନାଚ, ଗୀତ ଓ ବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ । ଗାଁରେ ଥିଲାବେଳେ ନିଜ ଭାଇମାନଙ୍କ ସହିତ ତାଙ୍କର ସଙ୍ଗୀତ ଆସର ବେଶ୍ ଜମୁଥିଲା । ତିନୋଟି ଗୀତ ତାଙ୍କର ଖୁବ୍ ପ୍ରିୟ ଥିଲା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ତୁଙ୍ଗ ଶିଖରୀ ଚୂଳ’, ତାଙ୍କ ନିଜର ‘ନିରାଶ ଜନର ଆଶାହେ ତୁମେ’ ଏବଂ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ଜୀବନପାତ୍ର ମୋ ଭରିଛ କେତେମତେ’ । ଏଗୁଡ଼ିକୁ ସେ ନିଜେ କେବଳ ଗାଉ ନଥିଲେ, ଝିଅ– ବୋହୂଙ୍କୁ ମଧ୍ୟ ବୋଲାଇ ଉପଭୋଗ କରୁଥିଲେ ।

 

ବ୍ୟାଡ଼ମିଣ୍ଟନ୍, ବଲ୍, ଲୁଡ଼ୁ, ତାସ୍, କ୍ୟାରମ୍ ଇତ୍ୟାଦି ବିଭିନ୍ନ ଖେଳ ମଧ୍ୟ ତାଙ୍କୁ ଜଣାଥିଲା-। ମ୍ୟାଜିକ୍ ଦେଖାଇ ପିଲାମାନଙ୍କୁ ଆମୋଦିତ କରୁଥିଲେ ଏବଂ ନିଜେ ମଧ୍ୟ ଆମୋଦିତ ହେଉଥିଲେ । ସୁନ୍ଦର ଭାବରେ ଘର ସଜାଇବାକୁ ସେ ଭଲ ପାଉଥିଲେ । ମଝିରେ ମଝିରେ ପିଲାମାନଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇ ନେବାରେ ଓ ବଣଭୋଜି କରିବାରେ ସେ ସୁଖ ପାଉଥିଲେ । ଗାଈ-ଗୋରୁ, ଶୁଆ-ଶାରୀ, କୁକୁର-ବିରାଡ଼ି, ମୟୂର, କୁକୁଡ଼ା, ଠେକୁଆ, ନେଉଳ ଆଦି ଘରେ ରଖି ପାଳନ କରିବା ଥିଲା ତାଙ୍କର ଅନ୍ୟ ଏକ ଆନନ୍ଦ । ସେ ଥିଲେ ଅତ୍ୟନ୍ତ ଶୁଚିଶୀଳ-। ମାଦକ ଦ୍ରବ୍ୟଠାରୁ ସେ ଦୂରେଇ ଥିଲେ । ଏପରିକି ଚା, କଫି, ପାନ, ବିଡ଼ି, ସିଗାରେଟ୍ ଇତ୍ୟାଦି ସେ ପାନ କରୁ ନଥିଲେ । ସ୍କ୍ୱାସ୍ ବା ସେହି ଜାତୀୟ କୌଣସି କୃତ୍ରିମ ପାନୀୟକୁ ସେ ପସନ୍ଦ କରୁ ନଥିଲେ । ଆଖୁରସ, ଫଳରସ, ମହୁ, କ୍ଷୀର, ମିଶ୍ରିପାଣି ଆଦି ପିଇବାକୁ ସେ ଭଲ ପାଉଥିଲେ । ଲେମ୍ୱୁରସ ପ୍ରତି ତାଙ୍କର ଆସକ୍ତି ନଥିଲା । ଅଦା, ଗୋଲମରିଚ, ପୋଦନାପତ୍ର, ରୁକୁଣା ହାତପୋଛା ପତ୍ର ଇତ୍ୟାଦି ମଧ୍ୟରୁ ଯେକୌଣସି ଗୋଟିଏ ବଟାଯାଇ ତାଙ୍କୁ ପିଇବାକୁ ଦିଆଯାଇଥିଲା । ମିଠା ଖାଇବାକୁ ସେ ସବୁଠାରୁ ବେଶି ଭଲ ପାଉଥିଲେ । କୌଣସି ଶାରୀରିକ ଅସୁସ୍ଥତା ବେଳେ ତ୍ରିଫଳା, ଲାଣ୍ଡିବଗୁଲି ମଞ୍ଜି, ହୋମିଓପାଥିକ୍, ଚ୍ୟବନପ୍ରାସ ଇତ୍ୟାଦି ଥିଲା ତାଙ୍କର ଔଷଧ । ଏସବୁ ବ୍ୟତୀତ ସେ ଅନ୍ୟ କୌଣସି ଔଷଧ ବ୍ୟବହାର କରୁ ନଥିଲେ । ଅବଶ୍ୟ ଜୀନବର ଶେଷ ଆଡ଼କୁ ତାଙ୍କୁ ବାଧ୍ୟ ହୋଇ କଂପ୍ଳାନ୍, ହର୍ଲିକ୍‍ସ ଏବଂ କେତେ ପ୍ରକାର ଦେଶୀ ବିଦେଶୀ ଔଷଧ ଇତ୍ୟାଦି ବ୍ୟବହାର କରିବାକୁ ପଡ଼ିଥିଲା । ପ୍ରାକୃତିକ ଦ୍ରବ୍ୟକୁ ସେ ଅଧିକ ଭଲ ପାଉଥିଲେ । ଫ୍ୟାନ୍ ପବନଠାରୁ ଖୋଲା ସ୍ଥାନର ପବନ ତାଙ୍କ ପାଇଁ ଆରାମଦାୟକ ଥିଲା । ସେହିପରି ନିଆଁରେ ଗରମ ହୋଇଥିବା ପାଣି ବ୍ୟବହାର ନକରି ସେ ଖରାରେ ଉଷୁମ ହୋଇଥିବା ପାଣିରେ ଗାଧୋଉ ଥିଲେ । ସେ ଅତି ସରଳ ଓ ନିରାଡ଼ମ୍ୱର ଜୀବନ ଯାପନ କରୁଥିଲେ ।

 

ସେ ଥିଲେ ସତ୍ୟାଶ୍ରୟୀ, ସ୍ପଷ୍ଟବାଦୀ ଓ ନିର୍ଭୀକ । ସତ୍ୟକୁ ଗୋପନ ରଖିବାର ପକ୍ଷପାତୀ ସେ ନଥିଲେ । ଏହାର କେତେକ ଉଦାହରଣ ତାଙ୍କ ଜୀବନୀ ଆଲୋଚନା କାଳରେ ଦେଖାଇ ଦିଆଯାଇଛି । ‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’ର ଲେଖକ ଅସତ୍ୟକୁ କ’ଣ କେବେ ପ୍ରଶୟ ଦେଇପାରନ୍ତି ? ଏହାଛଡ଼ା ସେ ଏକ ଶୃଙ୍ଖଳିତ ଜୀବନ ଯାପନ କରୁଥିଲେ । ଶୃଙ୍ଖଳାକୁ ସେ ଜୀବନର ସର୍ବଶ୍ରେଷ୍ଠ ପ୍ରହରୀ ଜ୍ଞାନକରି ସବୁକାମରେ ଅଗ୍ରାଧିକାର ଦେଉଥିଲେ । ଯେଉଁ ସମୟରେ ଯାହା କରିବାର କଥା ତାହା କରୁଥିଲେ । ଆଳସ୍ୟରେ ସମୟ କଟାଇବାକୁ ସେ ଘୃଣା କରୁଥିଲେ । ସୂର୍ଯ୍ୟୋଦୟ ପୂର୍ବରୁ ସେ ଶଯ୍ୟାତ୍ୟାଗ କରୁଥିଲେ ଏବଂ ନିତ୍ୟକର୍ମ ସାରି ଠିକ୍ ସମୟରେ ପ୍ରେସ୍ କାର୍ଯ୍ୟ ତଦାରଖ କରୁଥିଲେ । ମସୟ ମିଳିଲେ ନାତିନାତୁଣୀଙ୍କ ସାଙ୍ଗେ ଗପ କରୁଥିଲେ । କିନ୍ତୁ ଖେଳ ପାଇଁ ଯେତିକି ସମୟ ବାହାର କରୁଥିଲେ, ସେତିକି ସମୟହିଁ ଖେଳୁଥିଲେ । ଅନ୍ୟମାନଙ୍କ ଭଳି ଖେଳରେ ମନଇଚ୍ଛା ସମୟ କଟାଉ ନଥିଲେ । ତାଙ୍କ ମତରେ, ଖେଳ, ନାଚ ଗୀତ ଇତ୍ୟାଦି ଯଦିଓ ଜୀବନଧାରାର ଅଂଶବିଶେଷ, ତଥାପି ଏଥିରେ ଅଧିକ ସମୟ ବ୍ୟୟକରି ଜୀବନର ମୁଖ୍ୟ କାର୍ଯ୍ୟମାନଙ୍କୁ ବ୍ୟାହତ କରିବା ଉଚିତ ନୁହେଁ । ସେ ଏପରି ସମୟ ସଚେତନ ଥିଲେ ଯେ, ଯେଉଁ ସମୟରେ ଯାହାକୁ କଥା ଦେଉଥିଲେ, ଠିକ୍ ସେହି ସମୟରେହିଁ ତାଙ୍କୁ ସାକ୍ଷାତ କରୁଥିଲେ । ମିନିଟିଏ ଏପଟ ସେପଟ ହେଉ ନଥିଲା । ସଭାସମିତିରେ ଠିକ୍ ସମୟରେ ପହଞ୍ଚୁଥିଲେ । ସମୟାନୁବର୍ତ୍ତିତା ଥିଲା ତାଙ୍କ ବ୍ୟକ୍ତିତ୍ୱର ଏକ ମୁଖ୍ୟ ବିଭାବ ।

 

ରାମକୃଷ୍ଣ ଆଜି ନାହାନ୍ତି; କିନ୍ତୁ ପ୍ରତ୍ୟେକ ଓଡ଼ିଆ ପାଠକ ହୃଦୟରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତାଙ୍କ ଲେଖନୀପ୍ରସୂତ “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି” ପଦଟି ଭିତରେ ଯେଉଁ ମାର୍ମିକ ଆବେଦନ ରହିଛି, ତାହା ଯୁଗେ ଯୁଗେ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ; ତାଙ୍କ ଆଦର୍ଶପଣ୍ଡିତ ଜୀବନ ଚରିତ ସମସ୍ତଙ୍କୁ ଆଲୋକ ଦେଉଥିବ ।

Image

 

ଷଷ୍ଠ ପରିଚ୍ଛେଦ

ସାରସ୍ୱତ ସାଧନା

 

ପ୍ରସ୍ତୁତି ଓ ପ୍ରତିଶ୍ରୁତି :

 

ରାମକୃଷ୍ଣ ଥିଲେ ଜଣେ ବିଶିଷ୍ଟ ସାରସ୍ୱତ ସାଧକ । ସେ କବିତା, ଗଳ୍ପ, ପ୍ରବନ୍ଧ, ନାଟକ, ଜୀବନୀ, ଆତ୍ମଜୀବନୀ, ପାଠ୍ୟପୁସ୍ତକ, ଶିଶୁ ସାହିତ୍ୟ, ଅନୁବାଦ ସାହିତ୍ୟ ଆଦି ପ୍ରଣୟନରେ ମନୋନିବେଶ କରିଥିଲେ ଓ ବହୁ କ୍ଷେତ୍ରରେ ସଫଳତା ହାସଲ କରିଥିଲେ । ତେଣୁ ତାଙ୍କୁ କେବଳ ଶିଶୁ ସାହିତ୍ୟିକ ବା ପାଠ୍ୟପୁସ୍ତକ ପ୍ରଣେତା ଭାବରେ ଗ୍ରହଣ ନକରି ସର୍ବୋପରି ଜଣେ ନିଷ୍ଠାପର ସାହିତ୍ୟିକ ଭାବରେ ଗ୍ରହଣ କରିବାହିଁ ଯଥାର୍ଥ ହେବ ।

ବାଲ୍ୟକାଳରୁ ସାହିତ୍ୟ ସୃଷ୍ଟି ପାଇଁ ତାଙ୍କୁ ପ୍ରେରଣା ମିଳିଥିଲା । ନିମ୍ନ ପ୍ରାଥମିକ ଛାତ୍ର ଥିଲାବେଳେ ସେ ନନ୍ଦ କିଶୋର ବଳଙ୍କ ନାନାବାୟା ଗୀତ ବହି ଖଣ୍ଡେ ପାଇଥିଲେ । ସେ ବହିଖଣ୍ଡି ତାଙ୍କ ମନରେ ଗଭୀର ରେଖାପାତ କରିଥିଲା । ଆଉ ଖଣ୍ଡେ ଛୋଟ ପୁରୁଣା ବହି ସେ ତାଙ୍କ ନନାଙ୍କ କାଜଗପତ୍ରରୁ ପାଇଥିଲେ; ତାହାର ନାମ ‘କବିତାବଳୀ’ । ସେଥିରେ କବିବର ରାଧାନାଥ ରାୟଙ୍କର “ଉଠ ଉଠ ଆରେ ସମଯୋଧଗଣ, କରେ କରବାଳ ପଶ ସମରେ” କବିତାଟି ସ୍ଥାନ ପାଇଥିଲା । କହିବା ବାହୁଲ୍ୟ, ସମ୍ପୂର୍ଣ୍ଣ କବିତାଟି ତାଙ୍କର ମୁଖସ୍ଥ ହୋଇଯାଇଥିଲା । କିଛିଦିନ ପରେ ତାଙ୍କ ନନା ଆଉ ଖଣ୍ଡିଏ ଛୋଟ ବହି କଟକରୁ ଆଣି ତାଙ୍କୁ ଦେଇଥିଲେ । ସେଇଟି ଥିଲା କୃଷ୍ଣଚନ୍ଦ୍ର ସେନ୍‍ଗୁପ୍ତଙ୍କ ‘ମୋ ବାଇଧନ’ । ଏଇଟି ମଧ୍ୟ ତାଙ୍କ ଶିଶୁ ମନକୁ ବେଶ୍ ଛୁଇଁଥିଲା । ‘ଚାଟଶାଳୀ ପାଠ’ରୁ ‘କମଳ ଲୋଚନ ଚଉତିଶା’, ‘ମନବୋଧ ଚଉତିଶା’, ‘କଳା କଳେବର ଚଉତିଶା’ ଇତ୍ୟାଦି କେତୋଟି ଚଉତିଶା ଶୈଶବକାଳରେ ତାଙ୍କ ପ୍ରାଣକୁ ପଦ୍ୟମୟ କରିବାପାଇଁ ଯଥେଷ୍ଟ ସାହାଯ୍ୟ କରିଥିଲା । ଏସବୁ ବ୍ୟତୀତ ସେତେବେଳେ ଚାଟମାନଙ୍କ ପାଇଁ ଉଦ୍ଦିଷ୍ଟ ‘କେଶବ କୋଇଲି’, ‘ଗୋପୀଭାଷା’ ଇତ୍ୟାଦି କେତୋଟି ଛନ୍ଦୋବଦ୍ଧ ରଚନାର ପ୍ରଭାବ ସେ ସ୍ପଷ୍ଟ ଉପଲବ୍‍ଧି କରିପାରିଥିଲେ ।

ବାଲ୍ୟକାଳରୁ କାବ୍ୟ-କବିତା ପଠନ ତାଙ୍କୁ ପ୍ରେରଣା ଯୋଗାଇ ଥିଲା ପରବର୍ତ୍ତୀ କାଳରେ କବିତା ଲେଖିବା ପାଇଁ । କଟକ ରେଭେନ୍‍ସା କଲେଜିଏଟ୍ ସ୍କୁଲରେ ନବମ ଶ୍ରେଣୀର ଛାତ୍ର ଥିଲାବେଳେ ତାଙ୍କ ଶ୍ରେଣୀରୁ ‘ଚନ୍ଦ୍ରିକା’ ନାମରେ ଖଣ୍ଡିଏ ହାତଲେଖା ପତ୍ରିକା ବାହାରୁଥିଲା । ରାମକୃଷ୍ଣ ସେଥିରେ ନିୟମିତ ଲେଖାଲେଖି କରୁଥିଲେ । ଜଗବନ୍ଧୁ ସିଂହଙ୍କ ‘ଗୃହଲକ୍ଷ୍ମୀ’ ବହିରୁ ଶୈବ୍ୟା ବିଷୟ ପଢ଼ି ସେ ସେହି ବିଷୟରେ କବିତାଟିଏ ଲେଖି ଉକ୍ତ ପତ୍ରିକାରେ ପ୍ରକାଶ କରାଇଥିଲେ । ଏହା ଥିଲା ତାଙ୍କ ଜୀବନର ପ୍ରଥମ କବିତା । ତେଣୁ କବିତା ରଚନାରୁହିଁ ତାଙ୍କ ସାହିତ୍ୟକ ଜୀବନର ଆରମ୍ଭ ।

ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିବା ପରେ ବଡ଼ଚଣା ଅଞ୍ଚଳ, କୁଦାନଗରୀ ଆଶ୍ରମ, କଟକ ସ୍ୱରାଜ୍ୟଶ୍ରମ, ଅଳାକାଶ୍ରମ ଇତ୍ୟାଦି ସ୍ଥାନମାନଙ୍କରେ ରହି ସେ କଂଗ୍ରେସରେ ବାର୍ତ୍ତା ପ୍ରଚାର କରୁଥିଲେ । ଅଳକାଶ୍ରମରେ ଥିବାବେଳେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରେରଣାରେ ଖଣ୍ଡିଏ ହାତଲେଖା ପତ୍ରିକା ପ୍ରକାଶିତ ହେଉଥିଲା । ସେଥିରେ ରାମକୃଷ୍ଣଙ୍କର କେତେଗୋଟି କବିତା ଓ ଗଳ୍ପ ସ୍ଥାନ ପାଇଥିଲା ।

ରାମକୃଷ୍ଣ ଦଶପଲ୍ଲା ମେସ୍‍ରେ ରହି ରେଭେନ୍‍ସା କଲେଜରେ ଆଇ.ଏ. ପଢ଼ୁଥିବା ସମୟରେ ତାଙ୍କର ପୂର୍ବତନ ବନ୍ଧୁ କୃଷ୍ଣଚନ୍ଦ୍ର ପ୍ରଧାନ କଂଗ୍ରେସ କାମ ଛାଡ଼ି କଟକରେ ପୁସ୍ତକ ବ୍ୟବସାୟ କରୁଥିଲେ । ତାଙ୍କ ଅନୁରୋଧ ରକ୍ଷାକରି ରାମକୃଷ୍ଣ ମଧୁସୂଦନ ରାଓଙ୍କ ‘ବାଳବୋଧ’ ଓ ‘ସାହିତ୍ୟ ପ୍ରସଙ୍ଗ’ ବହି ଦୁଇଟିର ଟୀକା ବହି ଲେଖିଥିଲେ । ଏ ବାବଦକୁ ସେ ଏକଶହ ଟଙ୍କା ପାଇଥିଲେ । ସେଥିରେ ସେ ଖଣ୍ଡିଏ ହରକ୍ୟୁଲେସ୍ ସାଇକେଲ୍ କିଣିଥିଲେ ।

ରେଭେନ୍‍ସା କଲେଜରେ ବି.ଏ. ଶ୍ରେଣୀରେ ଥିଲାବେଳେ Ravenshavianରେ ଏବଂ ‘ସହକାର’ରେ ତାଙ୍କର କେତୋଟି ଗଳ୍ପ ଓ କବିତା ପ୍ରକାଶ ପାଇଥିଲା । ଏହି ସମୟରେ ସେ ‘ତୁଳସୀଦାସ’ ବହିର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ ଓ ମାଇନର ଉପଯୋଗୀ ଖଣ୍ଡେ ଟ୍ରାନ୍‍ସଲେସନ ବହି ଲେଖିଥିଲେ । Mathew Arnold ରଚିତ Sohrab and Rustumର ଏକ ପଦ୍ୟାନୁବାଦ ମଧ୍ୟ ଏହି ସମୟରେ ହାତକୁ ନେଇ ସମାପ୍ତ କରୁଥିଲେ । ତାଙ୍କ ପୁସ୍ତକଗୁଡ଼ିକୁ ଛାପିବା ପାଇଁ ପ୍ରକାଶକଙ୍କର ଅଭାବ ନଥିଲା । କଟକ ଟ୍ରେଡ଼ିଂ କଂପାନୀ ତାଙ୍କର ପ୍ରଥମ ପ୍ରକାଶକ । ସପ୍ତମ ଶ୍ରେଣୀ ପାଇଁ ରଚିତ ତାଙ୍କ ଟ୍ରାନ୍‍ସଲେସନ୍ ବହିର ପ୍ରକାଶକ ଥିଲେ ଉତ୍କଳ ବୁକ୍ କମ୍ପାନୀ । ତାଙ୍କର ପରବର୍ତ୍ତୀ ବହୁ ପୁସ୍ତକ ପ୍ରକାଶ କରିଥିଲେ କଟକ ପବ୍ଲିଶିଂ ହାଉସ୍ । ତାଙ୍କଠାରୁ ପାଣ୍ଡୁଲିପି ପାଇବାମାତ୍ରେ ପ୍ରକାଶକମାନେ ପ୍ରକାଶ କରୁଥିଲେ ଏବଂ ଏଗୁଡ଼ିକ ମଧ୍ୟ ଖୁବ୍ ଆଦୃତ ହେଉଥିଲା । ଫଳରେ ଲେଖାଲେଖି ଦିଗରେ ତାଙ୍କୁ ବେଶ୍ ଉତ୍ସାହ ମିଳୁଥିଲା ।

ସାଧନାର ମଧ୍ୟପର୍ବ :

ଲେଖାଲେଖି କରିବା ଦିଗରେ ତାଙ୍କର ଯେଉଁ ଟିକକ ପ୍ରବୃତ୍ତି ଥିଲା, ବାରିପଦାରେ ଶିକ୍ଷକ-ଜୀବନ ସେ ପ୍ରବୃତ୍ତିକୁ ଚରିତାର୍ଥ କରିବାକୁ ଅନୁକୂଳ ପରିବେଶ ଯୋଗାଇଦେଲା । ସ୍କୁଲ ଲାଇବ୍ରେରୀ ଏବଂ ଜୁବୁଲି ଲାଇବ୍ରେରୀରୁ ବହି ଆଣି ସେ ପଢ଼ିବାର ସୁବିଧା ପାଇଲେ । ସାହିତ୍ୟିକ ଆଲୋଚନା ପାଇଁ ବାରିପଦା ମଧ୍ୟ ପ୍ରଶସ୍ତ କ୍ଷେତ୍ର ଥିଲା । ସେଠାରେ ସାହିତ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ତାଙ୍କୁ ଯଥେଷ୍ଟ ଅନୁପ୍ରାଣିତ କରିଥିଲା । ତାଙ୍କ ସହକର୍ମୀ ସ୍ୱର୍ଗୀୟ ଜଗତ୍ ମୋହନ ସେନ୍ ଥିଲେ ଜଣେ ତରୁଣ ଲେଖକ ଓ କଳାକାର । ସେ ଦୁହେଁ ଅନେକ ସମୟରେ ଏକାଠି ବସି ପରସ୍ପର ମଧ୍ୟରେ ଭାବ ପ୍ରଦାନ କରୁଥିଲେ ।

 

୧୯୩୩ରେ ‘ପ୍ରତିଧ୍ୱନି’ ନାମକ ତାଙ୍କର ଖଣ୍ଡିଏ କ୍ଷୁଦ୍ର ପୁସ୍ତକ ପ୍ରକାଶ ପାଇଥିଲା । ଏଥିରେ ପ୍ରଚୀନ ଓ ଆଧୁନିକ ଓଡ଼ିଆ କବିମାନଙ୍କର ଅମୂଲ୍ୟ ଉକ୍ତିମାନ ସଂଗୃହୀତ । ଇଂରାଜୀ ଭାଷାରେଥିବା A Book of Familiar Quotation ଦେଖିବା ପରେ ରାମକୃଷ୍ଣ ଏହାର ପରିକଳ୍ପନା କରିଥିଲେ ଏବଂ ଏହା ୧୯୩୩ରେ ସଂଗୃହୀତ ପ୍ରକାଶିତ ହୋଇଥିଲା । ତାଙ୍କ ଭାଷାରେ - “ଦିନେ ଇଂରାଜୀ ଭାଷାରେ ‘A Book of Familiar Quotations’ ନାମକ ଖଣ୍ଡେ ପୁସ୍ତକ ଦେଖି ଓଡ଼ିଆରେ ସେହିପରି ଖଣ୍ଡେ ପୁସ୍ତକ ପ୍ରକାଶ କରିବା ପାଇଁ ମୋର ଆଗ୍ରହ ହେଲା । ସେହି ଦିନଠାରୁ ମୁଁ ପ୍ରାଚୀନ ଓ ଆଧୁନିକ ଓଡ଼ିଆ କବିମାନଙ୍କର ଏହି ଅମୂଲ୍ୟ ଉକ୍ତିଚୟ ସଂଗ୍ରହ କରିବାରେ ଲାଗିପଡ଼ିଲି । ଏଗୁଡ଼ିକ ଭାଷାର ଭୂଷଣ, ତେଣୁ ପ୍ରତ୍ୟେକ ସାହିତ୍ୟସେବୀର ଆଦରର ଧନ ।” (ଭୂମିକା) ୧୯୩୪ରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ ‘ସାହିତ୍ୟ ସୋପାନ’ (୧ମ ଓ ୨ୟ ଭାଗ) ସେ ରଚନା କରିଥିଲେ । ଏହିବର୍ଷ ତାଙ୍କର ଅନ୍ୟତମ ରଚନା ‘ସାଗ୍ରାମ ଓ ସାଧନା’ର ୧ମ ଭାଗ ମଧ୍ୟ ପ୍ରକାଶିତ ହୋଇଥିଲା । ୪ର୍ଥ ଓ ୫ମ ଶ୍ରେଣୀ ପାଇଁ ‘ସାହିତ୍ୟ ସୋପାନ’ (୩ୟ ଓ ୪ର୍ଥ ଭାଗ)ପ୍ରକାଶିତ ହୋଇଥିଲା ୧୯୩୭ରେ । ୪ର୍ଥ ଓ ୫ମ ଶ୍ରେଣୀ ପାଇଁ ‘ସାହିତ୍ୟ ବୋଧ’ର ୧ମ ଓ ୨ୟ ଭାଗ ପ୍ରକାଶିତ ହୋଇଥିଲା ୧୯୩୮ ମସିହାରେ ।

 

ବାରିପଦା ସ୍କୁଲର ଛାତ୍ରମାନଙ୍କ ଦ୍ୱାରା ଥରେ ତାଙ୍କ ରଚିତ ‘କୃଷ୍ଣାକୁମାରୀ’ ନାଟିକାଟି ଅଭିନୀତ ହୋଇଥିଲା । ସେ ପାଣ୍ଡୁଲିପିଟି ପରେ ହଜିଗଲା । କିନ୍ତୁ ସେଥିରେ ଥିବା ‘ନିରାଶ ଜନର ଆଶା ହେ ତୁମେ ବଣା ବାଟୋଇର ସାଥୀ ...’ ଗୀତଟି କିନ୍ତୁ ତାଙ୍କର ମନେ ଥିଲା ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ।

 

ଏକଦା ସତ୍ୟବାଦୀ ଜାତୀୟ ବନବିଦ୍ୟାଳୟର ଶିକ୍ଷକ ଓ ବାରିପଦାରେ ତାଙ୍କର ସହକର୍ମୀ ଶ୍ରୀ ବାସୁଦେବ ମହାପାତ୍ରଙ୍କ ସହିତ ମିଶି ସେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଉପଯୋଗୀ ‘ରଚନା ଦର୍ପଣ’ ନାମରେ ପୁସ୍ତକଟିଏ ପ୍ରଣୟନ କରିଥିଲେ । ଏହାଛଡ଼ା ଇଂରାଜୀରେ Model Essays and Letters, New Systematic Translation Book-II, Translation Primer ପ୍ରଭୃତି ବହି ବାରିପଦାରେ ଥିବା ସମୟରେ ରଚନା କରିଥିଲେ । ‘ଭଞ୍ଜ ପ୍ରଦୀପ’, ‘ସହକାର’ ଓ ‘ନବଭାରତ’ରେ ତାଙ୍କର କେତେକ ଗଳ୍ପ, କବିତା ଏବଂ ପ୍ରବନ୍ଧ ଏହି ସମୟରେ ପ୍ରକାଶ ପାଇଥିଲା । ବମ୍ୱେରୁ ପ୍ରକାଶିତ The Progressive India ଏବଂ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ସାହୁଙ୍କ The Vaitarani ପାଇଁ ମଧ୍ୟ କେତେକ ଇଂରାଜୀ ପ୍ରବନ୍ଧ ମଧ୍ୟେ ମଧ୍ୟେ ଲେଖୁଥିଲେ । ଏହାଛଡ଼ା ମୟୂରଭଞ୍ଜ ଷ୍ଟେଟ୍ ସରକାରଙ୍କ ଦ୍ୱାରା ପ୍ରକାଶିତ ଶିଶୁପାଠ୍ୟ ‘ଅବସର ପାଠ’ ରଚନାରେ ମଧ୍ୟ ସାହାଯ୍ୟ କରିଥିଲେ ।

 

ବାରିପଦାରୁ ଶିକ୍ଷକତା ତ୍ୟାଗକରି ଆସିବା ପରେ ରାମକୃଷ୍ଣ ଭିଙ୍ଗାରପୁରର ଶ୍ରୀ ବକ୍ରେଶ୍ୱର ହାଇସ୍କୁଲରେ ୧୯୪୨ଠାରୁ ୧୯୪୬ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେତେବେଳେ ଏହି ସ୍କୁଲର ଅବସ୍ଥା ଭଲ ନଥିଲା । ଏହାର ଉନ୍ନତି ପାଇଁ ରାମକୃଷ୍ଣଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ୁଥିଲା । ସେ ସ୍କୁଲ କାମରେ ଏତେ ବ୍ୟସ୍ତ ରହୁଥିଲେ ଯେ ଲେଖାଲେଖି ପାଇଁ ତାଙ୍କୁ ଖୁବ୍ କମ୍ ଅବସର ମିଳୁଥିଲା । ତଥାପି ସେହି ସ୍ୱଳ୍ପ ଅବସରର ସଦ୍‌ବ୍ୟବହାରରେ ସେ ‘ପାଠ ସୋପାନ’ର ୧ମ ଭାଗ, ୨ୟଭାଗ ଓ ୩ୟ ଭାଗ ରଚନା କରିଥିଲେ । ଏହିଠାରେ ମଧ୍ୟ ସେ ‘ସଂଗ୍ରାମ ଓ ସାଧନା’ (୨ୟ)ର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ ।

 

ପରିଣତି :

 

ଶିକ୍ଷକତା ତ୍ୟାଗକରି ସ୍ୱାଧୀନ ବୃତ୍ତି ଆରମ୍ଭ ଉଦ୍ଦେଶ୍ୟରେ ରାମକୃଷ୍ଣ କଟକ ଆସିଲେ । କଟକରେ ସେ ‘ପାରିଜାତ’ ନାମକ ପ୍ରେସ୍‍ଟିଏ ସ୍ଥାପନ କଲେ ୧୯୪୭ ମସିହାରେ । ପ୍ରେସ୍ କାମର ବ୍ୟସ୍ତତା ଭିତରେ ମଧ୍ୟ ସେ ଲେଖନୀ ଚାଳନା ପୂରାପୂରି ତ୍ୟାଗ କରିପାରି ନଥିଲେ । ଏହି ସମୟରେ ସେ ଛାତ୍ରମାନଙ୍କ ବ୍ୟବହାର ପାଇଁ ତିନୋଟି ଭାଗରେ ବିଭକ୍ତ ‘ସରଳ ସାଧାରଣ ଜ୍ଞାନ’ ଲେଖି ଛପାଇଲେ । ୧୯୪୯ରେ ତାଙ୍କ ଦ୍ୱାରା ଲିଖିତ ‘ବିଜ୍ଞାନର କୁହୁକ’ ବହି ପ୍ରକାଶିତ ହେଲା । ବିଜ୍ଞାନରେ ଚମତ୍କାରିତା ଦେଖାଇବାକୁ ସେ ଏଥିରେ ସ୍ଥାନିତ କଲେ ‘ଗଗନଭେଦୀ ଅଟ୍ଟାଳିକା’, ‘ଆମୋଦଦାୟକ ରେଳଯାତ୍ରା’, ‘ବେତାର ଓ ଟେଲିଭିଜନ’, ‘ପରମାଣୁ ବୋମା’ ଓ ‘ଗ୍ରହଜଗତରେ ଗସ୍ତ’ ଏହି ପାଞ୍ଚଗୋଟି ବିଷୟ । ଏହି ବହିଗୁଡ଼ିକ ଲେଖିବାବେଳେ ସେ ଓଡ଼ିଆ ଭାଷାର ଜ୍ଞାନବିଜ୍ଞାନ ତଥ୍ୟ ସମ୍ୱଳିତ ସହାୟକ ଗ୍ରନ୍ଥର ଅଭାବ ବେଶ୍ ଅନୁଭବ କଲେ । ଓଡ଼ିଆରେ ଜ୍ଞାନବିଜ୍ଞାନମୂଳକ ଖଣ୍ଡିଏ ମାସିକ ପତ୍ରିକା ପ୍ରକାଶିତ ହେଲେ ଏ ପ୍ରକାର ଅସୁବିଧା ଦୂର ହୋଇପାରନ୍ତା ବୋଲି ସେ ଉପଲବ୍‍ଧି କଲେ । ଫଳରେ ‘ସଂସାର’ ମାସିକ ପତ୍ରିକାର ଜନ୍ମ ହେଲା ୧୯୫୧ ଅଗଷ୍ଟ ମାସରେ । ପ୍ରଥମ ସଂଖ୍ୟାରେ ଏହି ପତ୍ରିକାର ଆଭିମୁଖ୍ୟ ସୂଚାଇବାକୁ ଯାଇ ସମ୍ପାଦକ ରାମକୃଷ୍ଣ ଲେଖିଥିଲେ - “ନିତ୍ୟ ପରିବର୍ତ୍ତନଶୀଳ ଏହି ବିରାଟ ଜଗତର ବିଭିନ୍ନ ଅଂଶରେ ଘଟୁଥିବା ବିଭିନ୍ନ ଘଟନାବଳୀ ସମ୍ୱନ୍ଧରେ ତଥ୍ୟ ଓ ସମାଚାର ସଂଗ୍ରହ କରି ଜିଜ୍ଞାସୁ ପାଠକ-ପାଠିକାମାନଙ୍କ ନିକଟରେ ସେଗୁଡ଼ିକ ସଂକ୍ଷେପରେ ପରିବେଷଣ କରିବା ଆମର ଲକ୍ଷ୍ୟ । ଜୀବନ ସଂଗ୍ରାମରେ ଆଜିକାଲି ସାଧାରଣଜ୍ଞାନର ଆବଶ୍ୟକତା ସମସ୍ତେ ସ୍ୱୀକାର କରିବେ । ଜଟିଳ ଜଗତ ଆଗେଇ ଚାଲିଛି, ତା ସଂଗେ ପାଦ ମିଳାଇ ଚାଲିବାକୁ ହେବ । ସେଥିପାଇଁ, କେବଳ ପାଠ୍ୟପୁସ୍ତକ ପଢ଼ି ପରୀକ୍ଷାରେ ପାସ୍ ହାସଲ କଲେ ଚଳିବ ନାହିଁ । ଖବରକାଗଜ ଓ ପତ୍ରପତ୍ରିକା ପଢ଼ି ଦୁନିଆକୁ ଜାଣିବା ଆବଶ୍ୟକ ହେଉଛି ।”

 

ପ୍ରଥମେ ‘ସଂସାର’ ପତ୍ରିକାର କଳେବର ଷୋଳପୃଷ୍ଠାବିଶିଷ୍ଟ ଥିଲା । ପରେ ବଢ଼ି ବଢ଼ି ଏହା ୪୪ ପୃଷ୍ଠାକୁ ବୃଦ୍ଧି ପାଇଲା । ଏବେ ଏହାର ପୃଷ୍ଠା ସଂଖ୍ୟା ୪୮ । କେବଳ ସମ୍ପାଦନା ନୁହେଁ, ପତ୍ରିକା ସମ୍ୱନ୍ଧୀୟ ଅଧିକାଂଶ କାର୍ଯ୍ୟ ନିଜେ ରାମକୃଷ୍ଣ କରୁଥିଲେ । ସେ ଏହାର ପ୍ରକାଶନର ସ୍ୱତନ୍ତ୍ର ଆଭିମୁଖ୍ୟ ସମ୍ପର୍କରେ ଯାହା ପ୍ରଥମ ସଂଖ୍ୟାରେ ସମ୍ପାଦକୀୟରେ କହିଥିଲେ, ତାହା ସେ ନିଷ୍ଠାପର ଭାବରେ କାର୍ଯ୍ୟରେ ପରିଣତ କରିଥିଲେ । ଗଳ୍ପ, ଜୀବନୀ, କବିତା ସହିତ ଭ୍ରମଣ କାହାଣୀ ଓ ଜ୍ଞାନବିଜ୍ଞାନ ଇତ୍ୟାଦି କେତେକ ନିୟମିତ ବିଭାଗ ଏଥିରେ ଖଞ୍ଜି ଦେଇଥିଲେ ।

 

୧୯୭୦ ମସିହା ଜୁଲାଇ ମାସରେ ତାଙ୍କ ଷଷ୍ଠ କନ୍ୟା ଲତାଙ୍କର ବିବାହ ପରେ ପରେ ରାମକୃଷ୍ଣଙ୍କୁ ଶ୍ୱାସରୋଗ ଆକ୍ରମଣ କଲା । ତାଙ୍କର ଶାରୀରିକ ଦୁର୍ବଳତା ଏତେ ବଢ଼ିଗଲା ଯେ ସେ ପୂର୍ବ ଶକ୍ତି ସାମର୍ଥ୍ୟ ହରାଇ ବସିଲେ । ଫଳରେ ‘ସଂସାର’ ପତ୍ରିକାର ପ୍ରକାଶନ ଏକ କଠିନ ସମସ୍ୟାରୂପେ ଦେଖାଗଲା । ସେତେବେଳେ ଏହାର ପରିଚାଳନା ନେବାକୁ ଅନ୍ୟ କେହି ନଥିବାରୁ ଠିକ୍ ଉଣେଇଶ ବର୍ଷପରେ ୧୯୭୦ ଅଗଷ୍ଟ ମାସଠାରୁ ଏହାର ପ୍ରକାଶନ ବନ୍ଦ ହୋଇଥିଲା । ଏହାର ଶେଷ ସଂଖ୍ୟାରେ ସେ ପତ୍ରିକା ପ୍ରକାଶନ ବନ୍ଦ ହେବା ସମ୍ପର୍କରେ କାରଣ ଦର୍ଶାଇ ଲେଖିଥିଲେ–“ସବୁଠାରୁ ବଡ଼ ଅସୁବିଧା ହେଲା ମୋର ଦୀର୍ଘ ଅସୁସ୍ଥତା । ପାଠକମାନେ କହିପାରନ୍ତି, ପତ୍ରିକାର ସମ୍ପାଦକ ଅସୁସ୍ଥ ରହିଲେ ପତ୍ରିକା ପ୍ରକାଶ କରିବାକୁ କଣ ଅନ୍ୟ କେହି ନାହାନ୍ତି ? ନା, ଏ କ୍ଷେତ୍ରରେ ଅନ୍ୟ କେହି ନଥିଲେ । ମତେ ପିଅନ, କିରାନି, ପରିଚଳାକ ଓ ସମ୍ପାଦକ–ସବୁ କାମ ଏକା ଏକା କରିବାକୁ ହୁଏ । ଯେଉଁ ପତ୍ରିକା ଆର୍ଥିକ କ୍ଷତି ସଂଗେ ଲଢ଼େଇ କରି ଚାଲିଛି, ମୁଁ ଅସୁସ୍ଥ ହେଲେ ତାକୁ କାହିଁକି କିଏ ବା ଚଳାଇବ ? ପତ୍ରିକାର ଏ ଅକାଳ ମରଣ ଏଡ଼ିବା ପାଇଁ ମୁଁ ଅନ୍ୟ କୌଣସି ଉପାୟ ନଦେଖି ବର୍ତ୍ତମାନ ପାଇଁ ଅନ୍ତତଃ ଆପଣମାନଙ୍କଠାରୁ ବିଦାୟ ନେଉଛି ।”

 

ଏହି ପତ୍ରିକାର ପୁନଃ ପ୍ରକାଶନ ହେଲା ୧୯୮୨ ଅଗଷ୍ଟ ମାସରେ । ଏହାର ସମ୍ପାଦନାର ଦାୟିତ୍ୱ ମଧ୍ୟ ପଡ଼ିଲା ରାମକୃଷ୍ଣଙ୍କ ଉପରେ । ତାଙ୍କ ବଡ଼ଝିଅ ପ୍ରତିଭାଙ୍କ ଦ୍ୱିତୀୟ ପୁତ୍ର ବିନୟଭୂଷଣ ପରିଚାଳନାରେ ତାଙ୍କୁ ସାହାଯ୍ୟ କଲେ । ୧୯୮୩ ଅଗଷ୍ଟ ସଂଖ୍ୟାଟି ବଡ଼ ଆକାରରେ ପ୍ରକାଶିତ ହେଲା । ଏଥିରେ ଓଡ଼ିଆ ଭାଷାର ସାଂପ୍ରତିକ ଅବସ୍ଥା ସମ୍ପର୍କରେ ଡକ୍ଟର ସଦାଶିବ ମିଶ୍ର, ଶ୍ରୀ ବିନୋଦ କାନୁନ୍‍ଗୋ, ଡକ୍ଟର ଧନେଶ୍ୱର ମହାପାତ୍ର, ଡକ୍ଟର ଜଗନ୍ନାଥ ମହାନ୍ତି ଓ ଡକ୍ଟର କୁଳମଣି ସାମଲ ପ୍ରମୁଖ ବିଶିଷ୍ଟ ଲେଖକଗଣ ଆଲୋଚନା କରିଥିଲେ । ଏହି ସଂଖ୍ୟାରେ ‘ସଂସାର’ର ୨୨ ବର୍ଷର ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ ଶ୍ରୀ ଗଜେନ୍ଦ୍ର ବେହେରା । ଏହି ପତ୍ରିକା ବହୁ ନୂତନ ଲେଖକ ସୃଷ୍ଟି କରିବାରେ ସାହାଯ୍ୟ କରିଛି । ଫଳରେ ଓଡ଼ିଆ ଶିଶୁସାହିତ୍ୟ ସମୃଦ୍ଧ ହୋଇଛି ।

 

ପ୍ରତିମାସରେ ଠିକ୍ ସମୟରେ ଏହି ପତ୍ରିକାଟିର ପ୍ରକାଶନ କରିବା ପାଇଁ ବିଶେଷ ଯତ୍ନବାନ ଥିଲେ ରାମକୃଷ୍ଣ । ଜୀବନର ଶେଷ ଭାଗରେ ଅସୁସ୍ଥ ଥିବାସତ୍ତ୍ୱେ ସେ ନିଜ କନ୍ୟା ଶୈଳବାଳାଙ୍କ ସହାୟତାରେ ଏହାର ସମ୍ପାଦନା କାର୍ଯ୍ୟ ତୁଲାଇ ସନ୍ତୋଷ ଲାଭ କରୁଥିଲେ ।

 

‘ସଂସାର’ ପତ୍ରିକା ପରବର୍ତ୍ତୀ କାଳରେ ତା’ର ଲେଖକମାନଙ୍କୁ କିଛି କିଛି ପାରିଶ୍ରମିକ ମଧ୍ୟ ଦେଉଛି । ଏ ସମ୍ୱନ୍ଧରେ ରାମକୃଷ୍ଣ କହନ୍ତି– ‘‘ସଂସାର’ର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏପର୍ଯ୍ୟନ୍ତ ଲେଖକମାନଙ୍କୁ କିଛି ଦେଇ ନପାରି ମୁଁ ଶାନ୍ତି ପାଇପାରୁ ନଥିଲି । ଏବେ ଯେତିକି ସ୍ୱଚ୍ଛଳତା ଆସିଛି, ତାକୁ ଚାହିଁ ସେମାନଙ୍କୁ ଯତ୍‍ସାମାନ୍ୟ ପାରିତୋଷିକ ଦେବାକୁ ଆରମ୍ଭ କରିଛି ।” (ଜୀବନ ତରଙ୍ଗ, ପୃ.୧୭୭)

 

‘ସଂସାର’ ପତ୍ରିକାକୁ ସେ ଏକ ଆଦର୍ଶ ଶିଶୁ ପତ୍ରିକା ଭାବରେ ଗଢ଼ିବାକୁ ଚେଷ୍ଟା କରିଥିଲେ ଏବଂ ଏଥିରେ ସଫଳ ମଧ୍ୟ ହୋଇଥିଲେ । ଦେଶର ପ୍ରିୟ ଶିଶୁମାନଙ୍କ ପାଇଁ ତାଙ୍କର କିଛି କର୍ତ୍ତବ୍ୟ ରହିଛି ବୋଲି ସେ ସର୍ବଦା ଅନୁଭବ କରୁଥିଲେ । ଏଣୁ ଏହାକୁ ଶିକ୍ଷଣୀୟ ଓ ଜ୍ଞାନବିଜ୍ଞାନ ଗର୍ଭିତ କରିଥିଲେ । ‘ବୁଦ୍ଧି ପରୀକ୍ଷା’, ‘ଚେଷ୍ଟାକଲେ ପାରିବ’, ‘ଦର୍ପଣ’, ‘ବିଜ୍ଞାନ କ୍ୱିଜ୍’, ‘ବିଜ୍ଞାନ ବାର୍ତ୍ତା’, ‘ଲେଖନୀର ପାଠଶାଳା’, ‘ଟିକିଏ ହସ’, ‘ଭାବି ଦେଖନ୍ତୁ’, ‘ପୃଥିବୀ କ୍ଷଣ କ୍ଷଣକେ ଆନ’ ଇତ୍ୟାଦି କେତେକ ନିୟମିତ ବିଭାଗରେ ପୁଷ୍ଟ ଏହି ପତ୍ରିକାଟି ଶିଶୁ ଓ କିଶୋର ଉଭୟଙ୍କ ପାଇଁ ଉପଯୋଗୀ ।

 

ବିଭିନ୍ନ ବିଷୟକ ଲେଖା ସହିତ ଅଙ୍କନ ମଧ୍ୟ ଏଥିରେ ପ୍ରକାଶିତ ହୁଏ । ବହୁ ଜଣାଶୁଣା ଚିତ୍ରଶିଳ୍ପୀଙ୍କ ଦ୍ୱାରା ଏହାର ଅଙ୍ଗ ଛବିଳ ହୋଇ ଆସୁଛି । ବର୍ତ୍ତମାନ ମୁଦ୍ରଣ ଶିଳ୍ପର ଆଧୁନିକୀକରଣ ଫଳରେ ଛବି ଦ୍ୱାରା ପତ୍ରିକାଟିର ଅଙ୍ଗ ବର୍ଦ୍ଧନ କରିବା ଅଧିକ ସହଜ ହେଉଅଛି । ଏହାର ଗୁଣ ଓ ମାନ ଯୋଗୁ ଏହି ପତ୍ରିକାଟି ସରକାରଙ୍କ କଳାପଟା ଯୋଜନା ଅନୁଯାୟୀ ବିଭିନ୍ନ ଅନୁଷ୍ଠାନକୁ ଯୋଗାଇ ଦେବା ନିମନ୍ତେ ଅନୁମୋଦିତ ହୋଇଥିଲା । ଫଳରେ ସରକାର ଏଥିରୁ ମାସିକ ୭୩୭୭ ଖଣ୍ଡ ହିସାବରେ ୧୮ ମାସ ପାଇଁ କିଣି ନେଇ ପ୍ରଥମ ଦଫାରେ ୮୦ଟି ବ୍ଲକ୍, ନୋଟିଫାଏଡ଼୍ ଏରିଆ କାଉନ୍‍ସିଲ୍ ଏବଂ ମ୍ୟୁନିସିପାଲିଟି ଅଧୀନସ୍ଥ ପ୍ରାଇମେରୀ ଓ ଏମ୍.ଇ. ସ୍କୁଲକୁ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ।

 

ଏହି ପତ୍ରିକାଟି ଏପର୍ଯ୍ୟନ୍ତ ନିୟମିତ ପ୍ରକାଶିତ ହୋଇଆସୁଅଛି । ରାମକୃଷ୍ଣଙ୍କ ଦେହାନ୍ତପରେ ଏହାର କାର୍ଯ୍ୟନିର୍ବାହୀ ସମ୍ପାଦିକା ଅଛନ୍ତି ସୁଯୋଗ୍ୟ ପୁତ୍ରବଧୂ ଶ୍ରୀମତୀ ଅନସୂୟା ନନ୍ଦ ଓ ପରିଚାଳନା ଦାୟିତ୍ୱରେ ଅଛନ୍ତି ଶ୍ରୀ ଲୋକନାଥ ମିଶ୍ର । ଏମାନଙ୍କ ଆନ୍ତରିକ ଯତ୍ନ ଓ ଉଦ୍ୟମ ଫଳରେ ପତ୍ରିକାଟିର ପୂର୍ବମାନ ଅକ୍ଷୁଣ୍ଣ ରହିଛି ।

 

ରାମକୃଷ୍ଣ ନିଜ ପାରିଜାତ ପ୍ରେସ୍‍ର କର୍ମଚାରୀମାନଙ୍କ ସହିତ ପନ୍ଦର ବର୍ଷ କାଳ ଖୁବ୍ ଭଲ ସମ୍ପର୍କ ରକ୍ଷା କରିଥିଲେ ମଧ୍ୟ ମଝିରେ ଥରେ ସେମାନଙ୍କ ମଧ୍ୟରୁ କେହି ସରକାରଙ୍କ ଶ୍ରମବିଭାଗର କର୍ମଚାରୀମାନଙ୍କୁ ଡକାଇ ପ୍ରେସ୍ ବିଷୟରେ ବିଭିନ୍ନ ତଥ୍ୟ ସେମାନଙ୍କୁ ଦେଲେ । ରାମକୃଷ୍ଣ ଏହା ଜାଣିବା ପରେ ଦୁଃଖିତ ହେଲେ ଏବଂ ପ୍ରେସ୍‍ର ପରିଚାଳନା ଦାୟିତ୍ୱ ସହକାରୀଙ୍କ ଉପରେ ନ୍ୟସ୍ତ କରି ନିଜେ ପ୍ରତ୍ୟକ୍ଷ ପରିଚାଳନାରୁ ଅବ୍ୟାହତି ନେଲେ । ପ୍ରେସ୍ ଜଞ୍ଜାଳରୁ ମୁକ୍ତି ପାଇବା ପରେ ସେ ଓଡ଼ିଆ ଭାଷାରେ ଖଣ୍ଡିଏ ସଂକ୍ଷିପ୍ତ ଅଭିଜ୍ଞାନ ଗ୍ରନ୍ଥ (Encyclopaedia) ସଂକଳନ କରିବାରେ ମନ ଦେଲେ । ଭାରତ ସ୍ୱାଧୀନତା ଲାଭ କଲାପରେ ଶିକ୍ଷା ଓ ବିଜ୍ଞାନର ଅଗ୍ରଗତି ହେବା ସଂଗେ ସଂଗେ ଆଞ୍ଚଳିକ ଭାଷାମାନଙ୍କର ଯେଉଁ ଅଭିବୃଦ୍ଧି ସାଧିତ ହୋଇଥିଲା, ତାହାର ପରିପୂରକ ରୂପେ ବିଭିନ୍ନ ଭାରତୀୟ ଜ୍ଞାନକୋଷ, ବିଶ୍ୱକୋଷ, ଭଳି ବିବିଧ ଗ୍ରନ୍ଥ ପ୍ରକାଶ ପାଇବାର ଆବଶ୍ୟକତା ଥିଲା ଏବଂ ଅନ୍ୟ ଭାଷାରେ ଏ ପ୍ରକାର କାର୍ଯ୍ୟ ଆରମ୍ଭ ହୋଇସାରିଥିଲା । ଠିକ୍ ସେହି ସମୟରେ ଓଡ଼ିଆରେ ବିନୋଦ କାନୁନ୍‍ଗୋ ‘ଜ୍ଞାନ ମଣ୍ଡଳ’ ଗ୍ରନ୍ଥର କାର୍ଯ୍ୟ ମଧ୍ୟ ଆରମ୍ଭ କରୁଥାନ୍ତି; ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ‘ଜ୍ଞାନକୋଷ’ ସଂକଳିତ ହେବାର ନିଷ୍ପତ୍ତି ମଧ୍ୟ ନିଆଯାଇଥାଏ; ଏହାର ତତ୍ତ୍ୱାବଧାନରେ ଥାଆନ୍ତି ଡକ୍ଟର ମାୟାଧର ମାନସିଂହ । ଏ ଦୁଇଟି ଗ୍ରନ୍ଥ ପୂର୍ଣ୍ଣାଙ୍ଗପ୍ରାପ୍ତ ହେବାକୁ ଦୀର୍ଘକାଳ ଲାଗିବ ଜାଣି ରାମକୃଷ୍ଣ ନିଜ କାମରେ ଲାଗିପଡ଼ିଲେ । ପୂର୍ବରୁ ସେ ଶବ୍ଦସୂଚୀଟିଏ ପ୍ରସ୍ତୁତ କରିଥିଲେ ଏବଂ ତାକୁ ଅନୁସରଣ କରି ‘ବିଶ୍ୱ ପରିଚୟ’ର ପାଣ୍ଡୁଲିପି ପ୍ରସ୍ତୁତ କଲେ । ୧୯୬୧ ମସିହାରେ ମଧ୍ୟ ଭାଗରେ ଏହା ସମ୍ପୂର୍ଣ୍ଣ ହେଲା ଏବଂ ଏହାକୁ ପ୍ରକାଶ କରିବା ପାଇଁ କଟକ ପବ୍ଲିଶିଂ ହାଉସ୍‍ର ସ୍ୱତ୍ୱାଧିକାରୀ ଶ୍ରୀ ଉମାଚରଣ ମହାନ୍ତିଙ୍କୁ ଦିଆଗଲା ।

 

ଉମାଚରଣବାବୁ ଏପରି ଏକ ଉପାଦେୟ ପୁସ୍ତକକୁ ଅନ୍ୟ ପ୍ରେସ୍‍କୁ ନଦେଇ ରାମକୃଷ୍ଣଙ୍କୁ ଛାପିବାକୁ ଦେଲେ । ରାମକୃଷ୍ଣ ସେତେବେଳେ ପ୍ରେସ୍‍ର ପରିଚାଳନା ସହିତ ସଂପୃକ୍ତ ନଥିଲେ ମଧ୍ୟ ସହକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଉଥିଲେ ଏବଂ ନିଜେ ପ୍ରୁଫ୍ ସଂଶୋଧନ କରୁଥିଲେ । ‘ବିଶ୍ୱ ପରିଚୟ’ର ମୁଦ୍ରଣ କାର୍ଯ୍ୟ ଅଧାଅଧି ଆଗେଇଯିବା ପରେ ପ୍ରେସ୍ ଏକ ପ୍ରକାର ବନ୍ଦ ହୋଇଗଲା ।

 

ତାପରେ କିପରି ପାରିଜାତ ପ୍ରେସ୍‍ର ସମାଧି ଉପରେ ସଂସାର ପ୍ରେସ୍ ଜନ୍ମଲାଭ କଲା ସେକଥା ପୂର୍ବରୁ କୁହାଯାଇଛି । ସଂସାର ପ୍ରେସ୍‍ରେ ଅବଶିଷ୍ଟାଶଂର ମୁଦ୍ରଣ କାର୍ଯ୍ୟ ସମାପ୍ତ ହୋଇ ୧୯୬୨ରେ ଲୋକଲୋଚନକୁ ଆସିଲା ୮୪୦ ପୃଷ୍ଠା ବିଶିଷ୍ଟ ବିରାଟ ଗ୍ରନ୍ଥ ‘ବିଶ୍ୱ ପରିଚୟ’ ।

 

ଏହି ଜ୍ଞାନକୋଷ ବା ଅଭିଜ୍ଞାନ ଗ୍ରନ୍ଥ ‘ବିଶ୍ୱ ପରିଚୟ’ ବହୁତଥ୍ୟରେ ପୂର୍ଣ୍ଣ । ଏଥିରେ ସାହିତ୍ୟ, ଇତିହାସ, ସଂସ୍କୃତ, ବିଜ୍ଞାନ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ୱନ୍ଧରେ ସଂକ୍ଷିପ୍ତ ସୂଚନା ଦିଆଯାଇଛି । କେତେକ ଶବ୍ଦକୁ ବୁଝାଇବା ପାଇଁ ଛବି ଦିଆଯାଇଛି । ଆବଶ୍ୟକସ୍ଥଳେ ରଙ୍ଗୀନ ଛବି ମଧ୍ୟ ଏଥିରେ ସଂଯୋଜିତ । ଓଡ଼ିଶାର ଛଉନୃତ୍ୟ, ଏସିଆ ମହାଦେଶର ଶୀତ ପ୍ରଧାନ ଅଞ୍ଚଳର କେତେକ ଜୀବ; ଯଥା–ଧଳା କୋକିଶିଆଳି, ବଲ୍‍ଗା ହରିଣ, ଧଳାଭାଲୁ, ସିନ୍ଧୁଘୋଟକ ଇତ୍ୟାଦି; ଏମୁ, ଡେଙ୍ଗୋ କୁକୁର, ଲାୟାର ପକ୍ଷୀ, ପ୍ଲାଟିନମ୍ ଇତ୍ୟାଦି ଅଷ୍ଟ୍ରେଲିଆ ମହାଦେଶର ବିଚିତ୍ର ଜୀବଜନ୍ତୁ, ବିଭିନ୍ନ ଜାତିର ବିଦେଶୀ କୁକୁର, କେତେକ ବିଚିତ୍ର ପୋକ, ବିଭିନ୍ନ ପ୍ରକାର ଛତୁ, ବିଭିନ୍ନ ପ୍ରକାର ପକ୍ଷୀଙ୍କର ଥଣ୍ଟ ଓ ନଖ, ବିଭିନ୍ନ ଜାତିର ମାଙ୍କଡ଼, ଭାରତର ମାନଚିତ୍ର ଆଦିର ପୂର୍ଣ୍ଣପୃଷ୍ଠା ଚିତ୍ର ପ୍ରଦାନ କରାଯାଇଛି । ରାଧାନାଥ ରାୟ, ମଧୁସୂଦନ ରାଓ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ର, ପ୍ରାଣକୃଷ୍ଣ ପରିଜା, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ପ୍ରଭୃତି ଓଡ଼ିଶାର କେତେଜଣ କୃତୀ ସନ୍ତାନଙ୍କର ଛବି ମଧ୍ୟ ଏଥିରେ ପ୍ରଦତ୍ତ । ଏହି ଛବିଳ ଗ୍ରନ୍ଥଟି ବେଶ୍ ଆକର୍ଷଣୀୟ-

 

ଗ୍ରନ୍ଥର ଭୂମିକାରେ ସଂକଳନ ରାମକୃଷ୍ଣ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଏକାନ୍ତ ପ୍ରଣିଧାନଯୋଗ୍ୟ । ତାଙ୍କ ଭାଷାରେ- “ଯେତେ ଯାହା କଲେ ମଧ୍ୟ ଏପରି ଏକ ଛୋଟ ପୁସ୍ତକରେ ବିରାଟ ବିଶ୍ୱର ପରିଚୟ ଦେବା ହାତମୁଠାରେ ପବନକୁ ଧରିବା ପରି ଏକ ଦୁରୂହ ପ୍ରଚେଷ୍ଟା ହେଲେ ସୁଦ୍ଧା ଏପରି ଏକ ଗ୍ରନ୍ଥର ଆବଶ୍ୟକତା ଅଛି ଜାଣି ମୁଁ ଏଥିରେ ହାତ ଦେଇଛି ।”

 

ଗ୍ରନ୍ଥଟି ଓଡ଼ିଆ ବର୍ଣ୍ଣ ଅନୁକ୍ରମରେ ଅଭିଧାନ ଢାଞ୍ଚାରେ ପ୍ରସ୍ତୁତ । ସହଜ ଓ ସରଳ ଭାଷାରେ ଜଟିଳ ବିଜ୍ଞାନକୁ ଏଥିରେ ବୁଝାଇ ଦିଆଯାଇଛି । ଏଥିରେ ‘ଜୀବାଶ୍ମ’ ଶବ୍ଦଟିକୁ କିପରି ବୁଝାଇ ଦିଆଯାଇଛି ତାହାର ଏକ ଉଦାହରଣ ଦିଆଯାଇପାରେ -

 

ଜୀବାଶ୍ମ–Fossils, ବହୁ ଯୁଗ ପୂର୍ବରୁ ମାଟିରେ ପୋତି ହୋଇ ରହିଥିବା ଜୀବ ବା ଉଦ୍ଭିଦର ଅବଶେଷକୁ ଜୀବାଶ୍ମ କୁହାଯାଏ । ଏହାକୁ ପରୀକ୍ଷା କରି ବୈଜ୍ଞାନିକମାନେ ପୃଥିବୀର ବୟସ, ଜୀବମାନଙ୍କର ବିବର୍ତ୍ତନ ପ୍ରାଗୈତିହାସିକ ଯୁଗରେ ପ୍ରାଣୀ ଉଦ୍ଭିଦର ସ୍ୱରୂପ ନିର୍ଣ୍ଣୟ କରିବାକୁ କେତେକାଂଶରେ ସମର୍ଥ ହୋଇଛନ୍ତି । ଆଜିର ଚକ୍ ଓ କୋଇଲା ବହୁ ଯୁଗ ତଳର ପ୍ରୋଥିତ ପ୍ରାଣୀ ଓ ଉଦ୍ଭିଦ । ମାଟିତଳୁ ଲକ୍ଷ ଲକ୍ଷ ବର୍ଷ ତଳର ଅତିକାୟ ପ୍ରାଣୀମାନଙ୍କର ଜୀବାଶ୍ମ ମିଳିଛି । ୬୦-୭୦ ହାତ ଲମ୍ୱ ଡିନୋସରସ୍ ପରି ପ୍ରକାଣ୍ଡ ସରୀସୃପ ଜାତୀୟ ଜୀବଙ୍କର ଦେହାବଶେଷ, ହାତ, ଦାନ୍ତ, ପଦଚିହ୍ନ, ଉଦ୍ଭିଦର ପତ୍ର ଇତ୍ୟାଦି ବହୁ ବିଚିତ୍ର ପ୍ରାମାଣିକ ତଥ୍ୟରୁ ମନୁଷ୍ୟ କିପରି ବିବର୍ତ୍ତନର କାହାଣୀ ସଂଗ୍ରହ କରିଛି, ତାହା ବାସ୍ତବିକ କୌତୂହଳୋଦ୍ଦୀପକ ।

 

(ପ୍ରଥମ ସଂସ୍କରଣ, ପୃ.୩୩୯ ଏବଂ ଦ୍ୱିତୀୟ ସଂସ୍କରଣ, ପୃ ୨୨୫)

 

ଏହାର ସଂଶୋଧିତ ୨ୟ ସଂସ୍କରଣ ପ୍ରକାଶିତ ହୋଇଛି ୧୯୯୬ରେ । ଇତି ମଧ୍ୟରେ ବିଶ୍ୱର ବହୁ ପରିବର୍ତ୍ତନ ଘଟିଛି । ଜ୍ଞାନବିଜ୍ଞାନ, ସାମାଜିକ, ରାଜନୀତିକ ଇତ୍ୟାଦି କ୍ଷେତ୍ରରେ ଦେଖାଦେଇଥିବା କେତେକ ପରିବର୍ତ୍ତନକୁ ଏଥିରେ ସ୍ଥାନିତ କରାଯାଇଛି । ଆଧୁନିକ ଡି.ଟି.ପି. ପଦ୍ଧତିରେ ମୁଦ୍ରିତ ଗ୍ରନ୍ଥଟିର ପରିପାଟୀ ରୁଚିକର । ଏହି ଗ୍ରନ୍ଥରେ ବିରାଟ ବିଶ୍ୱର ପରିଚୟ ଦେବା ପବନକୁ ହାତମୁଠାରେ ଧରିବା ପରି ଏକ ଦୁରୂହ ପ୍ରଚେଷ୍ଟା ବୋଲି ଯାହା ସଂକଳନ କହିଛନ୍ତି, ତାହାକୁ ଖଣ୍ଡନ କରି ଆମକୁ କହିବାକୁ ହେଉଛି ଯେ ସମଗ୍ର ବିଶ୍ୱକୁ ସେ ଏହି କ୍ଷୁଦ୍ର ଗ୍ରନ୍ଥରେ ସଫଳତାର ସହିତ ଧରି ରଖି ପାରିବାରେ ସମର୍ଥ ହୋଇଛନ୍ତି । ଗ୍ରନ୍ଥଟିକୁ ପାଠ ନକରି କେବଳ ଆମୂଳଚୂଳ ଆଖି ପକାଇ ଦେବାମାତ୍ରେ ଯେକୌଣସି ପାଠକ ଆମ ସହିତ ଏକମତ ହେବ । ବାସ୍ତବରେ ଓଡ଼ିଆ ଶିଶୁ ଜଗତକୁ ଏଇଟି ରାମକୃଷ୍ଣଙ୍କର ଏକ ମହାନ୍ ଦାନ ।

 

୧୯୭୫ ସମିହାରେ ରାମକୃଷ୍ଣଙ୍କ ‘ଝୁମୁକା’ କବିତା ସଂକଳନ ପ୍ରକାଶିତ । ତାଙ୍କ ଦ୍ୱାରା ପ୍ରଣୀତ ‘ସାହିତ୍ୟ ସୋପାନ’, ‘ସାହିତ୍ୟବୋଧ’ ଓ ‘ପାଠ ସୋପାନ’ ପାଠ୍ୟପୁସ୍ତକଗୁଡ଼ିକ ୧୯୩୪ ମସିହାରୁ ୧୯୬୦ ମସିହା ମଧ୍ୟରେ ପ୍ରକାଶିତ ହୋଇଥିଲା ଏବଂ ସେସମୟରେ ସେଗୁଡ଼ିକ ସାହିତ୍ୟ ବହି ଭାବରେ ପ୍ରାଥମିକ ଶ୍ରେଣୀରେ ପ୍ରଚଳିତ ଥିଲା । ପରବର୍ତ୍ତୀ କାଳରେ ସରକାର ପାଠ୍ୟପୁସ୍ତକ ଜାତୀୟକରଣ କରିବା ଦ୍ୱରା ଉକ୍ତ ପୁସ୍ତକଗୁଡ଼ିକ ଅକାମୀ ହୋଇଗଲା । ଫଳରେ ଏଗୁଡ଼ିକରେ ସ୍ଥାନିତ ବହୁ ଆଦୃତ ପଦ୍ୟ(ଶିଶୁ କବିତା) ଗୁଡ଼ିକ ପାଠ କରିବାର ସୁଯୋଗ ପିଲାମାନେ ଆଉ ପାଇଲେ ନାହିଁ । ଏହି ଉଦ୍ଦେଶ୍ୟରେ ପୁରୁଣା ପାଠ୍ୟପୁସ୍ତକଗୁଡ଼ିକରୁ କେତୋଟି ଏବଂ ପରବର୍ତ୍ତୀ କାଳରେ ‘ଶିଶୁଲେଖା’, ‘ମନପବନ’, ‘ମୋ ଦେଶ’, ‘ସଂସାର’, ‘ଗୌରବ’ ପ୍ରଭୃତି ବିଭିନ୍ନ ଶିଶୁ ପତ୍ରିକାରେ ପ୍ରକାଶିତ ଆଉ କେତୋଟି କବିତା ସଂଗ୍ରହ କରି ସେସବୁର ସମାହାରରେ ଶିଶୁ କବିତା ସଂକଳନଟିଏ ପ୍ରକାଶ କଲେ ଏବଂ ଏହାର ନାମ ଦେଲେ ‘ଝୁମୁକା’ । ୧୯୮୦ ମସିହାରେ ଏହାର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶିତ, ଯେଉଁଥିରେ ୧୦୭ଟି କବିତା ସ୍ଥାନ ପାଇଛି । ଭାବ ଓ ବିଷୟବସ୍ତୁ ବିଚାରକୁ ନେଇ କବିତାଗୁଡ଼ିକୁ ସେ ଆଠଟି ବିଭାଗର ଅନ୍ତର୍ଭୁକ୍ତ କରିଛନ୍ତି । ଯଥା– ୧. ଝୁମୁକା (କୌତୂହଳୋଦ୍ଦୀପକ), ୨. କଥାଟିଏ କହୁଁ (ଗଳ୍ପାଶ୍ରୟୀ), ୩. ଚିତ୍ରରାଣୀ (ପ୍ରକୃତି ବର୍ଣ୍ଣନାତ୍ମକ), ୪. ମାଟି-ମାଆ (ଦେଶାତ୍ମବୋଧକ)’, ୫. ସରଗ-ବାପା (ଭକ୍ତିମୂଳକ), ୬. ଧୂପକାଠି (ନୀତିଗର୍ଭକ), ୭. ଗଜରା (ବିବିଧ) ଓ ୮. ମୂର୍ଚ୍ଛନା (ଶିଶୁ ସଂଗୀତ) ।

 

‘ଝୁମୁକା’ରେ ସ୍ଥାନିତ ପ୍ରତ୍ୟେକ କବିତା ଶିଶୁ ଉପଯୋଗୀ । ପ୍ରତ୍ୟେକ କବିତା ଶିଶୁ ମନକୁ ଛୁଏଁ, ଶିଶୁକୁ ଆନନ୍ଦ ଦିଏ । ସେଥି ମଧ୍ୟରୁ ଗୋଟିଏ କବିତାର ଉଲ୍ଲେଖ ଏଠାରେ ନକରି ରହିହେଉ ନାହିଁ । ସେଇଟି ହେଉଛି ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାଟି । ଏହି ପ୍ରାର୍ଥନା ଗୀତଟି ୧୯୩୩-୩୪ରେ ପ୍ରଥମେ ରାମକୃଷ୍ଣଙ୍କ ପାଠ୍ୟପୁସ୍ତକ ‘ସାହିତ୍ୟ ସୋପାନ’(୨ୟ ଭାଗ)ରେ ପ୍ରକାଶ ପାଇଥିଲା । ସେତେବେଳେ ଭକ୍ତିକବି ମଧୁସୂଦନ ରାଓଙ୍କ ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ’ ପ୍ରାର୍ଥନାଟି ପ୍ରାୟ ପ୍ରତ୍ୟେକ ସ୍କୁଲରେ ବୋଲାଯାଉଥିଲା । ‘ସାହିତ୍ୟ ସୋପାନ’ ସ୍କୁଲମାନଙ୍କରେ ପଢ଼ାଯିବାରୁ ଏବଂ ଏହି ପ୍ରାର୍ଥନାଟିର ଭାଷା ଓ ଭାବ ସରଳ ଥିବାରୁ ଶିକ୍ଷକମାନେ ତାହାକୁ ପ୍ରାର୍ଥନାବେଳେ ପିଲାଙ୍କୁ ବୋଲାଇଲେ । କାନକୁ କାନ ହୋଇ କ୍ରମେ ତାହା ଲୋକପ୍ରିୟ ହୋଇଉଠିଲା ।

 

ଦିନକୁ ଦିନ ଏହି ପ୍ରାର୍ଥନା ଗୀତଟିର ଲୋକପ୍ରିୟତା ବଢ଼ିବାରେ ଲାଗିଲା ସିନା, ଏହାର ମୂଳବହି ‘ସାହିତ୍ୟ ସୋପାନ’ ଅଟଳ ହୋଇଯିବାରୁ ଏହାର ଲେଖକଙ୍କୁ କେହି କେହି ଭୁଲିଗଲେ । ପ୍ରାଚୀନ ରୀତି ଅନୁସାରେ ଏହାର ଭଣିତା ନଥିଲା । ତେଣୁ ଲେଖକଙ୍କ ନାମ କ୍ରମେ ପାସୋର ହୋଇଗଲା । ମଧୁସୂଦନଙ୍କ ପ୍ରାର୍ଥନା ପୂର୍ବରୁ ବହୁ ପ୍ରଚଳିତ ଥିବାରୁ ଏବଂ ସେ ଭକ୍ତକବି ଭାବରେ ପରିଚିତ ଥିବାରୁ କେହି କେହି ତାଙ୍କୁ ଏ ପ୍ରାର୍ଥନର ଲେଖକ ଭାବରେ ଗ୍ରହଣ କରିନେଲେ । ମାତ୍ର ପରବର୍ତ୍ତୀ କାଳରେ କେତେକ ପତ୍ରପତ୍ରିକାରେ ଏ ସମ୍ୱନ୍ଧରେ ଆଲୋଚନା ପ୍ରକାଶିତ ହେବା ଫଳରେ ଏ ଭ୍ରମ ବହୁ ପରିମାଣରେ ଦୂର ହୋଇପାରିଛି ।

 

ବହୁ ଲୋକପ୍ରିୟତାର ଅଧିକାରୀ ଏଇ ପ୍ରାର୍ଥନାଟି ଓଡ଼ିଆ ଚଳଚ୍ଚିତ୍ର ‘ବଳିଦାନ’ରେ ସଂଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କରଙ୍କ ଦ୍ୱାରା ସଂଯୋଜିତ । ୧୯୩୪ ମସିହାରେ ଗାନ୍ଧିଜୀ ପଦଯାତ୍ରାରେ ଭଦ୍ରକ ଆସିଥିଲେ ଏବଂ ଏ ଉପଲକ୍ଷେ ସେଠାରେ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ଅନ୍ୟାନ୍ୟ କେତୋଟି ପ୍ରାର୍ଥନା ବୋଲା ହେବାପରେ ଗାନ୍ଧିଜୀ ଓଡ଼ିଆ ପ୍ରାର୍ଥନାଟିଏ ଗାଇବାକୁ କହିଲେ । କେହି ଜଣେ ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାଟି ବୋଲି ଶୁଣାଇଲେ । ତାହା ଗାନ୍ଧିଜୀଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ସେଇଟିକୁ ‘ଆଶ୍ରମ ଭଜନାବଳୀ’ରେ ସ୍ଥାନ ଦେବାକୁ କହିଥିଲେ । ସେହିଦିନୁ ତାହା ଉକ୍ତ ଭଜନ ପୁସ୍ତିକାରେ ସ୍ଥାନ ପାଇଛି । (ଆଶ୍ରମ ଭଜନାବଳୀ, ୧୯୭୭, ପୃ ୫୮-୫୯)

 

ଏହି ପ୍ରାର୍ଥନାଟିକୁ ରାମକୃଷ୍ଣ ଲେଖିଥିଲେ ୧୯୩୩ ମସିହାରେ । ସେତେବେଳେ ସେ ବାରିପଦାରେ ଶିକ୍ଷକତା କରୁଥିଲେ । ଦିନେ ବଢ଼ି ଭୋରରୁ ଉଠି ବସାଘରେ ନିରୋଳାରେ ବସିଥିବା ବେଳେ ଏକ ଦିବ୍ୟ ପ୍ରେରଣାରେ ନିମଜ୍ଜିତ ହୋଇ ଏଇଟିକୁ ଲେଖିଥିଲେ ବୋଲି ସେ ପ୍ରକାଶ କରନ୍ତି । ବାସ୍ତବିକ୍ ବିଭୁ ପ୍ରେରଣା ବିନା ଏପରି ସାର୍ଥକ ଭକ୍ତିକବିତାର ସ୍ଫୁରଣ ହୋଇ ନପାରେ । ମନେହୁଏ, ରାମକୃଷ୍ଣ ଆଉ କିଛି ନଲେଖି ଯଦି ଏହି କବିତାଟି କେବଳ ଲେଖିଥାନ୍ତେ, ତାହାହେଲେ ମଧ୍ୟ ତାଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଥାନ୍ତା ।

 

ରାମକୃଷ୍ଣ ଶିଶୁ-ମନସ୍ତତ୍ତ୍ୱ ଅଧ୍ୟୟନରେ ପାରଗ । ଶିକ୍ଷକତା ତାଙ୍କୁ ଏଥିପାଇଁ ଇନ୍ଧନ ଯୋଗାଇଛି । ଶିଶୁ-ମନସ୍ତତ୍ତ୍ୱକୁ ବିଶ୍ଳେଷଣ କରି ସେ ଯେଉଁ କେତୋଟି କବିତାକୁ ଏଥିରେ ସ୍ଥାନ ଦେଇଛନ୍ତି, ସେଗୁଡ଼ିକ ବାସ୍ତବିକ ଶିଶୁଙ୍କ ମନକୁ ଛୁଇଁପାରିଛି । ‘ଝୁମୁକା’ କବିତାଗୁଡ଼ିକର ଭାବ ଓ ଭାଷା ଅତି ସହଜ ଓ ସରଳ । ମନଲୋଭା ଶବ୍ଦଚୟନ, ଛନ୍ଦ ଓ ଯତିପାତର ମଧୁର ସମନ୍ୱୟ ଇତ୍ୟାଦି ତାଙ୍କ କବିତାଗୁଡ଼ିକର ଲୋକପ୍ରିୟତାର ଅନ୍ୟତମ କାରଣ ।

 

ବହୁ ଆଦୃତି ଲାଭ କରିଥିବା ଏହି ଶିଶୁ କବିତା ସଂକଳନ ‘ଝୁମୁକା’କୁ ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୭୬ ମସିହାର ଶ୍ରେଷ୍ଠ ଶିଶୁସାହିତ୍ୟ ପୁସ୍ତକଭାବେ ପୁରସ୍କୃତ କରିବାକୁ ମନୋନୀତ କରିଥିଲେ । ରାମକୃଷ୍ଣଙ୍କୁ ଏ ପୁରସ୍କାର ମିଳିଥିଲା ୧୯୮୦ ମସିହାରେ ।

 

ଜୀବନ ତରଙ୍ଗ ରାମକୃଷ୍ଣଙ୍କର ଆତ୍ମଜୀବନୀ । ଏହାର ପ୍ରଥମ ସଂସ୍କରଣ ୧୯୬୯ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ୧୯୦୬ରୁ ୧୯୬୯ ପର୍ଯ୍ୟନ୍ତ ତାଙ୍କର ଜୀବନ ଚରିତ ସ୍ଥାନିତ ହୋଇଥିଲା । ପରବର୍ତ୍ତୀ କାଳରେ ଏଥିରେ ୧୯୮୯ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଘଟନାବଳୀ ଯୋଗ କରାଯାଇ ୧୯୮୯ ମସିହାରେ ଏହାର ନୂତନ ସଂସ୍କରଣ ପ୍ରକାଶିତ ।

 

ଏହି ଆତ୍ମଜୀବନୀ ପୁସ୍ତକଟି କିପରି ରଚିତ ହେଲା ସେ ବିଷୟରେ ରାମକୃଷ୍ଣ ସୂଚନା ଦେଇଛନ୍ତି ଗ୍ରନ୍ଥାରମ୍ଭରେ । ନିଜ କନ୍ୟା ଶୈଳବାଳା ଓ ସାଲେପୁର ରାମକୃଷ୍ଣ ସେବାଶ୍ରମର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ରଙ୍କ ଅନୁରୋଧ ରକ୍ଷା କରି ସେ ଆତ୍ମଜୀବନୀ ଲେଖିବା ଆରମ୍ଭ କରିଥିଲେ । ମାତ୍ର ପାଞ୍ଚ ଛଅ ପୃଷ୍ଠା ଲେଖିବାପରେ ମନ ନ ଲାଗିବାକୁ ଏହାକୁ ସେତିକିରେ ବନ୍ଦ କରି ରଖିଥିଲେ । ପରବର୍ତ୍ତୀ କାଳରେ ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ପ୍ରେରଣାରେ ସେ ଆରମ୍ଭ କରିଥିବା କାମକୁ ଆଗେଇ ନେଲେ । ସାରିବାମାତ୍ରେ ଏହାକୁ ସେ ପ୍ରେସ୍‍କୁ ଦେଲେ ଏବଂ ୧୯୬୯ରେ ଏହାର ମୁଦ୍ରିତ ରୂପ ଲୋକଲୋଚନକୁ ଆସିଲା । ଏଥିରେ ଥିଲା ମାତ୍ର ତିନୋଟି ଅଧ୍ୟାୟ । ଅଧିକ ଏକ ଅଧ୍ୟାୟ ଯୋଗ କରାଯାଇ ୧୯୮୦ରେ ଏହାର ପରବର୍ତ୍ତୀ ସଂସ୍କରଣ ପ୍ରକାଶ ପାଇଲା ।

 

ଆଲୋଚ୍ୟ ଗ୍ରନ୍ଥରେ ରାମକୃଷ୍ଣ ନିଜର ବାଲ୍ୟକାଳ, କୈଶୋର, ଛାତ୍ରଜୀବନ, ଅସହଯୋଗରେ ଯୋଗଦାନ, ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ଅଧ୍ୟୟନ, ବିବାହ, ରେଭେନ୍‍ସା କଲେଜରେ ଅଧ୍ୟୟନ, ବାରିପଦା ଓ ଭିଙ୍ଗାରପୁରରେ ଶିକ୍ଷକତା, ଚାକିରିରୁ ଅବ୍ୟାହତି ନେଇ ସ୍ୱାଧୀନ ବୃତ୍ତି ଗ୍ରହଣ, ସାରସ୍ୱତ ସାଧନା, ବିଭିନ୍ନ ସଂସ୍ଥା ସହିତ ସଂପୃକ୍ତି, ବିଭିନ୍ନ ପୁରସ୍କାର ଓ ସମ୍ମାନ ଲାଭ ଇତ୍ୟାଦି ସମ୍ପର୍କରେ ବିବରଣୀ ଦେଇଛନ୍ତି । ଜୀବନର ଦୋଷ-ଦୁର୍ବଳତା, ତ୍ରୁଟି-ବିଚ୍ୟୁତି, ଅଭାବ-ଅନଟନ ଆଦି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି । ଯାହା ସତ୍ୟ, ତାହା ପ୍ରକାଶ କରିବାକୁ ସେ କୁଣ୍ଠା ପ୍ରକାଶ କରି ନାହାନ୍ତି । ‘ସତ କବିବାକୁ କିଆଁ ଡରିବି/ ସତ କହି ପଛେ ମଲେ ମରିବି’ ଯାହା ଜୀବନର ଦୀକ୍ଷା, ସେ ଅବା କିପରି ମିଛର ଆଶ୍ରୟ ନେଇଥାନ୍ତେ ? ଖଟି ଖାଇବା, ମନରେ କୌଣସି ଅହମିକା ପୋଷଣ ନକରିବା, ଗୌରବ ଲାଭ କରିବାକୁ ଲାଳାୟିତ ନହେବା, ବୃତ୍ତିରେ ଯଥାସମ୍ଭବ ସ୍ୱାଧୀନ ହେବା, କନ୍ୟାମାନଙ୍କ ନିମନ୍ତେ ଚିନ୍ତିତ ନହେବା ଇତ୍ୟାଦି ତାଙ୍କ ଜୀବନରୁ ଶିକ୍ଷା କରିବା କଥା । ଜଣେ ଶିକ୍ଷକ ଯେତେବେଳେ, ତାଙ୍କ ଜୀବନ ଚରିତ ନିଶ୍ଚିତ ଭାବରେ ଶିକ୍ଷଣୀୟ । ତେଣୁ ସେ ଗ୍ରନ୍ଥାରମ୍ଭରେ ପ୍ରଦତ୍ତ ‘ମୂଳକଥା’ରେ କହନ୍ତି–“ଯଦି କେତୋଟି ହୃଦୟରେ ଏହା କର୍ମପ୍ରେରଣା, ଆତ୍ମନିର୍ଭରଶୀଳତା, ଜାଗ୍ରତ କରେ, ତେବେ ଏହି ଶିକ୍ଷକର ଜୀବନଲେଖା ସାର୍ଥକ ହେବ, ଏହି ବିଶ୍ୱାସରେ ବଳୀୟାନ ହୋଇ ମୁଁ ଜୀବନୀ ଲେଖା ଆରମ୍ଭ କରିଥିଲି ।”

 

ନିଜର ଜୀବନ ଚରିତର ଶେଷରେ ସେ ନିଜ ଜୀବନର ଅଶୀବର୍ଷ ଭିତରେ ଦେଖିଥିବା ପରିବର୍ତ୍ତନର ଯେଉଁ ସୂଚନା ଦେଇଛନ୍ତି ତାହା ଅବଶ୍ୟ ପ୍ରଣିଧାନଯୋଗ୍ୟ । ତାଙ୍କ ଭାଷାରେ–“ଉଚ୍ଚାବଚ ଭୂମି ଉପରେ ପଡ଼ିଉଠି ମୋ ଜୀବନର ଧାରା ଏହିପରି ବହି ଚାଲିଛି । ପୃଥିବୀର ଅନନ୍ତ ଘଟନାପ୍ରବାହ ସହିତ ଏ କ୍ଷୀଣ ଧାରାଟି ମିଶି ଦିନେ ଏକାକାର ହୋଇଯିବ । କିନ୍ତୁ ବର୍ତ୍ତମାନ ପାଇଁ ଏହାର ବୋଧହୁଏ କିଛି ମୂଲ୍ୟ ଅଛି । ଅନ୍ତତଃ ମୋର ପିଲାମାନେ ଏଥିରୁ ମୋ ଜୀବନ ସଂଗ୍ରାମର କାହାଣୀ ପଢ଼ି ଭବିଷ୍ୟତକୁ ଭେଟିବା ପାଇଁ ଶକ୍ତି ଓ ସାହସ ସଞ୍ଚୟ କରିବେ । ବିଭିନ୍ନ କ୍ଷେତ୍ରରେ ମୁଁ ଯଥାସାଧ୍ୟ ମୋର କର୍ତ୍ତବ୍ୟ ପାଳନ କରିବାକୁ ଚେଷ୍ଟା କରିଛି ଜାଣି ମୋର ପୂର୍ବତନ ଛାତ୍ରମାନେ ଅନୁପ୍ରାଣିତ ହେବେ । କର୍ମକ୍ଷେତ୍ର ଥରକୁ ଥର ବଦଳି ଯାଇଥିଲେ ସୁଦ୍ଧା ମୁଁ କେତେବେଳେ ଭୀତ ବା ପରାଜିତ ହୋଇନାହିଁ ଜାଣି ମୋର ବନ୍ଧୁମାନେ ଆନନ୍ଦିତ ହେବେ ।

 

“ଅନ୍ୟ ଯେଉଁମାନେ ଏହାକୁ ପଢ଼ିବେ, ସେମାନେ ଆଉ କିଛି ନପାଇଲେ ବି ଏଥିରୁ ଗୋଟିଏ ଦ୍ରୁତ ପରିବର୍ତ୍ତନମୁଖୀ ସମାଜର ଆଲେଖ୍ୟ ପାଇବେ । ଏ ଅଶୀ ବର୍ଷ ଭିତରେ ଦେଶଟା କେତେ ବଦଳିଗଲାଣି, ମୋ ଜୀବନର ଉଭୟ ପ୍ରାନ୍ତକୁ ଚାହିଁଲେ ମୁଁ ଜାଣିପାରୁଛି । କେଉଁ ଅଜଣା ଯୁଗରୁ ଚଳିଆସୁଥିବା ତାଳପତ୍ର ଓ ଲେଖନ, କୋଚିଲାଖଡ଼ି ଓ କାଠି କଲମ ପିଲାଦିନେ ମୁଁ ଦେଖିଥିଲି ଓ ବ୍ୟବହାର ମଧ୍ୟ କରିଥିଲି । ଏବେ ଟି.ଭି. ପାଖରେ ବସି କମ୍ପ୍ୟୁଟରର ଅଦ୍ଭୁତ କରଣି ଓ ମହାକାଶଯାତ୍ରାର ଦୃଶ୍ୟ ଦେଖୁଛି । ମୁଁ କଲେକ ଜୀବନରେ ମଧ୍ୟ ରେଡ଼ିଓ ଦେଖି ନଥିଲି, ଆଜି କିନ୍ତୁ ପଲ୍ଲୀର ଗାଈଆଳ ପିଲାର ହାତରେ ଟ୍ରାଞ୍ଜିଷ୍ଟର ।

 

“ସବୁ କ୍ଷେତ୍ରରେ ଅଦ୍ଭତପୂର୍ବ ପରିବର୍ତ୍ତନ । ନୂଆବୋହୂର ଚୁ’ଚୁ’ଠାର, ପୁଅପିଲାଙ୍କ ଧୋତିପିନ୍ଧା, ବାଲ୍ୟବିବାହ ଓ ସବାରିଡ଼ାକ, ପେଟପାଇଁ ମୁଣ୍ଡପୋତା କେଳାର କୃଚ୍ଛ ସାଧନା, ଡାକହରକରାର ଝଣ ଝଣ ଶବ୍ଦ ସାଙ୍ଗରୁ ଡଗ ଡଗ ଚାଲି, ଜମିଦାର ମହାଜନମାନଙ୍କ ନିଷ୍ଠୁର ଜୁଲୁମ ପ୍ରଭୃତି ଯାହା ଥିଲା ମୋ ପିଲାଦିନେ ଅତି ସାଧାରଣ, ଆଜି ସେସବୁ ସ୍ୱପ୍ନ ପରି ଲାଗୁଛି । କଚେରୀର ପିଆଦାକୁ ଦେଖିଲେ ଯେଉଁ ଗ୍ରାମବାସୀ ଆତଙ୍କରେ ଲୁଚି ରହୁଥିଲେ, ଗଣତନ୍ତ୍ର ଶାନସ ପ୍ରସାଦରୁ ସେମାନେ ହୋଇଛନ୍ତି ନିର୍ଭୀକ ଓ ସ୍ପଷ୍ଟବାଦୀ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଓ ରାସ୍ତାଘାଟର ବିକାଶ ଦେଶର ଚେହେରା ବଦଳାଇ ଦେଇଛି । ବିଜ୍ଞାନର ଇନ୍ଦ୍ରଜାଲ ଅନ୍ଧବିଶ୍ୱାସୀଙ୍କ ଆଖି ଖୋଲି ଦେଇଛି ।

 

“କିନ୍ତୁ ଏସବୁ ଅଗ୍ରଗତି ସାଙ୍ଗକୁ ହଜିଯାଇଛି ସରଳ ଜୀବନର ଶାନ୍ତି ଓ ସନ୍ତୋଷ ଟିକକ-। ଜନସଂଖ୍ୟା ବୃଦ୍ଧି ଯୋଗୁ ଯେଉଁ ଅଭାବ ଦେଖାଦେଇଛି, ତାର ସୁଯୋଗ ନେଇ ଧନଲୋଭୀମାନେ ମେଲି ଦେଇଛନ୍ତି ଦୁର୍ନୀତିର ପାରାବାର । ଘନ ଘନ ବିକ୍ଷୋଭ ଓ ଧର୍ମଘଟ ଫଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ୁଛି । ତେଣୁ ପୁରାତନ ଓ ନୂତନର ସନ୍ଧିକ୍ଷଣରେ ଯେତେ ଯେତେ ପରିବର୍ତ୍ତନ ମଧ୍ୟରେ ଆମ ସମାଜ ଗତି କରୁଛି, ତାର ଛାୟା ପଡ଼ିଛି ମୋର ଏହି କ୍ଷୁଦ୍ର ଜୀବନରେ ଏବଂ ଏଇ ଲିପିବଦ୍ଧ ଅନୁଭୂତିରୁ ତାର କିଞ୍ଚିତ୍ ଧାରଣା ମିଳିପାରେ-।” (ପୃ.୧୭୭-୭୮)

 

ସତ୍ୟକଥନ, ସ୍ପଷ୍ଟବାଦିତା ଇତ୍ୟାଦି କେବଳ ନୁହେଁ ସରଳ ଭାଷା ଓ ଜୀବନ୍ତ ବର୍ଣ୍ଣନାଶୈଳୀ ମଧ୍ୟ ଏହି ଅତ୍ମଜୀବନୀର ଗୋଟିଏ ଗୋଟିଏ ବିଶେଷତ୍ୱ, ଯାହା ବିଷୟରେ କିଛି ନକହି ରହି ହେଉନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହାର ଭାଷା ସରଳ, ତରଳ, ରସ ଢଳ ଢଳ । ଏତେ ସରଳ ଭାଷା ଓ ଏତେ ଉପଭୋଗ୍ୟ ଶୈଳୀରେ ଲେଖିବାରେ ସେ କେବଳ ଧୂରୀଣ ନଥିଲେ, ଏହି ଭାଷା ଓ ଶୈଳୀଦ୍ୱାରା ସେ ଯେକୌଣସି ବର୍ଣ୍ଣନାକୁ ଜୀବନ୍ତ କରିପାରୁଥିଲେ । ଗ୍ରନ୍ଥାରମ୍ଭରୁ ଦୁଇଟି ଅନୁଚ୍ଛେଦକୁ ଉଦାହରଣ ସ୍ୱରୂପ ଗ୍ରହଣ କରାଯାଇପାରେ–

 

“ମୁଁ ଯେଉଁ ଘରଟିରେ ଜନ୍ମ ହୋଇଥିଲି, ଏବେ ତାର କୌଣସି ଚିହ୍ନବର୍ଣ୍ଣ ନାହିଁ । ୧୯୩୩ ମସିହାର କରାଳ ବନ୍ୟା ତାକୁ ମାଟିରେ ମିଶାଇ ଦେଇଯାଇଛି । ସେଠାରେ ବର୍ତ୍ତମାନ ରହିଛି କେବଳ ଗୋଟିଏ ମାଟିର ଢିପ । ସେହି ମାଟିକୁଦ ଉପରେ ବୁଲା କୁକୁର ଆଜିକାଲି ଖରାବେଳେ ଜିଭ କାଢ଼ି ଧକାଉଥିବାର ଦେଖାଯାଏ ।

 

“ବିରାଟ ବିଶ୍ୱ ଭିତରେ ସେଇ ଟିକକ ଥାନ ଥିଲା ମୋର ଶୈଶବର ସ୍ୱପ୍ନପୁରୀ । ମାଟିର ଘର, କେଉଁଠି ଗୋଟିଏ ଝରକା ନଥାଏ । ଚାଳରେ ଅଙ୍କାବଙ୍କା କଣ୍ଟା ବାଉଁଶର ରୁଅ । ଓଳି ପଟକୁ ଥିବା ସେଇ ବାଉଁଶର ନଳା ଭିତରେ ଚେମେଣି ଚଢ଼େଇ ବସା ବାନ୍ଧିଥାନ୍ତି, ଢମଣା ସାପ ମୂଷା ଖାଇବା ଲାଗି ଥରେ ଥରେ ସେ ଚାଳରେ ପଶି ପରିକ୍ରମା କରେ । ବର୍ଷା ବେଳେ ସେ ଚାଳକୁ କସରା ପାଣିର ସମାନ୍ତରାଳ ଧାର ଗଡ଼ି ଚାଲିଥାଏ, ଅଗଣାରେ ପାଣିଫୋଟକାସବୁ ପଟୁଆର କରନ୍ତି । ଯେତେ ଗୋଡ଼ ଚିପି ଚିପି ଚାଲିଲେ ବି କଚଡ଼ା ଖାଇବାକୁ ହୁଏ । ଶୀତଦିନ ସଂଧ୍ୟାରେ ସେହିଠାରେ ଚୁଲୀମୁଣ୍ଡେ ବସି ବୁଢ଼ୀମା ଓ ପିଉସୀମାନେ ଆମକୁ ଭୂତପ୍ରେତ ଓ ରଜାପୁଅର କାହାଣୀ ଶୁଣାନ୍ତି, ଚାନ୍ଦିନୀ ରାତିରେ ସେଇ ଅଗଣାରେ ଖଜୁରୀ ପଟିରେ ଶୋଇ ଶୋଇ ମେଘ ଫାଙ୍କରେ ଆମେ ଜହ୍ନମାମୁର ଲୁଚକାଳି ଦେଖୁ । କେତେ ଯେ ପୁନିଅଁ ପରବ, ପିଠାପଣା, ହସକାନ୍ଦ, ସ୍ନେହ, ଶରଧା, ଅଳିଅଝଟର ମଧୁବୋଳା ସ୍ମୃତି ସେ ଛୋଟ ଘରଖଣ୍ଡିକରେ ଜଡ଼ିତ ଅଛି, ତାର ଇୟତ୍ତା ନାହିଁ । ସେଇ ଘରୁ ଗୋଡ଼ କାଢ଼ି ଦୂର ଜାଗାକୁ ପଢ଼ିବାକୁ ଗଲାବେଳେ ସବୁଥର ଆଖିରୁ ଝରିପଡ଼େ ଧାର ଧାର ଲୁହ, ଛୁଟି ପରେ ପରେ ସେଇ ଘରେ ଆସି ପାଦ ଦେଲାମାତ୍ରେ ପ୍ରାଣ ପୁଣି ଅପୂର୍ବ ପୁଲକରେ ଭରିଯାଏ । ସେଇ ମାଟି ଚାଳର ଘରଖଣ୍ଡି ଏ ଜନ୍ମରେ ଆଉ ଦେଖିବାକୁ ପାଇବି ନାହିଁ । ଧରଣୀ ମାଆର ବୁକୁ ଉପରେ ସେ ଚିରକାଳ ପାଇଁ ନିଜକୁ ହଜାଇ ଦେଇଛି ।” (ପୃ.୧)

 

ଏହିପରି ବହୁ ଉଦାହରଣ ଦିଆଯାଇପାରେ ।

 

‘ଆଲୋ ମଉସା, ଜଡ଼ ପଇସା’, ‘ପେଟ ପୋଷ, ନାହିଁ ଦୋଷ’, ‘ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବା’, ‘ଗୁଣ ଚିହ୍ନେ ଗୁଣିଆ’, ‘ସୂତା ମାଜିଲେ ସରୁ’, ‘କଥା ମାଜିଲେ ମୋଟା’, ‘ରୋଗ ବିକଳରେ ତାଟିଆ କାମୁଡ଼ିବା’, ‘ଚୋର ମନ ଗଣ୍ଠିରେ’, ‘ଖୁଣ୍ଟ ଗୁଣେ ଘୋଡ଼ା କୁଦେ’, ‘ଲୁଚିଛି ନା ଗୋଡ଼ ଦିଓଟି ଦିଶୁଛି’ ଇତ୍ୟାଦି ବହୁ ସୁନ୍ଦର ସୁନ୍ଦର ପ୍ରବାଦ ପ୍ରବଚନର ପ୍ରୟୋଗରେ ଏହି ଗ୍ରନ୍ଥଟି ସୁଖପାଠ୍ୟ ହୋଇପାରିଛି ।

 

ଏହି ଆତ୍ମଜୀବନୀଟି ରାମକୃଷ୍ଣଙ୍କର ଏକ ସଫଳ କୃତି ।

 

‘ଲେଖନୀର ପାଠଶାଳା’ ରାମକୃଷ୍ଣଙ୍କର ଏକ ଉପାଦେୟ ପୁସ୍ତକ । ଏହାର ପ୍ରଥମ ପ୍ରକାଶ କାଳ ୧୯୯୨ ମସିହା । ମାତ୍ର ଅଶୀପୃଷ୍ଠାର ଏହି କ୍ଷୁଦ୍ର ପୁସ୍ତକରେ ଭରି ରହିଛି ବହୁ ଶିକ୍ଷଣୀୟ ଉପାଦାନ । ଏଥିରେ ନଅଟି ପରିଚ୍ଛେଦ ରହିଛି ଏବଂ ପ୍ରତ୍ୟେକ ପରିଚ୍ଛେଦ କେବଳ ଶିଶୁଙ୍କ ପାଇଁ ନୁହେଁ, ସାଧାରଣ ଲୋକ ପାଇଁ ମଧ୍ୟ ଦରକାରୀ ।

 

ପୂର୍ବାଭାସ ପରେ ପ୍ରଥମ ପରିଚ୍ଛେଦ ଆରମ୍ଭ । ଏଥିରେ ଭାଷାରେ ଭୁଲ କାହିଁକି ରହେ ସେ କଥା ବୁଝାଇ କୁହାଯାଇଛି । ପାଣ୍ଡୁଲିପି କିପରି ପ୍ରସ୍ତୁତ କରିବାକୁ ହୁଏ, କଂପୋଜ ସମୟରେ ଓ ପରବର୍ତ୍ତୀ ପ୍ରୁଫ୍ ସଂଶୋଧନ ସମୟରେ କିପରି ସାବଧାନତା ଅବଲମ୍ୱନ କରିବାକୁ ହୁଏ ସେସବୁ ବିଷୟରେ ଏଥିରେ ବୁଝାଇ ଦିଆଯାଇଛି ।

 

ଦ୍ୱିତୀୟ ଅଧ୍ୟାୟରେ ସାଧାରଣ ଅଶୁଦ୍ଧି ସଂପର୍କରେ ଆଲୋଚନା କରାଯାଇଛି । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରଥମ ଭାଗରେ କେତେକ ଅଶୁଦ୍ଧ ଶବ୍ଦକୁ ବର୍ଣ୍ଣନାନୁକ୍ରମେ ଖଞ୍ଜା ଯାଇଛି ଏବଂ ପ୍ରତ୍ୟେକ ଶବ୍ଦକୁ ବନ୍ଧନୀ ଭିତରେ ରଖାଯାଇ ତାର ଶୁଦ୍ଧ ଶବ୍ଦଟି ଦିଆଯାଇଛି । ପରେ ପରେ ସେ ଶବ୍ଦଟି କାହିଁକି ଅଶୁଦ୍ଧ, ତାହା ବୁଝାଇ ଦିଆଯାଇଛି । ଏହାର ଦ୍ୱିତୀୟ ଭାଗରେ ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ଦେଖାଯାଉଥିବା ଅଶୁଦ୍ଧ ବାକ୍ୟଗୁଡ଼ିକୁ ଗ୍ରହଣକରି ପ୍ରତ୍ୟେକଟି କାହିଁକି ଅଶୁଦ୍ଧ ତାହା ଆଲୋଚନା କରାଯାଇଛି ।

 

ତୃତୀୟ ପରିଚ୍ଛେଦର ଶୀର୍ଷକ ‘ଯେଉଁଠି ସନ୍ଦେହ ହୁଏ’ । ଅନେକ ସମୋଚ୍ଚାରିତ ଶବ୍ଦ ରହିଛି, ଯେଉଁଗୁଡ଼ିକୁ ଛାତ୍ରଛାତ୍ରୀମାନେ ସାଧାରଣତଃ ଭୁଲ କରିଥାନ୍ତି । ଏଥି ମଧ୍ୟରୁ କେତେକ ଶବ୍ଦଯୁଗ୍ମର ତାଲିକା ଦେଇ ସେଗୁଡ଼ିକ ମଧ୍ୟରେ ଥିବା ପାର୍ଥକ୍ୟକୁ ବାକ୍ୟ ଦ୍ୱାରା ବୁଝାଇ ଦିଆଯାଇଛି-। ସେହିପରି କେତେକ ଶବ୍ଦ ଲେଖିବାବେଳେ ମନରେ ସନ୍ଦେହ ଆସେ; କେଉଁଠି ଠିକ୍ ତାହା ସହଜରେ ସ୍ଥିର କରିହୁଏ ନାହିଁ । ହ୍ରସ୍ୱଇକାର ଓ ଦୀର୍ଘଈକାର, ହ୍ରସଉକାର, ଦୀର୍ଘଊକାର, ଶ,ଷ ଓ ସ କୁ ନେଇ ଏହିଭଳି ଭୁଲ ସାଧାରଣତଃ ସୃଷ୍ଟି ହୋଇଥାଏ । ଅଭିଧାନ ସମସ୍ତଙ୍କ ପାଖରେ ନଥାଏ-। ତେଣୁ ଏଭଳି କେତେକ ଶବ୍ଦର ଶୁଦ୍ଧ ରୂପ ଦିଆଯାଇଛି ବର୍ଣ୍ଣାନୁକ୍ରମରେ ।

ଚତୁର୍ଥ ପରିଚ୍ଛେଦଟି ‘ପିଲାଙ୍କ ପ୍ରଶ୍ନ : ଆମ ଉତ୍ତର’ । ଏଥିରେ ପ୍ରଶ୍ନୋତ୍ତର ଆକାରରେ ଭାଷା ସମ୍ୱନ୍ଧୀୟ କେତେକ ଅତି ଜାଣିବା କଥା କୁହାଯାଇଛି । ଏଥିରେ ଦଶଟି ପ୍ରଶ୍ନ ପଚରାଯାଇ ସେଗୁଡ଼ିକରେ ଉତ୍ତର ଦିଆଯାଇଛି ଅତି ପ୍ରାଞ୍ଜଳ ଭାବରେ । ଯେପରି–

“ପ୍ରଶ୍ନ (୬) – ଏବେ ଅନେକେ ଯୁକ୍ତାକ୍ଷରଗୁଡ଼ିକୁ ଅନୁସ୍ୱାର ଏବଂ ହଳନ୍ତ୍ ସାହାଯ୍ୟରେ ଲେଖୁଛନ୍ତି । ଓଡ଼ିଆ ଟାଇପ୍‍ରେ ମଧ୍ୟ ଏ ରୀତି ଚାଲିଛି । ଏହା ଠିକ୍ କି ?

ଉତ୍ତର–ଠିକ୍ ତ ନିଶ୍ଚୟ, କିନ୍ତୁ ସବୁଠାରେ ଏ ରୀତିରେ ଲେଖି ଯୁକ୍ତାକ୍ଷରକୁ ପୂରାପୂରି ବାଦ୍ ଦେବା ସମ୍ଭବ ନୁହେଁ । ପଣ୍ଡିତ ନୀଳକଣ୍ଠ ଦାସ, ଯାହାଙ୍କୁ ସମସ୍ତେ ଅତି ବିଦ୍ୱାନ ବୋଲି ସ୍ୱୀକାର କରନ୍ତି, ତାଙ୍କ ନିଜ ନାମକୁ ‘ନୀଳକଂଠ’ ବୋଲି ଲେଖୁଥିଲେ । ଅନୁସ୍ୱାର ଏବଂ ହଳନ୍ତ୍‍ର ବ୍ୟବହାର ଯେଉଁଠାରେ ନିତାନ୍ତ ଆବଶ୍ୟକ, ସେଠାରେ ଚଳୁ । ଓଡ଼ିଆ ଟାଇପ୍ ଯନ୍ତ୍ରର ‘କୀ ବୋର୍ଡ଼’ (Key Board)ରେ ସବୁ ଯୁକ୍ତାକ୍ଷରକୁ ସ୍ଥାନ ଦେବା ସମ୍ଭବ ନୁହେଁ, କାରଣ ତାର ଆୟତନ ସୀମିତ । ତେଣୁ ସେଠାରେ ନୂଆ ରୀତିର ପ୍ରଚଳନ ଅବଶ୍ୟମ୍ଭାବୀ । ମାତ୍ର ହାତଲେଖାରେ ଓ ଛାପାରେ ଯେଉଁ ଅସୁବିଧା ଦେଖାଦେବ, ତାର ସଂକ୍ଷିପ୍ତ ସୂଚନା ଦେଉଛୁ ।

ଆମେ ‘ତୁରସ୍କ’କୁ ତୁରସ୍କ ଲେଖିପାରୁ, କିନ୍ତୁ ସ୍କୁଲକୁ ‘ସ୍‍କୁଲ’ ଲେଖିଲେ ସୁପାଠ୍ୟ ହେବ କି ? ଷ୍ଟେସନ୍, ସ୍ତବ, ସ୍କୁଟର ପରି ଶବ୍ଦରୁ ଯୁକ୍ତାକ୍ଷର ଉଠାଇ ହଳନ୍ତ୍ ସାହାଯ୍ୟରେ ଲେଖିବା ସମ୍ଭବ ନୁହେଁ ।

 

ଆଉ ଗୋଟିଏ ଅସୁବିଧା ମଧ୍ୟ ଅଛି । ‘ପଙ୍କ’ ଲେଖିବାରେ ଯାହା ସମୟ ଯାଉଛି, ପଂକ ଲେଖିବାରେ ତାଠାରୁ ଅଧିକ ସମୟ ଯିବ, କାରଣ ହାତକୁ ତିନିଥର ଉଠାଇବାକୁ ପଡ଼ିବ । ପ୍ରେସ୍‍ର କଂପୋଜିଟର୍‍ମାନେ ସେହିପରି ଦୁଇଥରରେ ‘ପଙ୍କ’ ଶବ୍ଦଟିକୁ ଯୋଡ଼ନ୍ତି, ମାତ୍ର ଅନୁସ୍ୱାର ଯୋଗେ ଯୋଡ଼ିଲେ ତିନିଥର ଲାଗେ-ଥରେ ପ, ଥରେ ଅନୁସ୍ୱାର ଓ ଥରେ କ । ତାପରେ ‘ଅସ୍ତ’ ଶବ୍ଦଟି ଯେତେ ଜାଗା ନିଏ ‘ଅସ୍‍ତ’ ତା ଅପେକ୍ଷା ଅଧିକ ଜାଗା ନେବ । ଛାପାରେ ଯଦି ଏହି ପରିବର୍ତ୍ତନକୁ ବ୍ୟାପକ କରାଯାଏ, ତେବେ ୫୦ ପୃଷ୍ଠାର ପାଠ ପାଇଁ ୫୧ ପୃଷ୍ଠା ଆବଶ୍ୟକ ହେବ ।” (ପୃ.୪୧)

 

ପଞ୍ଚମ ପରିଚ୍ଛେଦ ‘ପ୍ରୁଫ୍ ସଂଶୋଧନ’ରେ ପ୍ରୁଫ୍ କିପରି ଦେଖିବାକୁ ହେବ ସେ ବିଷୟରେ ସମ୍ୟକ୍ ଧାରଣା ଦିଆଯାଇଛି । ପ୍ରୁଫ୍ ଦେଖାଳିଙ୍କ ଯୋଗ୍ୟତା ସମ୍ୱନ୍ଧରେ ଆଲୋଚନା କରାଯାଇ ସେମାନଙ୍କ ପ୍ରତି କିଛି ଉପଦେଶ ମଧ୍ୟ ଏଥିରେ ଦିଆଯାଇଛି । ବିଭିନ୍ନ ସାଂକେତିକ ଚିହ୍ନ ଦ୍ୱାରା ଫ୍ରୁଫ୍ ସଂଶୋଧନ କରାଯାଇଛି ଏବଂ ପ୍ରୁଫ୍ ସଂଶୋଧନ ପ୍ରଣାଳୀ ବତେଇ ଦିଆଯାଇଛି ।

 

ଷଷ୍ଠ ପରିଚ୍ଛେଦ ‘ମୁଁ କିପରି ଲେଖକ ହେବି’ । ଗଦ୍ୟ ହେଉ ବା ପଦ୍ୟ ହେଉ ତାହାକୁ କିପରି ଆରମ୍ଭ କରିବାକୁ ହେବ, କିପରି ସଜାଇ ଲେଖିବାକୁ ହେବ ଓ କିପରି ଶେଷ କରାଯିବ–ଏହା ପ୍ରଥମରୁ ଭାବି ନେବାକୁ ହୁଏ । ଶବ୍ଦଗୁଡ଼ିକୁ କିପରି ସଜାଇ ଲେଖିଲେ ଏବଂ କେଉଁ ଶବ୍ଦ କେଉଁଠି ବସାଇଲେ ଶ୍ରୁତିମଧୁର ଓ ମନଛୁଆଁ ହେବ–ଏହା ଯେ ଭାବିପାରେ ସେ ଭଲ ଲେଖକ ହୋଇପାରେ । ଏହି ଉଦ୍ଦେଶ୍ୟରେ ଏହି ପରିଚ୍ଛେଦରେ ୧୩ ଟି ଅତି ଉପାଦେୟ ଉପଦେଶ ଦିଆଯାଇଛି ।

 

ପରବର୍ତ୍ତୀ ପରିଚ୍ଛେଦଟି ‘ସାହିତ୍ୟଜ୍ଞାନ ପରୀକ୍ଷା’ ପରିଚ୍ଛେଦ । ଏଥିରେ ସାହିତ୍ୟ ବିଷୟକ ସତୁରିଟି ପ୍ରଶ୍ନ ଦିଆଯାଇ ଶେଷରେ ‘ଉତ୍ତରମାଳା’ଟିଏ ଖଞ୍ଜି ଦିଆଯାଇଛି । ଏହି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ହେଲେହେଁ ବଡ଼ଙ୍କ ପାଇଁ ମଧ୍ୟ ଏଥିରେ ବହୁ ଜାଣିବା କଥା ରହିଛି ।

 

ଅଷ୍ଟମ ପରିଚ୍ଛେଦରେ କେତେକ ବହୁ ପ୍ରଚଳିତ ଉଦ୍ଧୃତି ସ୍ଥାନ ପାଇଛି । ଗୀତା, ଭାଗବତ ଏବଂ ବହୁ ପ୍ରସିଦ୍ଧ ମହାପୁରୁଷ ଓ ଓଡ଼ିଆ କବିଙ୍କ ରଚନାରୁ ଏଗୁଡ଼ିକ ନିଆଯାଇଛି ।

 

ନବମ ତଥା ଅନ୍ତିମ ପରିଚ୍ଛେଦରେ କେତୋଟି ରୁଢ଼ି ଓ ପ୍ରବଚନର ଅର୍ଥ ଓ ମୂଳକଥା ଦିଆଯାଇଛି । ଏହା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଦରକାରୀ । ଉଦାହରଣଟିଏ–

 

“ଭାଲୁ ଧରାଇବା ଅନ୍ୟକୁ ବିପଦ ମୁହଁକୁ ଠେଲିଦେଇ ନିଜେ ଖସିଯିବା । କଥା ଅଛି, ଜଣେ ଲୋକ ବଣରେ ଭାଲୁ ହାବୁଡ଼ରେ ପଡ଼ିଲା । ସେ ଲୋକ ଗୋଟିଏ ଗଛ ଉହାଡ଼ରେ ଲୁଚି ଯାଉଁ ଯାଉଁ ଭାଲୁ ତା ଦୁଇ ହାତକୁ ଧରି ପକାଇଲା । ତହୁଁ ଦୁହେଁ ହାତ ଧରାଧରି ହୋଇ ଗଛ ଚାରିପଟେ ବୁଲିଲେ । ବୁଲୁବୁଲୁ ଲୋକଟିର ଅଣ୍ଟାରେ ଥିବା କିଛି ଟଙ୍କା ତଳେ ବୁଣି ହୋଇଗଲା । ଏତିକିବେଳେ ଆଉ ଜଣେ ଲୋକ ଏ ଦୃଶ୍ୟ ଦେଖୁଥିବା ବେଳେ ପ୍ରଥମ ବ୍ୟକ୍ତି ତାକୁ କହିଲା, “ଯଦି ଟଙ୍କା ପାଇବାକୁ ଇଚ୍ଛା, ଆ । ଏ ଭାଲୁକୁ ଧରି ବୁଲିଲେ ଯେତେ ଇଚ୍ଛା ଟଙ୍କା ପାଇବୁ ।” ବୋକା ଲୋକଟା ଟଙ୍କା ଲୋଭରେ ଆସି ଭାଲୁର ହାତ ଧରିବାରୁ ପ୍ରଥମ ବ୍ୟକ୍ତି ଟଙ୍କାତଳ ଗୋଟାଇ ନେଇ ପଳାଇଗଲା ।” (ପୃ.୮୦)

 

‘ସଂସାର’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ‘ଲେଖନୀର ପାଠଶାଳା’ ବିଭାଗରେ ଓଡ଼ିଶା ସାହିତ୍ୟ ସମ୍ୱନ୍ଧରେ ଯାହାସବୁ ପ୍ରକାଶ ପାଇଥିଲା ଏ ବହିଟି କେବଳ ସେସବୁର ସମଷ୍ଟି ନୁହେଁ । ଆଗ୍ରହୀ ପାଠକ ଓ ଜିଜ୍ଞାସୁ ଛାତ୍ରଛାତ୍ରୀଙ୍କ ମାତୃଭାଷା ଓ ସାହିତ୍ୟଜ୍ଞାନରୁ ପରିପୁଷ୍ଟ କରିବା ଉଦ୍ଦେଶ୍ୟରେ ଏଥିରେ ଅନ୍ୟ କେତୋଟି ବିଷୟ ମଧ୍ୟ ସଂଯୋଜିତ । ଛାତ୍ରମାନଙ୍କ ବ୍ୟତୀତ ଲେଖକ, ଶିକ୍ଷକ ବିଶେଷ କରି ଛାପାଖାନାର ପ୍ରୁଫ୍ ରିଡ଼ର୍ ମଧ୍ୟ ଏହା ପାଠକରି ଉପକୃତ ହେବେ ।

 

ଏହାର ପ୍ରଥମ ସଂସ୍କରଣ ମାତ୍ର ଏକ ବର୍ଷ ମଧ୍ୟରେ ସରିଯିବାରୁ ଦ୍ୱିତୀୟ ସଂସ୍କରଣ ୧୯୯୩ ରେ ପ୍ରକାଶ ଲାଭକଲା । ଏତେ କମ୍ ସମୟ ବ୍ୟବଧାନରେ ଦ୍ୱିତୀୟ ସଂସ୍କରଣ ପ୍ରକାଶନ ଏହାର ଆଦୃତି ଓ ଜନପ୍ରିୟତା ପ୍ରମାଣ କରେ ।

 

୧୯୯୩ ରେ ପ୍ରକାଶିତ ହୁଏ ରାମକୃଷ୍ଣଙ୍କ ‘ଭାବି ଦେଖନ୍ତୁ’ । ଏଥିରେ ଦୁଇଟି ବିଭାଗ ରହିଛି ଓ ପ୍ରତ୍ୟେକ ବିଭାଗରେ ୧୨ଟି କରି ୨୪ଟି ପ୍ରବନ୍ଧ ସ୍ଥାନିତ । ତାଙ୍କ ଦ୍ୱାରା ସମ୍ପାଦିତ ଜ୍ଞାନବିଜ୍ଞାନମୂଳକ ମାସିକ ପତ୍ରିକା ‘ସଂସାର’ରେ ଏଗୁଡ଼ିକ ପୂର୍ବରୁ ପ୍ରକାଶିତ ହୋଇଥିଲା । କେତେକ ପାଠକ ବନ୍ଧୁଙ୍କ ଅନୁରୋଧକ୍ରମେ ସେ ସେଗୁଡ଼ିକୁ ସାମାନ୍ୟ ପରିବର୍ତ୍ତନ ସହ ଏକତ୍ରକରି ଏ ସଂକଳନଟି ପ୍ରସ୍ତୁତ କରିଛନ୍ତି । ପ୍ରଥମ ବିଭାଗରେ ଛାତ୍ରଛାତ୍ରୀଙ୍କ ପରିବେଶ ସମାଜ ସମ୍ପର୍କୀୟ ପ୍ରବନ୍ଧଗୁଡ଼ିକ ସ୍ଥାନ ପାଇଥିବାବେଳେ ଦ୍ୱିତୀୟ ଭାଗରେ ପ୍ରକାଶିତ ହୋଇଛି ସେମାନଙ୍କ ବ୍ୟକ୍ତିଗତ ଆଚରଣ ସମ୍ୱନ୍ଧୀୟ ପ୍ରବନ୍ଧଗୁଡ଼ିକ । ପିଲାମାନଙ୍କ ପାରିପାର୍ଶ୍ୱିକ ସମସ୍ୟା ଉପରେ କେତେକ ସତ୍ୟ ଘଟଣାରୁ ଦୃଷ୍ଟାନ୍ତ ରୂପେ ନିଆଯାଇ ମହାପୁରୁଷମାନଙ୍କ ଜୀବନର ଅନୁରୂପ ଘଟଣା ସଂଗେ ତୁଳନା କରାଯାଇଛି । ଏହା ପିଲାମାନଙ୍କ ଜୀବନ ଗଢ଼ିବାରେ ବେଶ୍ ସହାୟକ । ସେହିପରି ସାଂପ୍ରତିକ ବ୍ୟକ୍ତି ସମାଜ ଜୀବନରେ ରହିଥିବା ସମସ୍ୟା, ଅଶାନ୍ତି ଇତ୍ୟାଦିକୁ ଆଖି ଆଗରେ ରଖି ଯେଉଁ ପ୍ରବନ୍ଧଗୁଡ଼ିକ ଲେଖାଯାଇଛି, ସେଗୁଡ଼ିକରେ ଏସବୁର ସମାଧାନ କିପରି ହୋଇପାରିବ ତାହା ଦେଖାଇ ଦିଆଯାଇଛି ।

 

ଏହି ପ୍ରବନ୍ଧଗୁଡ଼ିକର ଭାଷା ସରଳ ଓ ଛାତ୍ରୋପଯୋଗୀ । ପ୍ରସଙ୍ଗ ଅନୁରୋଧରେ ପଦ୍ୟାଂଶ, ଶ୍ଳୋକାଂଶ, ପ୍ରବାଦ-ପ୍ରଚଚନ ଓ ଉଦାହରଣ ଦ୍ୱାରା ପ୍ରବନ୍ଧଗୁଡ଼ିକୁ ମନଛୁଆଁ କରାଯାଇଛି-। ପ୍ରବନ୍ଧଗୁଡ଼ିକ ଆକାରରେ କ୍ଷୁଦ୍ର-ମାତ୍ର ତିନିପୃଷ୍ଠା ବା ଚାରିପୃଷ୍ଠାରେ ପ୍ରତ୍ୟେକଟି ସୀମିତ । ଏହାର ପ୍ରଥମ ପ୍ରବନ୍ଧରେ ଜାତିଆଣ ଭେଦଭାବ ଭୁଲି ‘ଆମେ ଗୋଟିଏ ଜାତି-ଭାରତୀୟ’ ବୋଲି କୁହାଯାଇଛି । ପ୍ରବନ୍ଧଟି ପାଠ କରିବାପରେ ଏହା ଏତେ ମନକୁ ପାଇଲା ଯେ ଏଇଟିକୁ କେତୋଟି ଅନୁଚ୍ଛେଦ ଏଠାରେ ଉଦ୍ଧାର କରିବାର ଲୋଭ ସମ୍ୱରଣ କରି ହେଉନାହିଁ ।

 

“ଜାତିଆଣ ଭାବ ଏକ ସଂକୀର୍ଣ୍ଣ ଚିନ୍ତାଧାରା । ଏହା ମନୁଷ୍ୟକୃତ । ଆମେ କହୁଁ ଲେଖୁଁ–‘ସେ ଗ୍ରାମରେ ଜଣେ ଧନୀ ବ୍ରାହ୍ମଣ ବାସ କରୁଥିଲେ । ପୁଣି ପର ବାକ୍ୟରେ କହୁଁ–‘ତାଙ୍କ ଘର ପାଖରେ ଜଣେ କୃଷକ ରହୁଥିଲା ।’ ଏଠାରେ ଜଣକୁ ଯେଉଁ ସମ୍ମାନ ଦେଇ ‘ବାସ କରୁଥିଲେ’ ବୋଲି କହିଲୁ, ଅନ୍ୟ ଜଣକୁ ତାହା ନଦେଇ ‘ରହୁଥିଲା’ ବୋଲି କହିଲୁ । ଏ ପ୍ରଭେଦର କିଛି ଯଥାର୍ଥତା ଅଛି କି ? ଏହାଦ୍ୱାରା ଆମେ ବୈଠକୀ ବାବୁ ଶ୍ରେଣୀର ଲୋକକୁ ଅଧିକ ସମ୍ମାନ ଦେଇ ଶ୍ରମିକକୁ ହୀନ ଦୃଷ୍ଟିରେ ଦେଖିଲୁ ବୋଲି ପ୍ରମାଣିତ ହେଉ ନାହିଁକି ? ଏହି କାରଣରୁ ଆମେ ସମାଜରେ ଭେଦର ପ୍ରାଚୀର ସୃଷ୍ଟି ହୋଇ ଜାତୀୟ ଏକତା ନଷ୍ଟ ହୋଇଛି । ଶ୍ରମର ମର୍ଯ୍ୟାଦା ମଧ୍ୟ ନଷ୍ଟ ହୋଇଛି । ଆମ ଆଖିରେ ରାସ୍ତା ଝାଡ଼ୁ କରୁଥିବା ବ୍ୟକ୍ତି ନୀଚ, ବିଲ ଚଷୁଥିବା ବ୍ୟକ୍ତି ହୀନ, ବୋଝ ବୋହୁଥିବା ବ୍ୟକ୍ତି ପତିତ । କେବଳ ଉଚ୍ଚ ଜାତିର ଲୋକ ଦୁରାଚାରୀ ଓ ଆଳସ୍ୟ ପରାୟଣ ହେଲେ ମଧ୍ୟ ବଡ଼ ଏବଂ ସବୁ ସୁବିଧା ପାଇବାର ଯୋଗ୍ୟ ।

 

“ଏହି ଜାତିଆଣ ଭାବ ଗଣତାନ୍ତ୍ରିକ ଚିନ୍ତାଧାରା ସଂଗେ ଖାପ ଖାଏ ନାହିଁ । ଗଣତନ୍ତ୍ରରେ ବଂଶାନୁକ୍ରମର ସ୍ଥାନ ନାହିଁ । ଯେଉଁ ରାଜା ଦିନେ ଦେବତା ପରି ପୂଜା ପାଉଥିଲେ, ସେ ଆଜି ଜଣେ ସାଧାରଣ ନାଗରିକ । ରାଷ୍ଟ୍ରରେ ସମସ୍ତଙ୍କର ସମାନ ସୁବିଧା ଓ ସମାନ ଅଧିକାର । ଭଗବାନ ବୁଦ୍ଧ ଯେଉଁ ସତ୍ ଭାବନା ଓ ସତ୍ କର୍ମର ମହତ୍ତ୍ୱ ଜଗତକୁ ଶିଖାଇ ଯାଇଥିଲେ, ତାହାହିଁ ଆଜି ବଳବତ୍ତର ରହିଛି । ଗୁଣୀ ଓ ମହତ୍ ବ୍ୟକ୍ତିହିଁ କେବଳ ସାମାଜିକ ମର୍ଯ୍ୟାଦା ଓ ଐଶ୍ୱର୍ଯ୍ୟର ଅଧିକାରୀ । ସେ କୃଷକ ହୋଇପାରେ ବା ଝାଡ଼ୁଦାର ହୋଇପାରେ । ‘ମୁଁ ଉଚ୍ଚ କୁଳରେ ଜାତ, ଅତଏବ ଅଧିତ ସମ୍ମାନ ଅଧିକ ସୁବିଧା ପାଇବି’–ଗଣତାନ୍ତ୍ରିକ ସମାଜରେ ଏ ଯୁକ୍ତିର ସ୍ଥାନ ନାହିଁ ।

 

“ପୁରାଣ ଯୁଗରେ ଗୁଣ ଓ କର୍ମକୁ ଭିତିକରି ଆମ ସମାଜରେ ଯେଉଁ ଜାତିବିଭାଗ ସୃଷ୍ଟି ହୋଇଥିଲା, ଜନସଂଖ୍ୟା ବୃଦ୍ଧି, ବିଜ୍ଞାନର ଅଭ୍ୟୁଦୟ ଓ କଠୋର ଜୀବନ ସଂଗ୍ରାମ ଫଳରେ ସେସବୁ ଓଲଟ ପାଲଟ ହୋଇଗଲାଣି । କୁଳ ପୁରୋହିତଙ୍କ ଅଣନାତି ଆଜି ଗୋଟାଏ କୁକୁଡ଼ା ଫାର୍ମ କରିବାକୁ ବାଧ୍ୟ ହୋଇଛି ଏବଂ କରଣ ସାଆନ୍ତଙ୍କ ବଂଶଧର ପୋଲିସ କନଷ୍ଟେବଲ ଚାକିରି କରି ରାତି ଅଧରେ ସହରର ଗଳିକନ୍ଦିରେ ଚୌକିଦାରର କାମ କରୁଛି । କୌଳିକ ବୃତ୍ତି ନ ପୋଷେଇବାରୁ ବେହେରା ପୁଅ ସେଲୁନ୍ ଖୋଲି ଜୀବିକା ନିର୍ବାହ କରୁଛି ଏବଂ ବାରିକ ପୁଅ ସିଲେଇ କଳ ପକାଇ ଜାମା ସିଲାଇ କରୁଛି । ଜଣେ କମାର ବଜାର ଛକରେ ହୋଟେଲଟାଏ କରି ବାଟୋଇଙ୍କୁ ଖାଇବାକୁ ଦେଉଛି ଏବଂ ଜଣେ ଭୋଇଘର ଯୁବକ ବାରଣ୍ଡାରେ ବସି ପେଡ଼ା ବିକୁଛି । ଆଜି ହାଟବଜାରରେ କେହି ଜାତି ପଚାରୁ ନାହାନ୍ତି, କେବଳ କ୍ରେତା-ବିକ୍ରେତା ସଂପର୍କ । ଏ ପରିସ୍ଥିତିରେ ଜାତିଆଣ ଭାବକୁ ଜାବୁଡ଼ି ଧରି ବସିବା ହାସ୍ୟାସ୍ପଦ ନୁହେଁ କି ?

 

“ଜାତି ଓ ଧର୍ମ ନାମରେ ନାନା କୁପ୍ରଥା ଓ କୁସଂସ୍କାର ଆମ ସମାଜରେ ବସା ବାନ୍ଧି ରହିଛି । ସୁଖର କଥା, ଶିକ୍ଷା ଓ ବିଜ୍ଞାନର ପ୍ରସାର ଫଳରେ ଲୋକଙ୍କ ମନରୁ ବହୁ ଅନ୍ଧ ଧାରଣା ଦୂର ହୋଇଗଲାଣି । ସତୀ, ବାଲ୍ୟବିବାହ, ବଳିଦେବା ପ୍ରଥା, ଅସ୍ପୃଶ୍ୟତା, ନାରୀ ନିର୍ଯ୍ୟାତନା କ୍ରମେ ଲୋପ ପାଇ ଆସୁଛି । ଶିକ୍ଷିତ ବ୍ୟକ୍ତିମାନେ ଦୃଢ଼ଭାବରେ ସେହି କୁପ୍ରଥାଗୁଡ଼ିକର ବିରୋଧ ନକଲେ ସମାଜରୁ ସେସବୁ କଳଙ୍କ ସଜହରେ ଦୂର ହେବ ନାହିଁ ।

 

“ଏକଲବ୍ୟ କଥା ଆମେ ସମସ୍ତେ ଜାଣୁ । ବଣ ଜଙ୍ଗଲରେ ବୁଲୁଥିବା ପିଲାଠାରେ ମଧ୍ୟ ପ୍ରତିଭା ଅଛି । ସୁବିଧା ସୁଯୋଗ ଅଭାବରୁ ଆମ ଦେଶର ବହୁ ପୁଅ ଝିଅ ମଣିଷ ହୋଇପାରୁ ନାହାନ୍ତି । ଆମ ଠାକୁର ଶ୍ରୀକୃଷ୍ଣ ଗରିବ ସୁଦାମା ହାତରୁ ଖୁଦ ଖାଇଥିଲେ, ଲକ୍ଷ୍ମୀ ଠାକୁରାଣୀ ଚଣ୍ଡାଳ ଘରେ ମହାସନ୍ତୋଷରେ ଅତିଥି ହୋଇଥିଲେ, ପ୍ରଭୁ ରାମଚନ୍ଦ୍ର ମହାଆନନ୍ଦରେ ଶବରୀ ହାତରୁ କୋଳି ଖାଇଥିଲେ । ଏଥିରୁ ଆମେ ଯାହା ଶିଖିବା କଥା, ତାହା ଏ ପର୍ଯ୍ୟନ୍ତ ଶିଖିଲୁ ନାହିଁ ।

 

“ଆମର ଛାତ୍ରଛାତ୍ରୀମାନେ ମହାପୁରୁଷମାନଙ୍କର ଜୀବନ କାହାଣୀ ପଢ଼ୁଛନ୍ତି । ସେଥିରୁ ଯାହା ଶିଖୁଛନ୍ତି, ତାକୁ କାର୍ଯ୍ୟରେ ପରିଣତ କରନ୍ତୁ । ସେମାନେ ଧନୀ ଘରର ପିଲା ହୋଇପାରନ୍ତି ବା ଉଚ୍ଚକୁଳରେ ଜନ୍ମିଥାଇ ପାରନ୍ତି; କିନ୍ତୁ ଗରିବ ଓ ସମାଜରେ ଅବହେଳିତ ଭାଇଭଉଣୀମାନଙ୍କୁ ଦୂରେଇ ନଦେଇ ପାଖରେ ବସାନ୍ତୁ । ସେମାନଙ୍କୁ ଶ୍ରଦ୍ଧା କରି ଶିଖନ୍ତୁ ଓ ଆପଦ ବିପଦରେ ସାହାଯ୍ୟ କରନ୍ତୁ । ଆମର ଗୋଟିଏ ଦେଶ ଭାରତ । ଆମେ ସମସ୍ତେ ତାର ସନ୍ତାନ । ଏହି ଭାବନା ମନରେ ରଖି କାର୍ଯ୍ୟକଲେ ଆମେ ମାତୃଭୂମିର ପ୍ରକୃତ ସେବା କରିପାରିବା ।”

 

୧୯୮୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ତାହାର ରଜତ ଜୟନ୍ତୀ ପାଳନ ଅବସରରେ ରାମକୃଷ୍ଣଙ୍କ ଦ୍ୱାରା ରଚିତ ‘ଓଡ଼ିଆ ଶିଶୁସାହିତ୍ୟ ଓ ପତ୍ରିକା’ ନାମରେ ଏକ କ୍ଷୁଦ୍ର ତଥା ସୂଚନାତ୍ମକ ପୁସ୍ତକ ପ୍ରକାଶ କରିଥିଲେ । ରାମକୃଷ୍ଣ ଏଥିରେ ଓଡ଼ିଆ ଶିଶୁସାହିତ୍ୟର ଉନ୍ନତି ଓ ବିକାଶ ସମ୍ୱନ୍ଧରେ ଆଲୋଚନା କରିବା ସଂଗେ ସଂଗେ ଓଡ଼ିଆ ଶିଶୁ ପତ୍ରିକା ସମ୍ୱନ୍ଧରେ ସୂଚନା ଦେଇଛନ୍ତି । ବିଭିନ୍ନ ଜିଲାରୁ ପ୍ରକାଶ ପାଉଥିଲା ଶିଶି-ପତ୍ରିକା ଓ ସେସବୁର ସଂପାଦକଙ୍କ ନାମ ସେ ପ୍ରଦାନ କରିଛନ୍ତି । କ୍ଷୁଦ୍ର କଳେବର ବିଶିଷ୍ଟ ହେଲେହେଁ “ଶିଶୁ ସାହିତ୍ୟ ଆଲୋଚନା କ୍ଷେତ୍ରରେ ଏହାର ଏକ ବିଶେଷ ସ୍ଥାନ ରହିଛି ।

 

ଶିଶୁସାହିତ୍ୟ ରଚନା:

 

ରାମକୃଷ୍ଣ ଥିଲେ ବିଶିଷ୍ଟ ଶିଶୁ ସାହିତ୍ୟିକ । ଶିଶୁ ଉପଯୋଗୀ ଅନେକ ପୁସ୍ତକ ସେ ରଚନା କରିଥିଲେ । ପୂର୍ବରୁ ଆଲୋଚିତ ତାଙ୍କର ବହୁ ପାଠ୍ୟପୁସ୍ତକ ଶିଶୁମାନଙ୍କ ନିମନ୍ତେ ରଚିତ ହୋଇଥିଲା । ତା’ଛଡ଼ା କେବଳ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କେତେକ ଗଳ୍ପ ପୁସ୍ତକ ସେ ରଚନା କରିଥିଲେ-। ତାଙ୍କର ଏହି ପୁସ୍ତକଗୁଡ଼କ ବଜାରରେ ମିଳୁଥିବା ଅନୁରୂପ ପୁସ୍ତକମାନଙ୍କଠାରୁ ଭିନ୍ନ । କାରଣ ଶିକ୍ଷକ ଭାବରେ ଶିଶୁ-ମନସ୍ତତ୍ତ୍ୱ ସେ ଭଲଭାବରେ ଅଧ୍ୟୟନ କରିଥିଲେ ଓ ତାହାକୁ ପୁଞ୍ଜିକରି ଶିଶୁମାନଙ୍କ ପାଇଁ ଗଳ୍ପ ଓ କବିତା ଲେଖିଥିଲେ । ‘ଝୁମୁକା’ରେ ପ୍ରକାଶିତ ଶିଶୁକବିତାଗୁଡ଼ିକ ଶିଶୁମାନଙ୍କର କେତେ ମନଛୁଆଁ, ତାହା ଏହାର ପାଠକ ନିଶ୍ଚୟ କହିବେ ।

 

ଓଡ଼ିଆ ଭାଷାରେ ଭଲ ଶିଶୁସାହିତ୍ୟ ନଥିବା ଅନୁଭବ କରି ରାମକୃଷ୍ଣ ପରିଣତ ବୟସରେ ମଧ୍ୟ ଶିଶୁସାହିତ୍ୟ ରଚନାରେ ବ୍ରତୀ ଥିଲେ । ଏ ସମ୍ୱନ୍ଧରେ ସେ କହନ୍ତି -“ଶିଶୁ ଦିବସ ଉପଲକ୍ଷେ କେନ୍ଦ୍ରୀୟ ସ୍ତରରେ ଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ଶିଶୁସାହିତ୍ୟର ବିଚାରକମଣ୍ଡଳୀ ବୈଠକରେ ଯୋଗଦେବାକୁ ମୁଁ ଦୁଇଥର ସୁଯୋଗ ପାଇଥିଲି । ସେଥିରେ ଯୋଗ ଦେଇ ମୁଁ ଅନୁଭବ କରିଅଛି ଯେ ଓଡ଼ିଆ ଶିଶୁ ପୁସ୍ତକଗୁଡ଼ିକ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପ୍ରକାଶିତ ପୁସ୍ତକର ସମକକ୍ଷ ହେବା ତ ଦୂରର କଥା, ତୁଳନା ସ୍ତରକୁ ଯିବାର ଯୋଗ୍ୟତା ମଧ୍ୟ ଅର୍ଜନ କରିପାରି ନାହିଁ । ଆମ ବହୁଗୁଡ଼ିକରେ ଯଥେଷ୍ଟ ସଂଖ୍ୟାରେ ଚିତ୍ର ସନ୍ନିବେଶିତ ହୋଇ ନାହିଁ, ପୁଣି ମୁଦ୍ରଣ ପରିପାଟୀ ମଧ୍ୟ ନିକୃଷ୍ଟ ଧରଣର । ଏଭଳି ପୁସ୍ତକର ପ୍ରକାଶନ ବ୍ୟୟସାପେକ୍ଷ ହୋଇଥିବା ଦୃଷ୍ଟିରୁ ପେସାଦାର ପୁସ୍ତକ ପ୍ରକାଶକମାନେ ସେ ଦିଗରେ କିଛି କରିପାରୁ ନାହାନ୍ତି । ପୁସ୍ତକର ମୂଲ୍ୟ ଲୋକମାନଙ୍କର କ୍ରୟଶକ୍ତିର ସୀମା ଲଘଂନ କରିଗଲେ ବିକ୍ରିରେ ବ୍ୟାଘାତ ଘଟିବା ସ୍ୱାଭାବିକ । ‘ନ୍ୟାସନାଲ ବୁକ୍ ଟ୍ରଷ୍ଟ’ ଯେଉଁ କେତେଖଣ୍ଡ ଶିଶୁ ପୁସ୍ତକର ଓଡ଼ିଆ ଅନୁବାଦ ପ୍ରକାଶ କରିଛନ୍ତି, ତାର ମୂଲ୍ୟ ସୁଲଭ ହେଲେହେଁ ସଂଖ୍ୟା ବେଶି ନୁହେଁ । ଫଳରେ ମାନ୍ଦ୍ରାଜରୁ ପ୍ରକାଶ ପାଉଥିବା ଛବିଳ ‘ଜହ୍ନମାମୁ’ ମାସିକ ପତ୍ରିକା ବହୁ ସଂଖ୍ୟାରେ ବିକ୍ରି ହେଉଛି । ଉକ୍ତ ପତ୍ରିକାର ଭାଷା ଓ ବିଷୟବସ୍ତୁ ଅନେକ ସ୍ଥଳରେ ଶିଶୁ ଉପଯୋଗୀ ନୁହେଁ ଜାଣି ସୁଦ୍ଧା ‘ନାହିଁ ମାମୁଠାରୁ କଣାମାମୁ ଭଲ’ ନ୍ୟାୟରେ ଅଭିଭାବକମାନେ ତାହାକୁ କିଣି ନିଜ ପିଲାମାନଙ୍କ ହାତରେ ଦେଉଛନ୍ତି ।

 

“କିଛି ଆର୍ଥିକ କ୍ଷତି ସହିବାକୁ ପ୍ରସ୍ତୁତ ନହେଲେ ଓଡ଼ିଆରେ ସଚିତ୍ର ଶିଶୁ ପୁସ୍ତକ ପ୍ରକାଶ କରିହେବ ନାହିଁ ଜାଣି ମୁଁ ଏ ଦିଗରେ କିଛି କରିବା ପାଇଁ ମନସ୍ଥ କଲି । ଦେଶ ବିଦେଶର ଲୋକକଥା, ନୀତିଗଳ୍ପ, ପୁରାଣ ଓ କିଂବଦନ୍ତୀ ପ୍ରଭୃତିରୁ ବାଛି ବାଛି ସକଳ ଭାଷାରେ ଶିଶୁ ଉପଯୋଗୀ ଗଳ୍ପଗୁଡ଼ିଏ ଲେଖିଲି । ସେଗୁଡ଼ିକୁ ଯଥା ସମ୍ଭବ ସଚିତ୍ର କରି ପ୍ରତି ବହିରେ ଛଅଟି ଲେଖାଏଁ ଗଳ୍ପ ଦେଇ ଗୋଟିକ ପରେ ଗୋଟିଏ ପ୍ରକାଶ କଲି । ଏ ସିରିଜ୍‍ର ପ୍ରଥମ ବହୁ ‘ଛଅଟି ଗଛ ଅଠର ଫୁଲ’ ୧୯୭୭ ମସିହା ଗଣେଶ ଚତୁର୍ଥୀ ଦିନ ବଜାରକୁ ଗଲା । ଫୁଲ ଯେପରି ଗଛର ଶୋଭା ବର୍ଦ୍ଧନ କରେ, ଚିତ୍ରଗୁଡ଼ିକ ସେହିପରି ଗଳ୍ପକୁ ଆକର୍ଷଣୀୟ କରିଥିବାରୁ ବହିର ଏପରି ନାମକରଣ କରାଯାଇଥିଲା । ‘ଛଇଟି ଗଛ ଅଠର ଫୁଲ’ ଅର୍ଥ ଛଅଟି ଗଛ ଓ ଅଠରଟି ଚିତ୍ର । ଏ ସିରିଜ୍‍ରେ ନଅ ଖଣ୍ଡି ବହି ପ୍ରକାଶ ପାଇଛି । ଅନ୍ୟ ଆଠଖଣ୍ଡର ନାମ ହେଲା ‘ଛଅଟି ଗଛ ସତର ଫୁଲ’, ‘ଛଅଟି ଗଛ କୋଡ଼ିଏ ଫୁଲ’, ‘ଛଅଟି ଗଛ ବାଇଶି ଫୁଲ’, ‘ଛଅଟି ଗଛ ତେଇଶ ଫୁଲ’, ‘ଛଅଟି ଗଛ ଚବିଶ ଫୁଲ’, ‘ମରଣ ଦୋଳି’, ‘ସୁବର୍ଣ୍ଣ ସେଉ’ ଏବଂ ‘ସାଗର କନ୍ୟା’ । ୧୯୭୭ ସେପ୍ଟେମ୍ୱରଠାରୁ ୧୯୮୧ ମାର୍ଚ୍ଚ ମଧ୍ୟରେ ଏହି ବହିଗୁଡ଼ିକ ପ୍ରକାଶ ପାଇଥିଲା । ଏଥିରେ ଥିବା ଚିତ୍ରଗୁଡ଼ିକର ବିନ୍ୟାସ ଓ ମୁଦ୍ରଣ କାର୍ଯ୍ୟରେ ମୋର ପୁତ୍ର ପ୍ରଭାତ ଓ ପ୍ରେସ୍‍ର ପରିଚାଳକ ବିଶ୍ୱଜୀବନ ଅନେକ ସାହାଯ୍ୟ କରିଥିଲେ । ମୋର ନିଜର କୌଣସି ବିକ୍ରୟ ସଂସ୍ଥା ନଥିଲେ ହେଁ ବହିଗୁଡ଼ିକ ଶସ୍ତା ଓ ଛବିଳ ହୋଇଥିବାରୁ ବିକ୍ରୟରେ କିଛି ଅସୁବିଧା ହୋଇନଥିଲା ।” (ଜୀବନ ତରଙ୍ଗ, ପୃ.୧୫୬-୫୭)

 

୧୯୮୨ରେ ପ୍ରକାଶିତ ‘ପ୍ରକୃତିର ଗଳ୍ପପୁରୀ’ରେ ସେ ଖଞ୍ଜିଦେଇଛନ୍ତି ଶିଶୁଙ୍କ ମନଲାଖି ଦଶଟି ସୁନ୍ଦର ଗଳ୍ପ । ‘ସୁନା ପାହାଚ’ (୧୯୮୪)ରେ ସ୍ଥାନିତ ଗଳ୍ପଗୁଡ଼ିକ ରଚିତ ହୋଇଛି ଶିଶୁମାନଙ୍କ ଭବିଷ୍ୟତ ଜୀବନ ଗଢ଼ିବାର ଲକ୍ଷ୍ୟ ରଖି । ଏ ଗଳ୍ପଗୁଡ଼ିକ ବିଷୟରେ ରାମକୃଷ୍ଣ ଲେଖିଛନ୍ତି-“ଜୀବନର ଉନ୍ନତି ମାର୍ଗରେ ସଦ୍‍ଗୁଣାବଳୀ ସୁନା ପାହାଚ ଭଳି । ଇଟା, ସିମେଣ୍ଟ ପରି ଏହା କ୍ଷୟ ହୁଏ ନାହିଁ । ପିଲାଦିଲୁ ସୁଅଭ୍ୟାସ ଗଠନ କରି ଏହି ପାହାଚରେ ଧୀରେ ଧୀରେ ସଫଳତାର ଶିଖରକୁ ଉଠିବାକୁ ହୁଏ । ଦୁଃଖର କଥା, ଏ ଦିଗରେ ବହୁ ପିତାମାତା ଆଜି ଉଦାସୀନ-। ବାଲ୍ୟ ଜୀବନରେ ଯେଉଁ ଦୋଷତ୍ରୁଟିଗୁଡ଼କୁ ସାମାନ୍ୟ ମନେକରାଯାଏ, ତାହା କ୍ରମେ କ୍ରମେ ଉତ୍ତର ଜୀବନକୁ କଳୁଷିତ କରେ । ଘରେ, ବିଦ୍ୟାଳୟରେ, ଖେଳପଡ଼ିଆରେ, ରାସ୍ତାରେ ଓ ସଭାସମିତିରେ ପିଲାମାନଙ୍କ ସାଂପ୍ରତିକ ଆଚରଣକୁ ଲକ୍ଷ୍ୟ ରଖି ସେମାନଙ୍କ ନିତିଦିନିଆ ଅଭିଜ୍ଞତା ଉପରେ ଏ ଗଳ୍ପଗୁଡ଼ିକ ରଚିତ ।”

 

୧୯୮୬ ରେ ପ୍ରକାଶିତ ‘ଜୀବନ ରହସ୍ୟ’ ଶିଶୁବିଜ୍ଞାନ-ସାହିତ୍ୟକୁ ତାଙ୍କର ଏକ ନୂତନ ଅବଦାନ । ଜୀବନବିଜ୍ଞାନ ସମ୍ୱନ୍ଧୀୟ ବହୁ ଜଟିଳ ବିଷୟକୁ ସହଜ ଓ ସରଳ ଭାଷାରେ ପିଲାମାନଙ୍କୁ ଭେଟି ଦେଇଛନ୍ତି ଶିଶୁପ୍ରେମୀ ରାମକୃଷ୍ଣ । ଜୀବନମାନଙ୍କଠାରେ ଥିବା ବହୁ ନୂତନ ବିଷୟକୁ ସେ ଏଥିରେ ପରିବେଷଣ କରିଛନ୍ତି, ଯାହା ପଢ଼ିଲେ ବିଶ୍ୱାସ କରିହୁଏ ନାହିଁ; କିନ୍ତୁ ଏସବୁ ସତ୍ୟ । ଏ ସମ୍ୱନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ ରାମକୃଷ୍ଣଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି ଏବଂ ଜୀବନବିଜ୍ଞାନୀମାନଙ୍କ ସହ ଆଲୋଚନା କରିବାକୁ ହୋଇଛି ।

 

ବହୁ ପ୍ରସିଦ୍ଧି ଲାଭକରୁଥିବା ‘ପଞ୍ଚତନ୍ତ୍ର’ରୁ କାହାଣୀମାନ ସଂଗ୍ରହ କରି ସେଗୁଡ଼ିକୁ ରାମକୃଷ୍ଣ ସହଜ, ସରଳ ଭାଷାରେ ପରିବେଷଣ କରିଛନ୍ତି ଶିଶୁମାନଙ୍କ ପାଇଁ । ଏହି କାହାଣୀଗୁଡ଼ିକ ତିନୋଟି ପୁସ୍ତକରେ ସ୍ଥାନିତ ଏବଂ ‘ପଞ୍ଚତନ୍ତ୍ର କାହାଣୀ’ ନାମରେ ୧୯୮୯ରେ ପ୍ରକାଶିତ । ପ୍ରତ୍ୟେକ ଗଳ୍ପରେ ପିଲାମାନଙ୍କ ପାଇଁ ସନ୍ଦେଶ ରହିଛି, ଚରିତ୍ର ଗଠନରେ ସହାୟକ ଉଦ୍ଦେଶ୍ୟମାନ ମଧ୍ୟ ରହିଛି । ଶିଶୁ-ମନସ୍ତତ୍ତ୍ୱ ସଙ୍ଗେ ଭଲଭାବେ ପରିଚିତ ରାମକୃଷ୍ଣ ଏହି କାହାଣୀଗୁଡ଼ିକର ଉପସ୍ଥାପନାରେ ନିଜସ୍ୱ ଦୃଷ୍ଟଭଙ୍ଗୀର ପରିଚୟ ଦେଇଛନ୍ତି । ତେଣୁ କେବଳ ଶିକ୍ଷଣୀୟ କଥାବସ୍ତୁ ନୁହେଁ ଚମତ୍କାର ପରିବେଷଣ ଶୈଳୀରେ ମଧ୍ୟ ଏହି କାହାଣୀଗୁଡ଼ିକ ସମୃଦ୍ଧ ।

 

ଏସବୁ ବ୍ୟତୀତ ‘ପ୍ରକୃତିର ଗଳ୍ପପୁରୀ’, ‘ଆମ ଜାତୀୟ ପଶୁ’, ‘ଆମ ଜାତୀୟ ପକ୍ଷୀ’, ‘ଆମ ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ’, ‘ଆମ ଜାତୀୟ ପତାକା ଓ ଜାତୀୟ ସଂଗୀତ’, ‘ରତ୍ନ ପାଖୁଡ଼ା(୧ମ)’, ‘ରତ୍ନ ପାଖୁଡ଼ା(୨ୟ)’ ଇତ୍ୟାଦି ବହୁ ଶିଶୁ-ଉପଯୋଗୀ ରଚନାମାନ ପ୍ରସ୍ତୁତ କରି ସେ ଓଡ଼ିଶାର ଅଗଣିତ ଶିଶୁଙ୍କୁ ଉପହାର ଦେଇଛନ୍ତି । ତାଙ୍କର ଆଉ ଅଳ୍ପ କେତୋଟି ଶିଶୁଗଳ୍ପ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇପାରିନାହିଁ । ‘ପୌଷ ସକାଳର ଗପ’ ଶୀର୍ଷକ ଗଳ୍ପ ସଂକଳନରେ ସେଗୁଡ଼ିକ ପ୍ରକାଶିତ ହେବାକୁ ଯାଉଛି ।

 

ରାମକୃଷ୍ଣ ଜଣେ ବିଶିଷ୍ଟ ଅନୁବାଦକ ମଧ୍ୟ । କଲେଜ ଛାତ୍ରଥିବା ସମୟରୁ ସେ ଅନୁବାଦ କାର୍ଯ୍ୟରେ ହାତ ଦେଇଥିଲେ । Mathew Arnold ଙ୍କ Sohrab and Rustum ସେ ପଦ୍ୟାନୁବାଦ କରିଥିଲେ । ମୂଳ ଇଂରାଜୀ ପରି ଏହାକୁ ମଧ୍ୟ ଅମିତ୍ରାକ୍ଷର ଛନ୍ଦରେ ରଚନା କରିଥିଲେ । ଉଦାହରଣ–

 

ମୂଳ ଇଂରାଜୀ :

 

The first grey of morning filled the last,

And the fog rose out of the Oxus stream;

 

ତାଙ୍କ ଓଡ଼ିଆ ଅନୁବାଦ :

 

ପ୍ରାଚୀପଟେ ପ୍ରକାଶିଲା ପ୍ରଭାତର ପ୍ରଥମ ସିନ୍ଦୂର

ଅକ୍ଷସା ତଟିନୀବକ୍ଷୁ ସ୍ତରେ ସ୍ତରେ ଉଠିଲା କୁହେଳି;

 

ଏହି ଅନୁବାଦଟିକୁ ସେ ତାଙ୍କ ଇଂରାଜୀ ଅଧ୍ୟାପକ ଗିରିଜାବାବୁଙ୍କୁ ସଂଶୋଧନ କରିଦେବାକୁ ଅନୁରୋଧ କରିଥିଲେ; କିନ୍ତୁ କେତେକ ଅସୁବିଧା ଯୋଗୁ ତାହା ସଂଶୋଧିତ ହୋଇପାରି ନଥିଲା । ସେଇଟି ଅନେକ ଦିନ ଧରି ତାଙ୍କ ପାଖରେ ରହିଥିଲା । ବାରିପଦାରେ ଶିକ୍ଷକ ଥିଲାବେଳେ ଥରେ ଗ୍ରୀଷ୍ମଛୁଟିରେ ଅନ୍ୟ କେତେକ ଜିନିଷପତ୍ର ସହିତ ତାହା ହଜିଗଲା ।

 

ବାରିପଦାରେ ଥିଲାବେଳେ ସେ ପ୍ରସିଦ୍ଧ ହାସ୍ୟରସାତ୍ମକ ଗଳ୍ପ Don Quixoteର ମର୍ମାନୁବାଦ କରିଥିଲେ । ପରେ କଟକ ଆସି ପ୍ରେସ୍ ଆରମ୍ଭ କଲାପରେ ସେଇଟିକୁ ‘ଡନ୍ କୁସ୍ତି’ ନାମରେ ପ୍ରକାଶ କଲେ ୧୯୪୯ ମସିହାରେ ।

 

ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ତାଙ୍କୁ ଚାରୋଟି ଇଂରାଜୀ ପୁସ୍ତକ ଅନୁବାଦ କରିବା ପାଇଁ ଦିଆଯାଇଥିଲା । ପ୍ରଥମଟି ଉଷା ଯୋଷୀଙ୍କ ଦ୍ୱାରା ରଚିତ Rainbow, ଯାହା ଓଡ଼ିଆରେ ଅନୂଦିତ ହୋଇ ‘ଇନ୍ଦ୍ରଧନୁ’ ନାମରେ ୧୯୮୨ରେ ପ୍ରକାଶ ଲାଭକଲା । ଦ୍ୱିତୀୟଟି Wild Woodnotes; ଏହାର ଲେଖକ ଶ୍ରୀ ଜିତ୍ ରାୟ । ବଣ ଜଙ୍ଗଲ, ଗଛଲତା ଓ ବଣର ପଶୁପକ୍ଷୀଙ୍କ ସଂପର୍କରେ ସଚିତ୍ର ବିବରଣୀ ଏଥିରେ ସନ୍ନିବେଶିତ । ରାମକୃଷ୍ଣ ଏହାକୁ ଓଡ଼ିଆ ଭାଷାରେ ଅନୁବାଦ କରି ଏହାର ନାମ ରଖିଲେ ‘ବଣଜଙ୍ଗଲ କଥା’ । ଏହାର ପ୍ରକାଶକାଳ ୧୯୯୩ । ରାମକୃଷ୍ଣଙ୍କ ଦ୍ୱାରା ଅନୂଦିତ ତୃତୀୟ ବହିଟି ହେଉଛି ‘ପ୍ରଦୂଷଣ’ । ଏହା ଇଂରାଜୀ ଗ୍ରନ୍ଥ Pollutionର ଅନୁବାଦ ଏବଂ ଏହାର ଲେଖକ ଏନ୍. ଶେଷଗିରି । ବାୟୁମଣ୍ଡଳ ପ୍ରଦୂଷିତ ହେବାର କାରଣ ଓ ଏହାର ନିରାକରଣ ସଂପର୍କରେ ଏହା ଏକ ଅତି ଉପାଦେୟ ପୁସ୍ତକ । ଚତୁର୍ଥ ପୁସ୍ତକଟି ରମେଶ ବିଜ୍‍ଲାନିଙ୍କ ଦ୍ୱାରା ରଚିତ Our Body ପୁସ୍ତକର ଅନୁବାଦ ‘ଆମ ଶରୀର’ । ଆମ ଶରୀର ଏକ ଯନ୍ତ୍ରଭଳି କିପରି କାମ କରେ, ତାହାର ବୈଜ୍ଞାନିକ ବିବରଣୀ ଏଥିରେ ରହିଛି । ଏହି ଅନୂଦିତ ପୁସ୍ତକଟି ପ୍ରକାଶିତ ହୋଇଥିଲା ୧୯୮୯ରେ । ଏହି କ୍ଷୁଦ୍ର ପୁସ୍ତକଗୁଡ଼ିକ ‘ନେହେରୁ ବାଳ ପୁସ୍ତକାଳୟ’ ସିରିଜ୍‌ରେ ପ୍ରକାଶିତ ଏବଂ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ । ରାମକୃଷ୍ଣଙ୍କ ଅନୁବାଦର ଭାଷା ଓ ଶୈଳୀ ମଧ୍ୟ ଶିଶୁ-ଉପଯୋଗୀ । ଏହି ପୁସ୍ତକଗୁଡ଼ିକରେ ବିଜ୍ଞାନର ଗୂଢ଼ ତଥ୍ୟକୁ ଶିଶୁମାନଙ୍କ ପାଇଁ ସରଳ ତଥା ସାବଳୀଳ ଢଙ୍ଗରେ ପ୍ରକାଶ କରିବାରେ ସେ କୃତକାର୍ଯ୍ୟ ହୋଇଛନ୍ତି-। ଏହାର ଉଦାହରଣ ପାଇଁ ତାଙ୍କ ଅନୂଦିତ ‘ପ୍ରଦୂଷଣ’ ପୁସ୍ତକରୁ ‘ଧୂଆଁର ପଛପଟେ’ ପରିଚ୍ଛେଦରୁ କେତୋଟି ଅନୁଚ୍ଛେଦ ନିମ୍ନରେ ଉଦ୍ଧୃତ । ଏଥିରେ ବାୟୁମଣ୍ଡଳ ଧୂଆଁଦ୍ୱାରା କିପରି ପ୍ରଦୂଷିତ ହୋଇ ମାନବସମାଜର କ୍ଷତି ସାଧନ କରୁଛି, ତାହା ବର୍ଣ୍ଣିତ ।

 

“ବାୟୁମଣ୍ଡଳକୁ ଦୂଷିତ କରିବାରେ ମଟରଗାଡ଼ିର ସ୍ଥାନ ଦ୍ୱିତୀୟ । କେତେକ ସହରାଞ୍ଚଳରେ ତମାଖୁ ଅପେକ୍ଷା ଏହା ମନୁଷ୍ୟର ସ୍ୱାସ୍ଥ୍ୟକୁ ଅଧିକ ବିପନ୍ନ କରୁଛି । ବିଷାକ୍ତ କାର୍ବନ ମନୋକ୍‍ସାଇଡ଼୍ ଏବଂ ନାଇଟ୍ରୋଜେନ୍ ଅକ୍‌ସାଇଡ଼ର ସର୍ବାଧିକ ଭାଗ ଏହି ଗାଡ଼ିଗୁଡ଼ିକ ପ୍ରସ୍ତୁତ କରନ୍ତି । ଅଥଚ ଜମି ଓ ବାସଗୃହ ପଛକୁ ଏହି ମଟରଗାଡ଼ି ମନୁଷ୍ୟର ଏକ ପ୍ରଧାନ ସମ୍ପତ୍ତି ରୂପେ ବିବେଚିତ ହୁଏ । ତେଣୁ ବାୟୁମଣ୍ଡଳକୁ ଦୂଷିତ କରୁଛି ବୋଲି ଯେ, ଏହାର ନିର୍ମାଣ ଓ ବ୍ୟବହାର ବନ୍ଦ କରି ଦିଆଯିବ, ତାହା ଏକରକମ ଅସମ୍ଭବ । ଖୁବ୍ ହେଲେ ଆମେ ସେଥିରେ କିଛି କଳକବ୍‌ଜା ଖଞ୍ଜିପାରିବା, ଯାହା ଦୂଷିତୀକରଣ କ୍ରିୟାକୁ ନିୟନ୍ତ୍ରଣ କରି ଗାଡ଼ିଗୁଡ଼ିକୁ ଅଳ୍ପ ବିପଜ୍ଜନକ କରିବ ।

 

“ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତିଗୁଡ଼ିକ ଦୁର୍ମୂଲ୍ୟ ହୋଇଥିବା ଯୋଗୁ ଅନେକ ମଟରଗାଡ଼ି ମାଲିକ ତାହା କିଣୁ ନାହାନ୍ତି । ତେଣୁ ନିର୍ମାଣ କାଳରେ ସେଗୁଡ଼ିକୁ ଗାଡ଼ିରେ ଖଞ୍ଜିଦେବା ପାଇଁ ସରକାର ଗାଡ଼ି ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦେବା ଉଚିତ । ପରିବହନ ପାଇଁ ବିଦ୍ୟୁତଚାଳିତ ଟ୍ରେନ୍‌କୁ ବିକଳ୍ପ ବ୍ୟବସ୍ଥା ରୂପେ ଗ୍ରହଣ କରାଯାଇପାରେ । ତା’ଛଡ଼ା ପୁରୁଣା ଗାଡ଼ିର ମାଲିକମାନଙ୍କୁ ପ୍ରଦୂଷଣ ନିରୋଧୀ ଯନ୍ତ୍ରପାତି ଗାଡ଼ିରେ ଖଞ୍ଜିବା ଲାଗି ପ୍ରବର୍ତ୍ତାଇବା ଆବଶ୍ୟକ ।

 

“ବାୟୁ ପ୍ରଦୂଷଣର ପ୍ରାୟ ଏକ-ପଞ୍ଚମାଂଶ ପାଇଁ କାରଖାନାର ଚିମ୍‍ନିଗୁଡ଼ିକ ଦାୟୀ । ଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ ମଟରଗାଡ଼ି–ଏ ଦିଇଟିଠାରୁ ସଂପୂର୍ଣ୍ଣ ଭିନ୍ନ ପଦ୍ଧତିର ଶିଳ୍ପ ସଂସ୍ଥାମାନେ ବହୁ ପ୍ରକାର ପ୍ରଦୂଷଣ ସୃଷ୍ଟିକାରୀ ରାସାୟନିକ ଦ୍ରବ୍ୟ ତିଆରି କରୁଛନ୍ତି । ଶିଳ୍ପ ଭେଦରେ ସେଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ।” (ପୃ.୩୩-୩୫)

 

ରାମକୃଷ୍ଣଙ୍କ ପ୍ରତିଭାର ଅନ୍ୟ ଏକ ଦିଗ ହେଉଛି ସେ ଜଣେ ବିଶିଷ୍ଟ ସଂକଳନ । ଏହାର ପରିଚୟ ଆମେ ପାଇଛୁ ତାଙ୍କ ଦ୍ୱାରା ସଂକଳିତ ଜ୍ଞାନବିଜ୍ଞାନମୂଳକ ଅଭିଜ୍ଞାନ ଗ୍ରନ୍ଥ ‘ବିଶ୍ୱ ପରିଚୟ’ର ଆଲୋଚନା କାଳରେ । ୧୯୮୨ ମସିହାରେ ତାଙ୍କର ଆଉ ଦୁଇଟି ଶିଶୁ-ସାହିତ୍ୟ ସଂକଳନ ପ୍ରକାଶିତ ହୋଇଛି ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା । ପ୍ରଥମଟି ‘ଓଡ଼ିଆ ଶିଶୁସାହିତ୍ୟ ସଂକଳନ’ । ଏଥିରେ ସର୍ବମୋଟି ଏକଶହ ଦୁଇ ଜଣ ଲେଖକ-ଲେଖିକାଙ୍କର ଏକଶହ ପଞ୍ଚାବନଟି ରଚନା ସନ୍ନିବିଷ୍ଟ । ସେଥି ମଧ୍ୟରୁ ଏକଶହ ଛବିଶଟି କବିତା; ଅବଶିଷ୍ଟ ଗଳ୍ପ, ଏକାଙ୍କିକା ଓ ସଂଗୀତରୂପକ । ଏଗୁଡ଼ିକର ବିଷୟସଜ୍ଜା କାଳାନୁକ୍ରମିକ ହୋଇଥିବାବେଳେ ସୂଚୀରେ ସେଗୁଡ଼ିକର ସଜ୍ଜୀକରଣ ବର୍ଣ୍ଣାନୁକ୍ରମିକ । ଫଳରେ ସୂଚୀରୁ ଯେ କୌଣସି ଲେଖକ ଏବଂ ତାଙ୍କ କୃତିକୁ ସହଜରେ ଖୋଜିହୁଏ । ଢଗଢ଼ମାଳି ଆଦି ଲୋକଗୀତରୁ ଆରମ୍ଭ କରି ସାଂପ୍ରତିକ ଶିଶୁ ସାହିତ୍ୟିକମାନଙ୍କ କୃତି ଏଥିରେ ପ୍ରକାଶିତ । ‘ଶିଶୁସାହିତ୍ୟର ବିକାଶଧାରା’ ନାମରେ ଏକ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ସଂକଳନଟିର ମୁଖବନ୍ଧ ଭାବରେ ସ୍ଥାନିତ ହୋଇ ଏହାର ମହତ୍ତ୍ୱ ବୃଦ୍ଧି କରିଛି । ‘ସଂକଳନ ବିଷୟରେ ପଦେ’ରେ ସେ ପ୍ରକାଶ କରିଛନ୍ତି- “ଅତ୍ୟନ୍ତ ସୁଖର କଥା, ଓଡ଼ିଆ ସାହିତ୍ୟ ଏକାଡେମୀ ଏତେ ଦିନେ ଓଡ଼ିଆ ଶିଶୁ ସାହିତ୍ୟର ଏକ ସଂକଳନ ପ୍ରକାଶ କରୁଅଛନ୍ତି । ଏପରି ଏକ ପୁସ୍ତକର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହେଉଥିଲା । ଯେଉଁ ସାହିତ୍ୟରଥୀମାନେ ଶିଶୁ ସାହିତ୍ୟ-ସୌଧର ଭିତ୍ତି ସ୍ଥାପନ କରିଯାଇଥିଲେ ଏବଂ ପରବର୍ତ୍ତୀ କାଳରେ ଯେଉଁମାନେ ସେହି ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଅଛନ୍ତି, ସେ ସମସ୍ତଙ୍କୁ ଗୋଟିଏ ଗ୍ରନ୍ଥର ପୃଷ୍ଠା ମଧ୍ୟରେ ସମ୍ମିଳିତ କରାଇ ସେମାନଙ୍କ ସାନ୍ନିଧ୍ୟ ଲାଭକରିବା କମ୍ ଆନନ୍ଦର କଥା ନୁହେଁ । ଏପରି ଏକ ମହତ୍ କାର୍ଯ୍ୟ ସଂଗେ ସଂପୃକ୍ତ ହେବା ଦ୍ୱାରା ମୁଁ ନିଜକୁ ଭାଗ୍ୟବାନ ମନେକରୁଛି ।”

 

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଏବଂ ତାଙ୍କ ଦ୍ୱାରା ସଂକଳିତ ଦ୍ୱିତୀୟ ଶିଶୁ - ଉପଯୋଗୀ ସଂକଳନଟି ହେଉଛି ‘ଓଡ଼ିଆ ଶିଶୁ ସଂଗୀତ ସଂକଳନ ।’ ଏହା ଶିଶୁ ସଂଗୀତ ବା ନାନାବାୟା ଗୀତରେ ସମୃଦ୍ଧ ଏକ ମନୋଜ୍ଞ ସଂକଳନ । ଏହାର ଆରମ୍ଭରେ ଶିଶୁ ସଂଗୀତ ବିଷୟକ ଏକ ଉପାଦେୟ ତଥା ତଥ୍ୟପୂର୍ଣ୍ଣ ମୁଖବନ୍ଧ ‘ପୂର୍ବାଭାସ’ ଭାବରେ ରହିଛି । ଏଥିରେ ସ୍ଥାନ ପାଇଥିବା ଶିଶୁ ସଂଗୀତଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ପ୍ରାଚୀନ ନାନାବାୟା ଗୀତ ଓ ଦ୍ୱିତୀୟ ଭାଗରେ ଆଧୁନିକ ନାନାବାୟା ଗୀତ ସଂକଳିତ । ପ୍ରଥମ ଭାଗରେ ସଂକଳିତ ନାନାବାୟା ଗୀତ ସମ୍ୱନ୍ଧରେ ସଂକଳକ ରାମକୃଷ୍ଣ କହନ୍ତି-“ଏହି ସଂଗ୍ରହରେ ଥିବା ପୁରୁଣା ଲୋକଗୀତଗୁଡ଼ିକ କେବଳ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ । ମାତ୍ର ଏହାକୁ ପିଲାଙ୍କ ଗୀତ କହିଲେ ଠିକ୍ ହେବ ନାହିଁ; କାରଣ ସବୁ ଶିଶୁ ପିଲାପଦବାଚ୍ୟ ହେଲେହେଁ ସବୁ ପିଲା ଶିଶୁ ନୁହନ୍ତି । ଶିଶୁ ସାହିତ୍ୟ ପରିସର ବିଚାର କଲାବେଳେ ସାଧାରଣତଃ ସାତବର୍ଷ ଓ ଚଉଦ ବର୍ଷକୁ ଦୁଇ ପ୍ରାନ୍ତ ସୀମା ବୋଲି ଧରାଯାଇଥାଏ । ଏ କ୍ଷେତ୍ରରେ କିନ୍ତୁ ପ୍ରାକ୍-ପ୍ରାଥମିକ ସ୍ତରର ଅର୍ଥାତ୍ ଏକରୁ ପାଞ୍ଚ-ଛଅ ବର୍ଷ ବୟସର ଶିଶୁଙ୍କୁ ଦୃଷ୍ଟି ଆଗରେ ରଖି ଏ ସଂକଳନର ପ୍ରାଚୀନ ନାନାବାୟା ଗୀତଗୁଡ଼ିକୁ ବଛାଯାଇଛି-। ଇଂରାଜୀରେ ଯାହାକୁ Nursery Rhymes କୁହାଯାଏ, ଏଗୁଡ଼ିକ ପ୍ରାୟ ସେହି ଶ୍ରେଣୀର । ତେବେ ଏହି ସଂଗ୍ରହର ଖେଳ, ଶିକ୍ଷା ଓ କାହାଣୀ ବିଭାଗରେ ଅସାମାନ୍ୟ ବ୍ୟତିକ୍ରମ କରାଯାଇଛି । ସେହି ଗୀତଗୁଡ଼ିକୁ କାହିଁକି ଏଥିରେ ଅନ୍ତର୍ଭୁକ୍ତ କରାଗଲା, ଏ ପ୍ରଶ୍ନ ଉଠିପାରେ । ଯଦିଓ ପୁଚି ଓ ଦୋଳି ମୁଖ୍ୟତଃ କିଶୋର ବୟସର ପିଲାମାନଙ୍କ ଖେଳ, ପାଞ୍ଚ ଛଅ ବର୍ଷର ଝିଅପୁଅମାନେ ଯେ ସେ ଖେଳ ନ ଖେଳନ୍ତି, ତାହା ନୁହେଁ । ତେଣୁ କେତେକ ସରଳ ଖେଳଗୀତକୁ ଏ ବିଭାଗରେ ଗ୍ରହଣ କରାଯାଇଛି । ଶିକ୍ଷା ଓ କଥା ଗୀତଣୀ ପ୍ରତି ମଧ୍ୟ ଅନୁରୂପ ଯୁକ୍ତି ପ୍ରଯୁଜ୍ୟ । ଏ ସମସ୍ତ ଗୀତର ମୋଟ ସଂଖ୍ୟା ଦୁଇଶହ ଏକ ।”

 

ସେହିପରି ଦ୍ୱିତୀୟ ଭାଗରେ ସଂକଳିତ ହୋଇଛି ୬୩ଟି ଆଧୁନିକ ନାନାବାୟା ଗୀତ । ଏଗୁଡ଼ିକ ଗୋପାଳଚନ୍ଦ୍ର ପ୍ରହରାଜ, ନନ୍ଦକିଶୋର ବଳ, ନୀଳକଣ୍ଠ ଦାସ ପ୍ରଭୃତି କବିଙ୍କଠାରୁ ଆରମ୍ଭ କରି ଆଧୁନିକ କାଳର ବହୁ ଯୁବକବିଙ୍କ ଦ୍ୱାରା ରଚିତ । ଏହା ଓଡ଼ିଆ ଶିଶୁସଂଗୀତର ଏକ ପ୍ରତିନିଧିମୂଳକ ସଂକଳନ ।

 

ତାଙ୍କ ସୃଷ୍ଟି ସମ୍ଭାରର ବିଭାଗୀକରଣ ନିମ୍ନମତେ କରାଯାଇପାରେ ।

 

ଜୀବନୀ

ତୁଳସୀ ଦାସ (୧୯୩୦)

ଅତ୍ମଜୀବନୀ

ଜୀବନ ତରଙ୍ଗ (୧୯୬୯)

ଶିଶୁସାହିତ୍ୟ

ଝୁମୁକା (୧୯୭୫)

ଛଅଟି ଗଛ ସିରିଜ୍ (୧୯୭୭-୮୯)

ସତର ଫୁଲ

ଅଠର ଫୁଲ

କୋଡ଼ିଏ ଫୁଲ

ବାଇଶ ଫୁଲ

ତେଇଶ ଫୁଲ

ଚବିଶ ଫୁଲ

ସୁବର୍ଣ୍ଣ ସେଉ

ମରଣ ଦୋଳି

ସାଗର କନ୍ୟା

ପ୍ରକୃତିର ଗଳ୍ପପୁରୀ (୧୯୮୨)

ସୁନା ପାହାଚ (୧୯୮୪)

ଆମ ଜାତୀୟ ପଶୁ (୧୯୮୪)

ଆମ ଜାତୀୟ ପକ୍ଷୀ (୧୯୮୪)

ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ (୧୯୮୪)

ଆମ ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ (୧୯୮୫)

ରତ୍ନ ପାଖୁଡ଼ା-୧ମ (୧୯୮୮)

ରତ୍ନ ପାଖୁଡ଼ା-୨ୟ (୧୯୮୮)

ଅଦେଶ ବଣର ଫୁଲ (୧୯୮୯)

ପଞ୍ଚତନ୍ତ୍ର କାହାଣୀ-୧ମ (୧୯୮୯)

ପଞ୍ଚତନ୍ତ୍ର କାହାଣୀ-୨ୟ (୧୯୮୯)

ପଞ୍ଚତନ୍ତ୍ର କାହାଣୀ-୩ୟ (୧୯୮୯)

ପୌଷ ସନ୍ଧ୍ୟାର ଗପ (ଅପ୍ରକାଶିତ )

ଜ୍ଞାନବିଜ୍ଞାନମୂଳକ

ବିଜ୍ଞାନର କୁହୁକ (୧୯୪୯)

ଜୀବନ ରହସ୍ୟ (୧୯୮୬)

ପାଠ୍ୟପୁସ୍ତକ

ସାହିତ୍ୟ ସେପାନ-୧ମ (୧୯୩୪)

ସାହିତ୍ୟ ସେପାନ-୨ୟ (୧୯୩୪)

ସାହିତ୍ୟ ସେପାନ-୩ୟ (୧୯୩୭)

ସାହିତ୍ୟ ସେପାନ-୪ର୍ଥ (୧୯୩୭)

ସାହିତ୍ୟ ବୋଧ-୧ମ (୧୯୩୮)

ସାହିତ୍ୟ ବୋଧ-୨ୟ (୧୯୩୮)

ରଚନା ଦର୍ପଣ (୧୯୪୦)

ପାଠ ସୋପାନ-୧ମ (୧୯୪୪)

ପାଠ ସୋପାନ-୨ୟ (୧୯୪୪)

ପାଠ ସୋପାନ-୩ୟ (୧୯୪୫)

ପ୍ରବନ୍ଧ ଓ ସମାଲୋଚନା

ଓଡ଼ିଆ ଶିଶୁ ସାହିତ୍ୟ ଓ ପତ୍ରିକା (୧୯୮୨)

ଭାବି ଦେଖନ୍ତୁ (୧୯୯୩)

ସମ୍ପାଦନା ଓ ସଂକଳନ

ବିଶ୍ୱ ପରିଚୟ (୧୯୬୨)

ଓଡ଼ିଆ ଶିଶୁ ସାହିତ୍ୟ ସଂକଳନ (୧୯୮୨)

ଓଡ଼ିଆ ଶିଶୁ ସଙ୍ଗୀତ ସଂକଳନ(୧୯୮୪)

ଅନୁବାଦ

ଡନ୍‍ କୁସ୍ତି (୧୯୪୮)

ସୋହରାବ ଓ ରୁସ୍ତମ (ଅପ୍ରକାଶିତ)

ଇନ୍ଦ୍ରଧନୁ (୧୯୮୨)

ଆମ ବଣ ଜଙ୍ଗଲର କଥା (୧୯୮୩)

ପ୍ରଦୂଷଣ (୧୯୮୭)

ଆମ ଶରୀର (୧୯୮୯)

ବିବିଧ

ତୁଳସୀଦାସ ଦୋହାବଳୀ (୧୯୩୧)

ପ୍ରତିଧ୍ୱନି (୧୯୩୩)

ସଂଗ୍ରାମ ଓ ସାଧନା-୧ମ (୧୯୩୬)

ସଂଗ୍ରାମ ଓ ସାଧନା-୨ୟ (୧୯୪୬)

ଲେଖନୀର ପାଠଶାଳା (୧୯୯୨)

 

ଓଡ଼ିଆ ସାହିତ୍ୟର ବହୁବିଧ ବିଭାଗରେ ଲେଖନୀ ଚାଳନା କରି ରାମକୃଷ୍ଣ ଯଶସ୍ୱୀ ହୋଇଛନ୍ତି । ମୁଖ୍ୟତଃ ଓଡ଼ିଆ ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ସେ ଜଣେ ଅବିସ୍ମରଣୀୟ ସ୍ରଷ୍ଟା । ସେହିପରି ଓଡ଼ିଆ ଶିଶୁସାହିତ୍ୟକୁ ତାଙ୍କର ଦାନ ଅତୁଳନୀୟ । ସେ ଥିଲେ ଅଭିଜ୍ଞାନ ଗ୍ରନ୍ଥ ‘ବିଶ୍ୱ ପରିଚୟ’ର ନିଷ୍ଠାବାନ ସଂକଳକ ଓ ଜ୍ଞାନ ବିଜ୍ଞାନମୂଳକ ମାସିକ ଶିଶୁ ପତ୍ରିକା ‘ସଂସାର’ର ସୁଯୋଗ୍ୟ ସମ୍ପାଦକ । ‘ସହକାର’ ଭଳି କେତେକ ପୁରାତନ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କର ଗଳ୍ପ ଓ ପ୍ରବନ୍ଧଗୁଡ଼ିକ ଏବେ ବି ସଂକଳିତ ହୋଇପାରି ନାହିଁ । ଲେଖକ-ଜୀବନର ଆଦ୍ୟଭାଗରେ ରଚିତ ତାଙ୍କର କେତେକ ରଚନା ମଧ୍ୟ ଆଉ ଦୃଷ୍ଟିଗୋଚର ହେଉ ନାହିଁ । ଏ ଦୃଷ୍ଟିରୁ ତାଙ୍କର ସମସ୍ତ ରଚନାକୁ ଏକତ୍ର କରି ଏକ ଗ୍ରନ୍ଥାବଳୀ ସଂକଳନ କରିବାର ଆବଶ୍ୟକତା ବର୍ତ୍ତମାନ ଅନୁଭୂତି ହେଉଛି । ଏହା ହୋଇପାରିଲେ ଆମର ଉତ୍ତର ପୁରୁଷଗଣ ଆଜୀବନ ଅତନ୍ଦ୍ର ସାରସ୍ୱତ ତପସ୍ୟା ନିମଜ୍ଜିତ ଜଣେ ନିଷ୍ଠାପର ପ୍ରାଜ୍ଞ ତପସ୍ୱୀଙ୍କ କୃତିସମଗ୍ରର ଯଥାର୍ଥ ମୂଲ୍ୟାଙ୍କନ ପାଇଁ ଯଥେଷ୍ଟ ସୁଯୋଗ ପାଇ ପାରିବେ ।

Image

 

ପରିଶିଷ୍ଟ

 

(କ) ରାମକୃଷ୍ଣଙ୍କୁ ସମ୍ୱର୍ଦ୍ଧିତ କରିଥିବା କେତେକ ଅନୁଷ୍ଠାନ

 

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର (୧୯୭୫)

ଓଡ଼ିଶା ସରକାରଙ୍କ ଶିଶୁ ସାହିତ୍ୟ ସମିତି (୧୯୭୬)

ଯଦୁମଣି ସାହିତ୍ୟ ସଂସଦ, ଉଦୟପୁର (୧୯୭୮)

କଳିକା ସାଂସ୍କୃତିକ ଅନୁଷ୍ଠାନ, କଟକ (୧୯୭୯)

ଗୋକର୍ଣ୍ଣିକା ସାହିତ୍ୟ ସମାଜ, ବଡ଼ଚଣା (୧୯୭୯)

ଭାରତୀୟ ଜାତୀୟ ସଂଗଠନ (୧୯୭୯)

‘ଟିକି ଦୁନିଆ’ ଶିଶୁ ପତ୍ରିକା ଅନୁଷ୍ଠାନ (୧୯୭୯)

ଉଦୟଭାନୁ, ଶିଶୁସାଥୀ ଓ ଚାଚାଜୀ କିଶୋର ସଂଘ, କଟକ(୧୯୮୦)

ରେଭେନ୍‍ସା କଲେଜିଏଟ୍ ସ୍କୁଲ (୧୯୮୦)

ନୀଳଶୈଳ, କଟକ (୧୯୮୧)

ଉନ୍ମେଘ ଡାଇଜେଷ୍ଟ ପତ୍ରିକା (୧୯୮୧)

ଉତ୍କଳ ପାଠକ ସଂସଦ, କଟକ (୧୯୮୨)

ଇଣ୍ଡିଆନ୍ ମେଟାଲ୍‍ସ ପବ୍ଳିକ ଚାରିଟେବ୍ଲ ଟ୍ରଷ୍ଟ, ଭୁବନେଶ୍ୱର (୧୯୮୨)

‘କୁଆଁତାରା’ ଶିଶୁ ପତ୍ରିକା (୧୯୮୩)

‘ମନପବନ’ ଶିଶୁ ପତ୍ରିକା, କଟକ (୧୯୮୭)

ରାଧାନାଥ ପାଠାଗାର, ସୋରୋ (୧୯୮୮)

ମଣିମାଣିକ, କଟକ (୧୯୮୮)

ବ୍ରହ୍ମପୁର ଶିଶୁସାହିତ୍ୟ କର୍ମଶାଳା (୧୯୮୯)

ଶିଶୁସାହିତ୍ୟ ଏକାଡେମୀ, ଓଡ଼ିଆ (୧୯୮୯)

ଉତ୍କଳ ସନ୍ତାନ (୧୯୯୩)

 

ଏତଦ୍ ବ୍ୟତୀତ Parents and Pedagogue, ଲେଖକ ସାମ୍ମୁଖ୍ୟ, ଶିଶୁ ସାହିତ୍ୟ ବିକାଶ ସଂସଦ, ଶିଶୁ ରାଇଜ, ଶତଦ୍ରୁ, ଶିଶୁ କିଶୋର ସାହିତ୍ୟ ସଂସଦ, କଟକ ପୌରସଭା ଇତ୍ୟାଦି ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ ଓ ସମ୍ୱର୍ଦ୍ଧିତ କରିଥିଲେ ।

 

(ଖ) ରାମକୃଷ୍ଣ ସଂପୃକ୍ତ ଥିବା କେତେକ ଅନୁଷ୍ଠାନ

 

- ପାଟନା ବିଶ୍ୱବିଦ୍ୟାଳୟ - ଇଂରାଜୀ ପରୀକ୍ଷକ (ମାଟ୍ରିକ୍)

- ଉତ୍କଳ ବିଶ୍ୱବିଦ୍ୟାଳୟ - ଇଂରାଜୀ ପରୀକ୍ଷକ (ମାଟ୍ରିକ୍)

- ରାଧାନାଥ ଟ୍ରେନିଂ କଲେକ, କଟକ - ସଭ୍ୟ ଗଭର୍ଣ୍ଣିଂ ବଡ଼ି

- ମଡ଼ର୍ଣ୍ଣ ପବ୍ଳିକ୍ ସ୍କୁଲ, କଟକ - ସଭାପତି, ପରିଚାଳନା ସମିତି

- ରାଜାବଗିଚା ଏମ୍.ଇ.ସ୍କୁଲ, କଟକ - ସଭ୍ୟ, ପରିଚାଳନା ସମିତି

- ବାଙ୍କୀ ଡମପଡ଼ା ହାଇସ୍କୁଲ - ସହକାରୀ ଶିକ୍ଷକ

- ବାରିପଦା ହାଇସ୍କୁଲ - ସରକାରୀ ପ୍ରଧାନ ଶିକ୍ଷକ

- ଶ୍ରୀ ବକ୍ରେଶ୍ୱର ହାଇସ୍କୁଲ ଭିଙ୍ଗାରପୁର - ପ୍ରଧାନ ଶିକ୍ଷକ

- ପାଠ୍ୟପୁସ୍ତକ ଜାତୀୟକରଣ କମିଟି, କଟକ - ସଭ୍ୟ, କାର୍ଯ୍ୟକାରୀ ସମିତି

- ଶିଶୁସାହିତ୍ୟ ସମିତି, କଟକ - ସଭ୍ୟ, କାର୍ଯ୍ୟକାରୀ ସମିତି

- ପ୍ରାଥମିକ ଶିକ୍ଷାବୋର୍ଡ଼, ଓଡ଼ିଶା - ସଭ୍ୟ

- ମାଧ୍ୟମିକ ଶିକ୍ଷା ବୋର୍ଡ଼, ଓଡ଼ିଶା - ସଭ୍ୟ, ସଂପାଦକମଣ୍ଡଳୀ

- NCERT ଦିଲ୍ଲୀ - ସମୀକ୍ଷକ, ଶିଶୁପୁସ୍ତକ

- ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ - ଅନୁବାଦକ

- ଓଡ଼ିଶା ସାହିତ୍ୟ ଏକାଡେମୀ - ସଂକଳନ ଓ ସମୀକ୍ଷକ (ଶିଶୁପୁସ୍ତକ)

- ଶିଶୁ ସାହିତ୍ୟ ଏକାଡେମୀ - ସଭାପତି, ଆଜୀବନ ସଭ୍ୟ

- ଉତ୍କଳ ସାହିତ୍ୟ ସମାଜ - ଆଜୀବନ ସଭ୍ୟ

- ଉତ୍କଳ ସଂଗୀତ ସମାଜ - ସଭ୍ୟ, କାର୍ଯ୍ୟକାରୀ ସମିତି

- ସଦାଚାର ଭାରତୀ, ହିନ୍ଦ୍‍ସେବକ ସଂଘ - ସଭ୍ୟ

- ରମାଦେବୀ ଶିଶୁବିହାର - ସଭ୍ୟ, ପରିଚାଳନା ସମିତି

- ଆକାଶବାଣୀ ଓ ଦୂରଦର୍ଶନ, କଟକ - ସ୍ୱୀକୃତିପ୍ରାପ୍ତ ଗୀତିକାର ।

Image